ସଡ଼କ ଦୁର୍ଘଟଣାରେ ବାପା ମରିଗଲେ, ପୁଅମାନେ ବାଂଟିଲେ ହେଲମେଟ୍

ସଡ଼କ ଦୁର୍ଘଟଣାରେ ବାପା ମରିଗଲେ, ପୁଅମାନେ ବାଂଟିଲେ ହେଲମେଟ୍

Monday March 28, 2016,

3 min Read

ପ୍ରତି ବର୍ଷ ଭାରତରେ ସଡ଼କ ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ନଷ୍ଟ ହୋଇଯାଉଛି । ଭାରତରେ ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରତିବର୍ଷ ଯେତିକି ଲୋକଙ୍କର ମୃତ୍ୟୁ ହେଉଛି ବୋଧହୁଏ ସମଗ୍ର ବିଶ୍ୱରେ ଏହି ହାର ସର୍ବାଧିକ । ଏହାର ଅନେକ କାରଣ ରହିଛି । ମଦ୍ୟପ ଡ୍ରାଇଭରଙ୍କଠାରୁ ଆରମ୍ଭ କରି ଅସାବଧାନ ଗାଡ଼ି ଚାଳନା, କ୍ଷୀପ୍ର ଗତିରେ ଗାଡ଼ି ଚଲାଇବା, ବଡ଼ ଧରଣର ମାଲ ଗାଡ଼ିରେ ସ୍ପିଡ୍ ବ୍ରେକର୍ ନ ଲାଗିବା ଭଳି ଅନେକ କାରଣ ରହିଛି । ସଡ଼କ ଦୁର୍ଘଟଣାକୁ ଯଦି ରୋକାଯାଇପାରନ୍ତା ତେବେ ଭାରତର ଅର୍ଥନୀତିର ଅଭିବୃଦ୍ଧି ହାର ଆଉ ୨-୩ ପ୍ରତିଶତ ଅଧିକ ରହନ୍ତା ବୋଲି ଅର୍ଥଶାସ୍ତ୍ରୀ ମାନେ ଆକଳନ କରୁଛନ୍ତି ।

image


ସଡ଼କ ଦୁର୍ଘଟଣାକୁ ନେଇ ସଚେତନତା ସୃଷ୍ଟି କରିବା ଦିଗରେ ସରକାରଙ୍କଠାରୁ ଆରମ୍ଭ କରି ଅନେକ ଏନଜିଓ ଦିନରାତି କାମ କରୁଛନ୍ତି । ତେବେ ମଧ୍ୟ ପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି ଯାହା ସଡ଼କ ଦୁର୍ଘଟଣା ସଚେନତନାକୁ ଏକ ନୂତନ ସ୍ତରରେ ପହଂଚାଇ ଦେଇଛି । 

ମଧ୍ୟ ପ୍ରଦେଶରେ ଏକ ପରିବାରର ମୁଖ୍ୟଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା । ସେଠାରେ ତାଙ୍କ ପୁଅମାନେ ଏହି ଦୁଖଦ ଘଟଣା ପରେ ଲୋକମାନଙ୍କୁ ହେଲମେଟ୍ ବାଂଟି ଯେଉଁ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ତାହାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ହେଉଛି ।

ସାଧାରଣତଃ ଦେଖିଲେ, ଯଦି କୌଣସି ଲୋକ କିଛି ହୋଇଯାଏ, ଅନ୍ୟ ଲୋକର ସେଭଳି କ୍ଷତି ନ ହେଉ ବୋଲି କେହି ଭାବନ୍ତି ନାହିଁ । କିମ୍ବା ସେଭଳି ଘଟଣାକୁ ରୋକିବାକୁ ଆଗ୍ରହ ଦେଖାନ୍ତି ନାହିଁ । କିନ୍ତୁ ମଧ୍ୟ ପ୍ରଦେଶର ସତନା ଜିଲ୍ଲାରେ ରହୁଥିବା ଏକ ପରିବାର ଏହାର ଠିକ ଓଲଟା କରିଦେଖାଇଛନ୍ତି । ସତନା ସହରର ଟିକୋଆ ଟୋଲାରେ ରହୁଥିଲେ ରାଜେନ୍ଦ୍ର ଗୁପ୍ତା ଓ ତାଙ୍କ ପରିବାର ଲୋକ । ଚଳିତ ମାସ ୩ ତାରିଖରେ ରାଜେନ୍ଦ୍ର ନିଜ ମୋପେଡ୍ କୁ ଧରି କେଉଁ କାମରେ ଘରୁ ବାହାରିଥିଲେ । କିନ୍ତୁ ଘରକୁ ଖବର ଆସିଲା ଯେ ତାଙ୍କର ଦୁର୍ଘଟଣା ହୋଇଛି । ତାଙ୍କୁ ହସ୍ପିଟାଲ୍ ରେ ଭର୍ତି କରାଯାଇଛି । ରାଜେନ୍ଦ୍ରଙ୍କ ବୟସ ୪୯ ବର୍ଷ । ସେ ଗାଡ଼ି ଧରି ଯାଉଥିବା ବେଳେ ଏକ କାର୍ ତାଙ୍କୁ ଓଭରଟେକ୍ କରିବାକୁ ପ୍ରୟାସ କରି ପଛ ପଟୁ ବାଡ଼େଇ ଦେଇଥିଲା । ଫଳରେ ରାଜେନ୍ଦ୍ର ଛିଟିକି ହୋଇ ପଡ଼ିବା ସହ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେ ହେଲମେଟ୍ ପିନ୍ଧି ନ ଥିଲେ । ଡାକ୍ତରଖାନାରେ ସେ କୋମାକୁ ଚାଲିଗଲେ । ମାର୍ଚ୍ଚ ୮ରେ ତାଙ୍କର ହସ୍ପିଟାଲ୍ ରେ ମୃତ୍ୟୁ ହୋଇଗଲା ।

ମଧ୍ୟ ପ୍ରଦେଶରେ ପ୍ରଚଳିତ ପ୍ରଥା ଅନୁସାରେ ରାଜେନ୍ଦ୍ରଙ୍କ ଶୁଦ୍ଧି କ୍ରିୟା ସମ୍ପନ୍ନ ହେଲା । ତାଙ୍କର ମୃତ୍ୟୁର ୧୩ତମ ଦିନରେ ବ୍ରାହ୍ମଣଙ୍କୁ ଭୋଜନ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ସେହିଦିନ ମୃତ ବ୍ୟକ୍ତିଙ୍କ କୌଣସି ଇଛାର ବସ୍ତୁ କିମ୍ବା ସେ ଜୀବିତ ଥିବା ସମୟରେ ଆବଶ୍ୟକ କରୁଥିବା ଜିନିଷ ବ୍ରାହ୍ମଣଙ୍କୁ ଦାନ କରାଯାଏ । ରାଜେନ୍ଦ୍ରଙ୍କ ମୃତ୍ୟୁର ୧୩ତମ ଦିନରେ ତାଙ୍କ ପୁଅମାନେ ବ୍ରାହ୍ମଣମାନଙ୍କୁ ୩୫ଟି ହେଲମେଟ ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ବିନା ହେଲମେଟ୍ ରେ ଗାଡ଼ି ଚଳାଇ ତାଙ୍କ ବାପାଙ୍କର ଯେମିତି ଅକାଳ ମୃତ୍ୟୁ ହେଲା ସେଭଳି ଅନ୍ୟ କାହାର କ୍ଷତି ନ ହୁଏ ବୋଲି ଭାବି, ସେମାନେ ହେଲମେଟ୍ ଦାନ କରିଛନ୍ତି ।

ମୃତକ ରାଜେନ୍ଦ୍ର ଗୁପ୍ତାଙ୍କ ବଡ଼ ପୁଅ ବିବେକ ଗୁପ୍ତା କହିଛନ୍ତି ଯେ, 

ଯଦି ମୋ ବାପା ସେଦିନ ହେଲମେଟ୍ ପିନ୍ଧିଥାନ୍ତେ ତେବେ ସେ ଆଜି ଜୀବିତ ଥାନ୍ତେ । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଲୋକମାନେ ହେଲମେଟ୍ ର ଗୁରୁତ୍ୱ ବୁଝିବାକୁ ଚେଷ୍ଟା କରନ୍ତୁ । ଗାଡ଼ି ଚଲାଇବା ବେଳେ ହେଲମେଟ୍ ପିନ୍ଧିବାକୁ ଜମା ଭୁଲନ୍ତୁ ନାହିଁ । ଆମେ ହେଲମେଟ୍ ଏଥିପାଇଁ ବାଣ୍ଟିଛୁ ଯେ ଯେବେ କି ଏହି ବ୍ରାହ୍ମଣମାନେ କିମ୍ବା ଏଠାରେ ଉପସ୍ଥିତ ଥିବା ଲୋକମାନେ ହେଲମେଟ୍ ବିଷୟରେ ଆଲୋଚନା କରିବେ, ନିଶ୍ଚିତପକ୍ଷେ ବିନା ହେଲମେଟ୍ ଯୋଗୁଁ ମୋ ବାପାଙ୍କର କିଭଳି ମୃତ୍ୟୁ ହୋଇଥିଲା ତାହା ଉପରେ ଚର୍ଚ୍ଚା ହେବ । ଏହା ଲୋକଙ୍କ ମଧ୍ୟରେ ଏକ ନୂତନ ଜାଗରଣ ସୃଷ୍ଟି କରିପାରିବ ବୋଲି ବିବେକ କହିଛନ୍ତି ।