ଓଡ଼ିଶାର ପ୍ରଥମ ଉଦ୍ୟୋଗପତି ମଧୁବାବୁ: ଆଜି ୮୨ ତମ ଶ୍ରାଦ୍ଧଦିବସ

0

ଦେଶ ବ୍ୟାପୀ ଏବେ ଉଦ୍ୟୋଗ ପ୍ରତିଷ୍ଠାର ଲହରୀ ଖେଳୁଥିବା ବେଳେ ଷ୍ଟାର୍ଟଅପ୍ ନୀତି ମାଧ୍ୟମରେ ସରକାର ନୂଆ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଦେଶର ବିକାଶରେ ଉଦ୍ୟୋଗ ଯେ ଏକ ଅପରିହାର୍ଯ୍ୟ ଅଙ୍ଗ, ଏହାକୁ କେହି ଅସ୍ଵୀକାର କରି ପାରିବେନାହିଁ । ତେବେ ଦେଶ ସ୍ବାଧୀନ ହେବାର ବହୁ ବର୍ଷ ପୂର୍ବରୁ ଓଡ଼ିଶାରେ ଉଦ୍ୟୋଗ ଓ ଉଦ୍ୟୋଗ ମାଧ୍ୟମରେ ନିଯୁକ୍ତି ତଥା ଅର୍ଥନୈତିକ ଅଭିବୃଦ୍ଧିର ସ୍ଵପ୍ନ ଦେଖିଥିବା ଆଧୁନିକ ଉତ୍କଳର ଅନ୍ୟତମ ବିନ୍ଧାଣୀ ମଧୁବାବୁଙ୍କର ଆଜି (୪ ଫେବୃଆରି ୨୦୧୬) ହେଉଛି ୮୨ ତମ ତିରୋଧାନ ଦିବସ ।

ମଧୁବାବୁ କହିଲେ ହଠାତ ଆଖି ସାମନାକୁ ଚାଲିଆସେ ମୁଣ୍ଡରେ ଓଡ଼ିଆ ପଗଡ଼ି ଭିଡ଼ା କୂଳବୃଦ୍ଧ ଉତ୍କଳଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କର ସେଇ ଦର୍ପିତ ଚେହେରା । ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଉତ୍କଳ ଟ୍ୟାନେରି ପ୍ରତିଷ୍ଠା କରି ନିଜେ ଦେବାଳିଆ ହୋଇଯାଇଥିଲେ ଏହି ସ୍ଵାଭିମାନୀ ଓଡ଼ିଆ । ଆଜି ତାଙ୍କ ତିରୋଧାନ ଦିବସରେ ଆସନ୍ତୁ ଜାଣିବା ତାଙ୍କର ଉଦ୍ୟୋଗ ପ୍ରତିଷ୍ଠାର ଉଛୁଳା ଇତିହାସ ।

ସମବାୟ ଆନ୍ଦୋଳନ

ୟୁରୋପ ରହଣୀ ବେଳେ ସମବାୟ ସଂସ୍ଥା ବାବଦରେ ସେ ଜ୍ଞାନ ଆହରଣ କରିଥିଲେ । ମାେଞ୍ଚଷ୍ଟରର ସେଣ୍ଟ୍ରାଲ ହୋଲସେଲ କୋଅପରେଟିଭ୍ ଷ୍ଟୋର ଦେଖି ମଧୁବାବୁ ଆଶ୍ଚର୍ଯ୍ୟଚକିତ ହୋଇଥିଲେ । ୧୮୯୭ରେ ସେ ବିଲାତ ଗସ୍ତ ସାରି ଓଡ଼ିଶାର ରାଜଧାନୀ ତଥା ତାଙ୍କର ଘର କଟକକୁ ଫେରିଥିଲେ । ପରେ ୧୧ ଜୁନ୍ ୧୮୯୮ ମସିହାରେ ମଧୁବାବୁ ପ୍ରତିଷ୍ଠା କଲେ ଦେଶର ପ୍ରଥମ ସମବାୟ ସଂସ୍ଥା The Cuttack Cooperative Store । ମଧୁବାବୁ ଏହାର ସଂପାଦକ ଥିବାବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ ଥିଲେ ଏହାର କୋଷାଧ୍ୟକ୍ଷ । ପରେ ମଧୁବାବୁ National Agriculture Cooperative Bank of Orissaର ସ୍ଵପ୍ନ ଦେଖିଥିଲେ ଯାହା ଅଧୁରା ରହିଯାଇଛି ।

ଓଡ଼ିଶା ଆର୍ଟ ୱେର୍

ମହାତ୍ମା ଗାନ୍ଧିଙ୍କ ସ୍ବଦେଶୀ ଡାକରାରେ ଉଦ୍ବୁଦ୍ଧ ହୋଇ ମଧୁବାବୁ Orissa Art Ware ପ୍ରତିଷ୍ଠା କରିଥିଲେ । ବିଭିନ୍ନ ସ୍ଵଦେଶୀ ଉତ୍ପାଦର ପ୍ରଚାର ପ୍ରସାର ଓ ବ୍ୟବସାୟ ମାଧ୍ୟମରେ ସାରା ଦେଶ ପାଇଁ ଓଡ଼ିଶା ଆର୍ଟ ୱେର ଏକ ଆଲୋକବର୍ତିକା ସଦୃଶ ଥିଲା । ଏହା ମାଧ୍ୟମରେ ଓଡ଼ିଶାର କୁଟୀର ଶିଳ୍ପକୁ ଏକ ବ୍ୟବସାୟିକ ମଞ୍ଚ ଦେବାରେ ସଫଳ ହୋଇଥିଲେ ମଧୁବାବୁ । ତାଙ୍କ ପ୍ରଚେଷ୍ଟାରେ କଟକର ରୁପା ତାରକସୀ କାମକୁ ସ୍ଵତନ୍ତ୍ର ପରିଚୟ ମିଳିଥିଲା ।

ଉତ୍କଳ ଟ୍ୟାନେରି

ମଧୁବାବୁଙ୍କର ସବୁଠୁ ବଡ଼ ଔଦ୍ୟୋଗିକ ପ୍ରୟାସ ଓ ସଫଳତା ହେଉଛି ଉତ୍କଳ ଟ୍ୟାନେରି । ଓଡ଼ିଶାରେ ବିକ୍ଷିପ୍ତ ଭାବେ ଏକ ମାନ୍ଦା କୁଟୀର ଶିଳ୍ପ ରୂପରେ ରହିଥିବା ଚମଡ଼ା ଶିଳ୍ପକୁ ନୂଆ ପରିଚୟ ଦେବା ପ୍ରଚେଷ୍ଟାରେ ୧୯୦୫ ମସିହାରେ ସେ ପ୍ରତିଷ୍ଠା କଲେ ଚମଡ଼ା କାରଖାନା ଉତ୍କଳ ଟ୍ୟାନେରି । ତତ୍କାଳୀନ ସମାଜରେ ଇତର ଜୀବନ ବଞ୍ଚୁଥିବା ଦଳିତ ଚମଡ଼ା କାରିଗରଙ୍କୁ ରୋଜଗାର ଦେବା ସହ ଏକ ସମ୍ମାନଜନକ ଜୀବନ ବଞ୍ଚିବାର ସୁଯୋଗ ସୃଷ୍ଟି କରିଥିଲେ ମଧୁବାବୁ । ଏହି କାରଖାନା ସମବାୟ ଭିତ୍ତିରେ ଚାଲୁଥିଲା ଓ ଅଛବ କର୍ମଚାରୀମାନଙ୍କୁ ଏହାର ଭାଗିଦାରୀ କରାଇଥିଲେ ମଧୁବାବୁ । ଜୋତା ରପ୍ତାନୀରେ ଏହି ଶିଳ୍ପ ଓଡ଼ିଶା ବାହାରେ ବେଶ୍ ନାଁ କରିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ବେଳେ ବ୍ରିଟିଶ୍ ସୈନିକମାନଙ୍କ ଲାଗି ଜୋତା ନିର୍ମାଣ କରିଥିଲା ଉତ୍କଳ ଟ୍ୟାନେରି । ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଶିଳ୍ପ ସଫଳତାର ସହ କାର୍ଯ୍ୟକ୍ଷମ ଥିଲା । କଥିତ ଅଛି, ଓଡ଼ିଶାର ବଦନାମ ନହେବା ଲକ୍ଷ୍ୟରେ କ୍ଷତି ସତ୍ତ୍ୱେ ଖରାପ ମାନର ଜୋତାକୁ ପୋଡ଼ି ଦେଉଥିଲେ ମଧୁବାବୁ ।

