ପଥର ଚିରି ପଥ ତିଆରି କରିଥିବା ଏକ ଦରିଦ୍ର ଲୋକ ଦଶରଥ ମାନ୍ଝୀର କାହାଣୀ

ପଥର ଚିରି ପଥ ତିଆରି କରିଥିବା ଏକ ଦରିଦ୍ର ଲୋକ ଦଶରଥ ମାନ୍ଝୀର କାହାଣୀ

Tuesday November 03, 2015,

5 min Read

ଆମର ଜନସଂଖ୍ୟା ଏବେ ୧୨୦ କୋଟିରୁ ଅଧିକ । ଏମାନଙ୍କ ମଧ୍ୟରେ ଅଧିକାଂଶ ଗାଁରେ ରହୁଥିବା ବେଳେ ଅନେକେ ସହରୀ ବସ୍ତିରେ ବି ବାସ କରନ୍ତି । ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଏକ ସମ୍ମାନଜନକ ଜୀବନ ବଞ୍ଚିବାକୁ ପ୍ରତିଦିନ ଲକ୍ଷ ଲକ୍ଷ ଜନତା ଉଦ୍ୟମ କରିଚାଲିଛନ୍ତି । ତେବେ ଆଉ କେତେଜଣ ଅନ୍ୟମାନଙ୍କ ଜୀବନରୁ ବାଧାବିଘ୍ନ ହଟାଇବାକୁ ଚିନ୍ତାମଗ୍ନ ଅଛନ୍ତି ।

image


ତେବେ ଏ କାହାଣୀ ହେଉଛି ସେମିତି ଜଣେ ମଣିଷର ଯିଏ କେବଳ ଚିନ୍ତା କରିନାହାନ୍ତି, ବରଂ ସଫଳ ହୋଇ କାମରେ ଦେଖାଇଛନ୍ତି । ସେ ଭାରତତ ଅଗଣିତ ଦରିଦ୍ରତମ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । କିନ୍ତୁ ସେ ସ୍ଥିର କରିଥିଲେ, ଯଦି କ୍ଷମତାରେ ଥିବା ବ୍ୟକ୍ତି ତାଙ୍କ ଲୋକମାନଙ୍କୁ ସହଯୋଗ କରିପାରୁନି, ତେବେ ସେ କରିବେ । ସେ ଏମିତି ଜଣେ ମଣିଷ ଯେ ନିଜେ କରି ଦେଖାଇବାକୁ ପଣ କରିଥିଲେ ।ଆଉ ତା ପରେ କ୍ଷଣଟିଏ ବି ଚିନ୍ତା ନକରି ସେ ଆଗେଇଗଲେ ଓ ଶୂନ୍ୟ ହାତରେ ସେହି କାମଟି କରି ସାରା ଜଗତକୁ ଦେଖାଇଦେଲେ । ଏ କାହାଣୀ ହେଉଛଇ ଦଶରଥ ମାନ୍ଝୀଙ୍କର, ଯିଏ ନିଜ ଲୋକଙ୍କୁ ଠିକଣା ସମୟରେ ଡାକ୍ତରଖାନା ପହଞ୍ଚାଇବା ଲକ୍ଷ୍ୟରେ ପାହାଡ଼ ତାଡ଼ି ରାସ୍ତାଟିଏ ଠିଆ କରାଇଦେଲେ ।

