ଓଡ଼ିଶାରେ ମହିଳା ସାମ୍ବାଦିକତା

ଓଡ଼ିଶାରେ ମହିଳା ସାମ୍ବାଦିକତା

Tuesday March 08, 2016,

8 min Read

ଖବର ଅଚାନକ ଆସେ । ତା’ର କିଛି ସମୟ ହିଁ ନ ଥାଏ । ଆପଣ ଅଧରାତିରେ ଶୋଇଥିବା ବେଳେ କି ଅପରାହ୍ଣରେ ଆଖିପତା ହାଲକା ବନ୍ଦ ହୋଇ ଆସିଥିବା ବେଳେ । ଆଉ ଯୋଉ ମଣିଷଟି ସେ ଖବର ପଛରେ ଧାଏଁ, ତା’କୁ ଆପଣଙ୍କ ସାମ୍ନାକୁ ଆଣେ- ତା’ ପାଇଁ ବେଳ ଅବେଳ କିଛି ନ ଥାଏ । ଲକ୍ଷ୍ୟ ଗୋଟାଏ- ଖବର ଗୋଟେଇବା ।

ଓଡ଼ିଶାରେ ସାମ୍ବାଦିକତା ଇତିହାସକୁ ଲକ୍ଷ୍ୟ କଲେ, ଆପଣ ଦେଖିବେ ସେଇଟି ସବୁବେଳେ ସତେ ଯେମିତି ପୁରୁଷ ପ୍ରାଧାନ୍ୟ ଏକ ବୃତି ହୋଇ ତିଆରି ହୋଇ ଆସିଛି । ଏ ଧାରାଟି କେବଳ ଓଡ଼ିଶା ନୁହେଁ, ସାରା ଦୁନିଆରେ ବେଶ ଜଣାଶୁଣା । ବିତର୍କର ବିଷୟ ବି । ଆ’ ପଛରେ କେତେକ କାରଣ ରହିଛି । ପୁରୁଣା ଦିନମାନଙ୍କରେ ସାମ୍ବାଦିକତା ସବୁଦିନେ ହାର୍ଡ ନିଉଜ୍ (ନିଦା ଖବର) କଥା ହିଁ କହୁଥିଲା । ସେ ପରିଧିରେ ରାଜନୀତି, ଅପରାଧ ଆଦି ରୋମାଂଚକର ବିଷୟ ଆସେ । ଏ ସବୁ ଆମକୁ ଆକର୍ଷିତ କରେ । ଯାହା ଆମକୁ ଟାଣେ । ଖବରକାଗଜ ତାହା ଉପରେ ଅଧିକ ଜୋର ଦିଏ - ପାଠକ ବଢାଇବା ପାଇଁ । ତେଣୁ ରାଜନୀତି, ଅପରାଧ ପରି ଖବର ସଂଗ୍ରହ କରିବା, ତା’ ପଛରେ ଧାଇଁବା ଆଦି ପ୍ରସଙ୍ଗରେ ପୁରୁଣା ସମାଜ ମହିଳାଙ୍କୁ ଏତେଟା ସୁଯୋଗ ଦେଇ ନଥିଲା । ପୁରୁଷ ପ୍ରାଧାନ୍ୟ ପୁରୁଣାକାଳିଆ ସମାଜରେ ମହିଳାଙ୍କୁ ପ୍ରତିଟି କର୍ମକ୍ଷେତ୍ରରେ ସମାନ ଅଧିକାର କେବେ ହେଲେ ବାସ୍ତବ ରୂପ ନେଇ ନାହିଁ । ଫଳରେ ସାମ୍ବାଦିକତା କ୍ଷେତ୍ରକୁ ମହିଳାମାନେ ଆସିବା ଦିଗରେ ଟିକେ ଡେରି ହୋଇଛି । କିନ୍ତୁ ଯେବେଠାରୁ ସେମାନେ ଆସିଛନ୍ତି, ସେମାନେ ହିଁ ଛାଇ ଯାଇଛନ୍ତି । ଚୁମ୍ବକରେ କହିଲେ- ଆଜିକା ସମୟରେ ସାମ୍ବାଦିକତା କ୍ରମଶଃ ମହିଳା ପ୍ରାଧାନ୍ୟ ଦିଗରେ ଆଗଉଛି । 

image


ଭାରତରେ ମହିଳା ସାମ୍ବାଦିକତା

ଅପ୍ରେଲ ୧୮୭୦ ମସିହାରେ ‘ମୋକ୍ଷଦାୟିନୀ’ ପତ୍ରିକା ବଙ୍ଗଳା ମହିଳାଙ୍କ ଉପରେ ଏକ ସ୍ୱତନ୍ତ୍ର ସଂସ୍କରଣ ପ୍ରକାଶ କରିଥିଲା । ସେମିତି ସ୍ୱର୍ଣ୍ଣକୁମାରୀ ଦେବୀ ‘ଭାରତୀ’ ପତ୍ରିକାର ସଂପାଦିକା ଭାବେ କାର୍ଯ୍ୟ କରିଥିଲେ ଢେର ଦିନ (୧୮୮୫-୧୯୦୫ ଏବଂ ୧୯୦୯-୧୯୧୫) । ହେମନ୍ତ କୁମାରୀ ଦେବୀଙ୍କୁ ହିନ୍ଦୀ ସାମ୍ବାଦିକତାରେ ପ୍ରଥମ ମହିଳା ସାମ୍ବାଦିକ ଭାବେ ପରିଚିତ । ଆହ୍ଲାବାଦରୁ ପ୍ରକାଶିତ – ‘ସୁଗୃହିଣୀ’ ପତ୍ରିକାର ସଂପାଦିକା ଥିଲେ ହେମନ୍ତ କୁମାରୀ । ଭଗିନୀ ନିବେଦିତା ଅନେକ ଛଦ୍ମ ନାମରେ ବିଭିନ୍ନ ଖବରକାଗଜ ଏବଂ ପତ୍ରପତ୍ରିକା ପାଇଁ ଅନେକ ଲେଖା ନିୟମିତ ଭାବେ ପଠାଉ ଥିଲେ।

ତେବେ ସାରା ଦେଶରେ ମହିଳା ସାମ୍ବାଦିକତା ବୃତିରେ ମହିଳାମାନେ କ୍ରମଶଃ ନିଜ ସ୍ଥାନକୁ ସୁଦୃଢ କରିଥିଲେ । ଏହା ଚାରୋଟି ପର୍ଯ୍ୟାୟ ଦେଇ ଘଟିଥିଲା । ଯାହାକୁ ‘ସାମ୍ବାଦିକତାର ଚାରୋଟି ତରଙ୍ଗ’ ବୋଲି କୁହାଯାଏ । ୧୯୪୦ ଓ ୫୦ ଦଶକରେ ଖୁବ ଅଳ୍ପ, ଆଙ୍ଗୁଳି ଗଣତି କେତେ ଜଣ ମହିଳା ସାମ୍ବାଦିକତାକୁ ଆସିଥିଲେ । ଯାହା ଖୁବ ଛୋଟ ପରିବର୍ତ୍ତନ ଥିଲା । ୧୯୬୦ ଏବଂ ୭୦ ଦଶକରେ ପରିବର୍ତ୍ତନର ଢେଉ ବ୍ୟାପକ ଥିଲା । ଅନେକ ମହିଳା ସେ ସମୟରେ ସାମ୍ବାଦିକତା ପରିଧିକୁ ଆସିଥିଲେ । ପରେ ଯେଉଁମାନେ ନିଜ ନିଜ କ୍ଷେତ୍ରରେ ବେଶ ପରିଚିତ ବି ଥିଲେ, ସେଇ ତାଲିକାରେ- ଉଷା ରାଏ, ପ୍ରଭା ଦତ୍ତ, ରେଜିଆ ଇସ୍ମାଇଲ୍, ମଧୁ ଜୈନ୍, କୁମି କାପୁର୍, ତଭଲୀନ ସିଂହ, ଫାତିମା ଜାକାରିଆ, ଏଲିଜାବେଥ୍ ରାଓ ଆଦି ପ୍ରସିଦ୍ଧ ମହିଳା ସାମ୍ବାଦିକମାନେ ରହିଛନ୍ତି ।

ସତୁରୀ ଦଶକ ଶେଷ ଆଡ଼କୁ ପରିବର୍ତ୍ତନର ସୁଅ ଆହୁରି ବ୍ୟାପକ ହୋଇଥିଲା । ଅବଶ୍ୟ ଏହା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି । ସେଇ ସମୟରେ ମହିଳା ସଶକ୍ତିକରଣ ଅଭିଯାନ ଆନ୍ଦୋଳନ ରୂପ ନେଇ ସାରିଥିଲା । ପୁଣି ଏତିକିବେଳେ ୧୯୭୫ ମସିହାକୁ ଜାତିସଂଘ ଆନ୍ତର୍ଜାତିକ ମହିଳା ସଶକ୍ତିକରଣ ବର୍ଷ ଭାବେ ଘୋଷଣା କଲା । ଏହାବାଦ୍ ସେଇ ସମୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ନୂଆ କରି ମହିଳାମାନେ ପ୍ରଥମ ସ୍ଥାନ ଅଧିକାର କଲେ । ଏସବୁ ମିଶିଗଲା ପରେ ସତେ ଯେମିତି ମହିଳାଙ୍କ ପାଇଁ ନୂଆ ଦରଜା ଖୋଲିଗଲା । ଇଂରାଜୀ ଗଣମାଧ୍ୟମରେ ମହିଳାଙ୍କ ସାମ୍ରାଜ୍ୟ ବେଶ ଗୁଣରେ ବଢିଗଲା । ଏହା ଆଂଚଳିକ ଗଣମାଧ୍ୟମକୁ ମଧ୍ୟ ପ୍ରଭାବିତ କଲା । ଅଶୀ ଦଶକରେ ନୂଆଦିଲ୍ଲୀର ‘ଦି ଟାଇମ୍ସ ଅଫ୍ ଇଣ୍ଡିଆ’ର ଗୋଟିଏ ସଂସ୍କରଣକୁ କେବଳ ମହିଳାମାନେ ପ୍ରକାଶିତ କରି ଦେଲେ । 

image


ଯାହା ସଫଳତାର ନୂଆ କାହାଣୀ ଲେଖିଲା । କ୍ରମଶଃ ମହିଳାମାନେ ସାମ୍ବାଦିକତା ଆଡ଼କୁ ଟାଣି ହୋଇଗଲେ । ଚିତ୍ରା ସୁବ୍ରମଣ୍ୟମ୍, ସୁଚେତା ଦଲାଲ, ଅନୀତା ପ୍ରତାପ, ସୀମା ଗୂହା ସେଇ ତାଲିକାରେ ବେଶ ଆଗରେ ଥିଲେ । ଚିତ୍ରା ବୋର୍ଫର୍ସ ଦୁର୍ନୀତି ସାମ୍ନାକୁ ଆଣିଥିବା ବେଳେ ସୁଚେତା ଷ୍ଟକ୍ ଦୁର୍ନୀତି ସଂପର୍କରେ ସାରା ଦେଶକୁ ଜଣାଇ ଥିଲେ ।

ନବେ ଦଶକରେ ଆସିଲା ଚତୁର୍ଥ ଢେଉ ବୈଦ୍ୟୁତିକ ଗଣମାଧ୍ୟମ ସାଙ୍ଗରେ । ବୈଦ୍ୟୁତିକ ଗଣମାଧ୍ୟମରେ ଆଙ୍କର୍, ନିଉଜ୍ ରିଡ଼ରଠାରୁ ଆରମ୍ଭ କରି ରିପୋର୍ଟର୍, କପି ଏଡ଼ିଟର୍ ଆଦି ପ୍ରତିଟି ସ୍ଥାନରେ ମହିଳାମାନଙ୍କୁ ଦେଖିବାକୁ ମିଳିଲା । ମହିଳାମାନେ କାର୍ଟୁନିଙ୍ଗ୍, ଅପରାଧ ରିପୋର୍ଟିଂ ଆଦି ବିଭାଗରେ ଆସ୍ଥାନ ଜମେଇ ସାରିଥିଲେ । ଅନେକ ଗଣମାଧ୍ୟମରେ ସେମାନେ ସଂପାଦିକା, ବ୍ୟୁରୋ ଚିଫ୍, ସହାକରୀ ସଂପାଦିକା, ବାର୍ତ୍ତା ସଂପାଦିକା ଆଦି ପ୍ରମୁଖ ସ୍ଥାନ ଅକ୍ତିଆର କରି ନେଇଥିଲେ । 

image


ଓଡ଼ିଶା କଥା

ଓଡ଼ିଶାରେ ପରିବର୍ତ୍ତନର ସୁଅ ଆସିଲା ୮୦ ଦଶକ ବେଳକୁ । ଯଦିଓ ତା’ ପୂର୍ବରୁ ମହିଳାମାନେ ଖବରକାଗଜ ପାଇଁ ଲେଖୁଥିଲେ, ଡେସ୍କରେ ସ୍ୱଳ୍ପ ସଂଖ୍ୟାରେ କାମ କରୁଥିଲେ- କିନ୍ତୁ ସେମାନଙ୍କ ସଂଖ୍ୟା ଆଖିଦୃଶିଆ ନଥିଲା । ‘ସମ୍ବାଦ’ ପ୍ରକାଶନ ସାଙ୍ଗରେ ଅଧିକରୁ ଅଧିକ ମହିଳା ଖବରକାଗଜ ରାଜ୍ୟ ସାଙ୍ଗରେ ଯୋଡ଼ି ହୋଇଗଲା । ସେଇ ସମୟରେ ଜ୍ୟୋତ୍ସ୍ନା ରାଉତରାୟ ସମ୍ଭବତଃ ପ୍ରଥମ ମହିଳା ସାମ୍ବାଦିକ ଥିଲେ ଯିଏ ନିୟମିତ ବିଟରେ ରିପୋର୍ଟଂ କରିଥିଲେ । ‘ଇଷ୍ଟର୍ଣ୍ଣ ଟାଇମ୍ସ୍’ରେ ବି ମହିଳା ସାମ୍ବାଦିକ ଗୁରୁତ୍ତ୍ଵପୂର୍ଣ୍ଣ ବିଟ୍ ରିପୋର୍ଟଂ କରୁଥିବା ଦେଖିବାକୁ ମିଳିଥିଲା । ରାଜ୍ୟର ଅନ୍ୟତମ ଖବରକାଗଜ ‘ଧରିତ୍ରୀ’ରେ ମହିଳା ସାମ୍ବାଦିକଙ୍କ ସଂଖ୍ୟା କିଛି କମ୍ ନଥିଲା ।

ପୂର୍ଣ୍ଣ ମିଶ୍ରଙ୍କୁ ଓଡ଼ିଶାର ପ୍ରଥମ ମହିଳା ସାମ୍ବାଦିକା ବୋଲି କୁହାଯାଏ । ସେ ଷାଠିଏ, ସତୁରୀ ଦଶକରେ ପ୍ରଜାତନ୍ତ୍ରରେ ଡେସ୍କରେ କାମ କରୁଥିଲେ । ଏମ୍ଏ ପାସ୍ କରିଥିବା ପୂର୍ଣ୍ଣ ମିଶ୍ର ଆଇନରେ ବି ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ଗୋରାଚାନ୍ଦ ମିଶ୍ର, ଶରତ ମିଶ୍ରଙ୍କ ସମସାମୟିକ । କିନ୍ତୁ ବିବାହ ପରେ ସେ ଖବରକାଗଜ ଦୁନିଆରୁ ଦୂରେଇ ଗଲେ ବୋଲି କୁହାଯାଏ । ତାଙ୍କ ସଂପର୍କରେ ବି ବେଶି ତଥ୍ୟ ଉପଲବ୍ଧ ନୁହେଁ । ସେହିପରି ପଦ୍ମାଳୟା ଦାସ୍ ସତୁରୀ ଦଶକରେ ଜାତୀୟ ଗଣମାଧ୍ୟମ ପାଇଁ କାର୍ଯ୍ୟ କରିଥିବା ପ୍ରଥମ ମହିଳା।

image


ସେମାନେ ଡେସ୍କ ମୁଖ୍ୟଠାରୁ ଆରମ୍ଭ କରି ଗୁରୁତ୍ତ୍ଵପୂର୍ଣ୍ଣ ବିଟରେ ରିପୋର୍ଟିଂ କରୁଥିଲେ । କିନ୍ତୁ ‘ସମାଜ’ରେ ମନୋରମା ମହାପାତ୍ର ସଂପାଦିକା ଥିଲେ ମଧ୍ୟ ସେଠାରେ ପ୍ରାୟତଃ ମହିଳା ସାମ୍ବାଦିକ ନ ଥିଲେ । ସେମିତି ତୃପ୍ତି ନାୟକ ‘ଜନବାଣୀ’ର ସଂପାଦିକା ଥିବା ବେଳେ ସଲିଳା କର ‘ମାତୃଭାଷା’, ସୈରିନ୍ଧ୍ରୀ ସାହୁ-ଧ୍ୱନି ପ୍ରତିଧ୍ୱନି, ବୀଣାପାଣି ଦାସ୍- ଦିନଲିପିର ସଂପାଦିକା ଅଛନ୍ତି । ସୁଲୋଚନା ଦାସ୍ ଅନେକ ଦିନ ଧରି ଇ-ଟିଭିର ଭୁବନେଶ୍ୱର ବ୍ୟୁରୋର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ବବିତା ସ୍ୱାଇଁ ଓ-ଟିଭି ପାଇଁ ଢେର ଦିନ ଧରି ଗୁରୁତ୍ୱପୂର୍ଣ୍ଣ ବିଟରେ ରିପୋର୍ଟଂ କରିଛନ୍ତି । ମଣିପଦ୍ମା ଜେନା ଜାତୀୟସ୍ତରରେ ଜଣେ ପ୍ରସିଦ୍ଧ ମୁକ୍ତବୃତି ସାମ୍ବାଦିକ ଭାବେ ପରିଚିତା ।

ପୁଣି ଶତାବ୍ଦୀ ଶେଷ ଆଡ଼କୁ ଯେତେବେଳେ ବୈଦ୍ୟୁତିକ ଗଣମାଧ୍ୟମ ଇ-ଟିଭି ଏବଂ ଓ-ଟିଭି ହରେକ୍ ମୁହୂର୍ତର ଖବର ସାମ୍ନାକୁ ଆଣିଲେ, ଓଡ଼ିଶାରେ ମହିଳା ସାମ୍ବାଦିକତା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଲା । ବିଧାନସଭା, ସଚିବାଳୟ, କ୍ୟାବିନେଟ୍ ବୈଠକ, ଅପରାଧ, ବିସ୍ଥାପନ ଆଦି ଅନେକ ବିଷୟରେ ମହିଳା ସାମ୍ବାଦିକମାନେ ସିଧାସଳଖ ଫିଲ୍ଡରୁ ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଲା । ପରେ ବୈଦ୍ୟୁତିକ ଗଣମାଧ୍ୟମ ସଂଖ୍ୟା ବଢିଲା ଏବଂ ଖବରକାଗଜରେ ବି ଗୁରୁତ୍ତ୍ଵପୂର୍ଣ୍ଣ ସ୍ଥାନରେ ମହିଳାମାନେ ରହିଲେ ।

ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଜିଲ୍ଲାରେ ବି ମହିଳା ପ୍ରତିନିଧିମାନେ ଏବେ ରହିଛନ୍ତି ।

ଏବେ ଏକ ହିସାବ ଅନୁସାରେ ଅପେକ୍ଷାକୃତ କନିଷ୍ଠ ପଦବୀରେ ମହିଳାଙ୍କ ସଂଖ୍ୟା କେତେକ କ୍ଷେତ୍ରରେ ପୁରୁଷଙ୍କଠାରୁ ବଢି ଗଲାଣି । ଆ’ ପଛରେ କେତୋଟି କାରଣ ରହିଛି । ପ୍ରଥମରେ – ବୈଦ୍ୟୁତିକ ଗଣମାଧ୍ୟମ ଯେତେବେଳେ ୨୪ ଘଂଟିଆ ଖବର ପ୍ରସାରଣ କରୁଛି, ସେଇ ସମୟରେ ନିଉଜ୍ ରିଡ଼ର୍, ଆଙ୍କର୍ ପାଇଁ ଅଧିକରୁ ଅଧିକ ମହିଳା ଟିଭି ପରଦାକୁ ଆସୁଛନ୍ତି । ଦ୍ୱିତୀୟରେ, ନିଦା ରିପୋର୍ଟିଂର ସଂଜ୍ଞା ବଦଳିବାକୁ ଆରମ୍ଭ କଲାଣି । କ୍ରୀଡ଼ା, ବାଣିଜ୍ୟ, କଳା, ସିନେମା ଆଦି ବିଷୟରେ ଲୋକମାନେ ବେଶି ରୁଚି ରଖୁଛନ୍ତି । ଆଉ ମହିଳାମାନେ ଆରାମରେ ଏ ବିଟ୍ ପାଇଁ ରିପୋର୍ଟିଂ କରୁଛନ୍ତି । 

ଖବର କ୍ରମଶଃ ଇଂଟରନେଟରେ ବେଶି ବେଶି ଦେଖିବାକୁ ଲୋକ ପସନ୍ଦ କଲେଣି । ସେଥିପାଇଁ ବେଶି କିଛି ରିପୋର୍ଟିଂ ବି ଦରକାର ନାଇଁ । ଡେସ୍କରେ କାମ ଅଧିକ । ଆଉ ମହିଳାମାନେ ସେ ଦିଗରେ ବେଶ ଆଗରେ ଅଛନ୍ତି । ଏହାବାଦ୍ ନିଦା ବିଟରେ ବି ମହିଳାମାନେ ଆରାମରେ ନୂଆ ଖବର (ବ୍ରେକିଂ ନିଉଜ୍) ଲୋକଙ୍କ ସାମ୍ନାକୁ ଆଣୁଛନ୍ତି । ଶେଷକୁ ଓଡ଼ିଶାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଅନେକ ଅନୁଷ୍ଠାନ ଏଇ ସମୟରେ ଖୋଲିଛି । ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନ ଓଡ଼ିଆ ଭାଷାରେ ସାମ୍ବାଦିକତା ପାଠ୍ୟକ୍ରମ ୨୦୦୧ ମସିହାରୁ ଆରମ୍ଭ କରିଛି । ଆରମ୍ଭ ବର୍ଷରେ ହିଁ ସେଠାରେ ଜଣେ ମହିଳା ଟପ୍ପର୍ ହୋଇଥିଲେ । ଭୁବନେଶ୍ୱରରେ ଖୋଲିଥିବା ଅନେକ ପ୍ରତିଷ୍ଠାନରେ ଛାତ୍ରୀମାନେ ବି ଆଗୁଆ ।

image


ମହିଳା କମିଶନଙ୍କ ସର୍ଭେ

ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ଭାରତରେ ମହିଳା ସାମ୍ବାଦିକଙ୍କ ସ୍ଥିତି ଉପରେ ଗୋଟେ ସର୍ବେକ୍ଷଣ କରାଯାଇଥିଲା । ଭାରତର ବିଭିନ୍ନ ରାଜ୍ୟ, ଜାତୀୟ ଖବରକାଗଜ ଏବଂ ଆଂଚଳିକ ଖବରକାଗଜରେ କାମ କରୁଥିବା ମହିଳା ସାମ୍ବାଦିକଙ୍କୁ ସେଥିରେ ସାମିଲ କରାଯାଇଥିଲା । କିନ୍ତୁ ସର୍ଭେ ଶେଷରେ ଆସିଥିବା ଫଳାଫଳ ବେଶ ଚିନ୍ତାଜନକ ଥିଲା । କାରଣ- ସେଥିରୁ ସ୍ପଷ୍ଟ ଜଣା ପଡ଼ୁଥିଲା ମହିଳା ସାମ୍ବାଦିକମାନେ ଭେଦଭାବର ଶିକାର ହେଉଛନ୍ତି । ନା ସେମାନଙ୍କୁ ରିପୋର୍ଟିଂ କରିବା ଠିକ୍ ବିଟ୍ ମିଳୁଛି ନା ପୁରୁଷଙ୍କ ତୁଳନାରେ ଆନୁପାତିକ ଦରମା । ଚାକିରି ସ୍ଥାୟିତ୍ୱ ବି ସେମିତି । କେତେବେଳେ ଯିବ, କେତେବେଳେ ରହିବ- ଝୁଲନ୍ତ ଅବସ୍ଥାରେ । ମା’ ହେବା ସମୟରେ ଛୁଟି ନଥାଏ । ଡେରି ରାତି ପର୍ଯ୍ୟନ୍ତ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ନିରାପତ୍ତା ନଥାଏ । ତାହାବାଦ୍ ଥାଏ ଯୌନ ଶୋଷଣର ଭୟ ।

ତେବେ ସବୁ ଭିତରେ ସାମ୍ବାଦିକତା ବି ନୂଆ ମୋଡ଼ ନେଉଛି । ଖବରକାଗଜ ସଂସାରକୁ ନେଇ ଗଢା ସାମ୍ବାଦିକତା ଭିତରେ ଟିଭି ଏବଂ ୱେବ ପୋର୍ଟାଲ୍ ଏବେ ଆସ୍ଥାନ ଜମେଇ ବସି ଯାଇଛି । ଟିଭି ପାଇଁ ଦରକାର ସୁନ୍ଦର ମୁହଁ । ଯିଏ ଖବରକୁ ଗପ ବାଗରେ ଆମ ଆଗରେ କହିପାରୁଥିବ । ସେମିତି ୱେବ ପୋର୍ଟାଲ୍ ପାଇଁ ବେଶି ଧାଁ ଧଉଡ଼ କରିବା ଦରକାର ନାହିଁ । ତେଣୁ ଧୀରେ ଧୀରେ ଏ ଦୁଇଟି କ୍ଷେତ୍ରକୁ ମହିଳାମାନେ ପଶୁଛନ୍ତି । ନୂଆଦିଲ୍ଲୀର ଟାଇମ୍ସ ଅଫ୍ ଇଣ୍ଡିଆର ଗୋଟେ ସଂସ୍କରଣକୁ ଯେତେବେଳେ ଆଜିକୁ ୨୦ ବର୍ଷ ପାଖାପାଖି ତଳେ କେବଳ ମହିଳାମାନେ କାଢିଦେଲେ, ସେତେବେଳେ ସଭିଙ୍କ ଆଖି ଅଟକି ଯାଇଥିଲା । ଏବେକାର ଧାରା କହୁଛି ୦-୫ ବର୍ଷର ଚାକିରି କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବଢୁଛି । କ୍ରମଶଃ ବୟସ୍କ ଲୋକମାନେ ସାମ୍ବାଦିକତାରୁ ଅବସର ନେବେ । ଯେତବେଳେ ମହିଳାଙ୍କ ସଂଖ୍ୟା ଆନୁପାତିକ ଭାବେ ବଢୁଛି, ସେତେବେଳେ ଆଉ ମାତ୍ର ବର୍ଷ କେତୁଟା । ତା’ପରେ ଗଣମାଧ୍ୟମ ସଂସାରରେ ସେଇମାନେ ହିଁ ରାଜୁତି କରୁଥିବେ ।

ଅନ୍ୟ ଦୃଷ୍ଟିରୁ ଦେଖିଲେ ଯଦିଓ ମହିଳାମାନେ ଏବେ କନିଷ୍ଠ ପଦବୀରେ ଅଧିକ ଅଛନ୍ତି, ଭବିଷ୍ୟତରେ ବରିଷ୍ଠ ପଦବୀରେ ଥିବା ପୁରୁଷମାନେ ଅବସର ନେବେ । ତେଣୁ ମହିଳାଙ୍କ ସଂଖ୍ୟା ବଢିବ । ସେମାନେ ହିଁ ଖବର ରାଜ୍ୟରେ ଛାଇଯିବେ ।

ଜ୍ୟୋତ୍ସ୍ନା ରାଉତରାୟଙ୍କ ସହ ସାକ୍ଷାତକାରର କିଛି ଅଂଶ

image


ଓଡ଼ିଆ ଗଣମାଧ୍ୟମରେ ବେଶ ପରିଚିତ ନାଁ ଜ୍ୟୋତ୍ସ୍ନା ରାଉତରାୟ । ଯେତେବେଳେ ମହିଳାମାନେ ମୁଣ୍ଡରେ ଓଢଣା ଦେଇ ରାସ୍ତାକୁ ଚାହିଁବା ବି ଥିଲା ସ୍ୱପ୍ନ, ସେଇ ସମୟରେ ଜ୍ୟୋତ୍ସ୍ନା ବନିଥିଲେ ସାମ୍ବାଦିକ । ସିଧା ଯାଇଥିଲେ ରିପୋର୍ଟିଂକୁ । ଦୃପ୍ତ ଢଙ୍ଗରେ ମୁକାବିଲା କରିଥିଲେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ । ସଫଳ ବି ହୋଇଥିଲେ । ନୂଆ ଧାରାର ମୂଳଦୁଆ ପକେଇ ଥିଲେ । ଏବେ ଜ୍ୟୋତ୍ସ୍ନା ନାହାନ୍ତି । ୬ ଅଗଷ୍ଟ, ୨୦୧୪ରୁ ସେ ଗଲେଣି । ତାଙ୍କ ସହ ଟେଲିଫୋନରେ କିଛି ନିଆ ଯାଇଥିବା ସାକ୍ଷାତକାରର କିଛି ଅଂଶ-

ପ୍ର. ଜ୍ୟୋତ୍ସ୍ନା ଅପା ! ଅଶୀ ଦଶକ । ଛୋଟ ଅଥଚ ନୂଆ ରାଜଧାନୀ । ଆପଣ ରିପୋର୍ଟିଂରେ ଯାଉଥିଲେ । କେମିତି ଥିଲା ଅନୁଭୂତି ?

ଉ- ସାମ୍ବାଦିକ ହେବାକୁ ମୁଁ ବାଛିଛି । ବେଳେ ବେଳେ ଲାଗିଛି ଭୁଲ ବୃତ୍ତିଟେ ବାଛି ଦେଲି କି । ଏ ଭାବନା ପ୍ରଥମେ ପ୍ରଥମେ ଆସୁଥିଲା । ଏକାଥିଲି ମୁଁ । ପରେ ପ୍ରତ୍ୟୟ ଆସିଥିଲା ମନରେ । ଲାଗିଲା - ଯଦି ଚାଲିବାର ଅଛି ତ ଏକା ଚାଲିଲେ ଅସୁବିଧା କଣ ? ଅବଶ୍ୟ ଭୁବନେଶ୍ୱର ନାହିଁ ବାହାରକୁ ବି ମୁଁ ଯାଇଛି । ଲୋକଙ୍କୁ ଦେଖି, ତାଙ୍କ କଥା ଲେଖିଛି ।

ପ୍ର. ମହିଳାଟେ ସାମ୍ବାଦିକ ହେଲେ ଏତେ ବାରଣ କାହିଁକି ? କାହିଁକି ଏତେ ବାଛ ବିଚାର ?

ଉ. ଖାଲି ସାମ୍ବାଦିକତା ନୁହେଁ । ସବୁ ପେଶାଦାର ବୃତ୍ତି ସବୁଦିନେ ପୁରୁଷଙ୍କ କବଜାରେ ଥିଲା । ମହିଳାମାନେ ତା’ ଭିତରେ ପଶିଛନ୍ତି । ନିଜ ହକ୍ ପାଇଁ ଲଢେଇ କରିଛନ୍ତି । ଆଉ ଜିତିଛନ୍ତି ବି ।

ପୁରୁଷଙ୍କ ସାମ୍ରାଜ୍ୟରେ ପଶି ତାଙ୍କ ସହ ଲଢେଇ କରିବା ବେଶ କଷ୍ଟ । କେହି ସହଜରେ ବାଟ ଛାଡ଼ନ୍ତିନି । ମଣିଷ ଏଠି ବିନା ଲଢେଇରେ ପ୍ରକୃତିଟି ଠୁ ବି କିଛି ପାଏନି । ତେଣୁ ରାସ୍ତା ଲମ୍ବା ଥିଲା । ହେଲେ ମହିଳାମାନେ ତ ଜିତିଲେ ନା ।

ପ୍ର- ଏବେ ସାମ୍ବାଦିକତାରେ ମହିଳାଙ୍କ ସଂଖ୍ୟା ବଢିଲାଣି, ହେଲେ ବାଛବିଚାର କମିଛି କି ? ମହିଳାଟେ ଠିକ ଭାବେ କାମ କରିପାରୁଛି କି?

ଉ- ନା । ଜମାରୁ ନୁହେଁ । ବାଛବିଚାର ଏତେ ଜଲଦି କି କମିବ । ପୁରୁଷଙ୍କ କବଜାରେ ଥିବା ବୃତ୍ତିକୁ ତାଙ୍କରି ଭିତରେ ପଶି ତାଙ୍କଠାରୁ ଉନ୍ନତ ମାନର କାର୍ଯ୍ୟ କରିବାକୁ କେହି ହଜମ କରିବ ନାହିଁ । ଅନେକ ମହିଳାଙ୍କୁ ଓଡ଼ିଶାରେ ମୁଁ ଦେଖିଛି । ସାମ୍ବାଦିକତାକୁ ଆସି ସେମାନେ କି କଷ୍ଟ ସହିଛନ୍ତି । ଆମେ ବସି ଗପିଲା ବେଳେ ଏକଥା ବାରମ୍ବାର ସାମ୍ନାକୁ ଆସେ ।

ଏବେ ଅବଶ୍ୟ ସ୍ଥିତି ବଦଳିଛି । ବାଛବିଚାର କିନ୍ତୁ କମିନି । କେତୁଟା ମହିଳା ବିଧାନସଭା ଯାଉଛନ୍ତି ରିପୋର୍ଟିଂ ପାଇଁ । କେତେ ଜଣ ? ସେ କଥା ହିଁ ସ୍ପଷ୍ଟ କରି ଦେଉଛି ସବୁ। 

ଜ୍ୟୋତି ପ୍ରକାଶ ମହାପାତ୍ର,

ସାମ୍ବାଦିକତା ବିଭାଗ,

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ।