Katalyst: ପରିବର୍ତ୍ତନର ବାହକ

Katalyst: ପରିବର୍ତ୍ତନର ବାହକ

Saturday November 28, 2015,

3 min Read

ସ୍ଵାତୀ, କବିତା, ନିଲୁ ଆଉ ପୂଜା । ଏ ଚାରିଜଣ ତରୁଣୀଙ୍କ ମଧ୍ୟରେ ଥିଲା ଏକାଧିକ ସାମଞ୍ଜସ୍ୟ । ସେମାନେ ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରରୁ ଆସିଥିଲେ । କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତିକୁ ବେଖାତିର କରି ସେମାନେ ଉଚ୍ଚଶିକ୍ଷା ପାଇବାକୁ ସମର୍ଥ ହେଲେ ଓ ଉଚ୍ଚଦରମା ଭିତ୍ତିକ ଚାକିରି ମଧ୍ୟ ପାଇଲେ । Katalyst ସେମାନଙ୍କ ପାଇଁ ସାଜିଥିଲା ପରିବର୍ତ୍ତନର ବାହକ । କାଟାଲିଷ୍ଟ ଅନୁଷ୍ଠାନର ସହଯୋଗରେ ସେମାନେ ଆଜି ଆକାଶକୁ ଛୁଇଁବାରେ ସଫଳ ହୋଇଛନ୍ତି ।

ମହାରାଷ୍ଟ୍ରର ଛୋଟ ସହର ଦାପୋଲି ବାସିନ୍ଦା ସ୍ଵାତୀ ସିନ୍ଧେଙ୍କ ପରିବାରର ବାର୍ଷିକ ଆୟ ଥିଲା ମାତ୍ର ୩୬ ହଜାର ଟଙ୍କା । ପୁଣେର ପ୍ରତିଷ୍ଠିତ କଲେଜ ଅଫ୍ ଇଂଜିନିୟରିଂରୁ ମେକାନିକାଲ ଯନ୍ତ୍ରୀ ଭାବେ ଶିକ୍ଷା ସମାପ୍ତି ପରେ ଏବେ ସେ ଆଇଓସିଏଲରେ ବାର୍ଷିକ ୮.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ମୁମ୍ବାଇର ଗୋଟିଏ ବଖରା ଘରେ ନିଜର ଆଠ ଜଣିଆ ପରିବାର ସହ ବଡ଼ କଷ୍ଟରେ ରହୁଥିଲେ କବିତା ଖାଣ୍ଡେକର। ତାଙ୍କ ବାପା ଗାଡ଼ିଚାଳକ ଥିଲେ ଓ ପରିବାରର ବାର୍ଷିକ ଆୟ ୧.୨ ଲକ୍ଷ ଟଙ୍କା ଥିଲା । ପ୍ରତିଷ୍ଠିତ ଇଂଜିନିୟରିଂ କଲେଜ ଭିଜେଟିଆଇରୁ ଡିଗ୍ରି ହାସଲ ପରେ କବିତା ସାପୁର୍ଜି ପାଲୋଂଜିରେ ସାଇଟ୍ ଇଂଜିନିୟର ଭାବେ ଯୋଗ ଦେଲେ । ଦୁଇ ବର୍ଷ କାମ କରିବା ପରେ ସେ ପୁଣେର ଏନ୍ଆଇସିଏମ୍ଏଆରରେ ସ୍ନାତକୋତ୍ତର ଡିଗ୍ରି ହାସଲ କଲେ । ଏବେ ସେ ସାମସଙ୍ଗ ବିଲ୍ଡର୍ସରେ କାର୍ଯ୍ୟରତ ।

କାଟାଲିଷ୍ଟ୍ ସହଯୋଗରେ ଶିଖର ଛୁଇଁଥିବା ସ୍ଵାତୀ ଓ କବିତାଙ୍କ ଭଳି ମହାରାଷ୍ଟ୍ରର ସୋଲାପୁର ନିବାସୀ ନିଲୁ ଖେଡ୍ ମଧ୍ୟ ଚରମ ଦାରିଦ୍ର୍ୟ ଭିତରୁ ବାହାରି ପୁଣେର ପ୍ରତିଷ୍ଠିତ କଲେଜରେ ଭର୍ତ୍ତି ହୋଇଥିଲେ । ଅନ୍ୟମାନଙ୍କ ଭଳି ତାଙ୍କ ପାଇଁ ମଧ୍ୟ କାଟାଲିଷ୍ଟ୍ ଅତିରିକ୍ତ ଟ୍ୟୁସନ୍ ଓ ରହଣି ଖର୍ଚ ବହନ କରିଥିଲା । ଭବିଷ୍ୟତ କ୍ୟାରିଅର ଯୋଜନା ପାଇଁ ତାଙ୍କୁ ଏଚ୍ଏସବିସି ମେଣ୍ଟରଙ୍କ ଠାରୁ ପରାମର୍ଶ ମଧ୍ୟ ମିଳିଥିଲା । ନିଜ ଯୋଗ୍ୟତା ବଳରେ ସେ କ୍ୟାଟରେ ଭଲ ରାଙ୍କ ପାଇ ଆଇଆଇଏମରେ ସୁଯୋଗ ପାଇଲେ ଓ ଫାଇନାନ୍ସରେ ଏମବିଏ କଲେ । ପରେ ସେ ଗୋଲ୍ଡମାନ୍ ସାକରେ ବାର୍ଷିକ ୧୩ ଲକ୍ଷ ଟଙ୍କା ଦରମାରେ ନିଯୁକ୍ତି ପାଇଲେ । ତାଙ୍କୁ କମ୍ପାନି କିଛି ଦିନ ପାଇଁ ଆମେରିକାରେ ମଧ୍ୟ ଅବସ୍ଥାପିତ କରିଥିଲା । ଏବେ ସେ ଗୋଲ୍ଡମାନ୍ ସାକ ଛାଡ଼ି ଡଚ୍ ବ୍ୟାଙ୍କ୍ ମୁମ୍ବାଇ ଶାଖାରେ କାର୍ଯ୍ୟରତ ।

image


ପୂଜା ପାରେଖଙ୍କ ପିଲାଦିନର କିଛି ସମୟ ବେଙ୍ଗାଲୁରୁ ରାସ୍ତା କଡ଼ର ଏକ ବସ୍ ଷ୍ଟପ୍ ତଳେ ବିତିଥିଲା । ଯଦିଓ ତାଙ୍କ ବାପା ଜଣେ ଡାକ୍ତର ଥିଲେ ବାପା-ମା’ଙ୍କ ବିଚ୍ଛେଦ ପରେ ମା’-ଝିଅ ବଡ଼ ହନ୍ତସନ୍ତ ହୋଇଥିଲେ । କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ ପରେ ବିଦେଶରେ ପଢ଼ିବାକୁ ତାଙ୍କର ଇଛା ଥିଲା । କାଟାଲିଷ୍ଟ ସହଯୋଗରେ ତାଙ୍କୁ ଏକ ଲାପଟପ ମିଳିଲା ଓ ଆର୍ଥିକ ସହଯୋଗ ମଧ୍ୟ । ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପୂଜା କର୍ଣେଲ ୟୁନିଭର୍ସିଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ପାଇଲେ । ପରେ ସେ ଆମେରିକାରେ ୟାହୁରେ ଚାକିରି ପାଇବା ପରେ କାଟାଲିଷ୍ଟ ଠାରୁ ପାଇଥିବା ୫ ଲକ୍ଷ ଟଙ୍କାର ସହାୟତା ଫେରାଇବାରେ ସମର୍ଥ ହୋଇଥିଲେ ।

୨୦୦୭ରେ କାଟାଲିଷ୍ଟ୍ ପ୍ରତିଷ୍ଠା ହୋଇଥିଲା । ଇଂଜିନିୟରିଂ, ମେଡିକାଲ, ଆର୍କିଟେକ୍ଚର ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ଭଳି କ୍ଷେତ୍ରରେ ଉଚ୍ଚଶିକ୍ଷା ଚାହୁଥିବା ଝିଅଙ୍କୁ ସହାୟତା କରିବା କାଟାଲିଷ୍ଟର ଉଦ୍ଦେଶ୍ୟ । ଏହି ବେସରକାରୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଝିଅମାନଙ୍କର ଇଂରାଜୀ କହିବା ପାରଦର୍ଶିତା ବୃଦ୍ଧି କରାଇବା ସହ ସେମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ସାମ୍ନା କରିବାକୁ ପ୍ରଶିକ୍ଷଣ ଦେଇଥାଏ । ସେହିଭଳି ମେଧାବୀ ଛାତ୍ରୀଙ୍କ ପାଇଁ କିଭଳି ଅର୍ଥ ବାଧକ ନହେବ ସେ ନେଇ ମଧ୍ୟ ଯତ୍ନଶୀଳ କାଟାଲିଷ୍ଟ । କାଟାଲିଷ୍ଟ ଛାତ୍ରୀମାନଙ୍କ ପାଇଁ ଟୁ୍ୟସନ୍ ଫି’, ବୀମା ଓ ମାଗଣା ଲାପଟପ ବ୍ୟବସ୍ଥା କରିଥାଏ । ସେମାନେ ଚାକିରି ପାଇବା ଯାଏ କାଟାଲିଷ୍ଟ ସେମାନଙ୍କ ସହ ରହିଥାଏ। ଏବେ ଏହି ସଂସ୍ଥା ପୁଣେ, ବାଙ୍ଗାଲୋର ଓ ମୁମ୍ବାଇରେ କାର୍ଯ୍ୟ କରୁଛି । ଏଯାବତ ୨୨ରୁ ଅଧିକ ଝିଅ ଶିକ୍ଷିତ ହୋଇ ଉଚ୍ଚ ଦରମା ସହ ବଡ଼ ବଡ଼ ସଂସ୍ଥାନରେ ଚାକିରି କରୁଛନ୍ତି ।

ମୂଳ ଲେଖା - ଦେବୀଷା ପୋଦ୍ଦାର

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା