ଟେରାକୋଟା ଗାଁର କାହାଣୀ

ଟେରାକୋଟା ଗାଁର କାହାଣୀ

Thursday December 01, 2016,

3 min Read

କେନ୍ଦୁଝର ଜିଲ୍ଲା ମା’ ତାରିଣୀଙ୍କ ପୀଠରୁ ମାତ୍ର ୭ କିଲୋମିଟର ଦୂର ୨୧୫ନଂ. ଜାତୀୟ ରାଜପଥର ଅନତି ଦୂରରେ ପଡେ ଟେରାକୋଟା କାରିଗରଙ୍କ ଗାଁ ହଳଧରପୁର । ରାଜ୍ୟର ଅନେକ ସ୍ଥାନରେ ବସବାସ କରୁଥିବା ବହୁ କୁମ୍ଭାର ପରିବାର ନିଜ କୌଳିକ ବୃତ୍ତି ଛାଡି ସାରିଥିବା ବେଳେ ହଳଧରପୁର ଗାଁ କିନ୍ତୁ ଏମାନଙ୍କ ଠାରୁ ଟିକେ ନିଆରା । ବାପାଅଜା ଅମଳକୁ ନିଜ କୁଳବେଉସାକ୍ ବଞ୍ଚାଇ ଆସିଥିବା ଏହି ଗାଁ ଏବେ ରାଜ୍ୟ ହସ୍ତଶିଳ୍ପ ମାନଚିତ୍ରରେ ପାଇଛି ଏକ ସ୍ଵତନ୍ତ୍ର ସ୍ଥାନ।

image


କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଟେରାକୋଟା କାରିଗରଙ୍କ ଗାଁ ହଳଧରପୁର । ଏହି ଗାଁର ଚାରିପାଖ ପ୍ରାକୃତିକ ଶୋଭା ସାଙ୍ଗକୁ ହଳଧରପୁରର କାରିଗରଙ୍କ କଳାକୃତି ଦେଖିଲେ ଯେ କେହି ପର୍ଯ୍ୟଟକ ଆତ୍ମହରା ହୋଇପଡ଼ିବ । ପୁରୁଣା ସାହି, ନୂଆ ସାହି ଓ ବେଗୁନା ପଶି ଏମିତି ୩ଟି ସାହିରେ ବିଭକ୍ତ ଏହି ଗାଁର ଲୋକ ସଂଖ୍ୟା ପ୍ରାୟ ୮୦୦ ହେବ । ଗାଁର ଅଧିକାଂଶ ପରିବାର କୁମ୍ଭାର ଜାତିର । ପାଞ୍ଚ ଶହ ପରିବାର ମଧ୍ୟରୁ ପ୍ରାୟ ଦୁଇଶହ ପରିବାର ପୋଡ଼ାମାଟି କାମ ବା ଟେରାକୋଟାକୁ ନିଜ ଜୀବନ ଜୀବିକା କରିଛନ୍ତି ।

ପୂର୍ବରୁ କେବଳ ହାଣ୍ଡିମାଠିଆ ଗଢୁଥିବା ଏ ଗାଁର କାରିଗରମାନ ଆଜି ଭଳିକି ଭଳି ଆକର୍ଷଣୀୟ ଟେରାକୋଟା କଳାକୃତିମାନେ ତିଆରି କରୁଛନ୍ତି । ଏଠାକାର କାରିଗରମାନେ ତିଆରି କରୁଥିବା ଜିନିଷଗୁଡ଼ିକ ମଧ୍ୟରେ ରହିଛି । ଏଠାକାର କାରିଗରମାନେ ତିଆରି କରୁଥିବା ଜିନିଷଗୁଡ଼ିକ ମଧ୍ୟରେ ରହିଛି ଫୁଲଦାନୀ, ଘୋଡା, ହାତୀ, ଦେବାଦେବୀ ମୂର୍ତ୍ତି,ଦୀପ, ପଟେରୀ, ସବାରୀ, ଜୀବଜନ୍ତୁ ଓ ବିଭିନ୍ନ ଘରସଜ୍ଜା ଉପକରଣ ସବୁ । ଏଠାକାର କାରିଗରଙ୍କ ହାତ ତିଆରି ରଙ୍ଗିନ ପଟେରୀ ସବୁ ଦେଖିଲେ ବିସ୍ମିତ ହେବାକୁ ପଡ଼େ । ବିଭିନ୍ନ ରଙ୍ଗରେ ରଙ୍ଗିନ ଏହି ବିଶାଳ ପଟେରୀ ସବୁ ବଜାରରେ ବେଶ୍ ଭଲ ଦାମରେ ବିକ୍ରି ହୁଏ ବୋଲି କୁହନ୍ତି ଏଠାକାର କାରିଗର ।

