CropConnect: ଗାଁରୁ ଆଣି ସହରରେ ପହଂଚାଉଛି ତଟକା ପନିପରିବା

CropConnect: ଗାଁରୁ ଆଣି ସହରରେ ପହଂଚାଉଛି ତଟକା ପନିପରିବା

Monday February 22, 2016,

2 min Read

image


ଭାରତର ଭୌଗୋଳିକ ସ୍ଥିତିରେ ଅନେକ ଭିନ୍ନତା ରହିଛି । ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବାର ଆଦର ରହିଛି । ଆସାମର ଲୋକ ପସନ୍ଦ କରୁଥିବା ଫଳ କିମ୍ବା ପନିପରିବାକୁ ହୁଏତ ଓଡ଼ିଶାର ଲୋକ ପସନ୍ଦ କରି ନ ପାରନ୍ତି । ସହରରେ କିନ୍ତୁ ବିଭିନ୍ନ ରାଜ୍ୟର ଲୋକ ଏକତ୍ର ବାସ କରୁଛନ୍ତି । ସେମାନଙ୍କ ପାଇଁ ପନିପରିବା ଯୋଗାଡ଼ କରିବାର ମାଧ୍ୟମ ହେଉଛି ସ୍ଥାନୀୟ ହାଟ କିମ୍ବା ଡିପାର୍ଟମେଂଟାଲ୍ ଷ୍ଟୋର୍ । ଏହି ଦୁଇଟି ସ୍ଥାନରେ ଲୋକମାନେ ଚାହୁଁଥିବା ସବୁ ଜିନିଷ ମିଳେ ନାହିଁ । ସହରୀ ଲୋକମାନଙ୍କର ନିର୍ଦ୍ଧିଷ୍ଟ ପନିପରିବା ଆବଶ୍ୟକତା ପୂରଣ କରିବା ପାଇଁ ଆରମ୍ଭ ହୋଇଛି ନୂଆ ଷ୍ଟାର୍ଟଅପ୍ ସଂସ୍ଥା 'CropConnect'। 

image


CropConnectକୁ ପୁନୀତ ଝାଝରିଆ ଓ ଇଶିତା ମେହରା ମିଳିତ ଭାବେ ଗଠନ କରିଛନ୍ତି । ଇଶିତା ହେଉଛନ୍ତି ପୁନୀତଙ୍କ ବ୍ୟବସାୟ ପାର୍ଟନର୍ । ଏହି ଦୁଇ ଜଣଙ୍କ ପାଇଁ CropConnect ଗଠନ କରିବା ଏକ ସହଜ କାର୍ଯ୍ୟ ନ ଥିଲା । ଯେତେବେଳେ ସେମାନେ ଏହି କାରବାର ବିଷୟରେ ଚିନ୍ତା କଲେ ତାହା ପୂର୍ବରୁ ସାରା ଦେଶର ବିଭିନ୍ନ ଦୁର୍ଗମ ଅଂଚଳ ସେମାନଙ୍କୁ ବୁଲିବାକୁ ପଡ଼ିଥିଲା । ସେମାନେ ଏ ପର୍ଯ୍ୟନ୍ତ ୨୦ଟି ରାଜ୍ୟର ୭୦ ହଜାର କିଲୋମିଟର ଯାତ୍ରା କରିସାରିଛନ୍ତି । ଏତେ ଯାତ୍ରା କରିବା ପଛର ମୂଳ ଉଦ୍ଦେଶ୍ୟ ହେଉଛି ସମ୍ପୂର୍ଣ୍ଣ ସୁସ୍ଥକର ପନିପରିବା ସନ୍ଧାନ କରିବା ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି କିନ୍ତୁ ସହରର ଭିଡ଼ ଭିତରେ ପାଉ ନାହାନ୍ତି ।

ପୁନୀତ୍ ଓ ଇଶିତା ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରି ଚାଷୀମାନଙ୍କୁ ସାକ୍ଷାତ କରି ସେମାନଙ୍କ ସହ କଥାବାର୍ତା ହୋଇଥିଲେ । ସେମାନଙ୍କ ଜମିରେ ଫଳୁଥିବା ସାମଗ୍ରୀକୁ କିଭଳି ସହରରେ ନେଇ ବିକ୍ରି କରାଯାଇପାରିବ ତାହାର ଏକ ମଡେଲ୍ ପ୍ରସ୍ତୁତ କରିଥିଲେ ।ତାଙ୍କ ପାଇଁ ସବୁଠୁ ବଡ଼ କଥା ଥିଲା ସବୁ ଖର୍ଚ୍ଚ ତୁଟାଇବା ପରେ ଚାଷୀମାନେ କିଭଳି ନିଜର ପ୍ରାପ୍ୟ ଭଲ ଭାବେ ପାଇବେ ଓ ନିଜର ଜୀବନ ଧାରଣ ମାନରେ ଉନ୍ନତି ଆଣିପାରିବେ । ଏହା ଦୁଇ ଜଣଙ୍କ ପାଇଁ ନିଷ୍ପତି ନେବା ଏତେ ସହଜ ନ ଥିଲା । ଏହି ଦୁଇ ବିଜନେସ୍ ପାର୍ଟନର୍ ଖାଦ୍ୟ ଶିଳ୍ପ ବିଷୟରେ ବିଶେଷ କିଛି ଜାଣି ନ ଥିଲେ । କିନ୍ତୁ କୃଷି ପ୍ରତି ତାଙ୍କର ଆଗ୍ରହ ଥିଲା । ଇଶିତା ଇଂଟରନ୍ୟାସନାଲ୍ ଫାଇନାନ୍ସ କର୍ପୋରେସନ୍ ପାଇଁ ଏକ ପ୍ରକଳ୍ପରେ କାମ କରୁଥିଲେ ଯେଉଁଠାରେ ସେ ଚାଷୀମାନଙ୍କ ସହ କାମ କରୁଥିଲେ । ସେଠାରେ ତାଙ୍କୁ CropConnect ଖୋଲିବାର ଅନେକ ପ୍ରେରଣା ମିଳିଥିଲା ।

CropConnect ଚାଷୀଙ୍କଠାରୁ ସଂଗ୍ରହ କରୁଥିବା ତଟକା ପନିପରିବାକୁ ଅନଲାଇନରେ ଓ ମେଟ୍ରୋ ସହରର ବିଭିନ୍ନ ଷ୍ଟୋରରେ ବିକ୍ରି କରିବାକୁ ଯୋଜନା ରଖିଛି । ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିିଭିନ୍ନ ପ୍ରକାର ବର୍ଗ ସୃଷ୍ଟି କରାଯାଇଛି । ପ୍ରତିବର୍ଗରେ ଭିନ୍ନ ଭିନ୍ନ ଧରଣର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଚାଷ ଜମିରୁ ଆସିଥିବା ସାମଗ୍ରୀ ରହିଛି । ତେବେ ପ୍ୟାକେଟର ମୂଲ୍ୟ ୧୦୦୦ ଟଙ୍କା ରଖାଯାଇଛି । ସହରରେ ରହୁଥିବା ଧନୀ ତଥା ସ୍ୱଚ୍ଛଳ ବର୍ଗର ଯୁବବର୍ଗ ଓ ଲୋକମାନଙ୍କୁ ସେମାନେ ବ୍ୟବସାୟ ପାଇଁ ଟାର୍ଗେଟ୍ କରୁଛନ୍ତି ।