କଟକରେ ଏବେ ସାନିଟାରୀ ପ୍ୟାଡ଼ର ଏଟିଏମ

କଟକରେ ଏବେ ସାନିଟାରୀ ପ୍ୟାଡ଼ର ଏଟିଏମ

Tuesday December 27, 2016,

2 min Read

Image : <a href=

Image :

Indian Expressa12bc34de56fgmedium"/>

ସାନିଟାରୀ ପ୍ୟାଡ଼ କିଣିବା ଆଜି ପର୍ଯ୍ୟନ୍ତ ମଧ୍ୟ ଏକ ଲାଜର କଥା। ଦୋକାନରେ ଭିଡ଼ କମିବା ଯାଏ ଅପେକ୍ଷା କରିବା ଓ ଦୋକାନୀ ଭାଇ ପ୍ୟାଡ଼କୁ କାଗଜରେ ଗୁଡ଼େଇ କଳା ପଲିଥିନ ଥଳିରେ ପୁରେଇ ଦେବା ଆଜି ମଧ୍ୟ ସାଧାରଣ। କିନ୍ତୁ ମହିଳା ମାନଙ୍କର ସ୍ୱାସ୍ଥ୍ୟ ଏବଂ ସ୍ବଚ୍ଛତା ପାଇଁ ସାନିଟାରୀ ପ୍ୟାଡ଼ ବ୍ୟବହାର କରିବା ଅତ୍ୟନ୍ତ ଆବଶ୍ୟକ। ଏହି ଲକ୍ଷ୍ୟ ନେଇ କଟକ ପୌର ନିଗମ ସହର ମଧ୍ୟରେ ଏକ ସାନିଟାରୀ ପ୍ୟାଡ଼ ଭେଣ୍ଡିଙ୍ଗ ମେସିନର ସ୍ଥାପନା କରିଛି। ଦେଶରେ ପ୍ରଥମ ଥର ପାଇଁ କୌଣସି ପୌର ନିଗମ ଦ୍ଵାରା ଏପରି ଏକ ଉଦ୍ୟମର ଆରମ୍ଭ ହେଇଛି।

image


ଏହି ପ୍ରୟାସର ପ୍ରଥମ ପର୍ଯ୍ୟାୟରେ ଦୁଇଟି ଭେଣ୍ଡିଙ୍ଗ ମେସିନ ସ୍ଥାପନା ହେଇଛି, ଗୋଟିଏ ବିଶ୍ଵନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ ଠାରେ ଏବଂ ଅନ୍ଯଟି ଶିଶୁ ଭବନ ପରିସରରେ ଥିବା ଆଶ୍ରୟ ଗୃହରେ। ଭେଣ୍ଡିଙ୍ଗ ମେସିନ ସହ ଏଠାରେ ବ୍ୟବହୃତ ପ୍ୟାଡ଼ ଗୁଡ଼ିକୁ ଜଳାଇବା ପାଇଁ ଇନସିନରେଟର ମଧ୍ୟ ସ୍ଥାପିତ ହେଇଛି। ବ୍ୟବହୃତ ପ୍ୟାଡ଼କୁ ସ୍ବଚ୍ଛତାର ସହ ଫିଙ୍ଗିବା ପାଇଁ ତାକୁ ନିରାପଦ ଭାବେ ଜଳାଇଦେବା ଆବଶ୍ୟକ। କଟକ ପୌର ନିଗମ ଏହି ଦୁଇ ଜାଗାରେ ମେସିନ ଲଗେଇବା ପାଇଁ ପ୍ରାୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

ଲାଇବ୍ରେରୀ ଓ ଆଶ୍ରୟ ଗୃହରେ ସବୁଦିନ ଶତାଧିକ ମହିଳା ଆସୁଥିବାରୁ ପୌର ନିଗମ ଏହି ଦୁଇଟି ଜାଗାରେ ମେସିନ ସ୍ଥାପନା କରିବାର ନିଷ୍ପତ୍ତି ନେଇଥିଲା। ଶିଶୁଭବନରେ ଚିକିତ୍ସିତ ହେଉଥିବା ନେକ ଶିଶୁଙ୍କର ମା’ ମାନେ ଏହି ଆଶ୍ରୟ ଗୃହରେ ରହିଥାନ୍ତି।

କଟକ ପୌର ନିଗମର ଡେପୁଟୀ କମିଶନର ନିରୂପମା ସ୍ଵାଇଁ Times of Indiaକୁ କହନ୍ତି,

ସାନିଟାରୀ ପ୍ୟାଡ଼ କିଣିବା ଆମ ସମାଜରେ ଏବେ ମଧ୍ୟ ଏକ ଲାଜର ବିଷୟ ହେଇଥିବାରୁ ଅଧିକାଂଶ କିଶୋରୀ ଓ ମହିଳା ଦୋକାନ ଯାଇ କିଣିବା ପାଇଁ କୁଣ୍ଠା ପ୍ରକାଶ କରିଥାନ୍ତି। ବ୍ୟବହୃତ ପ୍ୟାଡ଼କୁ ଫିଙ୍ଗିବା ଆଉ ଏକ ବଡ଼ ସମସ୍ଯା ହେଇଥାଏ।

image


HLL Lifecareର ସହଯୋଗରେ ଏହି ମେସିନର ସ୍ଥାପନା ହେଇଛି। ୧୦ ଟଙ୍କାର ଗୋଟିଏ ମୁଦ୍ରା ବା ପାଞ୍ଚ ଟଙ୍କିଆ ଦୁଇଟି ମୁଦ୍ରା ବା ୧୦ଟି ଏକ ଟଙ୍କିଆ ମୁଦ୍ରା ଏହି ମେସିନ ଭିତରେ ପୁରେଇଲେ ଦୁଇଟି ପ୍ୟାଡ଼ ଥିବା ପ୍ଯାକେଟ ବାହାରିଥାଏ। ଭେଣ୍ଡିଙ୍ଗ ମେସିନର ଠିକ ପାଖରେ ଇନସିନରେଟର ରହିଛି ଯେଉଁଥିରେ ବ୍ୟବହୃତ ପ୍ୟାଡ଼ ପକାଇଲେ ଦୁଇ ସେକେଣ୍ଡ ମଧ୍ୟରେ ଏହା ତାକୁ ଜାଳିପୋଡ଼ି ପାଉଁଶ କରିଦେଇଥାଏ। HLL Lifecare ଏହି ମେସିନର ରକ୍ଷଣାବେକ୍ଷଣ କରିବ। ବର୍ତ୍ତମାନ ପାଇଁ ଜଣେ ସ୍ଵେଚ୍ଛାକର୍ମୀ ଏହି ମେସିନ ପାଖରେ ଉପସ୍ଥିତ ରହୁଛନ୍ତି। ସେ ଲୋକଙ୍କୁ ମେସିନ କିପରି ଭାବେ ବ୍ୟବହାର କରିବେ ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରୁଛନ୍ତି।

କଟକ ପୌର ନିଗମର କମିଶନର ଜ୍ଞାନ ଦାସ କହିଛନ୍ତି ଯେ ଯଦି ଏହି ମେସିନ ଗୁଡ଼ିକୁ ଭଲ ପ୍ରତିକ୍ରିୟା ମିଳୁଛି ତେବେ ଆଗକୁ ଯାଇ ସର୍ବସାଧାରଣ ସ୍ଥାନରେ ଆହୁରି ମେସିନ ସ୍ଥାପନ କରିବାର ଯୋଜନା ହେବ। ସେ ବଡ଼ ବଡ଼ କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡ଼ିକୁ ତାଙ୍କ ପରିସରରେ ଏପରି ମେସିନ ଲଗାଇବା ପାଇଁ ଅନୁରୋଧ କରିଛନ୍ତି।