image


ଗେହଲୋର ଗାଁ

ଗେହଲୋର ଗଞ୍ଜ: ୩୦୦ ଫୁଟ ଉଚ୍ଚ ପାହାଡ ଏଇ ଗାଁ ଓ ସଭ୍ୟତା ଭିତରେ

ଗେହଲୋର ଗଞ୍ଜ: ୩୦୦ ଫୁଟ ଉଚ୍ଚ ପାହାଡ ଏଇ ଗାଁ ଓ ସଭ୍ୟତା ଭିତରେ


୧୯୬୦ର କଥା । ଉତ୍ତରଭାରତ ବିହାରର ଗୟା ଜିଲ୍ଲା ଆତ୍ରି ବ୍ଲକ୍ର ଗୋଟେ କୋଣଠେସା ଗାଁ ଗେହଲୋରର ପାହାଡ଼ିଆ ପରିବେଷ୍ଟନୀରେ ରହୁଥିଲେ ଭୂମିହୀନ ମୁସାହାର ସଂପ୍ରଦାୟ । ଜାତିଭିତ୍ତିକ ସମାଜରେ ମୁସାହାରମାନଙ୍କୁ ଅତ୍ୟନ୍ତ ନୀଚ ଭାବେ ପରିଗଣିତ କରାଯାଉଥିଲା ଓ ଜଳ, ବିଦ୍ୟୁୂତ, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ସେବାରୁ ସେମାନେ ବଞ୍ଚିତ ଥିଲେ । ସଭ୍ୟ ସମାଜ ଓ ସେମାନଙ୍କ ମଧ୍ୟରେ ବାଧକ ହୋଇ ଠିଆ ହୋଇଥିଲା ୩୦୦ ଫୁଟ ଉଚ୍ଚା ପାହାଡ଼ ।

ଅନ୍ୟ ମୁସାହାର ଲୋକଙ୍କ ଭଳି ଦଶରଥ ମାନ୍ଝୀ ବି ପାହାଡ଼ ସେପାଖେ କାମ କରୁଥିଲେ । ଦ୍ୱିପ୍ରହରେ ତାଙ୍କ ସ୍ତ୍ରୀ ଫଗୁନି ତାଙ୍କ ପାଇଁ ଖାଇବା ନେଇ ଆସୁଥିଲେ । ସେମାନଙ୍କର ରାସ୍ତା ନଥିବାରୁ ପାହାଡ଼ ଚଢ଼ି ସେପାଖୁ ଏପଟକୁ ଆସିବାକୁ ଘଣ୍ଟା ଘଣ୍ଟା ସମୟ ଲାଗି ଯାଉଥିଲା । ମାନ୍ଝୀ ପାହାଡ଼ ସେପାଖେ ଜଣେ ଜମିଦାରର ଜମି ଚାଷ କରୁଥିଲେ । ସେ ପଥର ବି ଫଟାଉଥିଲେ, କିନ୍ତ ଅଳ୍ପ ସମୟରେ ହାଲିଆ ଓ ଭୋକିଲା ହୋଇଯାଉଥିଲେ ।

ଦଶରଥ ପାହାଡ ପାରି ଏଇ କ୍ଷେତରେ କାମ କରୁଥିଲେ

ଦଶରଥ ପାହାଡ ପାରି ଏଇ କ୍ଷେତରେ କାମ କରୁଥିଲେ


ସେଦିନ ପାହାଡ଼ ସେପଟେ ଥାଇ ସେ ଫଗୁନିକୁ ଅପେକ୍ଷା କରି ରହିଥିଲେ । ଫଗୁନି ପାହାଡ଼ ଚଢ଼ି ଆସିବ ବେଳେ ପଥରରେ ଗୋଡ଼ ଖସି ଯାଇଥିଲା ଓ ସେ କେତେ ଫୁୂଟ ତଳକୁ ଖସି ଯାଇଥିଲେ । ଡେରି ହେବାରୁ ଦଶରଥ ନିଜେ ଖୋଜିବାକୁ ଗଲେ ସ ଫଗୁନିଙ୍କୁ ଖଣ୍ଡିଆଖାବରା ଦେଖିବାକୁ ପାଇଲେ । ସେଇଠି ସେ ଗୋଟେ ଦୃଢ଼ ନିଷ୍ପତ୍ତି ନେଇଥିଲେ ।

ପାହାଡ଼ ସହ ଲଢେ଼ଇ

ମାନ୍ଝୀ ନିଜ ଛେଳି ବିକି ସେଇ ପଇସାରେ ଗୋଟେ ହାତୁଡ଼ି, ଛେଣି ଓ ଶାବଳ କିଣିଲେ । ପାହାଡ଼ ଉପରକୁ ଚଢ଼ି ସେ ପଥର ହାଣିବା ଆରମ୍ଭ କଲେ । ପରେ ମାନ୍ଝୀ ସେଦିନର କଥା ମନେପକାଇ କହନ୍ତି, ‘ପାହାଡ଼ ସାରା କେତେ ଭଙ୍ଗା ପାତ୍ର ପଡ଼ିଥିଲା, କେତେ ଲୋକଙ୍କ ଜୀବନ ଯାଇଥିଲା । କିନ୍ତୁ ମୋ ସ୍ତ୍ରୀର ପୀଡ଼ା ମୁଁ ସହିପାରିଲିନି । ସେଇଠୁ ମୁଁ ଠିକ କଲି, ମୋ ସାରା ଜୀବନ ପଛେ ଚାଲିଯାଉ, ପାହାଡ଼ ଚିରି ରାସ୍ତାଟିଏ ଫିଟାଇବି ।’

ଦଶରଥଙ୍କ ଛେଣି, ହାତୁଡି ଓ ଶାବଳ

ଦଶରଥଙ୍କ ଛେଣି, ହାତୁଡି ଓ ଶାବଳ


କଥା ଚାରିଆଡେ଼ ପ୍ରଘଟ ହେଲା । ଦଶରଥ ପାହାଡ଼ କାଟିବାକୁ ନିଜ କାମ ଛାଡ଼ିଦେଲେ । ଫଳରେ ତାଙ୍କ ପରିବାରକୁ ଅନେକ ସମୟରେ ଭୋକରେ ରହିବାକୁ ପଡ଼ୁଥିଲା । ସେପଟେ ଫଗୁନିଙ୍କର ଦେହବି ଦିନକୁ ଦିନ ଖରାପ ହେବାରେ ଲାଗିଲା । ପାହାଡ଼ ଡେଇଁ ୭୫ କିଲୋମିଟର ଗଲେ ୱାଜିରଗଞ୍ଜ୍ରେ ଡାକ୍ତର ରହନ୍ତି । ଡାକ୍ତରଙ୍କ ପାଖକୁ ନ ଯାଇପାରି ବିଚାରୀ ଫଗୁନିଙ୍କର ପ୍ରାଣ ଗଲା । ତାଙ୍କ ମୃତ୍ୟୁ ଦଶରଥଙ୍କୁ ଅଧିକ ଶକ୍ତ କରିଦେଲା ।

ତେବେ ଦଶରଥଙ୍କ କାମ ଏତେ ସହଜ ନଥିଲା । ବଡ଼ବଡ଼ ପଥର ଭାଙ୍ଗିଲେ ତାଙ୍କ ଉପରେ ମାଡ଼ି ବସିବାର ଆଶଙ୍କା ଥିଲା । ତେବେ ଆହତ ହେଲେ ସେ ବିଶ୍ରାମ ନେଉଥିଲେ ଓ ପୁଣି କାମରେ ଲାଗି ଯାଉଥିଲେ । ବେଳେବେଳେ ଷଳାକଙ୍କ ଜିନିଷପତ୍ର ପାହାଡ଼ ଉପରକୁ ବୋହି ସେ କିଛି ରୋଜଗାର କରୁଥିଲେ ଓ ସେଇଥିରେ ତାଙ୍କ ପିଲାଙ୍କ ମୁହଁରେ ଦାନା ଦେଉଥିଲେ । ଦଶବର୍ଷର ପରିଶ୍ରମ ପରେ ପାହାଡ଼ ଉପରେ ଫାଙ୍କଟିଏ ତିଆରି କରିବାରେ ସମର୍ଥ ହେଲେ ମାନ୍ଝୀ । ଏହା ଦେଖି ଲୋକଙ୍କ ମନରେ ଆଶା ସଂଚାର ହେଲା ଓ କେତେକ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଲେ । ୧୯୮୨ ମସିହାରେ ଗେହଲଟରେ ଗୋଟେ ଚମକ୍ରାର ଘଟିଲା ।

