ମହାରାଷ୍ଟ୍ର : ସରୋଗେଟ ମା ବି ପାଇବେ ମ୍ୟାଟରନିଟି ଲିଭ

ମହାରାଷ୍ଟ୍ର : ସରୋଗେଟ ମା ବି ପାଇବେ ମ୍ୟାଟରନିଟି ଲିଭ

Saturday January 23, 2016,

2 min Read

ସୁସ୍ଥ ମାତୃତ୍ୱ ପାଇଁ ନିକଟରେ ମହାରାଷ୍ଟ୍ର ସରକାର ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ସରୋଗେସୀ(ସ୍ଥାନ୍ନାପନ୍ନ ସନ୍ତାନ ପ୍ରସବ) ଦ୍ୱାରା ମାତୃତ୍ୱ ଲାଭ କରୁଥିବା ମହିଳାମାନଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ୧୮୦ ଦିନର ଛୁଟି ପ୍ରଦାନ କରିବାକୁ ନୀତି ନିର୍ଦ୍ଧାରଣ କରାଯାଇଛି । ତେବେ ସରକାରଙ୍କ ନିର୍ଦ୍ଧାରିତ ନୀତି ଅନୁଯାୟୀ ୧୮୦ ଦିନର ଏହି ଏହି ଛୁଟିକୁ ଜଣେ ମା’ ନିରବଚ୍ଛିନ୍ନ ଭାବେ ହିଁ ଲାଭ କରି ପାରିବ ।

ନୀତି ଅନୁଯାୟୀ, ଏହି ସୁବିଧା ଲାଭ କରିବାକୁ ଇଛୁକ ଥିବା ମହିଳା କର୍ମଚାରୀମାନଙ୍କୁ ଯଥେଷ୍ଟ ପୂର୍ବରୁ ଏବିଷୟରେ ସରକାରଙ୍କୁ ଅବଗତ କରାଇବାକୁ ପଡିବ । ସେହିପରି ସ୍ଥାନ୍ନାପନ୍ନ ସନ୍ତାନ ପ୍ରସବ କ୍ଷେତ୍ରରେ କରାଯାଉଥିବା ‘ଚାଇଲ୍ଡ ସରେଣ୍ଡର ରାଜିନାମା’କୁ ଦଲିଲ୍ ରୂପେ ଦେଖାଇବାକୁ ପଡିବ । ଅପରପକ୍ଷରେ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ପକ୍ଷରୁ ଧାର୍ଯ୍ୟ ଗାଇଡ୍ ଲାଇନ୍ସ ଅନୁଯାୟୀ ମହିଳା କର୍ମଚାରୀଜଣଙ୍କ ଯୋଗ୍ୟା ବିବେଚିତ ହେବା ପରେ ହିଁ ତାଙ୍କୁ ଏହି ୧୮୦ ଦିନର ଛୁଟି ମିଳି ପାରିବ । ସ୍ଥାନ୍ନାପନ୍ନ ପ୍ରସବ କ୍ଷେତ୍ରରେ ପ୍ରକୃତ ମା’କୁ ସନ୍ତାନ ସହ ସମୟ ବିତାଇବା ନିତାନ୍ତ ଜରୁରୀ ଏବଂ ଏହା ଦ୍ୱାରା ମା’ ଓ ପିଲା ମଧ୍ୟରେ ଏଧ୍ୟରେ ସ୍ନେହ ଓ ଆବେଗର ଏକ ବନ୍ଧନ ସୃଷ୍ଟି ହୋଇଥାଏ ବୋଲି ରାଜ୍ୟ ସରକାର ହୃଦୟଙ୍ଗମ କରି ପାରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଶିଶୁଟି ଜନ୍ମ ନେବା ପରେ ହିଁ ମା’ ଏହି ଛୁଟି ଲାଭ କରି ପାରିବେ ।

image


ଗତ କିଛି ବର୍ଷ ମଧ୍ୟରେ ସ୍ଥାନ୍ନାପନ୍ନ ସନ୍ତାନ ପ୍ରସବକୁ ନେଇ ବିଭିନ୍ନ କୋର୍ଟରେ ସ୍ୱତନ୍ତ୍ର ଫଇସଲାମାନେ ଶୁଣା ଯାଇଥିବାର ଦୃଷ୍ଟିଗୋଚର ହୋଇଛି । ସ୍ଥାନ୍ନାପନ୍ନ ପ୍ରସବ କ୍ଷେତ୍ରରେ ଜଣେ ମା’ ସରକାରୀ ଛୁଟି ପାଇଁ ଯୋଗ୍ୟା ବୋଲି ଗତବର୍ଷ ଅଗଷ୍ଟ ମାସରେ ମହାରାଷ୍ଟ୍ର ହାଇକୋର୍ଟଙ୍କ ନାଗପୁର ବେଞ୍ଚ୍ ଶୁଣାଣି କରିଥିଲେ । ସେହିପରି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏକ ସମାନ ଶୁଣାଣି କରିଥିବାର ସୂଚନା ରହିଛି । ତେବେ କୌଣସି ରାଜ୍ୟ ସରକାର ଏଭଳି ଏକ ନିୟମ ପ୍ରଥମ ଥର ପାଇଁ ଲାଗୁ କରିଛନ୍ତି । ବର୍ତ୍ତମାନ ପ୍ରଚଳିତ ନିୟମାନୁଯାୟୀ ଜଣେ ଗର୍ଭବତୀ ମହିଳାଙ୍କୁ ୧୮୦ ଦିନର ଓ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାଙ୍କୁ ୯୦ ଦିନର ଛୁଟି ଦିଆଯାଉଛି । ଚାକିରି ସମୟ ମଧ୍ୟରେ ଜଣେ ମହିଳା ଏହି ଛୁଟିକୁ ଥରେ ହିଁ ଲାଭ କରି ପାରିବେ । ସେହିପରି ପ୍ରଥମ ସନ୍ତାନ କ୍ଷେତ୍ରରେ ହିଁ ଜଣେ ମହିଳାଙ୍କୁ ଏହି ଛୁଟି ମିଳି ପାରିବ । ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତା ମହିଳାମାନେ ମଧ୍ୟ ଏହି ଛୁଟି ଲାଭ କରି ପାରିବେ ।