୧୯୯୦ ମସିହା ରେ ହୋଟେଲ ମେ’ ଫେୟାର ନିର୍ମାଣ ପରେ । ହୋଟେଲ ଟେରାକୋଟା ସାମଗ୍ରୀରେ ସଜାଇବା ପାଇଁ ହଳଧରପୁରର କିଛି କାରିଗରଙ୍କ ସାହାଯ୍ୟ ଲୋଡିଥିଲେ । ପାରମ୍ପରିକ ପୋଡ଼ାମାଟି କଳାକୃତି ବଦଳରେ ନୂତନ ଶୈଳୀରେ କଳାକୃତି ନିର୍ମାଣ ପାଇଁ ଏମାନଙ୍କ କାମ ଶିଖିବା ପାଇଁ ଜାମ୍ମୁ-କାଶ୍ମୀର ପଠାଇଥିଲେ । ଉପରୋକ୍ତ ତିନିଜଣ କାରିଗର ନୂଆ ଶୈଳୀରେ କାମ ଶିଖି ଆସିବା ପରେ ନିଜ ତତ୍ତ୍ଵାବଧାନରେ ଗାଁର ଅନ୍ୟ କାରିଗରଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହା ପରେ ବଦଳି ଯାଇଥିଲା ଗାଁର ଚିତ୍ର ଓ କାରିଗରଙ୍କ ଭାଗ୍ୟ ।

ନିଜସ୍ଵ ପ୍ରଚେଷ୍ଟାରେ ପାରମ୍ପରିକ ହାଣ୍ଡିମାଠିଆ ସହ ନୂଆନୂଆ ଡିଜାଇନର ଟେରାକୋଟା କାମ ବାହାର ବଜାରକୁ ବିକ୍ରି ହେବା ପାଇଁ ଗଲା । ପୂର୍ବରୁ ଏଭଳି ପୋଡ଼ାମାଟିର କଳାକୃତି ଦେଖିନଥିବା ଗ୍ରାହକଙ୍କ ମଧ୍ୟରେ ଏସବୁ କଳାକୃତି କିଣିବା ପାଇଁ ଅଧିକ ଆଗ୍ରହ ସୃଷ୍ଟି ହୋଇଥିଲା । ଆଗକୁ ଅନେକଙ୍କ ପାଇଁ ପାରମ୍ପରିକ କାମ କରି ଦିନକୁ ଆଗ୍ରହ ସୃଷ୍ଟି ହୋଇଥିଲା । ଆଗକୁ ଅନେକଙ୍କ ପାଇଁ ପାରମ୍ପରିକ କାମ କରି ଦିନକୁ ଦୁଇ ଓଳା ଦାନା ଯୋଗାଡ଼ କରିବା ବେଶ୍ କାଠିକର ପାଠ ଥିଲା । ନୂଆ ଡ଼ିଜାଇନ ଓ ଶୈଳୀରେ ନିର୍ମିତ ଟେରାକୋଟା କଳାକୃତି ତିଆରି କରିବା ପରେ ଏମାନେ ଏବେ ସମ୍ମାନର ସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ୧୯୯୭ ରୁ ୨୦୦୦ ମସିହା ଯାଏଁ ହଳଧରପୁର ଗାଁରୁ ଟ୍ରକ୍ ଟ୍ରକ୍ ପୋଡ଼ାମାଟି କାମ ରାଜ୍ୟ ବାହାରକୁ ଯାଉଥିଲା । ମୁମ୍ବାଇ, ନାସିକ, ବିଳାସପୁର, ନାଗପୁର, ଇନ୍ଦୋର, ପୁନେ ଓ ଦିଲ୍ଲୀ ଆଦି ବିଭିନ୍ନ ପ୍ରମୁଖ ସହରରେ ଏଠାକାର କାମର ବେଶ୍ ଚାହିଦା ଥିଲା । କିନ୍ତୁ ୨୦୦୦ମସିହା ପରେ କାମ ପଠାଉଥିବା ଉପରୋକ୍ତ ସହରଗୁଡ଼ିକରେ କଳାକୃତି ବିକିବା ପାଇଁ ଉପଯୁକ୍ତ ସ୍ଥାନ ନମିଳିଲା, ଯିବା ଆସିବା ରାସ୍ତାରେ ପଡୁଥିବା ଗେଟ୍ ରେ ଅଧିକ ଟିକସ ଆଦାୟ ପ୍ରଭୃତି କାରଣରୁ କାରିଗରମାନ ବାହାରକୁ ଜିନିଷ ପଠାଇବା ବନ୍ଦ କରିଦେଇଥିଲେ ।

