ଦଇମତୀଙ୍କ ଦେଶୀଆଳୁ ଚାଷ : ଅଭାବୀ ପରିବାରରେ ଫୁଟାଇଛନ୍ତି ହସ

ଦଇମତୀଙ୍କ ଦେଶୀଆଳୁ ଚାଷ : ଅଭାବୀ ପରିବାରରେ ଫୁଟାଇଛନ୍ତି ହସ

Wednesday February 10, 2016,

4 min Read

  • ଭୂମିହୀନ ଯୋଗୁଁ ଖୋଜିଛନ୍ତି ବିକଳ୍ପ
  • ଅଭିନବ ଉପାୟରେ କରୁଛନ୍ତି ଖମ୍ବଆଳୁ ଚାଷ
  • ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ଓଡିଶାରେ ସାଧାରଣତଃ ଧାରଣା ରହିଛି ଯେ ମହିଳାମାନେ ଚାଷ କ୍ଷେତ୍ରରେ ପୁରୁଷମାନଙ୍କୁ ସହାୟତା କରିବେ | ଗାଁ ଗହଳିରେ ମହିଳାମାନେ ଜମିରେ କାମ କରୁଥିବା ସ୍ୱାମୀମାନଙ୍କ ପାଇଁ ଖାଦ୍ୟ ପାନୀୟ ନେଇଯିବା କଥା ଆମେ ଜାଣିଛେ | ତେଣୁ ସେମାନେ ଯେ ସ୍ୱତନ୍ତ୍ର ଭାବେ ଚାଷ କାମ କରିପାରିବେ, ଏହା ବହୁ କମ୍ ଲୋକଙ୍କ ବିଶ୍ୱାସ | କିନ୍ତୁ ଏମିତି ବି ଅନେକ ମହିଳା ଅଛନ୍ତି, ଯେଉଁମାନେ ସ୍ୱାଧୀନ ଭାବେ ଓ ଅଭିନବ ଢଙ୍ଗରେ କୃଷି କାର୍ଯ୍ୟ କରି ସଫଳ ହୋଇଛନ୍ତି ଓ ଅନ୍ୟମାନଙ୍କ ପାଇଁ ଉଦାହରଣପାଲଟି ଯାଇଛନ୍ତି |

ଆମେ କହୁଛୁ କୋରାପୁଟ ଜିଲ୍ଲାର ଏକ ନିପଟ ମଫସଲ ଗାଁର ମହିଳା ଦଇମତୀଙ୍କ କଥା | ସେ ଏଭଳି ଭାବେ ଖମ୍ବଆଳୁ ବା ଦେଶୀଆଳୁ ଚାଷ କରିଛନ୍ତି ଯେ ନିଜେ ଆତ୍ମନିର୍ଭର ହେବା ସହ ପରିବାର ପ୍ରତିପୋଷଣ ପାଇଁ ସକ୍ଷମ ହୋଇଛନ୍ତି | ତାଙ୍କର ଏହି ଉଦ୍ୟମ ଏବେ ଆଖପାଖ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି |

image


ହଁ ଦଇମତୀ ଦୁରୁଆ | ସ୍ୱାମୀ ପୁଷୁ ଦୁରୁଆ | ଘର କୁନ୍ଦୁରା ବ୍ଲକ କେରିମିଟ ପଂଚାୟତର କେନ୍ଦୁଗୁଡା ଗାଂରେ | ଦୁଅ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କର ଛୋଟ ସଂସାର | ଗ୍ରାମାଂଚଳରେ ଦାରିଦ୍ର୍ୟର ଶିକାର ସେ ମଧ୍ୟ ହୋଇଛନ୍ତି | ଭୂମିହୀନ ଏହି ପରିବାରଟି ବର୍ଷ ପାଇଁ ଦାନା ସଂଗ୍ରହ କରବାକୁ ମଧ୍ୟ ଅସମର୍ଥ ହେଉଥିଲା |

ପଢନ୍ତୁ - ଡଙ୍ଗର ଜମିରେ ହସ ଫୁଟାଉଥିବା ଚାଷୀ କାନ୍ଦୁରୁ, ଅପାଠୁଆ ହୋଇ ମଧ୍ୟ ଅଭିନବ ପ୍ରୟାସ

ଏସମ୍ପର୍କରେ ଦଇମତୀ କୁହନ୍ତି,

ଆମେ ଚଳିବାକୁ ଭାରି ହଇରାଣ ହେଉଥିଲୁ | ଏଭଳିକି ଦିନେ ଦିନେ ଓପାସ ରହିବାକୁ ମଧ୍ୟ ପଡିଛି | ନିଜର କିଛି କାମ ଧନ୍ଦା ନଥିବାରୁ ଜଙ୍ଗଲରେ ବୁଲି ଯାହା ମିଳିବା ସେଥିରୁ ଗୁଜରାଣ ମେଣ୍ଟାଉ | ମୁଁ କେତେ କଣ କରିବାକୁ ଇଛା କରିଛି, ହେଲେ ସୁଯୋଗ ପାଇନଥିଲି |

ଦଇମତୀଙ୍କ ଜୀବନରେ ସେତିକିବେଳେ ପରିବର୍ତ୍ତନର ମୋଡ ଆସିଲା, ଯେତେବେଳେ ସେ ତାଙ୍କ ଅଂଚଳରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ଖମ୍ବଆଳୁ ଚାଷ ସମ୍ପର୍କରେ ଜାଣିଲେ ଓ ସେଠାରେ ଯୋଗଦେଇ ଏହା କିପରି କରିବାକୁ ହୁଏ ତାହା ବୁଝିଲେ | ଜମି ନଥିବା ଚାଷୀମାନେ କିପରି ନିଜ ଘର ପାଖରେ ଥିବା ଅଳ୍ପ ସ୍ଥାନରେ ଖମ୍ବଆଳୁ ଚାଷ କରିପାରିବେ ତାହା ଏଠାରେ ଶିକ୍ଷା ଦିଆଯାଇଥିଲା | ସେଠାରୁ ଏହି ଚାଷ ବିଷୟରେ ଶିଖିବା ପରେ ଦଇମତୀ ଉତ୍ସାହର ସହ ଏହି କାମ ଆରମ୍ଭ କରିଥିଲେ |

ଏହି ଚାଷରେ ସେ ନୂଆ ଥିବାରୁ ପ୍ରଥମେ ସେ ତିନିଟି ଜରିବସ୍ତାରେ ମାପ ଅନୁସାରେ ମାଟି, ବାଲି ଓ ଗୋବର ଖତ ମିଶାଇ ସେଥିରେ ଦୁଇ ଶହ ଗ୍ରାମ ଓଜନର ଖମ୍ବଆଳୁ ମଂଜି ପୋତିଲେ | ଉପଯୁକ୍ତ ପ୍ରଣାଳୀରେ ତାର ଯତ୍ନ ନେଲେ | ୭ ମାସ ପରେ ଗଛ ମରିଗଲା | ଆଉ ଜରି ଅଖା କାଟି ସେ ଆଳୁ ବାହାର କଲେ | ହାତୀ ଖୋଜିଆ ଏହି ଦେଶୀ ଖମ୍ବଆଳୁ କିସମର ଗୋଟିଏ ବସ୍ତାରୁ ୮ କେଜି, ଅନ୍ୟ ବସ୍ତାରୁ ୧୨ କେଜି ଓ ତୃତୀୟ ବସ୍ତାରୁ ୧୫ କେଜି ଆଳୁ ବାହାରିଲା |

image


ଦଇମତୀ ଏ ସମ୍ପର୍କରେ ଖୁସୀର ସହ କହନ୍ତି,

ମୁଁ ଭାବିଲି, ମୁଁ ବୋଧେ କିଛି ଭୁଲ କରିଦେଲି | ଗଛ ମରିଗଲା | ଆଉ ମୋର କ୍ଷତି ହୋଇଗଲା | କିନ୍ତୁ ତିନିଟି ଅଖାରେ ଆଳୁ ଦେଖି ମୁଁ ବହୁତ ଖୁସୀ ହୋଇଯାଇଥିଲି | ମୋଟ ୪୦୦ ଟଙ୍କା ଖର୍ଚ୍ଚ କରିଥିଲି | କିନ୍ତୁ ୧୧୦୦ ଟଙ୍କା ପାଇଲି | ଏହା ପରେ ଅଧିକ ଅଖାରେ ଖମ୍ବଆଳୁ ଚାଷ କରିବାକୁ ମନ ହୋଇଥିଲା |

ଦଇମତୀଙ୍କୁ ସାହସ ଓ ଆତ୍ମବିଶ୍ୱାସ ମିଳି ଯାଇଥିଲା | ଦ୍ୱିତୀୟ ଥରେ ସେ ଏକଥରକେ ୫୦ ଟି ବସ୍ତାରେ ଖମ୍ବଆଳୁ ଚାଷ କଲେ | ସେଥିର ବି ସଫଳ ହେଲେ | ସେ ଥର ୧୫ ହଜାର ଟଙ୍କା ଲାଭ ହୋଇଥିଲା ବୋଲି ସେ କୁହନ୍ତି | ଏ ବର୍ଷ ସେ ୧୦୦ ବସ୍ତାରେ ଖମ୍ବଆଳୁ ମଂଜି ପକାଇ ଚାଷ କରିଛନ୍ତି | ତାଙ୍କର ଏହି କାର୍ଯ୍ୟ ପରିବାର ପାଇଁ ମୁଖ୍ୟ ରୋଜଗାରର ପନ୍ଥା ପାଲିଟିଛି |

ଏ ନେଇ ତାଙ୍କ ସ୍ୱାମୀ ପୁଷୁ ଦୁରୁଆ କହନ୍ତି,

ପ୍ରଥମେ ସେ ଯେତେବେଳେ ଚାଷ ଆରମ୍ଭ କରିଥିଲା, ମୋର ଏଥିରେ ବିଶ୍ୱାସ ନଥିଲା | କିନ୍ତୁ ଭଳ ଖମ୍ବଆଳୁ ଫଳିବା ପରେ ତାର ଏହି କାମରେ ମୁଁ ମଧ୍ୟ ସାମିଲ ହୋଇଛି | ଏହି ଉଦ୍ୟମ ଆମ ପରିବାରକୁ ସାହାରା ହୋଇଛି |

ଖମ୍ବଆଳୁ ଚାଷ ସମୟରେ କେତେ ମାଟିରେ କେତେ ପରିମାଣର ସାର ଓ ଏହି ଅଖାକୁ କେଉଁଠି ରଖିଲେ ଗଛ ଭଲ ହେବ ଆଦି ସବୁ ଭଲ ଭାବେ ଜାଣିଛନ୍ତି ଦଇମତୀ | ଗାଁର ଅନ୍ୟ ମହିଳାଙ୍କୁ ମଧ୍ୟ ସେ ଏହି ଚାଷ କରିବାକୁ କହୁଛନ୍ତି | ଅନ୍ୟ କେତେକ ଲୋକମଧ୍ୟ ତାଙ୍କ ଠାରୁ ଏ ବିଷୟରେ ପରାମର୍ଶ ନେବାକୁ ଆସିଥାନ୍ତି | କଠିନ ପରିଶ୍ରମ ଫଳରେ ଯେ ନିଜେ ଗୋଡରେ ନିଜେ ଛିଡା ହୋଇହୁଏ, ତାହା ପ୍ରମାଣ କରିଦେଖାଇଛନ୍ତି ଦୁଇମତୀ | ନା ସେ ଅପେକ୍ଷା କରିଛନ୍ତି ଆଉ କାହାର ସାହାଯ୍ୟକୁ ନା ସରକାରଙ୍କ ସହାୟତାକୁ | ଗ୍ରାମାଂଚଳରେ ଦଇମତୀଙ୍କ ଭଳି ସବୁ ମହିଳା କିଛି ରୋଜଗାର କରିବାକୁ ଆଗେଇ ଆସିଲେ ସେମାନଙ୍କ ଆର୍ଥିକ ସ୍ଥିତିରେ ନିଶ୍ଚୟ ସୁଧାର ଆସିବ |

ଆଉ କିଛି ସମ୍ପର୍କିତ କାହାଣୀ -

1। ପିଲାଙ୍କ ‘ବାନର ସେନା’ର ସ୍ୱଚ୍ଛ ଅଭିଯାନ, ହୁଇସିଲ୍ ମାରି ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କ ଅଭ୍ୟାସ ବଦଳାଇଲେ

2। ଓଡିଶାରେ ଚାଲିଲା ବୁକ୍ ଅନ୍ ହ୍ୱିଲ : ଗାଁ ପିଲାଙ୍କ ପାଖକୁ ଯିବ ବହି ଗାଡି

3। ଅନାଥ ପିଲାଙ୍କ ଥଇଥାନ ପାଇଁ ପ୍ରେରିତ କରୁଛି ଡକ୍ୟୁମେଣ୍ଟାରୀ ଫିଲ୍ମ ‘ପରିଚୟ ସନ୍ଧାନରେ’