୧୯୨୫ ଅଗଷ୍ଟ ୧୯ ତାରିଖରେ ମହାତ୍ମା ଗାନ୍ଧି କଟକରେ ଉତ୍କଳ ଟ୍ୟାନେରି କାରଖାନା ଭ୍ରମଣ କରି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ଦଳିତ ମାନଙ୍କ ସହ ମଧୁବାବୁଙ୍କ ଭାବଗତ ସମ୍ପର୍କ ଓ ଭାତୃତ୍ୱ ଭାବର ପ୍ରଶାଂସା କରିଥିଲେ ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନର କର୍ଣଧାର ମହାତ୍ମା ଗାନ୍ଧି ।

ସେତେବେଳେ ଗାନ୍ଧିଜୀ କହିଥିଲେ,

ଏକ ବିଶାଳ ମଣିଷ ସମାଜ ପ୍ରତି ହେଉଥିବା ଅପରାଧ ବିରୋଧରେ ମଧୁସୂଦନ ଦାସ ମୋ ଆଖି ଖୋଲି ଦେଇଛନ୍ତି । ସେ ଏଠାରେ ଯେଉଁ ମରାମତି କାର୍ଯ୍ୟ କରୁଛନ୍ତି ସମ୍ଭବତଃ ଏହାକୁ ଶିକ୍ଷା ଟ୍ୟାନେରି(Educational Tannery) କୁହାଯିବା କଥା ।

୧୯୨୦ ପରେ ପରେ ଉତ୍କଳ ଟ୍ୟାନେରିର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବାକୁ ଆରମ୍ଭ କରିଥିଲା । ୧୯୨୧ରେ ବେଙ୍ଗଳ ଶିଳ୍ପ ନିର୍ଦେଶକ ଉତ୍କଳ ଟ୍ୟାନେରି ବାବଦରେ ସରକାରଙ୍କୁ ଯେଉଁ ରିପୋର୍ଟ ଦେଇଥିଲେ ସେଥିରେ ଉଲ୍ଲେଖ ଥିଲା,

ବେଶ୍ ଖୁସିର କଥା, ଦେଶରେ ସ୍ଵଦେଶୀ ଶିଳ୍ପାୟନର ବହୁ ପୂର୍ବରୁ ଏପରିକି ବଙ୍ଗଳାରେ ସ୍ଵଦେଶୀ ଆନ୍ଦୋଳନ ହେବା ପୂର୍ବରୁ ବଙ୍ଗ-ବିହାର-ଓଡ଼ିଶା ମଧ୍ୟରେ ସବୁଠୁ ପଛୁଆ କୁହାଯାଉଥିବା ଅଞ୍ଚଳର ଜଣେ ବ୍ୟକ୍ତି ଏ କାମ ଆରମ୍ଭ କରିଥିଲେ । ସବୁଠୁ ବଡ଼କଥା ହେଲା, ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି, ବ୍ୟସ୍ତ ଆଇନଜୀବୀ ଓ ସ୍ଥାନୀୟ ବାର୍ ମୁଖ୍ୟ ହୋଇ ମଧ୍ୟ ଶ୍ରୀଯୁକ୍ତ ଦାସ ଚମଡ଼ା କାମ ଭଳି ସମାଜରେ ନିମ୍ନ ସ୍ତରରେ ଥିବା ବ୍ୟକ୍ତି (ଚମାର ଜାତି)ଙ୍କ ଘୃଣ୍ୟ ଶିଳ୍ପରେ ହାତ ଦେଇଥିଲେ ।

ଏହି ରିପୋର୍ଟ ପରେ ପରେ ମଧୁବାବୁ ସରକାରରେ ଜଣେ ମନ୍ତ୍ରୀ ଭାବେ ଯୋଗଦେଲେ ଏବଂ ବିହାର-ଓଡ଼ିଶା ପାଇଁ ନୂଆ ଶିଳ୍ପ ବିଭାଗ ଖୋଲିଲା । ତଥାପି ମଧ୍ୟ ଟ୍ୟାନେରିିର ଭାଗ୍ୟ ବଦଳିଲାନି ।

୧୯୨୫ରେ ଗାନ୍ଧିଜୀ ଟ୍ୟାନେରି ଭ୍ରମଣ ସମୟରେ ମଧ୍ୟ ଏହାର ଆର୍ଥିକ ଦୁର୍ଗତି ଦେଖି ଚିନ୍ତିତ ହୋଇଥିଲେ । ପରେ ସେ ଏ ବାବଦରେ କଲିକତାର କେତେକ ଶିଳ୍ପପତିଙ୍କ ସହ ଆଲୋଚନା କରି ମଧ୍ୟ ମଧୁସୂଦନଙ୍କୁ ସହଯୋଗ କରିବାରେ ବିଫଳ ହୋଇଥିଲେ ।

ସମସ୍ତଙ୍କର ସହାନୁଭୂତି, ପ୍ରଚେଷ୍ଟା ଓ ଆଗ୍ରହ ସତ୍ତ୍ୱେ ୧୯୨୬ ମସିହାରେ ଉତ୍କଳ ଟ୍ୟାନେରି ବନ୍ଦ ହୋଇଗଲା । ସେହି ବର୍ଷ ନଭେମ୍ବର ୧୫ ତାରିଖରେ ଉକ୍ରଳ ଟ୍ୟାନେରି ନିଲାମ ହୋଇଗଲା । ପରେ ୧୯୨୭ରେ ସରକାର ମଧୁବାବୁଙ୍କୁ ଦେବାଳିଆ ଘୋଷଣା କଲେ ।

ବହୁ ବର୍ଷ ପରେ ୧୯୩୭ ଅକ୍ଟୋବର ୨୦ ତାରିଖରେ ଜାତୀୟ ଶିକ୍ଷା ସମ୍ମିଳନୀରେ ଉଦବୋଧନ ଦେବା ସମୟରେ ମହାତ୍ମା ଗାନ୍ଧି ମଧୁବାବୁଙ୍କ ଅବର୍ତମାନରେ ତାଙ୍କୁ ମନେପକାଇ କହିଥିଲେ,

ସ୍ବର୍ଗତ ମଧୁସୂଦନ ଦାସ ଜଣେ ଓକିଲ ଥିଲେ, କିନ୍ତୁ ସେ ବୁଝିଥିଲେ ବିନା ହାତ ଗୋଡ଼ ବ୍ୟବହାରରେ ମସ୍ତିସ୍କ ମୂଲ୍ୟହୀନ, ଯଦି ବି ମସ୍ତିଷ୍କ କାମ କରେ ତେବେ ଏହା ଶୈତାନର ଘର ହିଁ ପାଲଟିବ । ଟଲଷ୍ଟୟ ତାଙ୍କର ବହୁ କାହାଣୀରେ ଏହି ସମାନ ଶିକ୍ଷା ଦେଇଛନ୍ତି ।

୨୮ ଏପ୍ରିଲ ୧୮୪୮ରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ଜନ୍ମିତ ମଧୁସୂଦନ ୧୯୩୪ ମସିହା ଫେବୃଆରି ୪ ତାରିଖରେ ଦେହତ୍ୟାଗ କରିଥିଲେ । ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଓ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅଗ୍ରଗଣ୍ୟ । ଜୀବନବ୍ୟାପୀ ଓଡ଼ିଶାର ଉନ୍ନତି ପାଇଁ କାର୍ଯ୍ୟ କରିଥିବା ସ୍ବାଭିମାନୀ ମଧୁବାବୁ ବ୍ୟକ୍ତିଗତ ଜୀବନରେ ବିଳାସୀ ଥିଲେ ଓ କୌଣସି ପରିସ୍ଥିତିରେ କାହା ପାଖରେ ମୁଣ୍ଡ ନୁଆଁଇ ନଥିଲେ ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା subhransupanda@yahoo.co.in ରେ ଯୋଗାଯୋଗ କରାଯାଇ ପାରିବ।

Author, Journalist, Nomad. Also shows interest in documentary film making and social service. Can be reached at: subhransupanda@yahoo.co.in / +91 9338655845

Related Stories