ପୁରୁଣା ବାଇକ୍ ଖୋଜୁଖୋଜୁ ଗୃହିଣୀ ଚିତ୍ରା ବାନାର୍ଜି ଉଦ୍ୟୋଗୀ ପାଲଟିଗଲେ

ପୁରୁଣା ବାଇକ୍ ଖୋଜୁଖୋଜୁ ଗୃହିଣୀ ଚିତ୍ରା ବାନାର୍ଜି ଉଦ୍ୟୋଗୀ ପାଲଟିଗଲେ

Monday January 04, 2016,

3 min Read

ସାମାନ୍ୟ ଗୋଟେ ବିଶ୍ୱବିଦ୍ୟାଳୟର ଡିଗ୍ରିଧାରୀ ବି ବେଳେବେଳେ ଚମକ୍ତାର କାମ କରି ଖବରର ଶିରୋନାମ ପାଲଟିଯାଆନ୍ତି । ଏମିତି ହିଁ ହେଇଥିଲା ଯେତେବେଳେ ଚିତ୍ରା ବାନାର୍ଜିଙ୍କ ସଫଳତା ବାବଦରେ ତାଙ୍କ ଲାଗି ଗର୍ବିତ ସ୍ଵାମୀ ବିକାଶ କୁମାର ବାନାର୍ଜି ଆମକୁ ଲେଖିଲେ । ଚିତ୍ରା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଇକନୋମିକ୍ସ ଅନର୍ସ ଛାତ୍ରୀ ଚିତ୍ରା ବାହାଘର ପରେ ପରିବାର ସମ୍ଭାଳିବାକୁ ଗୃହିଣୀ ହେବାକୁ ପସନ୍ଦ କରିଥିବା ବେଳେ ଏବେ ନିଜର ସଂସ୍ଥା ଆରମ୍ଭ କରି ଦେଇଛନ୍ତି । ୨୦୧୩ରେ ନିଜ ସ୍ଵାମୀଙ୍କ ସହ କଫିପଇବା ସମୟରେ ଆଲୋଚନାରୁ ହିଁ ତାଙ୍କ ଉଦ୍ୟୋଗର ସୂତ୍ରପାତ ହୋଇଥିଲା । ଝିଅଟିଏ ବ୍ୟବହୃତ ଦୁଇଚକିଆ କିଣିବା ପାଇଁ କେତେ ଯେ ହଇରାଣ ହରକତ ହୁଏ, ଏକଥା ବଖାଣିଥିଲେ ଚିତ୍ରା । ଆଉ ସେଇଠୁ ଚିତ୍ରା ଆରମ୍ଭ କଲେ ବହୁବ୍ରାଣ୍ଡ୍ ସ୍ଵୀକୃତ ବ୍ୟବହୃତ ବାଇକ୍ ଅନଲାଇନ୍ ଷ୍ଟୋର Bikershighway.in ।

image


ଚିତ୍ରା କହନ୍ତି, “ଆଜିକାଲି ତ ଲୋକେ ପରିବା ବି ଅନଲାଇନରେ କିଣୁଛନ୍ତି । ବ୍ୟବହୃତ ଦୁଇଚକିଆ ବଜାର ଭାରତରେ ସଂଗଠିତ ହୋଇପାରିନି ଓ ଲୋକେ କିଣିବାରେ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମେ ୱାରେଣ୍ଟି ଓ ମାଗଣା ସେବା ସହ ଦୁଆର ମୁହଁରେ ସ୍ଵୀକୃତ ବ୍ୟବହୃତ ବାଇକ୍ ଦେବା କଥା ଭାବିଲୁ ।”

ବହୁ ଗବେଷଣା ପରେ ଏବେ ସେମାନେ ପୁଣେରୁ ନିଜ ଅନୁଷ୍ଠାନ ଆରମ୍ଭ କରିଛନ୍ତି । ଚିତ୍ରା ପୁଣି କହନ୍ତି, ‘ପୁଣେରେ ଏମିତି ଗୋଟେ ବି ସଂସ୍ଥା ନାହିଁ ଯେଉଁମାନେ ବାଇକର ମାନ ପରୀକ୍ଷଣ କରିବା ସହ ମାଗଣା ସେବା ଓ ୱାରେଣ୍ଟି ଦେବେ ।’ ନଭେମ୍ବର ୨୦୧୩ରେ ଅନୁଷ୍ଠାନ ଆରମ୍ଭ ହୋଇ ନଭେମ୍ବର ୨୦୧୪ ମଧ୍ୟରେ ସେମାନେ ୪୨୬ ଗାଡ଼ି ବିକି ସାରିଥିଲେ ।

ଅଧିକାଂଶ ଲୋକ ବ୍ୟବହୃତ ଗାଡ଼ି ଏମିତି ହିଁ କିଣନ୍ତି:-

୧) OLX, Quikr, Bikewala ଆଦି ଅନଲାଇନ ପ୍ଲାଟଫର୍ମରେ ଖୋଜନ୍ତି ।

୨) ତା’ ପରେ ସେମାନେ ବାଇକ ମାଲିକ ବା ଡିଲରଙ୍କୁ ଫୋନରେ ଯୋଗାଯୋଗ କରି ଅଧିକ ତଥ୍ୟ ହାସଲ କରନ୍ତି ।

୩) ଗୋଟେ ଗାଡ଼ି କିଣିବାକୁ ବେଳେବେଳେ ତାଙ୍କୁ ଅନେକ ଦୂର ବି ଯିବାକୁ ପଡ଼ିଥାଏ ।

୪) ଗାଡ଼ିଟି କିଣିବା ପରେ ଗ୍ରାହକଙ୍କୁ ସେବା କିମ୍ବା ୱାରେଣ୍ଟି ମିଳିନଥାଏ ।

ଏସବୁ ସମସ୍ୟାର ସମାଧାନ ଯୋଗାଇବା ଚିତ୍ରା, ବିକାଶ ଓ ତାଙ୍କ ୧୦ଜଣିଆ ସଦସ୍ୟବିଶିଷ୍ଟ ସଂସ୍ଥା ଲାଗି ଏତେ ସହଜ ନଥିଲା ।

ଚିତ୍ରା କହନ୍ତି, ‘ଆମେ ଚାହୁଁ ଲୋକେ ବାଇକର୍ସ ହାଇୱେରୁ ଗାଡ଼ି କିଣି ଗର୍ବ ଅନୁଭବ କରନ୍ତୁ । ଘରେ ବସି ସେମାନେ ପରୀକ୍ଷିତ ମାନର ଗାଡ଼ି ସାଙ୍ଗକୁ ୱାରେଣ୍ଟି ଓ ମାଗଣା ସେବା ପାଇପାରୁଛନ୍ତି । ଆମେ ଦୁଆର ମୁହଁରେ ଯାଇ ଟେଷ୍ଟ ରାଇଡ୍ ବି ଦେଉଛୁ । ତେଣୁ ଲୋକଙ୍କୁ ଷ୍ଟୋର ଆସିବା ବି ଦରକାର ନାହିଁ ।’

ପ୍ରଥମେ ପ୍ରଥମେ ସେମାନେ ଅନ୍ୟର ଗାଡ଼ିରେ ୱାରେଣ୍ଟି ଦେବାପାଇଁ କେବଳ ଏକ ଏଜେନ୍ସି ଭଳି କାମ କରୁଥିଲେ । କିନ୍ତୁ ଏହା ଚାଲିଲାନି । ତା’ପରେ ସେମାନେ ଗାଡ଼ି କିଣିବା ଆରମ୍ଭ କଲେ । ଏହାର ମାନ ଉନ୍ନତ କରି ମାଗଣା ସେବା ପ୍ରତିଶ୍ରୁତି ଓ ୱାରେଣ୍ଟି ସହ ବିକ୍ରିକଲେ । ସେବା ଅନ୍ୟ ସଂସ୍ଥାରୁ ଆଣିବା ବି ଖର୍ଚ୍ଚବହୁଳ ଥିଲା । ଏଣୁ ଏ ଦମ୍ପତି ଡିସେମ୍ବର ୨୦୧୪ରେ ନିଜର ସର୍ଭିସ ସେଣ୍ଟର ଆରମ୍ଭ କଲେ ।

ବିକାଶ କହନ୍ତି, ‘ଆମର କିଛି ବ୍ୟାଙ୍କ ଜମା ଥିଲା ଓ ସେଇ ଅର୍ଥକୁ ନେଇ ଆମେ ପ୍ରଥମେ ଆମର ବ୍ୟବସାୟ ଆରମ୍ଭ କଲୁ । ଆମେ ମାତ୍ର ୩ ଲକ୍ଷରୁ ବ୍ୟବସାୟ ଆରମ୍ଭ କରି ୧୦ ଲକ୍ଷରେ ପହଞ୍ଚିଥିଲୁ ଏବଂ ବର୍ତ୍ତମାନ ବ୍ୟବସାୟ ୨୦ ଲକ୍ଷ ଛୁଇଁଛି ।’ ପରେ ସେମାନେ ୨୦୧୫ରେ କିସ୍ତି କିସ୍ତିରେ ତାଙ୍କୁ ଜଣେ ପୁଞ୍ଜିଦାତା ୫୦ ଲକ୍ଷ ଟଙ୍କା ଦେଇଛନ୍ତି । ଆଗକୁ ଅଧିକ ପୁଞ୍ଜି ଯୋଗାଡ଼ କରି ବ୍ୟବସାୟ ବଢ଼ାଇବା ସେମାନଙ୍କର ଲକ୍ଷ୍ୟ ରହିଛି ।

Zigwheels, Cardekho, Carwala, Carstrade ଭଳି ବହୁ ଅଟୋ କ୍ଲାସିଫାଏଡ ପ୍ଲାଟଫର୍ମ ଭିତରେ ଏବେ ପ୍ରତିଯୋଗିତା ଯୋର୍ । ତେବେ ଏମାନଙ୍କର ମୁଖ୍ୟ ଉଦ୍ୟମ କାର ବ୍ୟବସାୟକୁ ନେଇ । ଅବଶ୍ୟ ଓଏଲ୍ଏକ୍ସ ଓ କ୍ୱିକର ପରି କ୍ଲାସିଫାଏଡ ସାଇଟ୍ ଅଛନ୍ତି ଯେଉଁଠି ବହୁ ସଂଖ୍ୟାରେ ବାଇକ୍ ମିଳୁଛି । ତେବେ ଚିତ୍ରା ଓ ବିକାଶ ନିଜର ସେବା ଓ ନୂତନତା ମାଧ୍ୟମରେ ଏ ପ୍ରତିଯୋଗିତା ବଜାରରେ ମୁଣ୍ଡ ଟେକିବାକୁ ଚେଷ୍ଟା ଚଳାଇଛନ୍ତି । ବର୍ତ୍ତମାନ କେବଳ ପୁଣେରେ ବ୍ୟବସାୟ କରୁଥିବା ବେଳେ ଭବିଷ୍ୟତରେ ସେମାନେ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବ୍ୟବସାୟ ସାମ୍ରାଜ୍ୟ ବଢ଼ାଇବାର ଲକ୍ଷ୍ୟ ରଖିଛନ୍ତି ।

ମୂଳ ଲେଖା - ଜୁବିନ ମେହତା

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା