କିରମ ମଜୁମଦାର ଶ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା ମହିଳା ଡ୍ରାଇଭର, ଭାରତୀ

କିରମ ମଜୁମଦାର ଶ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା  ମହିଳା ଡ୍ରାଇଭର, ଭାରତୀ

Tuesday November 10, 2015,

3 min Read

ଗତ ମାର୍ଚ୍ଚ ମାସରେ ବାୟୋକନର ଅଧ୍ୟକ୍ଷା କିରଣ ମଜୁମଦାର ଶ ଯେତେବେଳେ ଉବେର କ୍ୟାବଟିଏ ମଗାଇଥିଲେ, କାରର ମହିଳା ଡ୍ରାଇଭରଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡ୍ରାଇଭରଙ୍କ ପାଇଁ ମଧ୍ୟ କିରଣଙ୍କ ପରି ଜଣେ ସଫଳ ବିଜନେସ ଲିଡରଙ୍କୁ ନିଜ କାରରେ ବସାଇବା କୌଣସି ସ୍ଵପ୍ନଠାରୁ କିଛି କମ ନଥିଲା। ସେହି ଡ୍ରାଇଭର ଜଣକ ଥିଲେ ଭାରତୀ।

image


ଭାରତୀ ହେଉଛନ୍ତି ଉବେର ବାଙ୍ଗାଲୋରର ପ୍ରଥମ ମହିଳା ଟାକ୍ସି ଡ୍ରାଇଭର। ଗତ କିଛିମାସ ତଳେ ସେ ନିଜେ ଗୋଟିଏ ଫୋର୍ଡ ଫିଏଷ୍ଟା କାର କିଣିବା ସହ ଉବେର କ୍ୟାବ୍ସର ପାର୍ଟନର ମଧ୍ୟ ହୋଇଛନ୍ତି। ଏହି ପଦକ୍ଷେପ ତାଙ୍କୁ ମୁକ୍ତଭାବେ କାମ କରିବାର ସୁଯୋଗ ଦେଉଛି ଓ ଅନ୍ୟ ମହିଳା ଡ୍ରାଇଭରଙ୍କୁ ତାଲିମ ଦେବାରେ ମଧ୍ୟ ତାଙ୍କ ଆତ୍ମବିଶ୍ଵାସ ବଢିଛି। ଏହି ପେଷାରୁ ସେ ନିଜ କାରର ଇଏମଆଇ ଭରିପାରୁଛନ୍ତି ଓ ଆସନ୍ତା ବର୍ଷ ଏକ ମସିର୍ଡିଜ ମଧ୍ୟ କିଣିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଏହି ସ୍ତରକୁ ଆସିବାକୁ ଭାରତୀଙ୍କୁ ଅନେକ ସଂଗ୍ରାମ କରିବାକୁ ପଡିଥିଲା।

ଆନ୍ଧ୍ରପ୍ରଦେଶର ଏକ ଛୋଟିଆ ଗାଁରେ ଭାରତୀଙ୍କ ଘର। ୨୦୦୫ରେ ସେ ବାଙ୍ଗାଲୋରରେ ରହୁଥିବା ନିଜ ଭାଇଙ୍କ ପାଖକୁ ଜୀବିକା ସନ୍ଧାନରେ ଆସନ୍ତି। ତେବେ ମାତ୍ର ମାଟ୍ରିକ ପର୍ଯ୍ୟନ୍ତ ପଢିଥିବା ଭାରତୀଙ୍କୁ ବା କଣ ରୋଜଗାର ମିଳିପାରିବ?ଏଣୁ ସେ ଏକ ଟେଲରିଂ କାମରେ ଯୋଗଦେଲେ। ତେବେ ସେ ସ୍ଵପ୍ନ ଦେଖିବା ଛାଡିନଥିଲେ। ଟେଲରିଂ କାମ କରୁଥିବାବେଳେ ମଧ୍ୟ ଅନ୍ୟ କାମ କରିବାକୁ ସୁଯୋଗ ସନ୍ଧାନରେ ଥିଲେ। ଏହି ସମୟରେ ସେ ଏପରି ଏକ ଏନଜିଓ ସଂପର୍କରେ ଆସିଲେ ଯାହାକି ଏକ ମହିଳା ଡ୍ରାଇଭର ସନ୍ଧାନରେ ଥିଲା। ତେବେ ଡ୍ରାଇଭିଂ ପରି ଏକ ପୁରୁଷ ପ୍ରଧାନ ପେଷାରେ ଯୋଗଦେବା ଲାଗି ନିଷ୍ପତ୍ତି ନେବା ସେତେଟା ସହଜ ନଥିଲା ତାଙ୍କ ପାଇଁ।

image


ବହୁତ ବିଚାର ବିମର୍ଷ କରିବା ପରେ ସେ ଟେଲରିଂ ଛାଡି ଡ୍ରାଇଭିଂ କରିବା ଆରମ୍ଭ କଲେ। ୨୦୦୯ରେ ଦିଲ୍ଲୀରେ ମହିଳା ଡ୍ରାଇଭରମାନଙ୍କୁ ଉତ୍ସାହିତ କରାଯାଉଥିବାବେଳେ ତାଙ୍କୁ ଏକ ହଳଦିଆ(ଟାକ୍ସି) ଡ୍ରାଇଭର ବ୍ୟାଚ ଓ ଦିଲ୍ଲୀରେ ମାସିକ ୧୫ ହଜାର ଟଙ୍କା ଦରମାର ଏକ ଚାକିରି ଲାଗି ଅଫର ଆସିଲା। କିନ୍ତୁ ସେ ବାଙ୍ଗାଲୋର ଛାଡିବାକୁ ଚାହୁଁନଥିଲେ। ସେଥିପାଇଁ ସେ ବାଙ୍ଗାଲୋରର ବିଭିନ୍ନ ଟ୍ରାଭେଲ ଓ ଟୁର ଅପରେଟରଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କଲେ। ଏହି ସମୟରେ ସେ ବାଙ୍ଗାଲୋରର ପ୍ରଥମ ମହିଳା ଚାଳିତ ଟାକ୍ସି ସଭିର୍ସ ଆଞ୍ଜେଲ ସିଟି କ୍ୟାବ୍ସର ସଂପର୍କରେ ଆସି ସେଠାରେ ଯୋଗଦେଲେ। ପରେ ୨୦୧୩ ମସିହା ଅକ୍ଟୋବରରେ ସେ ଉବେର କ୍ୟାବ୍ସରେ ଯୋଗଦେଲେ। ପରବର୍ତ୍ତୀ ୪ ମାସ ମଧ୍ୟରେ ସେ ନିଜର ଏକ କାର କିଣିବାକୁ ନିଷ୍ପତ୍ତି ନେଲେ ଓ ୨୦୧୪ ଫେବ୍ରୁଆରୀରେ ଏକ ଫୋର୍ଡ ଫିଏଷ୍ଟା ବୁକ୍ କଲେ। କାରଟିଏ କିଣିବା ଭାରତୀଙ୍କ ପାଇଁ କିଛି ଛୋଟମୋଟ ସଫଳତା ନଥିଲା। ଏହି କାରକୁ ମାଧ୍ୟମ କରି ହିଁ ସେ ନିଜର ସ୍ଵପ୍ନକୁ ସାକାର କରିବା ଆରମ୍ଭ କଲେ।

ଭାରତୀଙ୍କ ମତରେ ମହିଳାମାନେ ଡ୍ରାଇଭିଂକୁ ପେଷା ଭାବେ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବାର ବିଭିନ୍ନ କାରଣ ରହିଛି ।

1. ଗ୍ରାହକଙ୍କ ମଧ୍ୟରେ ମହିଳା ଡ୍ରାଇଭରଙ୍କ ଗ୍ରହଣୀୟତା କମ।

2.ଏକ ଅଣପାରମ୍ପରିକ କ୍ଷେତ୍ରରେ କାମ କରି ଗୁଜୁରାଣ ମେଣ୍ଟାଇବାର ଚ୍ୟାଲେଞ୍ଜ।

3. ମହିଳାମାନେ ପ୍ରାୟତଃ ଘରକାମରେ ବ୍ୟସ୍ତ ରହୁଥିବାରୁ ବାହାର ଦୁନିଆ ସହ ଠିକଭାବେ ଯୋଗାଯୋଗ କରିପାରନ୍ତି ନାହିଁ। ତାଲିମର ମଧ୍ୟ ଅଭାବ ଥାଏ।

ଭାରତୀ ମଧ୍ୟ ଜଣେ ସ୍ଵେଚ୍ଛାସେବୀ-ସମାଜରେ ନାରୀମାନଙ୍କୁ ନିଜ ଦକ୍ଷତା ଶିଖେଇ ସଶକ୍ତ କରିବା ଦିଗରେ ସେ ଉଦ୍ୟମ କରୁଛନ୍ତି।

ଭାରତୀଙ୍କ ସଂପର୍କରେ ଉବେର ବାଙ୍ଗାଲୋରର GM ଭାବିକ ରାଠୋଡ କହନ୍ତି ସେ ଯେତେବେଳେ କାରଟିଏ କିଣିବାକୁ ନିଷ୍ପତ୍ତି ନେଲେ ଆମେ ଅତ୍ୟନ୍ତ ଖୁସି ହୋଇଗଲୁ। ସେ ଏବେ ସ୍ଵାଧୀନ ଭାବେ କାମ କରିପାରୁଥିବା ଦେଖି ଆମେ ଖୁସି। ଭାରତୀ ଅନ୍ୟ ମହିଳାଙ୍କ ପାଇଁ ଜଣେ ପ୍ରେରଣା ହୋଇପାରିବେ। 

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଉବେର କ୍ୟାବ୍ସ ଭାରତୀ ନାମକ ପ୍ରୋମୋ କୋଡ ସହ ପ୍ରଥମ ଥରପାଇଁ ବ୍ୟବହାରକାରୀଙ୍କୁ ୫୦୦ ଟଙ୍କାର ରିହାତି ପ୍ରଦାନ କରୁଛି। ଆମେ Yourstory ତରଫରୁ ଭାରତୀଙ୍କୁ ଅଭିନନ୍ଦନ କରୁଛୁ ଓ ଆଶା କରୁଛୁ ସେ ତାଙ୍କ ଅଧିକରୁ ଅଧିକ ସଫଳତା ଲାଭ କରନ୍ତୁ।

    Share on
    close