ଆକ୍କାଇ ପଦ୍ମଶାଳୀ : ପୁରୁଷ ଜନ୍ମ ପାଇଥିଲେ, ଏବେ ଗର୍ବର ସହ କିନ୍ନର

0

ପିଲାଦିନେ ତାଙ୍କୁ ତାଙ୍କ ଭଉଣୀର ଫ୍ରକ୍ ନିଜ ପେଣ୍ଟ ଠାରୁ ଭଲ ଲାଗେ। ନିଜ ସାଙ୍ଗରେ ପଢୁଥିବା ପୁଅ ପିଲାଙ୍କ ସହ କ୍ରିକେଟ ବା ଫୁଟବଲ ଖେଳିବାକୁ ଭଲ ଲାଗେନାହିଁ। ଭଉଣୀ ଓ ତାର ସାଙ୍ଗ ମାନେ ଘର ଘର ଖେଳିବା ବେଳେ ଦେଖିବାକୁ ଭଲ ଲାଗେ। ଇଚ୍ଛା ହୁଏ ତାଙ୍କ ସହ ମିଶି ଖେଳିବାକୁ। ତାଙ୍କର ମଧ୍ୟବିତ୍ତ ପରିବାରର ରକ୍ଷଣଶୀଳ ଶୈଳୀରେ ବଢିଥିବା ବାପା ମାଁ ଭାବନ୍ତି କେହି ବୋଧେ ଗୁଣିଗାରେଡି କରିଦେଇଛି ଅଥବା କୌଣସି ପ୍ରକାର ଶାରୀରିକ ବା ମାନସିକ ରୋଗରେ ଆକ୍ରାନ୍ତ ହେଇଛି ତାଙ୍କ ପୁଅ। ଅନେକ ଥର ଟାଣି ଡାକ୍ତର ପାଖକୁ ମଧ୍ୟ ନେଇଯାଇଛନ୍ତି, ଏଇ ଆଶାରେ ଯେ କାଳେ ପୁଅ ତାଙ୍କର ଭଲ ହେଇଯିବ।

Image : The Deccan Chronicles
Image : The Deccan Chronicles

ବାପା ମାଁଙ୍କର ଚିନ୍ତା ଦେଖି ସେ ଖୁବ ଚେଷ୍ଟା କରନ୍ତି ନିଜ ମନକୁ ବୁଝାଇବାକୁ, ଯେ ତୁ ହେଲୁ ପୁଅଟେ। ପୁଅ ମାନଙ୍କ ସଙ୍ଗେ ମିଶ, ତାଙ୍କ ସଙ୍ଗେ ଖେଳ, ତାଙ୍କ ପରି ପୋଷାକ ପିନ୍ଧ। କିନ୍ତୁ ଯେତେ ବୁଝେଇଲେ ମଧ୍ୟ ମନ ମାନେନି। ତାଙ୍କୁ ଯେତେବେଳେ ମାତ୍ର ୧୨ବର୍ଷ, ସେ ଏଇ ଦ୍ଵନ୍ଦରେ ଭରା ତାଙ୍କ ଜୀବନକୁ ଆଉ ଆପଣେଇ ପାରନ୍ତି ନାହିଁ ଓ ଏହାର ଅନ୍ତ କରିଦେବାକୁ ଭାବନ୍ତି। ଆତ୍ମହତ୍ୟା କରିବାକୁ ଦୁଇ ଦୁଇ ଥର ଚେଷ୍ଟା କରନ୍ତି। କିନ୍ତୁ ଜୀବନ ତାଙ୍କୁ ଏତେ ସହଜେ ଛାଡେନି।

ତାଙ୍କୁ ଯେତେବେଳେ ୧୬ ବର୍ଷ ବୟସ, ସେ ମନର କଥା, ସବୁ ଦ୍ଵନ୍ଦ, ସବୁ ପ୍ରଶ୍ନ ଖୋଲି କୁହନ୍ତି ତାଙ୍କ ବଡ ଭାଇଙ୍କୁ। ସେ ତାଙ୍କୁ ଜଣାନ୍ତି ଯେ – ଭାଇ, ମୋତେ ଝିଅ ହେବାକୁ ଇଚ୍ଛା। ଏଇ ପୁରୁଷର ଦେହ ସତେ ଯେମିତି ମୋ ପାଇଁ ଗୋଟେ ଜେଲ। ଭାଇ ବୁଝିପାରନ୍ତି ଓ ନିଜ ବାପାମାଙ୍କୁ ମଧ୍ୟ ବୁଝାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ବୃଥା।

ଏ ହେଉଛି ଆକ୍କାଇଙ୍କ କାହାଣୀ। ଜନ୍ମ ନାମ ଜଗଦୀଶ ଓ ଏବେ ଆକ୍କାଇ, ସେଇ ଆକ୍କାଇ ପଦ୍ମଶାଳୀ ଯିଏ ଆଜି ଚଳିତ ବର୍ଷର କର୍ଣ୍ଣାଟକ ରାଜ୍ୟ ସରକାର ତରଫରୁ ଅତ୍ୟନ୍ତ ସମ୍ମାନଜନକ ରାଜ୍ୟୋତ୍ସବ ପୁରସ୍କାର ପାଇଛନ୍ତି।

ଅନେକ ଟ୍ରାନ୍ସଜେନ୍ଡର ବା ହିଞ୍ଜଡା (ଆମ ଦେଶରେ ଯେପରି ସାଧାରଣତ କୁହାଯାଏ) ମାନଙ୍କ କାହାଣୀ ଉପରୋକ୍ତ ଠାରୁ କିଛି ବିଶେଷ କରି ଅଲଗା ହେଇନଥାଏ। କିନ୍ତୁ ଅନେକ ହଜିଯାଆନ୍ତି ଭିକମଗା ଓ ଯୌନ କାରବାରର ବଦନାମ ଦୁନିଆରେ।

ଆକ୍କାଇ ସବୁବେଳେ ରାସ୍ତାରେ ହିଞ୍ଜଡା ମାନଙ୍କୁ ଦେଖନ୍ତି, ଇଚ୍ଛା ହୁଏ ତାଙ୍କ ସଙ୍ଗେ ଯାଇ କଥା ହେବାକୁ। ଲାଗେ ଯେମିତି ସେମାନେ ହିଁ ବୁଝିପାରିବେ ତାଙ୍କ ମନର ଦ୍ଵନ୍ଦ। ଏମିତି ଦିନେ ସାହସ ଜୁଟ କରି ସେ ତାଙ୍କ ଭିତରୁ ଜଣକୁ ପଚାରିଲେ ଓ ସବୁ ମନ କଥା ଖୋଲି କହିଦେଲେ। ଉତ୍ତରରେ ପାଇଲେ – ଆମ ଭଳି ହୁଅନା। ଆମ ଭଳି ହେବାକୁ ମନ ବଳାଇଲେ ତୁମ ପାଖରେ ଭିକ ମାଗିବା ଓ ଯୌନ କାରବାର କରିବା ଛଡା ଜୀବନ ନିର୍ବାହ କରିବାର ଅନ୍ୟ ପନ୍ଥା ପାଇବ ନାହିଁ।

କିନ୍ତୁ ଆକ୍କାଇ ହିଞ୍ଜଡା ହେବାକୁ ହିଁ ନିଷ୍ପତ୍ତି ନେଲେ। ଦୁର୍ଭାଗ୍ୟବଶତ ଆଗରୁ ତାଙ୍କୁ ଯାହା କୁହାଯାଇଥିଲା, ତା ସତ ହେଲା। ସେ ମଧ୍ୟ ଟାଣି ହେଇଗଲେ ଯୌନ କାରବାରର ସେ ଦୁନିଆକୁ। ଦୀର୍ଘ ଚାରି ବର୍ଷ ଧରି ସେ ଏଇ ଭଳି ତାଙ୍କ ଜୀବନଯାପନ କଲେ। ଏହି ଚାରି ବର୍ଷ ଭିତରେ ସେ ଯେଉଁ ପ୍ରକାରର ଯୌନ ଶୋଷଣ ଓ ଯୌନ ଅତ୍ୟାଚାର ଦେଖିଲେ, ତାହା ତାଙ୍କ ଆଖି ଖୋଲିଦେଲା। ତାଙ୍କୁ ତାଙ୍କ ଜୀବନରେ ଏକ ମିଶନ ଦେଲା। ସେ ନିଷ୍ପତ୍ତି ନେଲେ ଯେ ତାଙ୍କୁ ଲଢିବାକୁ ହେବ, ନିଜ ପାଇଁ ଓ ନିଜ ଭଳି ଅନ୍ୟ ଟ୍ରାନ୍ସଜେନ୍ଡର ମାନଙ୍କ ପାଇଁ।

ସେହି ସମୟରେ ସେ ସାଙ୍ଗମା ନାମକ ଏନଜିଓରେ ଯୋଗ ଦେଲେ। ସାଙ୍ଗମା ଯୌନଗତ ସଂଖ୍ୟାଲଘୁ ସଂପ୍ରଦାୟ ମାନଙ୍କ ପାଇଁ କାମ କରେ। ସାଙ୍ଗମା ସହ କାମ କରି ସେ ବୁଝିପାରିଲେ ତାଙ୍କ ପରି ସଂଖ୍ୟାଲଘୁ ସମ୍ପ୍ରଦାୟର ସମସ୍ୟା ଗୁଡିକ ବିଷୟରେ ନେତୃବୃନ୍ଦ ଓ ଆଇନବିତ ମାନେ ଜାଣିବା କେତେ ଗୁରୁତ୍ତ୍ଵପୂର୍ଣ୍ଣ।

ଆକ୍କାଇ ହାଇସ୍କୁଲ ଠାରୁ ଅଧିକ ପାଠ ପଢିନାହାନ୍ତି। କିନ୍ତୁ ଇଂରାଜୀରେ ବେଶ ଭଲ ଭାବେ କଥାବାର୍ତ୍ତା କରିପାରନ୍ତି। ସୁପ୍ରୀମ କୋର୍ଟର ମୁଖ୍ୟ ନ୍ୟାୟାଧୀଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ତାଙ୍କୁ ଭାରତର ରାଷ୍ଟ୍ରପତି ନିମନ୍ତ୍ରଣ କରିଥିଲେ। ଅକ୍ଟୋବର ୨୦୧୪ରେ ଟୋକିଓ ଠାରେ ହେଇଥିବା ଏକ ସମ୍ମିଳନୀରେ ଯୌନଗତ ସଂଖ୍ୟାଲଘୁ ସମ୍ପ୍ରଦାୟର ଆଇନଗତ ଅଧିକାର ସମ୍ପର୍କରେ କହିବା ପାଇଁ ତାଙ୍କୁ ଆନ୍ତର୍ଜାତୀୟ ବାର ଏସୋଶିୟେଶନ ନିମନ୍ତ୍ରଣ କରିଥିଲା।

ସୁପ୍ରୀମ କୋର୍ଟ ଟ୍ରାନ୍ସଜେନ୍ଡରଙ୍କୁ ତୃତୀୟ ଲିଙ୍ଗ ଭାବେ ସ୍ଵୀକାର କରିବା ପରେ ସେ ହେଉଛନ୍ତି ହେଉଛନ୍ତି ପ୍ରଥମ ଟ୍ରାନ୍ସଜେନ୍ଡର ଯିଏକି ତାଙ୍କର ଡ୍ରାଇଭିଂ ଲାଇସେନ୍ସ ମହିଳା ଭାବେ ପାଇଥିଲେ।

“ଟ୍ରାନ୍ସଜେନ୍ଡର ହେଇ ଜୀବନ କାଟିବା ଖୁବ କଷ୍ଟ। ଲୋକେ ଆପଣଙ୍କ ଉପରେ ହସିବେ। ଆପଣ ସାଧାରଣ ପରିବହନର ସୁବିଧା ନେଇପାରିବେ ନାହିଁ। ବସରେ ଉଠିବାକୁ ଲୋକେ ରୋକିବେ। ସୁଲଭ ଶୌଚାଳୟ ରେ ମଧ୍ୟ ଆପଣଙ୍କ ପ୍ରବେଶ ନିଷେଧ। ଅଫିସ କାମ କରିବା ତ ଦୂରର କଥା। କିନ୍ତୁ ଏବେ ଧୀରେ ଧୀରେ ସବୁକିଛି ବଦଳୁଛି,” କୁହନ୍ତି ଆକ୍କାଇ।

୩୦ବର୍ଷୀୟ ଆକ୍କାଇଙ୍କର ଏଲଜିବିଟି ଅଧିକାର ଓ ଦାବୀ ପାଇଁ ନିରନ୍ତର ଲଢେଇକୁ ଦେଖି କର୍ଣ୍ଣାଟକ ସରକାର ତାଙ୍କୁ ଖୁବ ସମ୍ମାନଜନକ ରଜ୍ୟୋତ୍ସବ ପୁରସ୍କାରରେ ସମ୍ମାନିତକରିଛନ୍ତି। ରାଜ୍ୟର କନ୍ନଡ ଓ ସଂସ୍କୃତି ମନ୍ତ୍ରୀ; ଉମାଶ୍ରୀ NDTVକୁ ଏକ ବକ୍ତବ୍ୟରେ କହିଛନ୍ତି, “ଟ୍ରାନ୍ସଜେନ୍ଡର, ଯେଉଁମାନେକି ମୁଖ୍ୟସ୍ରୋତକୁ ଆସିବା ପାଇଁ ଲଢେଇ କରୁଛନ୍ତି ଓ ଏକ ଭଲ ଜୀବନ ଜିଇଁବାକୁ ପ୍ରୟାସ କରୁଛନ୍ତି, ମୁ ଭାବୁଛି ଆମ ଦେଶରେ ଏଇଟା ପ୍ରଥମ ବର୍ଷ ଯେବେକୀ ଆମେ ତାଙ୍କ କାମକୁ ଚିହ୍ନି ତାଙ୍କୁ ପୁରସ୍କୃତ କରିଛୁ"

Related Stories