ବିଧାନସଭା ନିର୍ବାଚନ ଏବଂ ତା'ର ସାଂପ୍ରତିକ ମର୍ମ

ବିଧାନସଭା ନିର୍ବାଚନ ଏବଂ ତା'ର ସାଂପ୍ରତିକ ମର୍ମ

Saturday January 07, 2017,

4 min Read

ପ୍ରାୟତଃ ବିଧାନ ସଭା ନିର୍ବାଚନ ସ୍ଥାନୀୟ ସମସ୍ଯା ମାନଙ୍କ ଉପରେ ଭିତ୍ତି କରି ଲଢାଯାଏ ଏବଂ ସ୍ଥାନିୟ ସମସ୍ଯା ଗୁଡ଼ିକ ହିଁ ରାଜନୈତିକ ଦଳ ଗୁଡ଼ିକର ଭାଗ୍ୟ ନିର୍ଣ୍ଣୟ କରିଥାଏ। କିନ୍ତୁ ଯେବେ ଉତ୍ତର ପ୍ରଦେଶରେ ନିର୍ବାଚନ ଲଢାଯାଉଛି ଯାହାକୁ କି ଖୁବ ଆରାମରେ ଏକ କ୍ଷୁଦ୍ର ଭାରତ ବୋଲି କୁହାଯାଇପାରେ, ସେତେବେଳେ ନିର୍ବାଚନ କେବଳ ମାତ୍ର ସ୍ଥାନୀୟ ହେଇ ରୁହେନାହିଁ। ତା’ସହ ଯଦି ନିର୍ବାଚନ ସୁଦୂର ଉତ୍ତର ଓ ସୀମାବର୍ତ୍ତୀ ପଞ୍ଜାବରେ ବି ହେଉଥାଏ ଏବଂ ପଶ୍ଚିମରେ ଥିବା ଏକ ଛୋଟ ରାଜ୍ୟ ଗୋଆ ରେ ମଧ୍ୟ ହେଉଥାଏ ତେବେ ଏସବୁ ନିର୍ବାଚନର ମହତ୍ତ୍ଵ ଅନେକ ମାତ୍ରାରେ ବଢିଯାଏ। ଏହି ପରିପ୍ରେକ୍ଷୀରେ ଏହା କହିବା ଠିକ ହେବ ଯେ ଏପରି ନିର୍ବାଚନ ଗୁଡ଼ିକର ପ୍ରଭାବ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ପଡ଼ିବ। ପଞ୍ଜାବରେ ଅକାଳୀ ଦଳର ସରକାର ଅଛି ଏବଂ ଗୋଆରେ ବିଜେପିର। ଯଦିଓ ଉତ୍ତର ପ୍ରଦେଶରେ ବିଜେପି ସରକାର ନାହିଁ କିନ୍ତୁ ଲୋକସଭା ନିର୍ବାଚନ ସମୟରେ ଏଠାରେ ଥିବା ମୋଟ ୮୦ ଆସନ ମଧ୍ୟରୁ ବିଜେପି ୭୨ ଆସନ ଜିତିପାରିଥିଲା। ତା’ସହ ଆଉ ଏକ ଆସନ ବିଜେପିକୁ ସମର୍ଥନ କରୁଥିବା ଦଳକୁ ମିଳିଥିଲା। ଅର୍ଥାତ ମୋଦିଙ୍କର ପ୍ରଧାନମନ୍ତ୍ରୀ ହେବାରେ ଉତ୍ତର ପ୍ରଦେଶର ବଡ଼ ହାତ ରହିଛି। ଏବେ ଦେଖିବାର ଅଛି ଯେ ବିଜେପି ୨୦୧୭ରେ ୨୦୧୪ର ଯାଦୁ ଦୋହରେଇ ପାରିବେ କି ନାହିଁ !!

Image : <a href=

Image :

DNAa12bc34de56fgmedium"/>

ଆଉ ଏକ ମହତ୍ଵପୂର୍ଣ୍ଣ ଜିନିଷ ହେଉଛି ଯେ ଏଇସବୁ ନିର୍ବାଚନ ଠିକ ନୋଟବନ୍ଦୀ ବା ବିମୁଦ୍ରାକରଣ ପରେ ହେବାକୁ ଅଛି। ୮ ନଭେମ୍ବରରେ ମୋଦି ଖୁବ ଧୁମଧାମରେ ନୋଟବନ୍ଦୀର ଘୋଷଣା କରିଥିଲେ। ଏହା ସହ କଳାଧନ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସେ ଏକ ମହାସଂଗ୍ରାମ କରୁଛନ୍ତି ବୋଲି ଦାବୀ କରିଥିଲେ। ଲେଖକ ତାଙ୍କର ଏହି ଦାବୀ ସହ ସହମତ ନୁହନ୍ତି। ବିମୁଦ୍ରାକରଣ ମୋଦି ସରକାର ଏବେ ପର୍ଯ୍ୟନ୍ତ ପ୍ରୟୋଗ କରିଥିବା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି କୁହାଯାଉଛି। ଗତ ଦୁଇମାସ ଧରି ପୁରା ଦେଶ ସରକାରଙ୍କୁ ସମର୍ଥନ କରୁଛି ଏବଂ ବାହାବା କରିଚାଲୁଛି। ପକ୍ଷ ଓ ବିପକ୍ଷଙ୍କ ମଧ୍ୟରେ ଏ ନେଇ ଘମାଘୋଟ ତର୍କ ମଧ୍ୟ ଚାଲିଛି। ବିପକ୍ଷ ପ୍ରଥମ ଥର ପାଇଁ ସରକାରଙ୍କ ଉପରେ ଆକ୍ରମଣାତ୍ମକ ତର୍କ କରିବାରେ ଲାଗିଛି। ଏସବୁ କାରଣ ଯୋଗୁଁ ସଂସଦର ଶୀତକାଳୀନ ଅଧିବେଶନ ମଧ୍ୟ ଚାଲି ପାରିଲାନାହିଁ।

ଏହାସହ ମୋଦି ପ୍ରଧାନମନ୍ତ୍ରୀ ହେବାର ଅଢେଇ ବର୍ଷରୁ ଅଧିକ ସମୟ ହେଇଗଲାଣି। ଅର୍ଥାତ ଲୋକସଭା ନିର୍ବାଚନ ସମୟରେ ମୋଦି ଲୋକଙ୍କୁ ଯେଉଁ ସ୍ଵପ୍ନ ଦେଖାଇଥିଲେ ସେସବୁକୁ ପରଖିବାର ସମୟ ହେଇଗଲାଣି। ତାଙ୍କର ହନିମୁନ ପିରିଅଡ ଶେଷ ହେଇଛି। ସମୟ ଆସିଯାଇଛି ଯେବେ ଜନତା ତାଙ୍କ କାମର ସମୀକ୍ଷା କରିବେ। କଣ ସତରେ ମୋଦି ଜନତାଙ୍କ ଆଶାନୁଯାୟୀ କାମ କରିପାରିଛନ୍ତି, ସେ ଦେଖାଇଥିବା ସ୍ଵପ୍ନ କିଛି ଯଥାର୍ଥ ହେଇଛି ନା କେବଳ ସ୍ଵପ୍ନରେ ହିଁ ରହିଯାଇଛି।

ଆତଙ୍କବାଦ ସହ ଦେଶ ଲଢୁଥିବା ବେଳେ ମୋଦି ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ସରକାର ଆତଙ୍କବାଦୀ ଓ ପାକିସ୍ଥାନର ଯୋଜନାକୁ ନିଶ୍ଚିହ୍ନ କରିବ। ସେ କହିଥିଲେ ଯେ ମନମୋହନ ସରକାର ଆତଙ୍କବାଦ ଉପରେ ନରମ ହୋଇ ରହିଥିଲେ ଯାହା ଫଳରେ ଦେଶକୁ ଆତଙ୍କବାଦର ଭୟଙ୍କର ଚେହେରା ଦେଖିବାକୁ ମିଳିଥିଲା। ମନମୋହନ ଏକ ଦୁର୍ବଳ ପ୍ରଧାନମନ୍ତ୍ରୀ ଥିଲେ ଓ ପାକିସ୍ଥାନକୁ ଉଚିତ ଜବାବ ଦେବା ନିମନ୍ତେ ଦରକାର ଏକ କଡ଼ା ଓ ଶକ୍ତ ପ୍ରଧାନମନ୍ତ୍ରୀ। ସେପ୍ଟେମ୍ବର ମାସରେ ମୋଦି ଆତଙ୍କବାଦର ଅଣ୍ଟା ଭାଙ୍ଗିବା ପାଇଁ ସର୍ଜିକାଲ ଷ୍ଟ୍ରାଇକ କରିବାର ଘୋଷଣା କଲେ ଓ ଏହା ସହ ସାରା ଦେଶରେ ବିଜେପି ଓ ମୋଦି ସମର୍ଥକଙ୍କ ଦ୍ଵାରା ଏକ ଦେଶପ୍ରେମର ଲହରୀ ଆରମ୍ଭ କରାଯାଇଥିଲା। ସର୍ଜିକାଲ ଷ୍ଟ୍ରାଇକକୁ ତିନିମାସରୁ ଅଧିକ ହେଲାଣି। ବିଧାନସଭା ନିର୍ବାଚନ ଆଳରେ ବର୍ତ୍ତମାନ ଲୋକଙ୍କୁ ଏହି ବିଷୟ ଉପରେ ମଧ୍ୟ ନିଜର ନିର୍ଣ୍ଣୟ ଦେବାର ସମୟ ଆସିଯାଇଛି। ବିଶେଷ କରି ସୀମାବର୍ତ୍ତୀ ପଞ୍ଜାବର ଲୋକଙ୍କୁ ଯେଉଁଠାରେ ଗତବର୍ଷ ଦୁଇଟି ବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଥିଲା।

୨୦୧୪ ନିର୍ବାଚନ ସମୟରେ ମୋଦି କଂଗ୍ରେସ ସରକାରଙ୍କୁ ଦେଶର ସମସ୍ଯା ସବୁ ପାଇଁ ଦାୟୀ କରିଥିଲେ। ଏବେ ତାଙ୍କୁ ଲୋକଙ୍କୁ ଉତ୍ତର ଦେବାକୁ ହେବ ଯେ ଦରଦାମ ବୃଦ୍ଧି, ବେରୋଜଗାରୀ, ଔଦ୍ଯୋଗିକ ବିକାଶ ଏବଂ ଆର୍ଥିକ ପ୍ରଗତିର ରାସ୍ତାରେ ତାଙ୍କୁ କିଛି ମିଳିଛି ନା ନାହିଁ। ଯେହେତୁ ମୋଦି ସରକାରରେ ସେ ନିଜେ ହିଁ ସର୍ବେସର୍ବା ତେଣୁ ଜନତା ହିସାବ ତାଙ୍କୁ ହିଁ ମାଗିବ, ବିଜେପି ବା ଅନ୍ୟ କାହାକୁ ନୁହେଁ। ତେଣୁ ସଠିକ ଭାବେ କହିବାକୁ ଗଲେ ଏହି ନିର୍ବାଚନ ମୋଦିଙ୍କର ଲୋକପ୍ରିୟତା ଓ ତାଙ୍କର କାମ ସମ୍ବନ୍ଧରେ ଜନମତ ସଂଗ୍ରହ କରିବା ହେବ।

୨୦୧୪ରେ ଜନତା ଏହା ସ୍ପଷ୍ଟ କରିଦେଇଥିଲେ ଯେ ତାଙ୍କର କଂଗ୍ରେସର ସେତେବେଳର ସ୍ୱରୂପ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ଵ ଉପରେ ଭରସା ନାହିଁ। ତାଙ୍କୁ ପୂର୍ଣ୍ଣ ଭାବେ ଜନତା ପ୍ରତ୍ୟାଖ୍ୟାନ କରିଥିଲା। ମୋଦିଙ୍କ ଆଗରେ ରାହୁଲ ହେଇଯାଇଥିଲେ ପପୁ। ଏହି ସମୟ ମଧ୍ୟରେ କଂଗ୍ରେସ ଓ ବିଶେଷ କରି ରାହୁଲ ନିଜକୁ ପ୍ରମାଣିତ କରିବା ପାଇଁ କଣ ପରିଶ୍ରମ କରିଛନ୍ତି, ବଦଲୁଥିବା ସମାଜର ନଜରରେ ନିଜକୁ କେତେ ସଶକ୍ତ କରିପାରିଛନ୍ତି ଓ ନିଜକୁ ଏକ ବଳିଷ୍ଠ ବିପକ୍ଷ ଭାବେ ପ୍ରମାଣିତ କରିପାରିଛନ୍ତି ନା ନାହିଁ ତାର ମଧ୍ୟ ପରୀକ୍ଷା ହେବ ଏହି ନିର୍ବାଚନରେ। ବିଶେଷ ଭାବେ ପଞ୍ଜାବ ଓ ଗୋଆରେ ଯେଉଁଠାରେ ପାର୍ଟି ବିପକ୍ଷରେ ରହିଛି। ପଞ୍ଜାବରେ ୧୦ ବର୍ଷ ହେଲାଣି ଦଳ କ୍ଷମତାରୁ ବାହାରେ ଅଛି ଓ ଗୋଆରେ ପାଞ୍ଚ ବର୍ଷ। ଦୁଇଟି ଜାଗାରେ ଏନଡ଼ିଏର ସରକାର କିନ୍ତୁ ବିଶେଷ ଲୋକପ୍ରିୟ ନୁହେଁ। କଂଗ୍ରେସ ପାଇଁ ହରିଆଣା, ମହାରାଷ୍ଟ୍ର ଓ ଆସାମରେ ହୋଇଥିବା ହାରର କ୍ଷତି ପୂରଣ କରିବାର ଇଏ ହେଉଛି ମଉକା। ଏହା ସହ ନିଜକୁ ଭାରତୀୟ ରାଜନୀତିରେ ପୁଣି ଥରେ ପ୍ରମାଣ କରିବାର ସୁଯୋଗ ମଧ୍ୟ।

କିନ୍ତୁ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ରାସ୍ତାରେ ଆମ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜରିୱାଲ ହେଉଛନ୍ତି ସବୁଠାରୁ ବଡ଼ କଣ୍ଟା। ଦିଲ୍ଲୀରେ ଦୁଇ ଥର କଂଗ୍ରେସକୁ ଭୟଙ୍କର ଭାବେ ପରାସ୍ତ କରିବା ପରେ ଆପ ର ଚେର ଆହୁରି ଦୃଢ ହେଇଛି ଏବଂ କଂଗ୍ରେସର ରାଷ୍ଟ୍ରୀୟ ଅସ୍ତିତ୍ଵ ଆଗରେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଇଛି। ପଞ୍ଜାବରେ ଆପ ନଥିଲେ କଂଗ୍ରେସ ପାଇଁ ରାସ୍ତା ସଫା ହୁଅନ୍ତା। ଅକାଳୀ ବିଜେପିର ସରକାରର ଭାବମୂର୍ତ୍ତି ଲୋକଙ୍କ ନଜରରେ ଆଉ ଭଲ ନାହିଁ। ସେଠାରେ କଂଗ୍ରେସ ଆରାମରେ ସରକାର ଗଢିପାରନ୍ତା କିନ୍ତୁ ଆପ ଲୋକସଭା ନିର୍ବାଚନରେ ଚାରିଟି ଆସନରେ ବିଜଯ ହାସଲ କରି ସେଠାରେ ନିଜର ସ୍ଥିତିକୁ ବେଶ ମଜବୁତ କରିଦେଇଛି। ଓପିନିଅନ ପୋଲରୁ ଯାହା ଜଣାପଡ଼ୁଛି ପଞ୍ଜାବରେ ଆପ ର ସରକାର ବନେଇବାର ପୂର୍ଣ୍ଣ ସମ୍ଭାବନା ରହିଛି।

ଗୋଆରେ ମଧ୍ୟ ନିଜେ ନିଜ ଗୋଡ଼କୁ ଚୋଟ ପକେଇବାର କାମ କରିଛି କଂଗ୍ରେସ। ପାଞ୍ଚବର୍ଷ ମଧ୍ୟରେ ବିଜେପି ସରକାର ସାମନାରେ ନିଜକୁ ଏକ ମଜବୁତ ବିପକ୍ଷ ଭାବେ ନିଜକୁ ଦେଖାଇ ପାରିଲାନାହିଁ କଂଗ୍ରେସ। ବିଧାନସଭା ଭିତରେ ଓ ବାହାରେ ଉଭୟ ସ୍ଥାନରେ ବିପକ୍ଷର କାମ ନିର୍ଦଳୀୟ ବିଧାୟକ ମାନେ ତୁଲେଇଲେ। ଲେଖିବା ସମୟରେ ଆପ ୪୦ଟି ଆସନ ମଧ୍ୟରୁ ନିଜର ୩୬ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। କଂଗ୍ରେସ ଏବେ ପର୍ଯ୍ୟନ୍ତ ପ୍ରାର୍ଥୀ ଚୟନରେ ବ୍ୟସ୍ତ।

ଯଦି ଆପ ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିପାରୁଛି ତେବେ ଭବିଷ୍ୟତରେ ଜାତୀୟ ସ୍ତରର ରାଜନୀତି ପାଇଁ ତାହା ଅମୃତତୁଲ୍ୟ ହେବ। କିନ୍ତୁ ତା’ର ଅର୍ଥ ଏହା ମଧ୍ୟ ହେବ ଯେ ଆପ ଧୀରେ ଧୀରେ କଂଗ୍ରେସକୁ ମୂଳପୋଛ କରିବାରେ ଲାଗିଛି ଏବଂ ଭାରତୀୟ ରାଜନୀତି ପଟଳରେ କଂଗ୍ରେସର ସ୍ଥାନ ଏବେ ଆପ ର ହେବାରେ ଲାଗିଛି। 

ଲେଖକ ଆଶୁତୋଷ ଜଣେ ସାମ୍ବାଦିକ ଏବଂ AAPର ନେତା

[ Disclaimer : ଲେଖକଙ୍କର ମତାମତ ଏକାନ୍ତ ଭାବେ ତାଙ୍କର ବ୍ୟକ୍ତିଗତ ]