eFarmର ଦକ୍ଷ ଯୋଗାଯୋଗ ବ୍ୟବସ୍ଥା କୃଷକର ରୋଜଗାର ବଢ଼ାଇଛି

0

ଯଦିଓ ଅଧିକାଂଶ ଭାରତୀୟ କୃଷି ଉପରେ ନିର୍ଭରଶୀଳ ଆଜି ଭାରତରେ କୃଷିର ଅବସ୍ଥା ଋଗ୍ଣ। ଏ ଦିଗରେ ସରକାରୀ ଉଦ୍ୟମର ସଫଳତା କେବଳ ଆଂଶିକ ମାତ୍ର, ତାହା ନ୍ୟୁନତମ ସହାୟକ ମୂଲ୍ୟ,ବଜାରର ପ୍ରତିଶୃତି, ଅଥବା ବୈଷୟିକ ସହାୟତା ହେଉନା କାହିଁକି, ଯେପରିକି ମୋବାଇଲରେ ପାଣିପାଗ ଓ ମୃତ୍ତିକା ସମ୍ବନ୍ଧୀୟ ସୂଚନା ସେବା। କୌଣସି ବି ସରକାରୀ ହସ୍ତକ୍ଷେପ କୃଷକର ଆର୍ଥିକ ଉନ୍ନତି ଆଣିବାକୁ ସକ୍ଷମ ହୋଇପାରିନାହିଁ।

ଭେଙ୍କଟ ସୁବ୍ରମଣ୍ୟମ ଜଣେ ଆଇଆଇଟି ସ୍ନାତକ, ଆଇଟି ଶିଳ୍ପରେ କାର୍ଯ୍ୟରତ । ସେ ଯେତେବେଳେ ନିଜ ଚାକିରୀରୁ ଇସ୍ତଫା ଦେଇ ନିଜ ଜ୍ଞାନକୌଶଳକୁ ଭାରତର ଅସୁସ୍ଥ କୃଷି କ୍ଷେତ୍ରରେ ପ୍ରୟୋଗ କରିବେ ବୋଲି ନିଷ୍ପତ୍ତି ନେଲେ ସେତେବେଳେ ଦେଖିଲେ ଯେ ଭାରତୀୟ କୃଷକର ଦୂରାବସ୍ଥାର ସବୁଠାରୁ ଏକମାତ୍ର ବଡ଼ କାରଣ ହେଲା ଭରସାଯୋଗ୍ୟ ବଜାରର ଅଭାବ।

ଫଳରେ ସେ ‘eFarm’ ନାମକ ଏକ ସାମାଜିକ ଉଦ୍ୟୋଗ ପ୍ରତିଷ୍ଠା କଲେ। ଏହା ସହିତ ସେ ଏକ ସିଧାସଳଖ କୃଷିଉତ୍ପାଦ ଯୋଗାଣ ମଞ୍ଚ ଆରମ୍ଭ କଲେ ,ଯାହାକି ଚାଷୀମାନଙ୍କଠାରୁ ଉତ୍ପାଦଗୁଡ଼ିକୁ ସଂଗ୍ରହ କରି ଚେନ୍ନାଇର ରେସ୍ତୋରାଁମାନଙ୍କୁ ଓ ଅନ୍ୟାନ୍ୟ ଖାଦ୍ୟଭିତ୍ତିକ ଶିଳ୍ପକୁ ଯୋଗାଇଲେ। ସ୍ଥାନୀୟ ବଜାରଗୁଡ଼ିକରେ ପନିପରିବା ବିକ୍ରୀ କରିବାର ନିଜ ଅନୁଭୂତିରୁ ଭେଙ୍କଟ ସୁବ୍ରମଣ୍ୟମଙ୍କର ବିଶ୍ଵାସ ହେଲା ଯେ ଗୋଟିଏ ସୁସଂଗଠିତ ଯୋଗାଣ ସଂସ୍ଥା ଦ୍ଵାରା ସେ ଚାଷୀମାନଙ୍କ ଉତ୍ପାଦଗୁଡ଼ିକୁ ଉଚ୍ଚ ଦରରେ ସଂଗ୍ରହ କରି ଓ ଗ୍ରାହକମାନଙ୍କୁ ଶସ୍ତାରେ ବିକ୍ରୀ କରି ମଧ୍ୟ ଲାଭ କରିପାରିବେ।

eFarm ଚାଷୀମାନଙ୍କର ଉତ୍ପାଦନ ବିବରଣୀସବୁକୁ ଚିହ୍ନିତ କରେ ଓ ଗ୍ରାହକମାନଙ୍କର ଚାହିଦାଗୁଡ଼ିକ ସହିତ ତୁଳନାକରେ ଏବଂ ସରଳ ଆଇଟି ଅର୍ଡର ମ୍ୟାଚିଙ୍ଗ ପଦ୍ଧତି ରେ ଉତ୍ପାଦସାମଗ୍ରୀସବୁ ପଠାଇବା ଆରମ୍ଭ କରେ; ବେଳେବେଳେ ସାମଗ୍ରୀଗୁଡ଼ିକରେ କାଟିବା କିମ୍ବା ଚୋପା ଛଡ଼ାଇବା ଇତ୍ୟାଦି କରି ମୂଲ୍ୟଯୁକ୍ତ ମଧ୍ୟ କରାଯାଇଥାଏ। ଏହା ନିହାତି ସାଧାରଣ ଓ ସରଳ। ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ପାରମ୍ପାରିକ ମଣ୍ଡି ଗୁଡ଼ିକଠାରୁ ଏକ ପାଦ ଆଗରେ , କାରଣ ମଣ୍ଡିଗୁଡ଼ିକ ଛୋଟ ଅର୍ଡରଗୁଡ଼ିକ ଗ୍ରହଣ କରିନଥାନ୍ତି । କିନ୍ତୁ eFarmଗ୍ରାହକର ପ୍ରକୃତ ଚାହିଦା ମୁତାବକ ପରିମାଣ ଯୋଗାଇ ଦେଇଥାଏ। ଏହାଦ୍ଵାରା ଅଯଥା ନଷ୍ଟକୁ ନ୍ୟୁନତମ କରାଯାଇପାରିଥାଏ ଏବଂ ଗ୍ରାହକର ମଧ୍ୟ ଖର୍ଚ୍ଚ ହୋଇଥାଏ କମ।

୨୦୦୮ରେ ପ୍ରତିଷ୍ଠା ହେଲାପରେ ୨୦୦୯ ରେeFarmକୋଝିକୋଡ଼ IIMର Whiteknightବିଜିନେସ ପ୍ଳାନ ପ୍ରତଯୋଗିତା ଜିତିଲା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗନେଇ ମିଡିଆର ଧ୍ୟାନ ଆକର୍ଷଣ ମଧ୍ୟ କରିଥିଲା।ଦୈନିକ ଖବରକାଗଜ ‘ହିନ୍ଦୁ’ ସହିତ ଏକ ସାକ୍ଷାତକାରରେ ଭେଙ୍କଟ eFarmକିପରି ଏକ ନିଆରା ଢଙ୍ଗରେ କୃଷକମାନଙ୍କର ଜୀବନଧାରଣର ମାନ ବୃଦ୍ଧି କରିପାରୁଛି ତାହା ଉଲ୍ଲେଖ କରିଥିଲେ। ସେ କହନ୍ତି ଯେହେତୁ ଚାଷୀମାନେ ସେମାନଙ୍କ ଉତ୍ପାଦଗୁଡ଼ିକୁ ଗୁଣାତ୍ମକ ମାନ ଅନୁସାରେ ବଛାବଛି କରନ୍ତିନାହିଁ , ମଧ୍ୟସ୍ଥିମାନେ ସେମାନଙ୍କର ଉତ୍ପାଦଗୁଡ଼ିକର ମାନ କମ ଦେଖାଇ ଠକାନ୍ତି ଏବଂ କମ ପଇସା ଦିଅନ୍ତି। ସେହିପରି ଯେହେତୁ ଚାଷୀମାନେ ସେମାନଙ୍କ ଜିନିଷଗୁଡ଼ିକ ଷ୍ଟାଣ୍ଡାର୍ଡ ଓଜନ ଯନ୍ତ୍ରରେ ମାପନ୍ତି ନାହିଁ ମଧ୍ୟସ୍ଥିମାନେ ପ୍ରକୃତ ଓଜନ କମ ଦେଖାଇ ଠକିଥାନ୍ତି।

eFarmସେମାନଙ୍କୁ ଷ୍ଟାଣ୍ଡାର୍ଡ ଓଜନ ଯନ୍ତ୍ର ଯୋଗାଇ ଦେଇ ଥାଏ ଏବଂ ଆମଦାନୀ ସ୍ଥାନରୁ କୃଷିଜାତ ଦ୍ରବ୍ୟଗୁଡ଼ିକର ଗୁଣାତ୍ମକ ମୂଲ୍ୟାୟନ କରିବା ତଥା ବଜାରରେ ସେମାନେ କିପରି ସେମାନଙ୍କର ଉତ୍ପାଦଗୁଡ଼ିକ ପାଇଁ ନ୍ୟୁନତମ ମୂଲ୍ୟ ହିସାବ କରି ଦାବୀ କରିପାରିବେ ତାହା ଶିକ୍ଷା ଦେଇଥାଏ। ବଦଳରେ ଚାଷୀମାନେ ଗୋଟିଏ ଗ୍ରାମୀଣ ସଂଗ୍ରହ କେନ୍ଦ୍ର ସ୍ଥାପନ କରିବା ଲାଗି eFarmକୁ ଅନୁମତି ଦିଅନ୍ତି। ସେଠାରେ ଚାଷୀମାନେ eFarmକୁ ବରାଦ ମୁତାବକ ସେମାନଙ୍କର ଉତ୍ପାଦ ବିକ୍ରୀ କରିପାରିବେ ତଥା ସେମାନେ ସେଠାରେ ସେମାନଙ୍କର ଆଗାମୀ ଉତ୍ପାଦନ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିପାରିବେ ଯଦ୍ଦ୍ଵାରା eFarm ତାହାର ଭବିଷ୍ୟତ ବ୍ୟବସାୟ ସମ୍ବନ୍ଧରେ ଏକ ଧାରଣା କରିପାରିବ।

ମୂଳ ଲେଖା - ବଦ୍ରି ଜଗନ୍ନାଥନ

ଭାଷାନ୍ତର - ଅନନ୍ତ ନାରାୟଣ ପାଣିଗ୍ରାହୀ