ଇଶିତା ଶର୍ମାଙ୍କର #MukkaMaar ଅଭିଯାନ: ବସ୍ତି ଝିଅଙ୍କୁ ମାଗଣାରେ ଶିଖାଉଛନ୍ତି ଆତ୍ମରକ୍ଷା କୌଶଳ

ଇଶିତା ଶର୍ମାଙ୍କର #MukkaMaar ଅଭିଯାନ: ବସ୍ତି ଝିଅଙ୍କୁ ମାଗଣାରେ ଶିଖାଉଛନ୍ତି ଆତ୍ମରକ୍ଷା କୌଶଳ

Saturday April 09, 2016,

4 min Read

ଗ୍ଲାମର୍ ଦୁନିଆର ଏକ ଜଣାଶୁଣା ନାମ ହେଉଛି ଇଶିତା ଶର୍ମା । ସେ ବହୁ ପ୍ରତିଭାର ଅଧିକାରିଣୀ । ବିଜ୍ଞାପନ ଫିଲ୍ମ ଜରିଆରେ ସେ ଗ୍ଲାମର ଦୁନିଆରେ ପ୍ରବେଶ କରିଥିଲେ । ଏହା ପରେ କ୍ୟା ହାଦସା କ୍ୟା ହକିକତ, ଶାକା ଲାକା ବୁମ୍ ବୁମ୍ ଭଳି ଧାରାବାହିକାରେ କାମ କରିବା ପରେ ଦିଲ୍ ଦୋସ୍ତି ଏକ୍ସଟ୍ରା ଭଳି ବଲିଉଡ୍ ସିନେମାରେ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ସେ ବିଚାରକ ଭାବେ ମଧ୍ୟ କାମ କରିଛନ୍ତି । ଏତେ ସବୁ ପ୍ରତିଭା ଥିବା ଏହି ମହିଳା ଜଣକ ଏବେ ବସ୍ତି ଅଞ୍ଚଳର ଝିଅମାନଙ୍କୁ ଦେଉଛନ୍ତି ଆତ୍ମ ରକ୍ଷା କୌଶଳ । ତାହା ପୁଣି ସମ୍ପୂର୍ଣ୍ଣ ମାଗଣାରେ ।

image


ମାତ୍ର ୨୫ ବର୍ଷ ବୟସରେ ଇଶିତା ଖୋଲିଥିଲେ ଆମଦ୍ ନାମକ ପରଫରମିଂ ଆର୍ଟସ୍ ଇନଷ୍ଟିଚ୍ୟୁଟ୍ । ପରେ ସେ ଚିନ୍ତା କରିଥିଲେ ଯେ ଯୁଗ ଆସି ଯାହା ହେଲାଣି ଝିଅ ପିଲାମାନେ ଏତେ ସହଜରେ ବାହାରେ ବୁଲି ପାରୁ ନାହାନ୍ତି । ସେମାନଙ୍କ ପ୍ରତି ସ୍ଥାନରେ ବିପଦ ରହିଛି । ତେଣୁ ଇଶିତା ବସ୍ତିର ଝିଅମାନଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରିବା କାମ ଆରମ୍ଭ କରିଦେଇଛନ୍ତି । ନିଜର ଇନଷ୍ଟିଚ୍ୟୁଟ୍ ପାଠ୍ୟକ୍ରମରେ ସେ ଆତ୍ମରକ୍ଷା ତାଲିମ ଦେଉଛନ୍ତି। କିନ୍ତୁ ବସ୍ତିର ଝିଅମାନଙ୍କ ପାଇଁ ସେ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ଅଭିଯାନ “ମୁକ୍କା ମାର୍" । ଏହି ଅଭିଯାନ ମାଧ୍ୟମରେ ସେ ଭର୍ସୋଭା ବିଚ୍ ପାଖରେ ଥିବା ବସ୍ତିର ପିଲାମାନଙ୍କୁ ମାଗଣାରେ ମାର୍ଶାଲ ଆର୍ଟସ୍ ମାଧ୍ୟମରେ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି । ଖୁବଶୀଘ୍ର ସେ ଏହି ଅଭିଯାନକୁ ମୁମ୍ବାଇର ଅନ୍ୟାନ୍ୟ ବସ୍ତିରେ ଆରମ୍ଭ କରିବାକୁ ଯାଉଛନ୍ତି ।

