କରେନ୍ସି ନୋଟରୁ ଆକର୍ଷଣୀୟ ଉପହାର ବନାଉଥିବା ନୀରୁ ଗର୍ଗଙ୍କ କାହାଣୀ

କରେନ୍ସି ନୋଟରୁ ଆକର୍ଷଣୀୟ ଉପହାର ବନାଉଥିବା ନୀରୁ ଗର୍ଗଙ୍କ କାହାଣୀ

Friday December 11, 2015,

3 min Read

ସବୁକିଛିର ଆରମ୍ଭ ଏକ ମୂହୁର୍ତ୍ତରୁ । ସେଦିନ ନୀରୁ ଗର୍ଗ ମିଲଖା ସିଂଙ୍କର ଏକ ସାକ୍ଷାତକାର ଟିଭିରେ ଦେଖୁଥାନ୍ତି ଏବଂ ମିଲଖା ତାଙ୍କ ଜନ୍ମ ତାରିଖ ଲେଖାଥିବା ଏକ କରେନ୍ସି ନୋଟ ପାଇଁ କିପରି ଖୁସି ଅନୁଭବ କରିଥିଲେ ତାହା କହୁଥାନ୍ତି । ଏଥିରୁ ଜନ୍ମ ଅନମୋଲ ଉପହାରର । ବିଭିନ୍ନ ଖୁସି ଓ ଗୁରୁତ୍ୱପୂର୍ଣ୍ଣ ଦିନଗୁଡିକ ପାଳିବାରେ ସେ ଏହାକୁ ଆପଣାଇ ନେଲେ - ଆପଣଙ୍କ ଜନ୍ମଦିନ ହେଉ, ବିବାହ ବାର୍ଷିକୀ ହେଉ କିମ୍ବା କୌଣସି ଖୁସିର ଅବସର ହେଉ ଏହି ସ୍ମୃତିକୁ ସାଇତି ରଖିବାରେ ଏହା ଏକ ଅତ୍ୟନ୍ତ ଆକର୍ଷଣୀୟ ଉପହାର ରୂପେ ବ୍ୟବହାର ହୋଇଥାଏ । ଧରନ୍ତୁ ଆପଣ ୧୯୯୦ ମସିହା ଜାନୁଆରୀ ୧ ତାରିଖରେ ବିବାହ କରିଥିଲେ । ଆପଣ ଆପଣଙ୍କ ସ୍ତ୍ରୀଙ୍କୁ ‘୦୧୦୧୯୦’ ସିରିୟଲ ନମ୍ବର ଥିବା କରେନ୍ସି ନୋଟ ଉପହାର ଦେଇପାରିବେ । ଆମେ ଏହି ନମ୍ବରର କରେନ୍ସି ନୋଟ ଖୋଜି ବାହାର କରୁ ଓ ଏହାକୁ ଆପଣଙ୍କ ପସନ୍ଦର ଫ୍ରେମ ଦେଇ ଡିଜାଇନ କରି ଆପଣଙ୍କୁ ଦେଇଥାଉ ବୋଲି ନୀରୁ ଗର୍ଗ କୁହନ୍ତି ।

image


୫୮ବର୍ଷ ବୟସରେ ଉଦ୍ୟୋଗୀ ଜୀବନର ଆରମ୍ଭ

ଉତ୍ତର ପ୍ରଦେଶର ଏକ ଛୋଟ ସହର ବୁଲନ୍ଦ ସହରରେ ଜନ୍ମିତ ଓ ବଢ଼ିଥିବା ୫୮ ବୟସ୍କା ନୀରୁ ସେହି ସହରରେ ନିଜର ସ୍ନାତ୍ତକ ସମାପ୍ତ କଲେ ଓ ସେଠାରେ ରହିବାକୁ ଲାଗିଲେ । ତିନୋଟି ସନ୍ତାନଙ୍କ ଜନନୀ ନୀରୁ ଘର ସମ୍ଭାଳିବା ସହିତ ନିଜ ସ୍ୱାମୀଙ୍କୁ ତାଙ୍କ ବ୍ୟବସାୟରେ ସହଯୋଗ କରିଥାନ୍ତି । ତାଙ୍କ ମୁଣ୍ଡରେ ଅନମୋଲ ଉପହାରର କଥା ଆସିବା ପରେ ସେ ଅତ୍ୟନ୍ତ ଭାବରେ ରୋମାଂଚିତ ହୋଇ ଉଠିଥିଲେ ।

image


ଯେହେତୁ ମୋର ପିଲାମାନେ ବଡ ହୋଇଯାଇଥିଲେ ମୋ ପାଖରେ ବହୁତ ସମୟ ବଳୁଥିଲା ତେଣୁ ମୁଁ ଏହା କରିବାକୁ ଆଗଭର ହେଲି କାରଣ ମୁଁ ସର୍ବଦା ନିଜେ କିଛି କରିବାକୁ ଚାହୁଁଥିଲି ବୋଲି ସେ କୁହନ୍ତି । ଏଥିପାଇଁ ତାଙ୍କ ସ୍ୱାମୀ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିଲେ ।

ଅନମୋଲ ଉପହାର

ନୀରୁ ୯ ମାସ ତଳେ ତାଙ୍କର ବ୍ୟବସାୟ ଆରମ୍ଭ କଲେ ଓ ଆଜିଯାଏ ଏହା ଉତ୍ସାହଜନକ ରହିଆସିଛି । ତାଙ୍କ କାର୍ଯ୍ୟର ସବୁଠୁ ମଜାଦାର କଥା ହେଲା କରେନ୍ସି ନୋଟ ଖୋଜିବା । ଇମେଲ କିମ୍ବା ଫୋନ ଦ୍ୱାରା ଅର୍ଡର ମିଳିଯିବା ପରେ ଗ୍ରାହକର ଚାହିଦା ମୁତାବକ କରେନ୍ସି ନୋଟ ଖୋଜିବାର କାର୍ଯ୍ୟ ଆରମ୍ଭ ହୋଇଯାଇଥାଏ । ନୀରୁ ତାଙ୍କ ନେଟୱର୍କର ବ୍ୟବହାର କରି ଏହାକୁ ଖୋଜି ବାହାର କରିଥାନ୍ତି । ଏଥିପାଇଁ ଏକ ସପ୍ତାହର ନୋଟିସ ପିରିୟଡ ସମୟ ଲାଗିଥାଏ । ଯାହା ହେଲେ ବି ଏହା ନିର୍ଦ୍ଧିଷ୍ଟ ନମ୍ବରକୁ ନେଇ ଏକ ଖେଳ । ଅନେକ ସମୟରେ ଗ୍ରାହକ ଚାହୁଁଥିବା ତାରିଖ ମିଳିବା ଏତେ ସହଜ ହୋଇନଥାଏ । ପ୍ରତିଦିନ ଆମ ପାଇଁ ଏକ ଚ୍ୟାଲେଞ୍ଜ ଅଟେ । ପ୍ରତିଦିନ ଆମକୁ ନିର୍ଦ୍ଧିଷ୍ଟ ତାରିଖର କରେନ୍ସି ନୋଟ ଖୋଜିବାକୁ ପଡିଥାଏ । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଏହା ନମିଳିଲେ ଆମକୁ ଗ୍ରାହକକୁ ନା କହିବାକୁ ପଡିଥାଏ ଯାହାକି ବହୁତ କଷ୍ଟ ଦାୟକ ।

image


ଦ୍ୱିତୀୟତ ଗ୍ରାହକ ସେମାନଙ୍କ ପାଖରେ ଥିବା ଡିଜାଇନରେ ସନ୍ତୁଷ୍ଟ ହେବା ଆବଶ୍ୟକ । ସେଥିପାଇଁ ସେ ଜଣେ ଡିଜାଇନର ରଖିଛନ୍ତି । ଏହି ଅସୁବିଧାଗୁଡିକ ଦୂରକରି ଗ୍ରାହକମାନଙ୍କୁ ସର୍ବୋକୃଷ୍ଟ ସେବା ଯୋଗାଇ ଦେବାକୁ ସେ ନିଜର ଭିଜୁଆଲ ଡିଜାଇନରମାନଙ୍କ ସଂଖ୍ୟା ବଢ଼ାଉଛନ୍ତି ।

ତୃତୀୟରେ ଆସୁଛି ବ୍ୟବସାୟର ମାର୍କେଟିଂ ଓ ପ୍ରମୋଶନ । ଏଥିପାଇଁ ନୀରୁଙ୍କୁ ପ୍ରତ୍ୟକ୍ଷଭାବରେ ଦାୟୀତ୍ୱ ନେବାକୁ ପଡିଥାଏ । ଏହି କନ୍ସେପ୍ଟକୁ ବିସ୍ତାରିତ କରିବା ପାଇଁ ସେ ଦିଲ୍ଲୀର ବିଭିନ୍ନ ମଲ ଓ ଫ୍ଲି ମାର୍କେଟରେ ଷ୍ଟଲ ପକାଇଥାନ୍ତି ।

ତାଙ୍କର ଅଧିକାଂଶ ଅର୍ଡର ଉତ୍ତର ଭାରତରୁ ଆସିଥାଏ । ବିଶେଷ କରି ଦିଲ୍ଲୀରୁ । ଏପରିକି ସେ ଚେନ୍ନାଇରୁ ମଧ୍ୟ କରେନ୍ସି ନୋଟର ଅର୍ଡର ପାଇଛନ୍ତି ।

ମହିଳା ଉଦ୍ୟୋଗୀ

ଲୋକମାନେ ମୋତେ ଅନେକ ସମୟରେ ଏତେ ବୟସରେ କାହିଁକି ଏହାକୁ ଆରମ୍ଭ କଲବୋଲି ପଚାରୁଥିଲେ ବି ମୋ ସ୍ୱାମୀ ମୋତେ ସର୍ବଦା ଉତ୍ସାହିତ କରିଆସିଛନ୍ତି ।

ଏକାଧିକ ଦାୟୀତ୍ୱ ସମ୍ଭାଳିବା ମହିଳାଊଦ୍ୟୋଗୀମାନଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭାହୋଇଥାଏ ବୋଲି ସେ ସ୍ୱୀକାର କରିବା ସହିତ ଏହାକୁ ସଠିକ ଭାବରେ ସମ୍ଭାଳିବା ଏତେ ସହଜ ନୁହେଁ ବୋଲି କୁହନ୍ତି ।

ପ୍ରେରଣା

ଗ୍ରାହକମାନଙ୍କ ନିକଟରୁ ଆମର ପ୍ରଡକ୍ଟ ନେଇ ଆମକୁ ମିଳୁଥିବା ସକରାତ୍ମକ ଫିଡବ୍ୟାକ ମୋତେ ବହୁତ ଉତ୍ସାହିତ କରିଥାଏ । ଏହା ସହିତ ତାଙ୍କ ପରିବାରରୁ ମିଳୁଥିବା ପାରିବାରିକ ସହଯୋଗ ତାଙ୍କୁ ସବୁଠୁ ଅଧିକ ପ୍ରେରଣା ଦେଇଥାଏ ବୋଲି ସେ କୁହନ୍ତି ।

ମୂଳ ଲେଖା - ତନବୀ ଦୁବେ

ଭାଷାନ୍ତର - ସୌରଭ ପରିଡ଼ା