ସୌନ୍ଦର୍ଯ୍ୟର ପରିଭାଷା ବଦଳାଇଲେ ଲିଜ୍ଜି: ଲିଜ୍ଜିଙ୍କ ସଂଘର୍ଷ ଓ ସଫଳତାର କାହାଣୀ

ସୌନ୍ଦର୍ଯ୍ୟର ପରିଭାଷା ବଦଳାଇଲେ ଲିଜ୍ଜି: ଲିଜ୍ଜିଙ୍କ ସଂଘର୍ଷ ଓ ସଫଳତାର କାହାଣୀ

Thursday November 12, 2015,

3 min Read

ସ୍ଥାନୀୟ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାର ତାଙ୍କ ଜୀବନର ଗତିପଥ ବଦଳାଇଦେବ ବୋଲି ଲିଜ୍ଜି କେବେ ସ୍ଵପ୍ନରେ ବି ଭାବି ନଥିଲେ। ଏହି ସାକ୍ଷାତକାର YouTubeରେ ପ୍ରଦର୍ଶିତ ହୋଇଥିଲା ଓ ଏହାର ଶୀର୍ଷକ ଥିଲା “ବିଶ୍ଵର ସବୁଠାରୁ ଅସୁନ୍ଦରୀ ମହିଳା”। ଏହି ଭିଡିଓ ଉପରେ ଲୋକମାନେ ଅନେକ କଟୁ ମନ୍ତବ୍ୟ ଦେଇଥିଲେ। କିଏ ତାଙ୍କୁ ଭୂତୁଣୀ ବୋଲି କହିଥିଲା ତ ଆଉ କିଏ ଆତ୍ମହତ୍ୟା କରି ଏ ପୃଥିବୀ ଉପରେ ଦୟା କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲା। ପାଖାପାଖି ୪୦ ଲକ୍ଷ ଲୋକ ଏହି ଭିଡିଓଟିକୁ ଦେଖିଥିଲେ।

Lizzie Velasquez, photo courtesy – Huffington Post

Lizzie Velasquez, photo courtesy – Huffington Post


ଲିଜ୍ଜି ଏପରି ଏକ ଶାରୀରିକ ଅସୁସ୍ଥତାରେ ପୀଡିତ ଯେଉଁଥିରେ ଶରୀରର ଓଜନ ବଢେ ନାହିଁ। ଲିଜ୍ଜିଙ୍କ ବ୍ୟତୀତ ସମଗ୍ର ପୃଥିବୀରେ ଆଉ ମାତ୍ର ଦୁଇ ଜଣଙ୍କର ଏପରି ଅସୁସ୍ଥତା ରହିଛି। ଲିଜ୍ଜିଙ୍କ ଶରୀର ଚର୍ବି ସଞ୍ଚୟ କରି ରଖିପାରେ ନାହିଁ। ନିଜକୁ ବଞ୍ଚାଇ ରଖିବା ପାଇଁ ଲିଜି ପ୍ରତି ପନ୍ଦର ମିନିଟରେ ଥରେ ଖାଆନ୍ତି। ତାଙ୍କର ଓଜନ ମାତ୍ର ୨୯ କିଲୋ ଓ ତାଙ୍କ ଡାହାଣ ଆଖିକୁ ଦେଖା ଯାଏ ନାହିଁ। ଅନ୍ୟମାନଙ୍କ ପାଇଁ ଏପରି ଶାରୀରିକ ଅବସ୍ଥା ଅଭିଶାପ ମନେ ହୋଇପାରେ। ମାତ୍ର ଲିଜି ଏହାକୁ ଆଶୀର୍ବାଦ ହିସାବରେ ଗ୍ରହଣ କରନ୍ତି। ଏହା ଉପରେ ମତାମତ ଦେଇ ଲିଜି ମଜାରେ କୁହନ୍ତି, “ ମୋର ଯାହା ଇଚ୍ଛା ମୁଁ ତାହା ଖାଇପାରେ ଆଉ ଅନ୍ୟମାନଙ୍କ ଭଳି ମୋର ମୋଟା ହେବାର ଭୟ ବି ନଥାଏ।“

ଲିଜ୍ଜି ଜନ୍ମ ହେଲା ବେଳେ ଡାକ୍ତର କହିଥିଲେ ଯେ ସେ ଅନ୍ୟମାନଙ୍କ ଭଳି ସାଧାରଣ ଭାବେ କାମ କରିପାରିବେ ନାହିଁ। ଏଥିରେ ତାଙ୍କର ବାପା ମା ଦୁଃଖିତ ହୋଇ ନଥିଲେ ଓ ଲିଜ୍ଜିଙ୍କ ପାଳନପୋଷଣ ଭଲ ଭାବେ କରିଥିଲେ। ସଂଘର୍ଷ କରିବାର କଳା ସେ ନିଜ ମାଆଙ୍କ ଠାରୁ ହିଁ ଶିଖିଥିଲେ। ଲିଜି ସ୍କୁଲକୁ ଗଲାବେଳେ ଗୋଟିଏ କଇଁଛ ଭଳି ଦେଖା ଯାଉଥିଲେ। ତାଙ୍କର ସ୍କୁଲ ବ୍ୟାଗ ତାଙ୍କ ଠାରୁ ଉଚ୍ଚା ଥିଲା। ତାଙ୍କ ସହ ଅନ୍ୟ ପିଲା ମାନେ ସ୍କୁଲରେ କଥା ହେଉ ନଥିଲେ।

image


ଲିଜ୍ଜି ଏ ଭିନ୍ନତାର କାରଣ ସମ୍ପର୍କରେ ନିଜ ମାଆ ଓ ବାପାଙ୍କୁ ପଚାରିଥିଲେ। ସେମାନେ ଲିଜ୍ଜିଙ୍କୁ ତାଙ୍କ ଶାରୀରିକ ଅସୁବିଧା ସମ୍ପର୍କରେ ବୁଝାଇ ଦେଇଥିଲେ ଓ ଏକଥା ମଧ୍ୟ କହିଥିଲେ ଯେ ଏହା ତାଙ୍କ ବ୍ୟକ୍ତିତ୍ଵର ମାପକାଠି ନୁହେଁ। ତାଙ୍କୁ ସ୍କୁଲ ଯିବାକୁ ପଡିବ ଓ ସମ୍ମାନର ସହ ମୁଣ୍ଡ ଟେକି ରହିବାକୁ ହେବ ବୋଲି ଲିଜି ବାପାମାଆଙ୍କ କଥାରୁ ବୁଝି ପାରିଥିଲେ। ନିଜ ଚେହେରା ସମ୍ପର୍କରେ ମତ ଦେଇ ଲିଜ୍ଜି କୁହନ୍ତି, “ ମତେ ନିଜ ଚେହେରା ଉପରେ ବିରକ୍ତି ଲାଗୁଥିଲା। ମୁଁ ଆଇନା ଦେଖିବାକୁ ଘୃଣା କରୁଥିଲି। ଏହି ସମୟରେ ମୁଁ ବୁଝି ପାରିଲି ଯେ ମୋ ଜୀବନ ମୋ ହାତରେ। ଚେହେରା ନୁହେଁ ମୋ ସଫଳତା ଓ ଜୀବନର ଲକ୍ଷ୍ୟ ହିଁ ମୋର ପରିଚୟ ହେବ।"

ଏବେ ଲିଜ୍ଜି ଜଣେ ପ୍ରେରଣାଦାୟୀ ବକ୍ତା ଓ ତିନୋଟି ପୁସ୍ତକର ଲେଖିକା ମଧ୍ୟ। ତାଙ୍କର ପ୍ରଥମ ବହି ‘Lizzie Beautiful’ ରେ ସେ ନିଜ ସଂଘର୍ଷ ବିଷୟରେ ବର୍ଣନା କରିଛନ୍ତି। ଦୁନିଆ କିପରି ଚେହେରାକୁ ଅଧିକ ମହତ୍ଵପୂର୍ଣ ମନେ କରିଥାଏ ତାହା ଏହି ପୁସ୍ତକର ବିଷୟବସ୍ତୁ। ତା ଛଡା ଲିଜ୍ଜି ଛୋଟ ଥିଲା ବେଳେ ତାଙ୍କ ମାଆ ତାଙ୍କ ଉପରେ ବିଭିନ୍ନ ପତ୍ର ପତ୍ରିକା ପାଇଁ ଲେଖିଥିବା ଲେଖା ଗୁଡିକ ମଧ୍ୟ ଏହି ପୁସ୍ତକରେ ସ୍ଥାନିତ ହେଇଛି। ଏହି ପୁସ୍ତକଟି ଆଜି ଅନେକଙ୍କ ପାଇଁ ପ୍ରେରଣାର ସ୍ରୋତ। ତାଙ୍କ ଦ୍ଵିତୀୟ ବହିର ନାମ ହେଲା ‘Be Beautiful, Be You’। ସ୍ୱଳ୍ପ ଆତ୍ମସମ୍ମାନ ସହ ଲଢୁଥିବା ଲୋକମାନଙ୍କ ପାଇଁ ଏହି ପୁସ୍ତକରେ ଲିଜ୍ଜି ଅନେକ ଉପଦେଶ ଦେଇଛନ୍ତି।

ବର୍ତ୍ତମାନ ଲିଜ୍ଜି ଗୋଟିଏ ବୃତ୍ତଚିତ୍ର ନିର୍ମାଣରେ ବ୍ୟସ୍ତ। ଏହି ବୃତ୍ତଚିତ୍ରଟି ଲୋକମାନଙ୍କ ଟାହିଟାପରା ଉପରେ ଆଧାରିତ। ଏହି ଟାହିଟାପରା ଦ୍ଵାରା ଅନେକ ଲୋକ ପ୍ରଭାବିତ ହୁଅନ୍ତି। ଏହାକୁ ବନ୍ଦ କରିବା ପାଇଁ ଲିଜ୍ଜିଙ୍କ ବୃତ୍ତଚିତ୍ର ଦୃଢ ସନ୍ଦେଶ ବହନ କରୁଛି।

ଲିଜ୍ଜି ତାଙ୍କ ଲକ୍ଷ୍ୟରେ ସଫଳ ହୁଅନ୍ତୁ, ଏହାହିଁ ଆମର କାମନା। ଜୀବନର ଛୋଟ ଛୋଟ ସମସ୍ୟା ଆମକୁ ବିବ୍ରତ କରିଦିଏ। ଏପରି କ୍ଷେତ୍ରରେ ଲିଜ୍ଜିଙ୍କ ସଂଘର୍ଷର କାହାଣୀ ସମଗ୍ର ବିଶ୍ଵପାଇଁ ପ୍ରେରଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

    Share on
    close