ଅର୍ଣ୍ଣବ ଗୋସ୍ଵାମୀ ଫେରିବେ 'Republic' ସହ

ଅର୍ଣ୍ଣବ ଗୋସ୍ଵାମୀ ଫେରିବେ 'Republic' ସହ

Monday December 19, 2016,

2 min Read

Times Now କହିଲେ ଲୋକେ ଅର୍ଣ୍ଣବ ଗୋସ୍ଵାମୀ ବୁଝୁଥିଲେ ଓ ଅର୍ଣ୍ଣବ ଗୋସ୍ଵାମୀ କହିଲେ Times Now। ଯେଉଁ ଚ୍ଯାନେଲକୁ ସେ ପ୍ରସିଦ୍ଧ କରାଇଥିଲେ ଏବଂ ଯେଉଁ ଚ୍ଯାନେଲ ନାମରେ ସେ ନିଜେ ମଧ୍ୟ ଘରେ ଘରେ ଜଣା ଥିଲେ, ସେଠାରୁ ହଠାତ ବାହାରିଯିବା ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଲୋକେ ଅବାକ ହେଇଥିଲେ। କାହିଁକି ଓ ତା’ପରେ କଣ, ଏଇ ଦୁଇଟି ପ୍ରଶ୍ନ ସମସ୍ତଙ୍କ ମନରେ ଥିଲା। ଉତ୍କଣ୍ଠାର ସହ ସମସ୍ତେ ଅପେକ୍ଷା କରୁଥିଲେ ଯେ ଅର୍ଣ୍ଣବ ଏହାପରେ କରିବେ କଣ। ଗତ ସପ୍ତାହ ସମସ୍ତ ପ୍ରଶ୍ନରେ ପୂର୍ଣ୍ଣଛେଦ ପକାଇ ଅର୍ଣ୍ଣବ ଗୋସ୍ଵାମୀ ଅନୌପଚାରିକ ଭାବେ ଇଜାର ନୂଆ ଉଦ୍ୟମର ନାମ ଘୋଷଣା କରିଛନ୍ତି। ସେ ହେଲା Republic

image


The News Minute ଓ The Quint ଭଳି ମିଡିଆ ସହ କଥାବାର୍ତ୍ତା ହେଇ ଅର୍ଣ୍ଣବ ନିଜର ନୂଆ ଉଦ୍ୟମର ନାମ, ତାହାର କାମ କଣ ହେବ ଏସବୁ ସମ୍ପର୍କରେ ଅଳ୍ପ ବହୁତ ଜଣାଇଛନ୍ତି। ସେ କହନ୍ତି ଏବେ Republicର କାମ ଏବେ ଚାଲିଛି ଏବଂ ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏହାକୁ ସଂପୂର୍ଣ୍ଣ ଭାବେ ଆରମ୍ଭ କରିବାର ଆଶା ରଖିଛନ୍ତି।

ଅର୍ଣ୍ଣବ The Quintକୁ କହନ୍ତି, “ମୋର ନୂଆ ଉଦ୍ୟମର ନାମ ହେଉଛି ‘Republic’ ଓ ଏଥିପାଇଁ ମୁ ଦେଶବାସୀଙ୍କର ସହଯୋଗର ପ୍ରାର୍ଥନା କରୁଛି। “

ନଭେମ୍ବର ୧, ୨୦୧୬ରେ ଅର୍ଣ୍ଣବ ଲୋକପ୍ରିୟ ନିଉଜ ଚ୍ଯାନେଲ Times Nowର ଏଡିଟର ଇନ ଚିଫ ଓ ତା’ର ସାଥି ଚ୍ଯାନେଲ ET Nowର ପ୍ରେସିଡେଣ୍ଟ (ନିଉଜ) ପଦରୁ ଇସ୍ତଫା ଦେଇଥିଲେ। ଏକ ଦଶନ୍ଧି ଧରି ସେ ନିଜ ନାମରେ ଚଳାଇଆସୁଥିବା ଖୁବ ଖ୍ୟାତିକରା ଟିଭି ସୋକୁ ଏଇଠି ଛାଡିଥିଲେ। ତାଙ୍କର ନିତିଦିନିଆ ପ୍ରାଇମଟାଇମ ଡିବେଟ ସୋ ‘The News Hour’ ଚ୍ଯାନେଲର ମୋଟ ଆୟର ୬୦% ଲାଭାଂଶ ଆଣୁଥିଲା। ଅର୍ଣ୍ଣବ ନିଜର କ୍ଯାରିଅର ଆରମ୍ଭ କରିଥିଲେ ଟେଲିଗ୍ରାଫ, କୋଲକାତାରେ, ପରେ NDTV ଏବଂ ତା’ପରେ Times Nowରେ ଆସି ନିଜେ ଏକ ବ୍ରାଣ୍ଡ ପାଲଟିଯାଇଥିଲେ।

Times Now ଛାଡ଼ିବା ସମୟରେ ସେ ଦେଇଥିବା ବିଦାୟ ବକ୍ତବ୍ୟ ସୋସିଆଲ ମିଡ଼ିଆରେ ଖୁବଶୀଘ୍ର ଭାଇରାଲ ହେଇଥିଲା। ଏଥିରେ ସେ କହିଥିଲେ ଯେ ସେ ଚ୍ଯାନେଲ ଛାଡୁଛନ୍ତି ସତ କିନ୍ତୁ ସାମ୍ବାଦିକତା ଏବଂ ସମ୍ବାଦ ଠାରୁ ଦୂରେଇବେ ନାହିଁ। ନିଜର ସ୍ଵାଧୀନ ମିଡ଼ିଆ ଆରମ୍ଭ କରିବାର ସଂକେତ ଦେଇ ସେ, “ସ୍ଵାଧୀନ ମିଡ଼ିଆ ସଫଳତାର ଶୀର୍ଷ ଛୁଇଁବ, ଖେଳ ତ ଏବେ ଆରମ୍ଭ ହେଲା” ବୋଲି କହିଥିଲେ। ସେ BBC ଏବଂ CNNକୁ କଡ଼ା ପ୍ରତିଯୋଗିତା ଦେବେ ବୋଲି କହିଥିଲେ।

ସେ କହିଛନ୍ତି ତାଙ୍କର ପି ଆର ଏଜେନ୍ସି କିଛି ସପ୍ତାହ ମଧ୍ୟରେ ଔପଚାରିକ ଭାବେ ତାଙ୍କର ଉଦ୍ୟମ ସମ୍ପର୍କରେ ଘୋଷଣା କରିବ। ବର୍ତ୍ତମାନ କିଛି ବିଶ୍ଵସ୍ତ ସୂତ୍ର ସୂଚନା ଦେଇଛନ୍ତି ଯେ ଏହା ମୁମ୍ବାଇରେ ଆରମ୍ଭ ହେବ (ସୂତ୍ର - The News Minute)। ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବେଙ୍ଗାଲୁରୁର ଜଣେ ମିଡ଼ିଆ ମାଲିକ, ଏକ ବିରାଟ ଟିଭି ବିତରଣ ନେଟୱର୍କ ଏବଂ ଏକ ପ୍ରଭାବଶାଳୀ ବିଜ୍ଞାପନ ଓ ମିଡ଼ିଆ ଅଧିଗ୍ରହଣ ଗୃପ ଅର୍ଣ୍ଣବଙ୍କ ଉଦ୍ୟମରେ ନିବେଶ କରୁଛନ୍ତି।

ବର୍ତ୍ତମାନ ପାଇଁ Times Now ଅର୍ଣ୍ଣବଙ୍କ ଜାଗାରେ News Xର ଏଡିଟର ରାହୁଲ ଶିବଶଙ୍କରଙ୍କୁ ନିଯୁକ୍ତି ଦେଇଛି।