image


ଇଶିତା କହନ୍ତି ଯେ, 

ଦିନେ ସେ ରାତି ସାଢ଼େ ୧୦ଟାରେ ନିଜ କାର୍ ନେଇ ଯାଉଥିଲେ । ରାସ୍ତା ଏତେ ଫାଙ୍କା ନ ଥିଲା । ଲୋକମାନେ ଯାତାୟାତ କରୁଥିଲେ । ସେ ଜାଣିପାରିଲେ ଯେ ଦୁଇଟି ବାଇକ୍ ରେ ତାଙ୍କୁ ପାଂଚ ଜଣ ଯୁବକ ଅନୁସରଣ କରୁଛନ୍ତି । ସେ କାର୍ ଧୀରେ ଚଲାଇଲେ । ପିଲାମାନେ ବାଇକ୍ ଧୀରେ ଚଲାଇଲେ । ସେ କାର୍ କୁ ଦ୍ରୁତ ବେଗରେ ନେଇଯିବାକୁ ଚାହିଁବାରୁ ସେହି ଯୁବକମାନେ ମଧ୍ୟ ବାଇକ୍ ବେଗ ବଢ଼ାଇଲେ । ଶେଷରେ ଇଶିତା କାର୍ କାଚ ତଳକୁ କରି ତାଙ୍କୁ ଗାଳିଦେବାରୁ ସେମାନେ ସେଠାରୁ ପଳାଇ ଯାଇଥିଲେ । 

ପିଲାମାନେ ତାଙ୍କୁ ଯେଉଁ ଦୃଷ୍ଟିରେ ଦେଖୁଥିଲେ ତାହା ତାଙ୍କୁ ବହୁତ ଖରାପ ଲାଗିଥିଲା । ଏତେ ଖରାପ ଲାଗିଥିଲା ଯେ, ପରଦିନ ସେ ଏ ବିଷୟରେ ନିଜ ଫେସବୁକ୍ ପୃଷ୍ଠାରେ ବିସ୍ତୃତ ଭାବେ ଲେଖିଥିଲେ ।

ଏହି ଘଟଣା ପରେ ସେ ଝିଅମାନଙ୍କ ସୁରକ୍ଷା ପାଇଁ ଅଧିକ ଚିନ୍ତିତ ହୋଇପଡ଼ିଥିଲେ । ସେହିଦିନ ସେ ପ୍ରତିଜ୍ଞା କରିଥିଲେ ଯେ ଝିଅମାନଙ୍କୁ ନିଜର ଆତ୍ମରକ୍ଷା ପାଇଁ ସଚେତନ ହେବାକୁ ପଡିବ ଓ ସେ ଏଠି ନିମନ୍ତେ ନିଶ୍ଚିତ ଭାବେ କିଛି କରିବେ । ସେହି ପରକଳ୍ପନାରୁ ଜନ୍ମ ନେଇଛି “ମୁକ୍କା ମାର୍" ଅଭିଯାନ ।

ଇଶିତା ନିଜ ବିଷୟରେ କହିଛନ୍ତି ଯେ, 

ମୋର ଜନ୍ମ ଦେହରାଦୁନ୍ ରେ ହୋଇଥିଲା । ଯେତେବେଳେ ମୋତେ ୬ ବର୍ଷ ହୋଇଥିଲା ଆମେ ମୁମ୍ବାଇ ଚାଲି ଆସିଥିଲୁ । ମୋ ବାପା ଜଣେ ଇଞ୍ଜିନିୟର ଓ ମା ଥିଲେ ଶିକ୍ଷୟିତ୍ରୀ । ମୋର ସ୍କୁଲ ପାଠପଢ଼ା ମୁମ୍ବାଇରେ ହୋଇଥିଲା । ସ୍କୁଲରେ ପାଠ ପଢ଼ୁଥିବା ସମୟରେ ମୋତେ ବିଜ୍ଞାପନ ସିନେମାରେ କାମ କରିବାର ସୁଯୋଗ ମିଳିଥିଲା । ଏହା ପରେ ମୋତେ ଧାରାବାହିକର ଅଫର ମିଳିଲା । ତା’ପରେ ବଲିଉଡ୍ ସିନେମା । ମୁଁ ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ଚାହୁଁଥିଲି । କିନ୍ତୁ ମୋ ଭାଗ୍ୟରେ ଅଲଗା କିଛି ଲେଖାଥିଲା ।
image


ନିଜର ରୁଚି ଓ କଲେଜ ସମୟ ବିଷୟରେ ସେ କହିଛନ୍ତି ଯେ କଲେଜରେ ପଢ଼ୁଥିବା ବେଳେ ସେ କ୍ୟା ହାଦସା କ୍ୟା ହକିକତ୍ ଓ ଦିଲ୍ ଦୋସ୍ତି ଏକ୍ସଟ୍ରା ସିନେମା କରିଥିଲେ । ଏହା ପରେ ସେ ଶାହରୁଖ ଖାନ୍ ଙ୍କ ସହ ଦୁଲ୍ହା ମିଲ୍ ଗୟା ସିନେମା ସାଇନ୍ କରିଥିଲେ । କିନ୍ତୁ ଏହି ଫିଲ୍ମଟି ରିଲିଜ୍ ହେବା ବେଳକୁ ବହୁତ ସମୟ ଲାଗିଗଲା । ଇତି ମଧ୍ୟରେ ତାଙ୍କର ସ୍ନାତକ ଶିକ୍ଷା ଶେଷ ହୋଇଯାଇଥିଲା । ଯେହେତୁ ସବୁ ବେଳେ ମେଡିକାଲ୍ କ୍ଷେତ୍ର ପାଇଁ କିଛି କରିବାକୁ ତାଙ୍କର ମନ ହେଉଥିଲା ସେଥିପାଇଁ ସେ ହ୍ୟୁମାନ ଡେଭେଲପମେଂଟ୍ ଉପରେ ପାଠ ପଢ଼ିଥିଲେ । ଏହି ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିବା ସହ ଧାରାବାହିକରେ ଅଭିନୟ ମଧ୍ୟ ଜାରି ରଖିଥିଲେ । ତା’ ସହିତ ସେ ମୁମ୍ବାଇର ହୋଲି ସ୍ପିରିଟ୍ ହସପିଟାଲ୍ ରେ କାଉନ୍ସେଲର ଭାବେ ପ୍ରାକ୍ଟିସ୍ ମଧ୍ୟ କରୁଥିଲେ । ଏହା ମୋର ଭଲ ଅଥବା ଖରାପ ଗୁଣ ମୁଁ ଜାଣି ନାହିଁ । କିନ୍ତୁ ସବୁ ବେଳେ କିଛି ନୂଆ କରିବାକୁ ମୋର ମନ ହୁଏ ବୋଲି କହନ୍ତି ଇଶିତା ।

ତାଙ୍କୁ ଯେତେବେଳେ ୧୫-୧୬ ବର୍ଷ ହୋଇଥିଲା ସେ ଉମା ଡୋଗ୍ରାଙ୍କ ପାଖରେ କଥକ୍ ନୃତ୍ୟ ତାଲିମ ନେଇଥିଲେ । ଦୀର୍ଘ ୧୦ ବର୍ଷ ସେ ନୃତ୍ୟ ଶିଖିଥିଲେ । ଇଶିତା କହନ୍ତି ମୋ ଜୀବନ ବିବିଧ ଯାତ୍ରାରେ ଭରା । କିନ୍ତୁ ସବୁ ରାସ୍ତାରେ ଯଦି କିଏ ମୋ ସାଥିରେ ସବୁ ବେଳେ ଥିଲା ତାହା ହେଉଛି ମୋ ନୃତ୍ୟ ପ୍ରତିଭା ।

ଦୁଇ ବର୍ଷ ପୂର୍ବେ ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ବିଚାରକ ଭାବେ କାମ କରୁଥିଲେ । ସେତେବେଳେ ସେ ପରଫରମିଂ ଆର୍ଟସ ଓ ୱେଲନେସ୍ ଇନଷ୍ଟିଚୁ୍ୟଟ୍ ଖୋଲିବାକୁ ଭାବିଥିଲେ । କିନ୍ତୁ ଏକାଧିକ ଡଙ୍ଗାର ଯାତ୍ରୀ ହୋଇଥିବାରୁ ସେ ଏହି ଇନଷ୍ଟିଚ୍ୟୁଟ୍ ଆରମ୍ଭ କରିପାରୁ ନ ଥିଲେ । ସେହି ସୋ’ ଶେଷ ହେବା ପରେ ନିଜର ଇନଷ୍ଟିଚ୍ୟୁଟ୍ ଖୋଲିଥିଲେ ଈଶିତା । ନିଜ ଇନଷ୍ଟିଚୁ୍ୟଟ ର ନାମ ଆମଦ୍ କାହିଁକି ରହିଲା ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, କଥକ୍ ର ପ୍ରାରମ୍ଭିକ ପର୍ଯ୍ୟାୟକୁ ଆମଦ୍ କହନ୍ତି । ସେଥିପାଇଁ ସେ ଆମଦ୍ ନାମରେ ଇନଷ୍ଟିଚ୍ୟୁଟ୍ ଖୋଲିଲେ । ଆମଦ୍ ର ଅର୍ଥ ହେଉଛି ଆସିବା ।

ଆମଦ୍ ଇନଷ୍ଟିଚୁ୍ୟଟ୍ ର ବିଶେଷତ୍ୱ ହେଉଛି ଗୋଟିଏ ଛାତ ତଳେ ଏଠାରେ ନୃତ୍ୟ, ସଙ୍ଗୀତ, ମାର୍ଶାଲ ଆର୍ଟସ୍, ଯୋଗ, ଜୁମ୍ବା ଡ୍ୟାନ୍ସ ଆଦି ଶିକ୍ଷା ପ୍ରଦାନ କରାଯାଉଛି ।