ହାଇଦ୍ରାବାଦର ଏହି ଏକାଡେମୀରୁ ଜନ୍ମ ସବୁ ବ୍ୟାଡମିଣ୍ଟନ ଷ୍ଟାର

ହାଇଦ୍ରାବାଦର ଏହି ଏକାଡେମୀରୁ ଜନ୍ମ ସବୁ ବ୍ୟାଡମିଣ୍ଟନ ଷ୍ଟାର

Saturday August 20, 2016,

2 min Read

ସାଇନା ନେହୱାଲ, ଶ୍ରୀକାନ୍ତ କିଦାମ୍ବି, ପାରୁପଲ୍ଲି କାଶ୍ୟପ, ପି ଭି ସିନ୍ଧୁ, ଅରୁନ୍ଧତୀ ପନ୍ତାୱାଣେ, ଗୁରୁସାଇ ଦତ୍ତ, ଅରୁଣ ବିଷ୍ଣୁ ଓ ଆହୁରି ଅନେକ। ହାଇଦ୍ରାବାଦର ଗୋପୀଚନ୍ଦ ବ୍ୟାଡମିଣ୍ଟନ ଏକାଡେମୀ ଏହି ଚମକୁଥିବା ଷ୍ଟାରଙ୍କ ପାଇଁ ଆଜି ଗର୍ବିତ। ଆଉ କାହିଁକି ନୁହେଁ? ଭାରତ ଭଳି ଏକ ଦେଶ ଯେଉଁଠାରେ ଖେଳ (କ୍ରିକେଟକୁ ବାଦ ଦେଇ) ପାଇଁ ପ୍ରୋତ୍ସାହନ ନା ବରାବର ସେଠାରେ ଏହି ଏକାଡେମୀ ପ୍ରମାଣିତ କରିପାରିଛି ଯେ ଏକ ଉତ୍ତମ ସଂସ୍ଥା କଣ ସାଧନ କରିପାରେ।

ଏହି ଏକାଡେମୀ ଆରମ୍ଭ ହେଇଥିଲା ଅଲ ଇଂଲଣ୍ଡ ଓପେନ ଚମ୍ପିୟାନ ପୁଲ୍ଲେଲା ଗୋପୀଚନ୍ଦଙ୍କ ଦ୍ଵାରା। ତାଙ୍କର ବିଜୟରେ ଆନ୍ଧ୍ରପ୍ରଦେଶ ସରକାର ତାଙ୍କୁ ଉପହାର ଦେଇଥିବା ୫ ଏକର ଜମିରେ ଆରମ୍ଭ କରିଥିଲେ ସେ ଏହି ଏକାଡେମୀ। ଅତ୍ୟନ୍ତ ନମ୍ର ସ୍ଵଭାବର ଏହି ଖେଳାଳୀଙ୍କୁ ପ୍ରାୟ ଏକ ଦଶନ୍ଧି ଲାଗିଥିଲା ପାଣ୍ଠି ଯୋଗାଡ଼ କରି ଏହି ଏକାଡେମୀକୁ ପୁରାପୁରି ଭାବେ ପରିକଳ୍ପନା କରି ଆରମ୍ଭ କରିବା ପାଇଁ।

ଗୋପୀଚନ୍ଦ ପ୍ରଥମେ ନିମ୍ମାଗଡ୍ଡା ପ୍ରସାଦଙ୍କୁ ଏଥିରେ ପଇସା ଲଗେଇବା ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରସାଦ ତାଙ୍କର ଜଣେ ଦୂର ସମ୍ପର୍କୀୟ ଓ ଉଦ୍ୟୋଗୀ ଥିଲେ। ପ୍ରସାଦ ତାଙ୍କୁ ୫୦୦,୦୦୦ ଆମେରିକୀୟ ଡଲାର ଦେଇଥିଲେ ଓ ଆଉ ୨ ମିଲିୟନ ଆମେରିକୀୟ ଡଲାର ଯୋଗାଡ଼ କରିବାରେ ତାଙ୍କୁ ସାହାଯ୍ୟ କଲେ। କିନ୍ତୁ ଯେହେତୁ ଦେଶରେ କ୍ରିକେଟ ସବୁଠାରୁ ଲୋକପ୍ରିୟ ଖେଳ ଏବଂ ବ୍ୟାଡମିଣ୍ଟନ ସେତେ ଲୋକପ୍ରିୟ ନୁହେଁ ତେଣୁ ପାଣ୍ଠି ଖୁବ ଧୀରେ ଧୀରେ ଆସିଲା। ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଗୋପୀଚନ୍ଦ ନିଜ ଘର ବନ୍ଧକ ପକେଇବାର ନିଷ୍ପତ୍ତି ନେଲେ। ନିଜ ଘର ବନ୍ଧା ପକାଇ ପଇସା ଯୋଗାଡ଼ କରି ଶେଷରେ ଆରମ୍ଭ କରିପାରିଥିଲେ ନିଜ ଏକାଡେମୀ।

ଏହି ଏକାଡେମୀରେ ବର୍ତ୍ତମାନ ୧୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଯଦିଓ ଏବେ ମଧ୍ୟ ଗୋପୀଚନ୍ଦ ଆର୍ଥିକ ମାମଲା ନେଇ ସଂଘର୍ଷ କରୁଛନ୍ତି କିନ୍ତୁ ସେ ଆଶାବାଦୀ ଯେ ଭାରତ ପାଇଁ ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣପଦକ ବେଶି ଦୂର ନୁହେଁ।

“ମୋର ଚାଇନିଜ କୋଚ ୱାଙ୍ଗ ଜିଆଓ ମିଙ୍ଗ ଓ ସୁ ୟାନ ଦୁହେଁ ଖୁବ କଡ଼ା ମାଷ୍ଟର ଥିଲେ। ତାଙ୍କଠାରୁ ମୋତେ ଉପହାରରେ ମିଳିଛି ଅନୁଶାସନ। ଆଜି ମୋ ଏକାଡେମୀରେ ମୁଁ ଏହି ଅନୁଶାସନକୁ ଧରି ଚାଲେ ଓ ମୋର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ମୂଲ୍ୟବୋଧକୁ ସ୍ଥାପନ କରିବାକୁ ଚେଷ୍ଟା କରେ।“

                - ଗୋପୀଚନ୍ଦ ୨୦୧୩ରେ ଆଉଟଲୁକ ମଗାଜିନକୁ ଦେଇଥିବା ଏକ ସାକ୍ଷାତକାରରେ ଏହା କହିଥିଲେ।

ଆଜି ଏହି ଏକାଡେମୀର ନାମ ଅନ୍ତର୍ଜାତୀୟ ସ୍ତରରେ ଏକ ଜଣାଶୁଣା ନାମ। ସାଇନା ନେହୱାଲ (ବିଶ୍ଵ ମହିଳା ସିଂଗଲରେ ୫ମ ସ୍ଥାନ), ଶ୍ରୀକାନ୍ତ କିଦାମ୍ବୀ (ପୂର୍ବତନ ବିଶ୍ଵ ପୁରୁଷ ସିଂଗଲରେ ତୃତୀୟ ସ୍ଥାନ), ପାରୁପଲ୍ଲି କାଶ୍ୟପ (ବିଶ୍ଵ ପୁରୁଷ ସିଂଗଲରେ ୬ଷ୍ଠ ସ୍ଥାନ), ପି ଭି ସିନ୍ଧୁ (ବିଶ୍ଵ ମହିଳା ସିଂଗଲରେ ୯ମ ସ୍ଥାନ) ଓ ପ୍ରଣୟ କୁମାର (ବିଶ୍ଵ ପୁରୁଷ ସିଂଗଲରେ ୧୪ତମ ସ୍ଥାନ) ହେଲେ ଏହି ଏକାଡେମୀ ତିଆରି କରିଥିବା କିଛି ଖେଳାଳୀଙ୍କ ଭିତରେ ଅନ୍ୟତମ। ଅନ୍ୟ ଛାତ୍ରଛାତ୍ରୀ ମାନେ ମଧ୍ୟ ବେଶ ଭଲ ପ୍ରଦର୍ଶନ କରୁଛନ୍ତି।

ଆଜି ଗୋପୀଚନ୍ଦ ଏକାଡେମୀ ଆମ ସଭିଙ୍କ ପାଇଁ ଓ ଦେଶପାଇଁ ଏକ ଗୌରବର ଉତ୍ସ। କିନ୍ତୁ ଏହାର ଆରମ୍ଭ ଦିନର କାହାଣୀ ଏକ ବଡ଼ ପ୍ରଶ୍ନବାଚୀ ନିଶ୍ଚେ ଉଠାଏ ଯେ ଆମର କ୍ରିକେଟ ଭିନ୍ନ ଅନ୍ୟ ଖେଳ ପ୍ରତି ଏଇ ଉଦାସୀନତା କେତେ ଦୂର ଠିକ୍ ? ରିଓ ଅଲିମ୍ପିକ ୨୦୧୬ରେ ବର୍ତ୍ତମାନ ଯାଏଁ ଦେଶର ଅତି ସାଧାରଣ ପ୍ରଦର୍ଶନ ଦେଖାଏ କାହିଁକି ଆମର ଖେଳାଳୀ ମାନଙ୍କୁ ଭଲ ଖେଳ ଏକାଡେମୀ ଓ ସହାୟତା ଆବଶ୍ୟକ।