ଏବେ ଯାହା ରାଜ୍ୟ ଭିତରେ ନିଜ କଳାକୃତି ବିକ୍ରି କରିବାକୁ ପଡୁଛି । ଫଳରେ ଆଗ ଭଳି ଏତେଟା ଲାଭ ମିଳିପାରୁ ନାହିଁ ବୋଲି କହନ୍ତି ଏଠାକାର କାରିଗର କପିଳ ରଣା । ୨୦୧୩ ମସିହାରେ ଏଠାକାର କାରିଗରମାନେ ମିଶି ଗଠନ କରିଛନ୍ତି ମା’ତାରିଣୀ ଟେରାକୋଟା ସୋସାଇଟି । ଏ ସୋସାଇଟିର ପ୍ରାୟ ଦେଢଶହ କାରିଗର ସଦସ୍ୟ ଅଛନ୍ତି । କିନ୍ତୁ ଅର୍ଥାଭାବରୁ ଏହି ସୋସାଇଟିର କାର୍ଯ୍ୟଧାରା ସେତେଟା ଆଗେଇ ପାରିନାହିଁ ।

ଘଟଗାଁରୁ କେନ୍ଦୁଝର ଯିବା ବାଟରେ ପଡ଼େ ବାଟ ହରିଚନ୍ଦନପୁର ଛକ । କିଛି ବର୍ଷ ହେବ ସ୍ଥାନୀୟ କିଛି ବ୍ୟକ୍ତି ହଳଧରପୁର ଗାଁର ଜିନିଷ କିଣି ଏଠାରେ ଛୋଟ ଛୋଟ ବିକ୍ରୟ କେନ୍ଦ୍ରମାନ ଖୋଲିଛନ୍ତି । ଫଳରେ ଗଲା ଆଇଲା ଲୋକେ ନିଜ ଘର ସଜାଇବା ପାଇଁ କେବେ କେମିତି ଏଠାରୁ ଟେରାକୋଟା କାମ କିଣିଥାନ୍ତି । ଏସବୁ ଜିନିଷ କିଣିଲାବେଳେ ଲୋକେ ଅଧିକ ମୁଲଚାଲ କରୁଥିବାରୁ ସେତେଟା ଲାଭ ମିଳେନାହିଁ ବୋଲି କହିଛନ୍ତି ଏଠାରେ ଏକ ଛୋଟ ଦୋକାନ ଖୋଲି ଟେରାକୋଟା ସାମଗ୍ରୀ ବିକୁଥିବା ବାବୁଲି ସାହୁ । (ସୂତ୍ର - ସମାଜ)