ଗାଁ ମହିଳାଙ୍କ ଅଭିନବ ପ୍ରକଳ୍ପ : ଅଭାବ ସମୟରେ ଗରିବଙ୍କ ଦୁଃଖ ମେଣ୍ଟାଉଛି ‘ଗହମ ବ୍ୟାଙ୍କ’

ଗାଁ ମହିଳାଙ୍କ ଅଭିନବ ପ୍ରକଳ୍ପ : ଅଭାବ ସମୟରେ ଗରିବଙ୍କ ଦୁଃଖ ମେଣ୍ଟାଉଛି ‘ଗହମ ବ୍ୟାଙ୍କ’

Monday December 28, 2015,

3 min Read

କାନପୁର ଗ୍ରାମାଂଚଳରେ ମହିଳା ପ୍ରତିଷ୍ଠା କରିଛନ୍ତି ଗହମ ବ୍ୟାଙ୍କ୍

• ମହିଳାମାନଙ୍କୁ କରଜ ଦିଆଯାଏ ଗହମ

ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ନିଜର ଜନଧନ ଯୋଜନା ଆରମ୍ଭ କଲେ, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଗ୍ରାମାଂଚଳରେ ରହୁଥିବା ସମସ୍ତ ଲୋକଙ୍କର ବ୍ୟାଙ୍କ ଖାତା ଖୋଲୁ ଓ ସମସ୍ତେ ବ୍ୟାଙ୍କରେ ପଇସା ରଖନ୍ତୁ | କାରଣ ସରଳ ଗାଁ ଲୋକେ ବ୍ୟାଙ୍କ ବିଷୟରେ ଅଧିକ ଜାଣିନଥାନ୍ତି | ତେଣୁ ବ୍ୟାଙ୍କରେ ପଇସା ରଖିଲେ, ନିଜର ଜରୁରୀ ସମୟରେ ସେମାନେ ଏହାକୁ କାମରେ ଲଗାଇପାରିବେ | ଏହା ଯୋଜନା ଅନ୍ତର୍ଗତ କୋଟି କୋଟି ଲୋକ ନିଜର ବ୍ୟାଙ୍କ ଖାତା ଖୋଲିଲେ ଓ ପଇସା ମଧ୍ୟ ଜମା କଲେ | କିନ୍ତୁ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ପୂର୍ବରୁ ଏମିତି କିଛି କାମ କରି ଦେଖାଇଛନ୍ତି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ |

image


ଏଠାରେ ଆପଣଙ୍କୁ ଆମେ କହିବାକୁ ଯାଉଛୁ ଉତ୍ତରପ୍ରଦେଶ କାନପୁର ଅଂଚଳର କିଛି ମହିଳାଙ୍କ କଥା | ଯେଉଁମାନେ ଏକ ନୂଆ ଭାବନାକୁ ରୂପାୟନ ଦେଲେ ଓ ମହିଳାମାନଙ୍କୁ ଆତ୍ମନିର୍ଭର କଲେ | ଭିଖମପୁର ଗାଁର ଏହି ମହିଳାମାନେ ଏମିତି ଏକ ବ୍ୟାଙ୍କ ପ୍ରତିଷ୍ଠା କଲେ, ଯେ କେହି ଶୁଣିଲେ ଚକିତ ହେବ | କାରଣ ଏମିତି ଏକ ବ୍ୟାଙ୍କ୍‌ ଆଗରୁ କେଉଁଠି ନଥିଲା | କିମ୍ବା ଏହି ବ୍ୟାଙ୍କ୍ ରେ ଟଙ୍କା ନେଣଦେଣ ହେଉନାହିଁ | ଏହା ହେଉଛି ଗହମ ବ୍ୟାଙ୍କ୍ ! ହଁ, ଆପଣଙ୍କୁ ଅଡୁଆ ଲାଗିପାରେ | ଏହି ବ୍ୟାଙ୍କରେ ଗାଁର ସବୁ ମହିଳା ନିଜ ନିଜ ଗହମ ଜମା କରନ୍ତି | ଏହି ଗହମକୁ ଠିକ୍ ଭାବରେ ରଖିବା କାମ ଗହମ ବ୍ୟାଙ୍କ୍ କରେ | ଏହି ବ୍ୟାଙ୍କ୍ ଗାଁର ଅଭାବୀ ଲୋକଙ୍କୁ ଗହମ କରଜରେ ଦେଇଥାଏ | କିନ୍ତୁ ଏହି କରଜରେ କୌଣସି ସୁଧ ନ ଥାଏ | ନିଜ ପାଖରେ ଗହମ ଉପଲବ୍ଧ ହେବା ପରେ କରଜ ନେଇଥିବା ମହିଳା ସମାନ ପରିମାଣର ଗହମ ଆଣି ଏହି ବ୍ୟାଙ୍କରେ ଜମା କରାଏ |

