ଡଙ୍ଗାରେ କଷ୍ଟ ଭୋଗିବେନି ରୋଗୀ, ବିଚ୍ଛିନ୍ନାଂଚଳରେ ଚାଲିବ ବୋଟ୍ ଆମ୍ବୁଲାନ୍ସ

ଡଙ୍ଗାରେ କଷ୍ଟ ଭୋଗିବେନି ରୋଗୀ, ବିଚ୍ଛିନ୍ନାଂଚଳରେ ଚାଲିବ ବୋଟ୍ ଆମ୍ବୁଲାନ୍ସ

Thursday March 17, 2016,

3 min Read

ବିଭିନ୍ନ ଦୁର୍ଗମ ଅଂଚଳରେ ଆମ୍ବୁଲାନ୍ସ ପଂହଚୁ ନଥିବାରୁ ରୋଗୀମାନେ ନାନା ହଇରାଣ ହରକତ ହେଉଥିବା କଥା ବିଭିନ୍ନ ସମୟରେ ନଜରକୁ ଆସିଛି| ଏଇ ନିକଟରେ କେତେକ ସ୍ଥାନରେ ଆମ୍ବୁଲାନ୍ସ ନ ମିଳିବାରୁ ଭାରା କିମ୍ବା ଖଟିଆରେ ପ୍ରସୂତୀ ମହିଳାମାନଙ୍କୁ ଅଣାଯିବାର ଚିତ୍ର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା | ପୁଣି ଯେଉଁ ଅଂଚଳକୁ ଯିବା ଲାଗି ନଦୀ ପାର ହେବାକୁ ପଡେ, ସେଠାରୁ ରୋଗୀମାନଙ୍କୁ ଭଲ ହସ୍ପିଟାଲ ଆଣିବା ପାଇଁ ଆହୁରି ଅସୁବିଧା ଭୋଗ କରିବାକୁ ପଡେ | ବିଶେଷ କରି ପ୍ରସୂତୀମହିଳାମାନେ କିପରି ବିପଦ ସଂକୁଳ ଅବସ୍ଥାରେ ଛୋଟ ଡଙ୍ଗାରେ ନଦୀ ପାର ହୁଅନ୍ତି ଓ କଷ୍ଟ ଭୋଗ କରନ୍ତି, ତାହା ମଧ୍ୟ ଦୃଷ୍ଟିଗୋଚର ହେଉଛି | ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି | ତେବେ ଆମ୍ବୁଲାନ୍ସ ସେବାକୁ ଆହୁରି ତ୍ୱରାନ୍ୱିତ ଓ ଲୋକାଭିମୁଖୀ କରାଯିବାର ଯେ ଆବଶ୍ୟକତା ରହିଛି, ସେଥିରେ କେହି ଅସହମତି ପ୍ରକାଶ କରିବେ ନାହିଁ | ବିଶେଷ କରି କେବିକେ ଅଂଚଳରେ ଏହି ସେବାକୁ ଆହୁରି ସକ୍ରିୟ କରିବାକୁ ପଡିବ | କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ରାୟଗଡା, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଜରୁରୀ ସ୍ୱାସ୍ଥ୍ୟ ସେବାକୁ ସଦୃଢ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି | ଆସନ୍ତା ଅପ୍ରେଲ୍ ମାସଠାରୁ ଏହିସବୁ ଜିଲ୍ଲାରେ ମାଗଣାରେ ଯୋଗାଇ ଦିଆଯାଉଥିବା ଆମ୍ବୁଲାନ୍ସ ସେବାକୁ ଅଧିକ ତ୍ୱରାନ୍ୱିତ କରାଯିବା ଲାଗି ସରକାର ନିଷ୍ପତି ନେଇଛନ୍ତି | ଆଉ ମାଲକାନାଗିରି , କେନ୍ଦ୍ରାପଡା, କୋରାପୁଟ ଆଦି ଅଂଚଳରେ ଥିବା ବିଛିନ୍ନାଂଚଳରେ ବୋଟ୍ ଆମ୍ବୁଲାନ୍ସ ଚାଲିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି |

image


ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରସ୍ତାବ କ୍ରମେ ଏହି ସବୁ ଅଂଚଳକୁ ୯୨ଟି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ | ଏହା ସହିତ ଦୁର୍ଗମ ଅଂଚଳରେ ବନ୍ୟା ଓ ବାତ୍ୟା ସମୟରେ ଏହି ସେବାକୁ ନିରନ୍ତର ଜାରି ରଖିବା ପାଇଁ କେନ୍ଦ୍ରାପଡା, ମାଲକାନାଗିରି, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ୬ଟି ବୋଟ୍ ଆମ୍ବୁଲାନସ୍ ଯୋଗାଇ ଦିଆଯିବ | ଫଳରେ ଆପତକାଳୀନ ଓ ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକେ ଜରୁରୀ କାଳୀନ ସେବାରୁ ବଂଚିତ ହେବେ ନାହିଁ |

ସ୍ୱାସ୍ଥ୍ୟବିଭାଗ ଯୁଗ୍ମ ସଚିବ ସୁରଜିତ ଦାସ କହନ୍ତି,

ମାଲାକାନାଗିରି ଓ କେନ୍ଦ୍ରାପଡାକୁ ୨ଟି ଲେଖାଏଁ ଏବଂ କୋରାପୁଟ ଓ କଳାହାଣ୍ଡିକୁ ଗୋଟିଏ ଲେଖାଁଏ ବୋଟ୍ ଆମ୍ବୁଲାନସ୍ ଯୋଗାଇ ଦିଆଯିବ | ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟାୟରେ ପଂହଚିଛି | ଆସନ୍ତା ମାସ ସୁଦ୍ଧା ସଂପୃକ୍ତ ଜିଲ୍ଲାଗୁଡିକରେ ଏହା କାର୍ଯ୍ୟକାରୀ କରିବ |

ବୋଟ୍ ଆମ୍ବୁଲାନସରେ ସବୁ ପ୍ରକାର ସୁବିଧା ରହିବ | ଅତ୍ୟାବଶ୍ୟକ ଯନ୍ତ୍ରପାତି ସହିତ ଭେଣ୍ଟିଲେଟର ଲଗାଯିବାର ବ୍ୟବସ୍ଥା ରହିଛି | ଏଥିପାଇଁ ବିଭାଗ ପକ୍ଷରୁ ୨.୩୪ କୋଟି ଟଙ୍କା ଖର୍ଚ୍ଚ ହେବ | ଏହି ବୋଟ୍ ଆମ୍ବୁଲାନସ୍ ବନ୍ୟା ବାତ୍ୟା ସମୟରେ ଏହି ସବୁ ଜିଲାକୁ ସଂଲଗ୍ନ କରୁଥିବା ଅଂଚଳରେ ଜରୁରୀ ସେବା ପ୍ରଦାନ କରିବ | ତେଣୁ ନଦୀ ପାର ହୋଇ ରୋଗୀମାନେ ଯେଉଁ ହଇରାଣ ହରକତ ଭୋଗୁଥିଲେ ସେଥିରୁ ରକ୍ଷା ପାଇବେ |

କେବିକେ ଜିଲ୍ଲାରେ ଜରୁରୀ ସ୍ୱାସ୍ଥ୍ୟ ସେବାକୁ ପ୍ରାଧାନ୍ୟ ଦେଇ ୪୦୮ଟି ଆମ୍ବୁଲାନସ୍ ସେବା ରହିଛି | ତଥାପି ଏହା ପର୍ଯ୍ୟାପ୍ତ ହେଉନାହିଁ | ବିଭିନ୍ନ ସମୟରେ ଡାକ୍ତରଖାନାରେ ପଂହଚିବାରେ ଆସନ୍ନ ପ୍ରସବା ମା ମାନେ ହଇରାଣ ହେଉଛନ୍ତି | ଏହାକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ବଢାଇବା ଲାଗି ନିଷ୍ପତି ନଆଯାଇଛି | କେବିକେ ଅଂଚଳର ଅପହଂଚ ସମସ୍ୟାକୁ ଦୂର କରିବା ପାଇଁ ଆହୁରି ୯୨ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ | ଏହାକୁ ମିଶାଇଲେ ଅପ୍ରେଲ୍ ମାସରୁ ଏ ଅଂଚଳରେ ମୋଟ୍ ୫୦୦ଟି ଆମ୍ବୁଲାନସ୍ ଚାଲିବ | ଏଥିପାଇଁ ସରକାର ପ୍ରାୟ ୨୫ କୋଟି ଖର୍ଚ୍ଚ କରିବେ |

୧୦୮ ସେବା :

ରାଜ୍ୟରେ ୧୦୮ ମାଗଣା ଆମ୍ବୁଲାନସ୍ ସେବା ୧୦ ଲକ୍ଷରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ କଲାଣି | ରାଜ୍ୟରେ ବର୍ତ୍ତମାନ ଏଏଲଏସ୍ (ଆଡଭାନ୍ସ ଲାଇଫ୍ ସପୋର୍ଟ) ଓ ବିଏଲଏସ୍ (ବେସିକ୍ ଲାଇଫ୍ ସୋପର୍ଟ) ଦୁଇ ପ୍ରକାରର ୧୦୮ ଆମ୍ବୁଲାନ୍ସ କାର୍ଯ୍ୟକାରୀ ହେଉଛି | ଏହା ପ୍ରତିଦନି ହାରାହାରି ୬ ଜଣ ରୋଗୀଙ୍କୁ ଘରୁ ଡାକ୍ତରଖାନାକୁ କିମ୍ବା ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ସ୍ଥାନାନ୍ତର କରୁଛି | ୧୦୮ ଆମ୍ବୁଲାନ୍ସ ର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହନ୍ତି,

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଗୋଟିଏ ଆମ୍ବୁଲାନସ୍ ରଖାଯିବା ଉପରେ ଗୁରତ୍ୱ ଦେଉଛନ୍ତି | ତେବେ ଓଡିଶାରେ ଏହି ଅନୁସାରେ ଆମ୍ବୁଲାନ୍ସ ସେବା ଏ ପର୍ଯ୍ୟନ୍ତ ଉପଲବଧ କରାଯାଇପାରିନାହିଁ | ତେବେ ୧୦୮ ଆମ୍ବୁଲାନ୍ସ ସେବା ସଫଳତାର ସହ କାମ କରିଆସିଛି |

ପ୍ରକୃତରେ ରୋଗୀଟିର ଜୀବନ ବଂଚାଏ ଆମ୍ବୁଲାନସ୍ | ଏବେ ସରକାର ଆମ୍ବୁଲାନ୍ସକୁ ତ୍ୱରାନ୍ୱିତ କରିବା ସହିତ ଯେଉଁ ଅଂଚଳ ସ୍ଥଳପଥ ଠାରୁ ବିଚ୍ଛିନ୍ନାଂଚଳ, ସେଠାକୁ ବୋଟ୍ ଆମ୍ବୁଲାନ୍ସ ଯୋଗାଇଦେବା ଏକ ଭଲ ପଦକ୍ଷେପ | ଏହା ଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ |