ପୋଷ୍ୟଗ୍ରାମ ଗ୍ରହଣ କଲେ ଛାତ୍ରଛାତ୍ରୀ, “ସ୍ମାର୍ଟ ଗାଁ"ରେ ପରିଣତ କରିବେ

ପୋଷ୍ୟଗ୍ରାମ ଗ୍ରହଣ କଲେ ଛାତ୍ରଛାତ୍ରୀ, “ସ୍ମାର୍ଟ ଗାଁ"ରେ ପରିଣତ କରିବେ

Monday April 25, 2016,

3 min Read

image


ସମାଜ ସେବା ଯେ କୌଣସି ସ୍ଥାନରେ ଯେ କୌଣସି ସମୟ ଆରମ୍ଭ କରାଯାଇପାରେ । ଏଥିପାଇଁ ବେଶି କିଛି ଭାବିବା ଦରକାର ନାହିଁ । ଯାହା କେବଳ କାମ ଆରମ୍ଭ କରିଦେବା କଥା । ସେଭଳି କାମ କରୁଛନ୍ତି କିଛି ବି ଟେକ ପଢ଼ୁଥିବା ଛାତ୍ରଛାତ୍ରୀ । ଆଜିର ପ୍ରଯୁକ୍ତି ଯୁଗରେ ପଛରେ ପଡ଼ି ଯାଇଥିବା ଗାଁ ଗୁଡ଼ିକର ଚେହେରା ବଦଳାଇ ଦେବାକୁ ସେମାନେ ନିଷ୍ପତି ନେଇଛନ୍ତି । ଗ୍ରେଟର ନୋଏଡାର ଏହି ଛାତ୍ରଛାତ୍ରୀମାନେ ଏକ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି । ଏହା ସହିତ ଶପଥ ନେଇଛନ୍ତି ଯେ ଗାଁର ଚେହେରାକୁ ସମ୍ପୂର୍ଣ୍ଣ ବଦଳାଇ ଦେବେ । ତାହାକୁ ଏକ ସ୍ମାର୍ଟ ଗାଁରେ ପରିଣତ କରିବେ ।

ଏନ୍ଆଇଆଇଟିରେ ବି ଟେକ୍ ପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ପ୍ରୋଗ୍ରାମ ଦ୍ୱାରା ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । ସେମାନେ ନବାଦା ନାମକ ଏକ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି । ଏହି ଗାଁକୁ ଡିଜିଟାଲ୍ ରୂପ ପ୍ରଦାନ କରିବାର ବୋଝ ସେମାନେ ନିଜ ମୁଣ୍ଡକୁ ଉଠାଇଛନ୍ତି ।

image


ଏନ୍ଆଇଆଇଟି କଲେଜର ୯ ଜଣ ଛାତ୍ର ନିଜର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ନବାଦାକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ପରେ ସେଠାରେ ଥିବା ଲୋକମାନଙ୍କୁ ଶିକ୍ଷିତ କରିବାର କାମ ଆରମ୍ଭ କରିଛନ୍ତି । ସେମାନଙ୍କୁ ଡିଜିଟାଲ୍ ଯୁଗର ଗୁରୁତ୍ୱ ବୁଝାଇବା ଆରମ୍ଭ କରିଦେଇଛନ୍ତି । ଶ୍ରେୟା ଶୁକ୍ଳା, ଦେବେନ୍ଦ୍ର ପାଣ୍ଡେ, ପ୍ରଶାନ୍ତ ବିଷ୍ନୋୟୀ, ଆଲୋକ କୁମାର, ଅମର ଓଝା, ସେହନାଜ ଅଶରଫ୍, ଗୌରବ ବିଶ୍ୱକର୍ମା, ପୀୟୂଷ ଓ ପ୍ରେରଣା ପ୍ରିୟଦର୍ଶୀନି ମିଳିତ ଭାବେ ଏହି କାମ ହାତକୁ ନେଇଛନ୍ତି ।

ଏମିତିରେ ଦେଖିଲେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ରବିବାର ଛୁଟି ମନାଇବାକୁ ବିଭିନ୍ନ ଆମୋଦପ୍ରମୋଦ ସ୍ଥାନ ଭ୍ରମଣ କରୁଥିବା ଦେଖାଯାଏ । କିନ୍ତୁ ଏଆଇଆଇଟିର ଏହି ୯ ଜଣ ଛାତ୍ରଛାତ୍ରୀ ରବିବାର ଛୁଟି ହେବା ମାତ୍ରେ ବାହାର ପଡ଼ନ୍ତି ନବାଦା ଗାଁ ଅଭିମୁଖେ । ସେଠାରେ ପହଂଚି ଲୋକମାନଙ୍କୁ ଲାପଟପ୍, କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍ ଚଳାଇବାର ଶିଖାଉଛନ୍ତି । କେବଳ ସେତିକି ନୁହେଁ ଏହି ଛାତ୍ରଛାତ୍ରୀମାନେ ଗାଁର ପିଲାମାନଙ୍କୁ ନୈତିକ ଶିକ୍ଷା ଓ ଅନୁଶାସନ ବିଷୟରେ ମଧ୍ୟ ଶିକ୍ଷାଦାନ କରୁଛନ୍ତି ।

image


ଟିମ୍ ର ସଦସ୍ୟ ଥିବା ପ୍ରେରଣା କହିଛନ୍ତି ଯେ

ଆମେ ପ୍ରଥମେ ଏହି କାମ କଲେଜ ଭିତରୁ ଆରମ୍ଭ କରିଥିଲୁ । କଲେଜର କିଛି କର୍ମଚାରୀଙ୍କୁ ଡିଜିଟାଲ ମାଧ୍ୟମ ବିଷୟରେ ଶିକ୍ଷା ଦେଲୁ । ସେମାନଙ୍କୁ ସ୍ମାର୍ଟଫୋନ୍ ଚଳାଇବା ଶିଖାଇଲୁ । ସ୍ମାର୍ଟଫୋନ୍ ବ୍ୟବହାର ଶିଖିବା ପରେ ସେମାନେ ବହୁତ ଖୁସି ଅନୁଭବ କରୁଥିଲେ । ସେହି କାର୍ଯ୍ୟକ୍ରମକୁ କଲେଜ ବାହାରକୁ ଆମେ ନେବାକୁ ଚାହୁଁଥିଲୁ । ସେ ବିଷୟରେ ଆମେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କଲୁ । ସେମାନେ ଆମକୁ ବହୁତ ସମର୍ଥନ କଲେ । ନବାଦା ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦେଇଥିଲେ ।

ଟିମ ର ଅନ୍ୟ ଜଣେ ସଦସ୍ୟ ପ୍ରଶାନ୍ତ କହିଛନ୍ତି ଯେ, 

ଡିଜିଟାଲ୍ ଶିକ୍ଷାର ପ୍ରଭାବ ଗାଁବାସୀଙ୍କ ଉପରେ ସକାରାତ୍ମକ ଢ଼ଙ୍ଗରେ ପଡ଼ିଛି । ଏବେ ସେମାନେ ନିଜେ ସ୍ମାର୍ଟଫୋନ୍ ଜରିଆରେ ଇ-ଟିକଟ୍ ବୁକିଙ୍ଗ୍ କରିପାରୁଛନ୍ତି ।

ଏନ୍ଆଇଆଇଟିର ଅଧ୍ୟାପିକା ମୋନିକା ଖରବ କହିଛନ୍ତି ଯେ, 

ଆଜିକାଲି ସମସ୍ତେ ସ୍ମାର୍ଟ ସିଟି କଥା କହୁଛନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ପ୍ରକୃତ ଭାରତ ଗାଁରେ ରହିଛି । ଗାଁକୁ ବିକଶିତ କରିବା ପାଇଁ ଯେତେବେଳେ ଛାତ୍ରଛାତ୍ରୀମାନେ ଆସି ମୋତେ କହିଲେ ମୁଁ ବହୁତ ଖୁସି ହୋଇଗଲି । ସେମାନଙ୍କ ସମାଜ ସେବା କରିବାର ଆଗ୍ରହକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରିଥିଲି । ନବାଦାକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବାର ସଙ୍ଗେ ସଙ୍ଗେ ପିଲାମାନେ କାମ ଆରମ୍ଭ କରିଦେଇଥିଲେ ।

ନବାଦା ଗାଁର ବାସିନ୍ଦା ଗଣେଶ ଶାସ୍ତ୍ରୀ କହିଛନ୍ତି ଯେ, ପିଲାମାନେ ବହୁତ ଭଲ କାମ କରୁଛନ୍ତି । ଯଦି ସେମାନେ ଏଭଳି କାମ ଜାରି ରଖିବେ, ତେବେ ସେ ଦିନ ଶୀଘ୍ର ପହଂଚିଯିବ ଯେଉଁ ଦିନ ସମ୍ପୂର୍ଣ୍ଣ ନବାଦା ସ୍ମାର୍ଟ ଗାଁରେ ବିକଶିତ ହୋଇସାରିଥିବ ।