image


ଶସ୍ୟ ବ୍ୟାଙ୍କ୍ ଆରମ୍ଭ କରିଥିବା ରଶ୍ମୀ ୟୋର ଷ୍ଟୋରୀକୁ କହନ୍ତି,

“ତିନି ବର୍ଷ ପୂର୍ବେ ଆମ ଗାଁରେ ମରୁଡି ପଡିଥିଲା | ଯେଉଁଥିରେ ଅନେକ ପରିବାର ଖାଇବାକୁ ନ ପାଇ ବହୁ ହଇରାଣ ହୋଇଥିଲେ | ସେତିକିବେଳେ ଆମେ କିଛି ମହିଳାମାନେ ମିଶି ଗହମ ବ୍ୟାଙ୍କ୍ ଆରମ୍ଭ କଲୁ | ପ୍ରଥମେ ସମସ୍ତେ ଗହମ ଜମା କଲେ | ଏହାର ନାମ ଦିଆଯାଇଥିଲା ‘ପୂଜା ଗ୍ରେନ୍ ବ୍ୟାଙ୍କ’ | ଏହି ବ୍ୟାଙ୍କ ଅଭାବୀ ମହିଳାମାନଙ୍କୁ ଗହମ କରଜ ଦେଲା | ଫସଲ ହେବା ପରେ ସେମାନେ ଗହମ ଫେରାଇ ଦେଇଥିଲେ | ଏହା ପରେ ଆମ ବ୍ୟାଙ୍କ୍‌ ଏମିତି ସଫଳ ହୋଇଥିଲା ଯେ ଆଜି ୨୦ଟି ଗାଁରେ ଏହା ଚାଲିଛି |”
image


ଏହି ବ୍ୟାଙ୍କ୍‌ ର ବିଶେଷତ୍ୱ ହେଉଛି ଗହମ କରଜ ନେଉଥିବା ସବୁ ମହିଳା ଠିକ୍ ସମୟରେ ଗହମ ଫେରାନ୍ତି | କାରଣ ସେମାନେ ଅନୁଭବ କରିଛନ୍ତି ଯେ ଏହି ଗହମ ପୁଣି ଆଉ କାହାର ଆବଶ୍ୟକତା ମେଂଟାଇବ | ଆଉ ସବୁଠୁ ବଡ କଥା ହେଉଛି, ଏହି ମହିଳାମାନେ ଏଥିପାଇଁ କୌଣସି ସରକାରୀ ସହାୟତା କିମ୍ବା କୌଣସି ବେପାରୀଙ୍କ ସହଯୋଗ ଆଣି ନଥାନ୍ତି କିମ୍ବା ଏହାକୁ ଜରୁରୀ ବୋଲି ମଧ୍ୟ ଭାବି ନାହାନ୍ତି | କାରଣ ସେମାନେ ନିଜ ଉଦ୍ୟମରେ ଏହାକୁ ସଫଳତାର ସହ ଚଳାଇପାରିଛନ୍ତି | ଏଭଳିକି ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି |

ଗାଁର ଜଣେ ମହିଳା ବିମଳା କହନ୍ତି,

“ମୋର ପୁଅର ଜନ୍ମ ଦିନ ଥିଲା | ଘରେ ଗହମ ନଥିଲା | ମୁଁ ବ୍ୟାଙ୍କରୁ ଗହମ କରଜ ନେଲି | ଏଥିପାଇଁ ସୁଧ ଦେବାକୁ ପଡେ ନାହିଁ | କିନ୍ତୁ ଯେତେବେଳେ ଫସଲ ଅମଳ ହେଲା ମୁଁ ନେଇଥିବା ଗହମ ଠାରୁ କିଛି ଅଧିକ ଗହମ ବ୍ୟାଙ୍କକୁ ଫେରାଇଦେଲି |”

ଏହି ମହିଳାଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ତାଳମେଳ ଠିକ୍ ରହୁଛି | ପରସ୍ପରକୁ ସାହାଯ୍ୟ କରିବାକୁ ସମସ୍ତେ ଚାହୁଁଛନ୍ତି | ସେଥିପାଇଁ କୌଣସି ବିବାଦ ଏମାନଙ୍କ ମଧ୍ୟରେ ନାହିଁ | ବ୍ୟାଙ୍କରୁ ଗହମ ନେଉଥିବା ମହିଳାମାନଙ୍କ ପାଇଁ ସୁଧ ବ୍ୟବସ୍ଥା ନଥିବାରୁ ସେମାନେ ଫେରାଇବା ବେଳେ ନିଜ ମନକୁ ମନ ଅଧିକ ଗହମ ଫେରାଉଛନ୍ତି | ଯାହା ବ୍ୟାଙ୍କ ପାଇଁ ଫାଇଦା ଆଣି ଦେଉଛି | ଆଉ ଏହାକୁ ପରିଚାଳନା କରୁଥିବା ମହିଳାମାନେ ଏଥିରୁ କିଛି ଉପାର୍ଜନ କରିପାରୁଛନ୍ତି | ତେବେ ଏହା ପଛରେ ଗୋଟିଏ ମହତ୍ୱ ଉଦ୍ୟମ ହେଉଛି, ସମସ୍ତଙ୍କ ଘରେ ଚୁଲି ଜଳୁ, କେହି ଭୋକରେ ନ ରହୁ | ଗାଁ ମହିଳାମାନେ ଏହା ହୁଏତ ଅଜାଣତରେ କରୁଥାଇ ପାରନ୍ତି, ଯାହା ସରକାର କରୁଛି ବା କରିବା କଥା | ତେଣୁ ତ କୁହାଯାଇଛି, ମହିଳାମାନ କିଛି ଗୋଟେ କରିବାକୁ ଆଗଭର ହେଲା ମାତ୍ରେ ଏହାକୁ ସଫଳ କରିବା ନିଶ୍ଟୟ | ଆଉ ଏହାର ଉପଯୁକ୍ତ ଉଦାହରଣ ହେଉଛି ଗହମ ବ୍ୟାଙ୍କ୍‌ |

ମୂଳ ଲେଖା - ବିଜୟ ପ୍ରତାପ ସିଂ

ଭାଷାନ୍ତର - ଅଖଣ୍ଡ