ଦୀର୍ଘ ୧୦ ବର୍ଷ ଧରି ଦଶରଥ ପାହାଡ ହାଣି ଚାଲିଲେ

ଦୀର୍ଘ ୧୦ ବର୍ଷ ଧରି ଦଶରଥ ପାହାଡ ହାଣି ଚାଲିଲେ


ବାବା: ସମ୍ମାନ ଓ ଶ୍ରଦ୍ଧାର ମୂର୍ତ୍ତିମନ୍ତ

୨୨ ବର୍ଷର ଦୀର୍ଘ ପରିଶ୍ରମ ପରେ ଭୂମିହୀନ ଦଶରଥ ପାହାଡ଼ର ଛାତି ଚିରି ୩୦ ଫୁଟ ଓସାରର ୩୬୦ ଫୁଟ ଦୀର୍ଘ ଏକ ରାସ୍ତା ତିଆରିରେ ସଫଳ ହେଲେ । ୭୫ କିଲୋମିଟର ଦୂର ୱାଜିରଗଞ୍ଜ ଏବେ ଗେହଲୋରରୁ ମାତ୍ର ୫ କିଲୋମିଟର ଦୂରତାକୁ ଚାଲିଆସିଲା । ଅତ୍ରି ବ୍ଲକର ୬୦ ଗାଁର ଲୋକଙ୍କୁ ଏ ରାସ୍ତା ଦେଖାଇଲା ନୂଆ ରାହା । ମାତ୍ର ୩ କିଲୋମିଟର ଚାଲି ପିଲାମାନେ ସ୍କୁଲରେ ପହଞ୍ଚି ପାରିଲେ । କୃତଜ୍ଞ ଅଞ୍ଚଳବାସୀ ଦଶରଥଙ୍କୁ ଶ୍ରଦ୍ଧା ଓ ସମ୍ମାନରେ ବାବା ବୋଲି ଡାକିବା ଆରମ୍ଭ କଲେ ।

କିନ୍ତୁ ସେତିକିରେ ଅଟକିଗଲେନି ମାନ୍ଝୀ । ଏ ରାସ୍ତା କେମିତି ପାହାଡ଼ ସେପାଖ ମୁଖ୍ୟ ରାସ୍ତା ସହ ଯୋଡ଼ି ହେବ ସେଇ ଉଦ୍ୟମ ଆରମ୍ଭ କଲେ । ନିଜ ଗାଁରୁ ରେଳ ଲାଇନ୍ରେ ସେ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ ଓ ବାଟରେ ଯେତେ ଷ୍ଟେସନ୍ ପଡ଼ିଥିଲା ସବୁଠି ଷ୍ଟେସନ୍ମାଷ୍ଟରଙ୍କ ଦସ୍ତଖତ ସଂଗ୍ରହ କରିଥିଲେ ଦଶରଥ । ଦିଲ୍ଲୀରେ ନିଜ ଗାଁ ପାଇଁ ରାସ୍ତା ଓ ଡାକ୍ତରଖାନା ଦାବି କରି ଏକ ଦାବିପତ୍ର ଦେଇଥିଲେ ମାନ୍ଝୀ । ୨୦୦୬ ଜୁଲାଇରେ ‘ବାବା’ ସେତେବେଳର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦରବାରକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଖୁସିରେ ନିଜ ଆସନରୁ ଉଠିଯାଇ ‘ବାବା’ଙ୍କୁ ବସାଇଥିଲେ ।

ପରେ ସରକାର ତାଙ୍କୁ ଗୋଟିଏ ଭୂମିଦାନ କରିଥିଲେ । ସେ ଜମିକୁ ଗାଁରେ ଡାକ୍ତରଖାନା ପାଇଁ ଦାନ କରିଦେଇଥିଲେ ମାନ୍ଝୀ । ତାଙ୍କ ନାମ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୟନ ହୋଇଥିବା ବେଳେ ତାଙ୍କ ପାହାଡ଼ ଖୋଳା କାମ ବେଆଇନ ବୋଲି ଦର୍ଶାଇଥିଲା ଜଙ୍ଗଲ ବିଭାଗ ।

