ସୋସିଆଲ୍ ମିଡ଼ିଆ ସାହାଯ୍ୟରେ ରାସ୍ତାକଡ଼ ପିଲାଙ୍କ ଜନ୍ମଦିନ ପାଳୁଛନ୍ତି ଅଭିଜିତ୍

ସୋସିଆଲ୍ ମିଡ଼ିଆ ସାହାଯ୍ୟରେ ରାସ୍ତାକଡ଼ ପିଲାଙ୍କ

ଜନ୍ମଦିନ ପାଳୁଛନ୍ତି ଅଭିଜିତ୍

Thursday June 23, 2016,

3 min Read

ସେମାନେ ରାସ୍ତା କଡ଼ରେ ଜନ୍ମ ନିଅନ୍ତି । ସେଇଠି ଜୀଅଁନ୍ତି । ଜୀବନ ସେଇଠି ବିତେ । କୋଉ ଦିନ ଜନ୍ମ ହୋଇଥିଲେ, ତା’ର କିଛି ହିଁ ଠିକଣା ନ ଥାଏ । କିନ୍ତୁ ସେଇପରି ୨୦୦୦ରୁ ଅଧିକ ପିଲାଙ୍କ ଜନ୍ମଦିନ ପାଳନ କରିବାରେ ସହାୟକ ହୋଇଛନ୍ତି ନୂଆଦିଲ୍ଲୀର ଅଭିଜିତ୍ ବାଜପେୟୀ । ତାହା ପୁଣି ସୋସିଆଲ୍ ମିଡ଼ିଆ ସହାୟତାରେ ।

image


ଏ କାହାଣୀ ହେଉଛି- ସ୍ୱପ୍ନ, ଭଙ୍ଗାମନ, କେକ୍ ଆଉ ବାର୍ଥ ଡେ’ ପାର୍ଟିର ।

ଅଭିଜିତ୍ ଙ୍କ କାହାଣୀଟି ଏମିତି । ଦିନେ ସେ ଦିଲ୍ଲୀ ରାସ୍ତାରେ ନିଜ ଗାଡ଼ିରେ ଯାଉଥିଲେ । ଟ୍ରାଫିକ୍ ସିଗନାଲରେ ଗାଡ଼ି ଅଟକି ଯିବା ପରେ ଦେଖିଲେ ରାସ୍ତାକଡ଼ରେ ମଳିଛିଆ ପିଲାମାନେ ବାର୍ଥ ଡ଼େ’ ପାଳନ କରୁଛନ୍ତି । କିଏ କୋଉଠି ପକେଇ ଦେଇଥିବା ଅସନା ଟୋପି, ଫୁଲ, ପ୍ଲାଷ୍ଟିକ୍ ଛୁରୀ ଇତ୍ୟାଦି । ହେଲେ କେକ୍ ନଥିଲା । ତା’ପରେ ଟ୍ରାଫିକ୍ ସିଗନାଲ ସବୁଜ ହୋଇଗଲା ଏବଂ ଅଭିଜିତ୍ ଅଫିସ୍ ଗଲେ ।

image


ହେଲେ ସେ ଦୃଶ୍ୟ ଜମାରୁ ତାଙ୍କ ମନରୁ ହଟିଲାନି । କଣ କରିବେ ଏଇ ପିଲାଙ୍କ ପାଇଁ ସେଥିପାଇଁ ଅନେକ ଚିନ୍ତା କଲେ । ଶେଷକୁ ଟୁଇଟରରେ ଲେଖିଦେଲେ- ରାସ୍ତାକଡ଼ର ପିଲାଙ୍କ ଜନ୍ମଦିନ ମୁଁ ପାଳିବାକୁ ଚାହୁଁଛି । ସତସତିକା । ସାହାଯ୍ୟ କରନ୍ତୁ ।

image


ଅଭିଜିତଙ୍କ ଅନୁସାରେ - 

ଏହା କୌଣସି ବଡ଼ କଥା ନୁହେଁ କି ଅଭିଳାଷା ବି ନୁହେଁ । ଯେଉଁ ପିଲାଙ୍କୁ ମୁଁ ରାସ୍ତା କଡ଼ରେ ଦେଖିଥିଲି, ସେମାନଙ୍କ ସହ ସମୟ ବିତାଇବାକୁ ଚାହୁଁଛି । ସେମାନଙ୍କୁ ଖୁସି ଦେଖିବାକୁ ଚାହୁଁଛି । ତାହା ଅଳ୍ପ ସମୟ ପାଇଁ ହେଉ ପଛେ ।

ଏହି ଟୁଇଟ ପରେ ଅଚାନକ ଅନେକ ଲୋକ ତା’କୁ ପସନ୍ଦ କଲେ । ନିଜେ ସେଥିରେ ସାମିଲ ହେବା ପାଇଁ ଆଗ୍ରହ ଜଣାଇଲେ । ସେଇଠୁ ଅଭିଜିତ୍ ଫେସବୁକରେ ଗୋଟିଏ ପେଜ୍ ତିଆରି କଲେ - ହାପି ବାର୍ଥ ଡ଼େ’ ଭାରତ

PC : The Better India

PC : The Better India


ଜୁଲାଇ ୨୦୧୫ରେ ପ୍ରଥମ ଥର ପାଇଁ ଅଭିଜିତ୍ ଓ ସାଥିମାନେ ଜନ୍ମଦିନ ପାଳିଲେ । ଦିଲ୍ଲୀର ମୁଖ୍ୟ ଇଲାକା କନାଟ ପ୍ଲେସ୍ ରେ ପିଲାମାନଙ୍କ ଜନ୍ମଦିନ ପାଳନ ହେଲା । ହେଲେ- ସେଥିରେ ଥିଲା ଦୁଇଟି ପ୍ରତିବନ୍ଧକ । ଏକରେ ଅର୍ଥ । ଦୁଇରେ କେମିତି ଜାଣିବେ କାହା ଜନ୍ମଦିନଟି କେଉଁଟି ?

ଅଭିଜିତ୍ ତା’କୁ ମନେ ପକାଇ କହନ୍ତି- 

ଆମେ ୫୦ରୁ ଅଧିକ ଲୋକ ଏକାଠି ହୋଇଥାଉ । ତେଣୁ ନିଷ୍ପତି ନେଲୁ ଅର୍ଥ ଭାଗ କରିନେବୁ । କଲୁ ବି । ଆଉ ରାସ୍ତାକଡ଼ର ପିଲାମାନଙ୍କ ଜନ୍ମ ତାରିଖ ଜଣା ନଥାଏ । ତେଣୁ ଯିଏ ବୟସରେ ସବୁଠାରୁ କମ୍, ତା’ରି ଜନ୍ମଦିନ ପାଳିଲୁ ।

ପିଲାମାନଙ୍କୁ ଏକାଠି କରିବା ପାଇଁ ଆଉ ଗୋଟାଏ କାମ ବି କଲୁ । ସେମାନେ ଯାହା ବିକ୍ରି କରନ୍ତି, ତା’କୁ ସେଇ ଦିନ ପାଇଁ ଆମେ କିଣି ନେଉ । ଯେମିତି ସେମାନେ ଫାଙ୍କା ରହି ପାରିବେ । ତା’ପରେ ପାର୍କରେ ବାର୍ଥ ଡ଼େ’ କେକ୍, ଗୀତ, ବେଲୁନ ସହ ଜମାଣିଆ ଜନ୍ମଦିନ ପାଳନ ।

ଏଇ ପିଲାମାନଙ୍କୁ ନେଇ ଅଭିଜିତ୍ ଙ୍କୁ ପାଖେ ଅନେକ କାହାଣୀ । କନାଟ ପ୍ଲେସ୍ ରେ ଜଣେ ପିଲା ଭିକ ମାଗିବାକୁ ସେ ମନା କରିଥିଲେ । ଏ କଥା ତା’ର ବାପା ମାଆଙ୍କୁ କହିଥିଲେ । ବଦଳରେ ଶୁଣିଥିଲେ- ଆ’ ଜେଜେବାପା ଭିକ ମାଗୁଥିଲେ । ବାପା ବି । ତେଣୁ ଇଏ ବି ମାଗିବ ।

ଯେଉଁ ପିଲାଟି ଆସନ୍ତାକାଲି କଣ ଖାଇବ, ତା’ର କିଛି ଠିକଣା ନଥାଏ, ସେ ପିଲାଙ୍କୁ ନେଇ ନିଜ ଯୋଜନା ସଂପର୍କରେ ଅଭିଜିତ୍ କହନ୍ତି- ବାହାରୁ ତ ବହୁତ ସାହାଯ୍ୟ ପାଇଁ ଲୋକେ ଆଗେଇ ଆସୁଛନ୍ତି । ଆମେ କିନ୍ତୁ ଗ୍ରହଣ କରୁନୁ । ଦେଖିବା କେତେ ବାଟ ଯାଉଛି ଏ ପ୍ରୟାସ ।

ବାର୍ଥ ଡ଼େ’ ଗିଫ୍ଟ ଭାବେ ଦିଲ୍ଲୀର ଆସିଲ୍ କହିଥିଲା- ମୋ ଭଉଣୀଙ୍କୁ ଆପଣ ପାଠ ପଢାନ୍ତୁ ।

ଏବେ ମୁମ୍ବାଇ, ବାଙ୍ଗାଲୋର, ପୁନେ ଆଦି ଅନେକ ସହରର ଲୋକମାନେ ଏଇ ଫେସବୁକ ପେଜରେ ଯୋଡ଼ି ହୋଇ ଯାଇଛନ୍ତି । ଅଜଣା, ଅଚିହ୍ନା, ଅବହେଳିତ ମଣିଷଙ୍କ ଜନ୍ମ ଦିନ ପାଳନ କରୁଛନ୍ତି ।