ଖେଳ ଜଗତର ବିସ୍ମୟ : ଭାରତର ସ୍ପ୍ରିଣ୍ଟ କୁଇନ ଓଡ଼ିଆ ଝିଅ ଦୂତୀ ଚାନ୍ଦ

ଖେଳ ଜଗତର ବିସ୍ମୟ : ଭାରତର ସ୍ପ୍ରିଣ୍ଟ କୁଇନ ଓଡ଼ିଆ ଝିଅ ଦୂତୀ ଚାନ୍ଦ

Tuesday March 08, 2016,

2 min Read

ଓଡ଼ିଶା ମାଟିର ଝିଅ ଦୂତୀ ଚାନ୍ଦ ସମ୍ପ୍ରତି ଭାରତର ନୂତନ ଦ୍ରୁତତମ ଧାବିକା । ୧୯୯୬ରେ ଯାଜପୁର ଜିଲ୍ଲାର ଏକ ବୁଣାକାର ପରିବାରରେ ଜନ୍ମ ଲାଭ କରିଥିବା ଦୂତୀ ଓଡ଼ିଶାର ନାମ ଉଜ୍ଜ୍ଵଳ କରିବା ସହିତ ଦେଶ ପାଇଁ ଆଣିଛନ୍ତି ଅନେକ ଗୌରବ। ୨୦୧୨ରେ ପୁନାରେ ଅନୁଷ୍ଠିତ ଏସୀୟ ଚାମ୍ପିୟନସିପ ପ୍ରତଯୋଗିତାରେ ୧୮ ବର୍ଷରୁ କମ ବିଭାଗରେ ୧୦୦ମିଟର ଇଭେଣ୍ଟରେ ଜାତୀୟ ଚାମ୍ପିୟନ ହୋଇ ଏବଂ ୨୦୦ ମିଟର ଇଭେଣ୍ଟରେ ବ୍ରୋଞ୍ଜ ହାସଲ କଲାପରେ ଦୂତୀ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଚେନ୍ନାଇରେ ଅନୁଷ୍ଠିତ ଦ୍ଵାଦଶ ଫେଡେରସନ କପ ଜାତୀୟ ଜୁନିଅର ଆଥଲେଟିକସ ଚାମ୍ପିୟନସିପରେ ୧୧.୬୩ ସେକେଣ୍ଡରେ ଜୁନିଅର ମହିଳା ୧୦୦ ମିଟର ଫାଇନାଲ ଅତିକ୍ରମ କରି ଦୀର୍ଘଦିନରୁ ଥିବା ସରସ୍ଵତୀ ଦେ'ଙ୍କ ୧୧.୯୬ ସେକେଣ୍ଡ ଜାତୀୟ ରେକର୍ଡ ଭଙ୍ଗ କଲେ। ତା'ପରେ ମଧ୍ୟ ସେ ପ୍ରଥମ ଭାରତୀୟ ଭାବେ ୟୁକ୍ରେନରେ ଅନୁଷ୍ଠିତ ୨୦୧୩ ବିଶ୍ଵ ଯୁବ ଚାମ୍ପିୟନସିପ ପ୍ରତଯୋଗିତାରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହେଲେ। ଯଦିଓ ସେ ସେଠାରେ ସେମିଫାଇନାଲରୁ ଆଗକୁ ଯିବାକୁ ସମର୍ଥ ହୋଇପାରିନଥିଲେ ତେବେ ବି ୧୧.୬୨ ସେକେଣ୍ଡରେ ୧୦୦ ମି. ଅତିକ୍ରମ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ୨୦୧୩ରେ ରାଞ୍ଚିରେ ଅନୁଷ୍ଠିତ ଜାତୀୟ ସିନିଯର ଆଥଲେଟିକସ ଚାମ୍ପିୟନସିପରେ ମଧ୍ୟ ୧୦୦ମି. ଓ ୨୦୦ମି. ପ୍ରତଯୋଗିତାରେ ସେ ଜାତୀୟ ଚାମ୍ପିୟନ ହୋଇ ବିଜୟର ଯାତ୍ରା ଅବ୍ୟାହତ ରଖିଲେ।

image


୨୦୧୪ ତାଙ୍କ ପାଇଁ ବିଷାଦର ବର୍ଷ ଥିଲା। ଦୂତିଙ୍କଠାରେ ଅଧିକମାତ୍ରାରେ ପୁରୁଷ ହର୍ମୋନ ଥିବା ଅଭିଯୋଗ ହୋଇଥିଲା ଫଳରେ ସେ ବହୁ ଆକାଂକ୍ଷିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆଡରେ ଭାଗ ନେବାରୁ ବଞ୍ଚିତ ହେଲେ।

ଯଦିଓ ଏହା ତାଙ୍କ ପାଇଁ ଏକ କଷ୍ଟକର ସମୟ ଥିଲା ସେ ଧୈର୍ଯ୍ୟ ପୂର୍ବକ ଏହାକୁ ସାମନା କଲେ ଏବଂ ସୁଇଜରଲ୍ୟାଣ୍ଡର କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟ ବା କ୍ୟାସ୍ ରେ ଲଢ଼ିଲେ। ଗତ ବର୍ଷ ଜୁଲାଇରେ ଲଗାଯାଇଥିବା କଟକଣାକୁ ବର୍ତ୍ତମାନ ପାଇଁ ହଟାଇ ଦିଆଯାଇଛି। ଏବଂ ସେ ଧମାକା ସହିତ ଟ୍ରାକକୁ ଫେରିଆସିଛନ୍ତି। ଦୂତି ଏବେ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ପାରିବେ।

ଯେପରିକି କଟକଣାର ଜବାବ ସ୍ୱରୂପ ଗତ ସେପ୍ଟେମ୍ବର ମାସରେ ଦୂତୀ କୋଲକାତାରେ ଅନୁଷ୍ଠିତ ନ୍ୟାସନାଲ୍ ଓପନ ଆଥଲେଟିକ୍ ଚାମ୍ପିୟନ୍ସିପରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଶା ଫେରିଛନ୍ତି ଦୂତି ଚାନ୍ଦ। ଏହି ଚାମ୍ପିଅନସିପରେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୂତି ଚାନ୍ଦ ଡବଲ୍ ଗୋଲଡ ହାସଲ କରିଛନ୍ତି। ଉଭୟ ୧୦୦ ଓ ୨୦୦ ମିଟର ରେସରେ ଦୂତି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୪ ଗୁଣା ୧୦୦ ମିଟର ରିଲେରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

image


ଏସିଆନ୍ ଇଣ୍ଡୋର ଆଥ୍‌ଲେଟିକ୍ସ: ଫେବ୍ରୁଆରିରେ ଦୋହାରେ ଅନୁଷ୍ଠିତ ଏସିଆନ୍ ଇଣ୍ଡୋର ଆଥ୍‌ଲେଟିକ୍ସରେ ଦୂତୀ ଭାଗ ନେଇ ୬୦ମି.ଦୌଡରେ ୭.୩୭ସେକେଣ୍ଡରେ ଅତିକ୍ରମ କରି ଦୌଡ଼ରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ପୂର୍ବରୁ ସେ ଏହି ଦୂରତାକୁ ୭.୨୮ ସେକେଣ୍ଡରେ ଦୌଡ଼ି ଜାତୀୟ ରେକର୍ଡ ସ୍ଥାପନ କରି ଥିଲେ। " ମୁଁ ବର୍ତ୍ତମାନ ରିଓ ଅଲିମ୍ପିକରେ ଭାଗ ନେବା ଲାଗି ଲକ୍ଷ୍ୟ ରଖିଛି" କହନ୍ତି ଦୂତୀ। ଆଶା କରାଯାଉଛି ସେ ଭାରତ ପାଇଁ ଗୌରବ ଆଣିବାରେ ସଫଳ ହେବେ।