ସେ କହିଥିଲେ, ‘ଏ ସମ୍ମାନ, ଏ ପ୍ରତିଷ୍ଠା ଓ ଏ ଅର୍ଥରେ ମୋର ଲୋଭନାହିଁ । ମୁଁ କେବଳ ମୋ ଲୋକଙ୍କ ପାଇଁ ରାସ୍ତା, ସ୍କୁଲ ଓ ଡାକ୍ତରଖାନାଟିଏ ଚାହୁଁଛି ।’

ତେବେ ସେ ରାସ୍ତା ପକ୍କା କରିବାକୁ ସରକାର ୩୦ ବର୍ଷ ସମୟ ନେଇଯାଇଥିଲେ ।

କେତେ ଯେ ପାହାଡ଼

୨୦୦୭ ଅଗଷ୍ଟ ୧୭ ତାରିଖରେ କ୍ୟାନ୍ସର ପୀଡ଼ିତ ଦଶରଥ ମାନ୍ଝୀ ପ୍ରାଣ ହରାଇଲେ । ତେବେ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ସେ ଯେଉଁ ମହତ କାମଟି କଲେ, ତାହା ହଜାର ହଜାର ଲୋକଙ୍କୁ ଆଲୋକ ଦେଖାଇଲା । ସେ କହନ୍ତି, ‘ମୋ ସ୍ତ୍ରୀ ପ୍ରତି ଭଲପାଇବାରୁ ମୁଁ ଏ କାମ ଆରମ୍ଭ କରିଥିଲି । କିନ୍ତୁ ପରେ ମୋ ଲୋକଙ୍କ ସ୍ବାର୍ଥ ପାଇଁ କାମରେ ମାତିଗଲି । ଯଦି ମୁଁ ନକରିଥାନ୍ତି, କେହି ବି କରିନଥାନ୍ତେ ।’

image


ଏବେ ଦଶରଥ ନାହାନ୍ତି । ତାଙ୍କ ଗାଁ ଲୋକ ଏବେ ବି ଗରିବ ଅଛନ୍ତି । ସେଠି ବିଦ୍ୟୁତ ଖୁଣ୍ଟ ଅଛି ସତ କିନ୍ତୁ ବିଦ୍ୟୁତ ସଂଯୋଗ ନାହିଁ; ନଳକୂପ ଅଛି, କିନ୍ତୁ ପାଣି ବାହାରୁନି; ଡାକ୍ତରଖାନା ନାହିଁ; ଜୀବନଜୀବିକା ବି ନାହିଁ; ଶିକ୍ଷାରେ ସେମିତି କିଛି ଉନ୍ନତି ଘଟିନି । ନିକଟରେ ମାନ୍ଝୀଙ୍କର ପୁଅ ନିଜ ସ୍ତ୍ରୀକୁ ରୋଗରେ ହରାଇଛନ୍ତି । ଏତେ ବର୍ଷର ତାଙ୍କ ପରିଶ୍ରମ ଗୋଟିଏ ପାହାଡ଼ ସିନା ହଟାଇ ଦେଇଛି, ଆହୁରି କେତେ ଯେ ପାହାଡ଼ ଠିଆ ହୋଇଛି ଗେହଲୋର ଗାଁରେ; ଦାରିଦ୍ର୍ୟ ଓ ସ୍ବାସ୍ଥ୍ୟ-ଅବ୍ୟବସ୍ଥା ଏବେ ବି ଦାଉ ସାଧୁଛି ।

ତଥାପି ମାନ୍ଝୀଙ୍କ ଆଦର୍ଶ ବଞ୍ଚିଛି; ତାଙ୍କ ଭଳି ନିଜ ଚାରିପାଖର ଲୋକଙ୍କ ପାଇଁ କିଛି କରିଦେଖାଇବାର ସାହସ ରଖୁଥିବା ହଜାର ହଜାର ଲୋକଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି । ଆପଣମାନଙ୍କ ଭଳି ଅନେକଙ୍କ ଭିତରେ ସେ ବଞ୍ଚିରହନ୍ତୁ, ଯେଉଁମାନେ ନିଜ ନିଜର ପାହାଡ଼ ହଟାଇବାରେ ଲାଗିପଡ଼ିଛନ୍ତି ।

    Share on
    close