ତୃତୀୟ ଲିଙ୍ଗର ଅଧିକାର ପାଇଁ ଲଢ଼ୁଥିବା କାଲକୀଙ୍କ କାହାଣୀ

ତୃତୀୟ ଲିଙ୍ଗର ଅଧିକାର ପାଇଁ ଲଢ଼ୁଥିବା କାଲକୀଙ୍କ କାହାଣୀ

Saturday November 28, 2015,

4 min Read

ଆମେ ବର୍ତ୍ତମାନ ଜଣେ ଏପରି ନାରୀଙ୍କ ବିଷୟରେ କଥା ହେବାକୁ ଯାଉଛନ୍ତି ଯେ କି ଏକାଧାରରେ ଜଣେ ଅଭିନେତ୍ରୀ, ଲେଖିକା, ଜଣେ ତୃତୀୟଲିଙ୍ଗ ଆନ୍ଦୋଳନର ନେତ୍ରୀ ଏବଂ ଶିଳ୍ପଦ୍ୟୋଗୀ । କାଲକୀ ସୁବ୍ରମଣିଅମ ଜଣେ ବହୁ ପ୍ରତିଭାସମ୍ପନ୍ନ ନାରୀ । ସେ ସମାଜରୁ ଲିଙ୍ଗଗତ ବିଷମତା ଦୂରକରିବାକୁ ଓ ତୃତୀୟ ଲିଙ୍ଗର ଅଧିକାର ନେଇ କାର୍ଯ୍ୟ କରୁଛନ୍ତି। ସେ ନିଜକୁ ଜଣେ ଅତ୍ୟାଧୁନିକ ନାରୀର ପରିଚୟ ଦେବାକୁ ଚାହୁଁଥିଲେ ବି ତାଙ୍କର ହୃଦୟ ତାଙ୍କ ଗ୍ରାମୀଣ ନାରୀ ସୁଲଭତାକୁ ଛାଡିବାକୁ ନାରାଜ । ସେ ଜଣେ କଳାକାର ହୋଇ ଜଣେ ସଫଳ ଉଦ୍ୟୋଗୀ ହେବାକୁ ଉଦ୍ୟମରତା । ସେ ଜଣେ ଭଲ କବୟତ୍ରୀ ହେଲେ ରୋଷେଇରେ ଏତେ ଭଲ ନୁହେଁ । ତାଙ୍କ ଭିତରେ ଜଣେ ରାଗୀ ମହିଳାଙ୍କୁ ଦେଖିବାକୁ ମିଳେ ଯେ କି ଅନେକ ସମୟରେ ଅନ୍ୟମନସ୍କା ହୋଇ ନିଜ ମୁଣ୍ଡରେ ଲଗାଇଥିବା ଚଷମାକୁ ଖୋଜିବାରେ ବ୍ୟସ୍ତଥାଆନ୍ତି ।

image


୧୬ ବର୍ଷ ବୟସର ନିଜର ଲିଙ୍ଗଗତ ପରିଚୟକୁ ନେଇ ବିଚଳିତ ଥିବା ଜଣେ ବାଳକ ସେବେଠୁ ଆଜିଯାଏ ଏକ ଦୀର୍ଘପଥ ଅତିକ୍ରମ କରିଛନ୍ତି । କଠିନ ସମୟରେ ଗରୁତ୍ୱପୂର୍ଣ୍ଣ ନିଷ୍ପତି ନେବାରେ ତାଙ୍କର ସକରାତ୍ମକ ଭାବନା ଓ ଆତ୍ମବିଶ୍ୱାସ ତାଙ୍କୁ ଏତେ ସଫଳତା ଆଣିଦେଇଛି । ସେ ଲୋକଙ୍କୁ କୁହନ୍ତି ଯଦି ଜଣେ ବିଚଳିତ ଛୋଟ ବାଳକ ଏକ ହିରୋଇନ ହୋଇପାରେ ତେବେ ଦୁନିଆରେ ସବୁକିଛି ସମ୍ଭବ, ସେଠିପାଇଁ କେବଳ ନିଜ ଭିତରେ ମନୋବଳ, ସାହସ ଓ ଆତ୍ମବିଶ୍ୱାସର ଆବଶ୍ୟକତା ରହିଛି ।

ତୃତୀୟଲିଙ୍ଗ ପ୍ରତି ସମାଜରେ ଥିବା ନକରାତ୍ମକ ଭାବନାକୁ ଦୂର କରି ବିଶ୍ୱରେ ସେମାନଙ୍କୁ ଏକ ପରିଚୟ ଦେବା ସହ ତୃତୀୟଲିଙ୍ଗ ହେବାରେ କିଛି ଲଜ୍ଜ୍ୟାବୋଧ କରିବାର ନାହିଁ, ଏହି ଭାବନାକୁ ଜନମାନସରେ ସ୍ଥାପନ କରିବାକୁ ସେ ଏକ ବଡ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି । ସେ କୁହନ୍ତି, ଅନ୍ୟମାନଙ୍କ ପରି ଆମେ ମଧ୍ୟ ଆମର ଦେଶ ଓ ରହୁଥିବା ସମାଜ ପାଇଁ ସକରାତ୍ମକ କାର୍ଯ୍ୟ କରିପାରିବୁ ।

image


ଆଜିର ଦିନରେ ସେ ଆସି ଯେଉଁଠାରେ ପହଞ୍ଚିଛନ୍ତି ସେଠିପାଇଁ କାଲକୀଙ୍କୁ ଅନେକ ସଙ୍ଘର୍ଷ କରିବାକୁ ପଡିଛି । ୧୬ ବର୍ଷ ହେବାବେଳକୁ ପ୍ରଥମେ ସେ ନିଜର ଶାରିରୀକ ଗଠନ ନେଇ ନିଜର ଲିଙ୍ଗଗତ ପରିଚୟ ଓ ସାମାଜିକ ମାନସିକତାରୁ ମିଳୁଥିବା ପରିଚୟ ନେଇ ବିଚଳିତ ଥିଲେ । ବିଦ୍ୟାଳୟରେ ସେ ଜଣେ ନାରୀର ଗୁଣ ଓ ଶାରିରୀକ ସାମଞ୍ଜସ୍ୟ ନେଇ ବାଳକ ଛାତ୍ର ହିସାବରେ ପାଠପଢ଼ୁଥିଲେ, ଯାହାକି ତାଙ୍କ ଜୀବନର ସବୁଠୁ ଜଟିଳ ସମୟଥିଲା ବୋଲି ସେ କୁହନ୍ତି ।

ଏହି ବଢ଼ୁଥିବା ଯୁବ ବାଳକଟିର ସମ୍ପୁର୍ଣ୍ଣ ଶାରିରୀକ ବିକାଶ ଘଟିବାପରେ ଏହିପରି ରହିବ ନାହିଁ , ଏନେଇ ପାଖ ସମାଜରେ ଚର୍ଚ୍ଚା ଚାଲୁଥିଲା । ଏ ନେଇ ସେ ଅତ୍ୟନ୍ତ ଶଙ୍କା ମଧ୍ୟରେ ଗତିକରୁଥିଲେ । ତାଙ୍କୁ ତାଙ୍କ ପରିବାର ଗ୍ରହଣ କରିବ ନା ନାହିଁ ଏବଂ ତାଙ୍କର ପ୍ରକୃତ ପରିଚୟ ମିଳିବା ପରେ ପରିବାରର ତାଙ୍କ ପ୍ରତି କିପରି ଭାବନା ରହିବ, ଏ ସବୁ ଭାବନା ଅନେକ ସମୟରେ ତାଙ୍କୁ ଆତ୍ମହତ୍ୟା କଥା ଚିନ୍ତା କରିବାକୁ ବାଧ୍ୟ କରୁଥିଲା, ଯଦିଓ ସେ କେବେ ବି ଉଦ୍ୟମ କରିନଥିଲେ ।

ଦିନେ ସେ ସାହସ କରି ନିଜର ଲିଙ୍ଗଗତ ପରିଚୟ ତାଙ୍କର ପିତାମାତାଙ୍କୁ ଜଣାଇଲେ । ସେ କୁହନ୍ତି ଏହା ଶୁଣି ମୋ ପିତାମାତା ଅତ୍ୟନ୍ତ ଭାଙ୍ଗିପଡିଲେ ଓ ମୋର ଭବିଷ୍ୟତକୁ ନେଇ ଭୟଭୀତ ହୋଇପଡିଲେ । ମୁଁ ସେମାନଙ୍କୁ ଦୁଖରେ କାନ୍ଦିବାର ଦେଖି ସେମାନଙ୍କୁ ଭାଙ୍ଗି ନପଡିବାକୁ ବୁଝାଇବା ସହିତ ସହଯୋଗ କଲେ ମୁଁ ସେମାନଙ୍କୁ ଗର୍ବିତ କରିବି ବୋଲି କଥା ଦେଲି । ଏଥି ପାଇଁ ବହୁତ ପରିଶ୍ରମ କରିବାକୁ ପଡିଲା କିନ୍ତୁ ଶେଷ ଯାଏ ମୁଁ ଏଥିରୁ ହଟିଲି ନାହିଁ ବୋଲି ସେ କୁହନ୍ତି ।

କାଲକୀଙ୍କର ସଫଳତାର ଯାତ୍ରା ବହୁ ଲମ୍ବା । ତାଙ୍କୁ ତାଙ୍କର ଜଣେ ବନ୍ଧୁ ଯେ କି ଜଣେ କଳାକାର ତାଙ୍କର କାରିଗରୀ ଦ୍ରବ୍ୟ, ମୁଖ୍ୟତ ସଙ୍ଗୀତ ସରଞ୍ଜାମ ପ୍ରମୋଶନ କରିବାକୁ କହିଲେ । ସେ ତାଙ୍କ ବ୍ୟବସାୟରେ ନିବେଶ କରି ବିକ୍ରି କରିବା ଆରମ୍ଭକଲେ ଓ ଏଥିରୁ ବ୍ରାଣ୍ଡ କାଲକି ଏଣ୍ଟରପ୍ରାଇଜେସ୍ ଜନ୍ମ ନେଲା । ମୁଁ ଏଥିରୁ ରୋଜଗାର କରିବା ଆରମ୍ଭ କଲି ଏବଂ ଏହାର ଲାଭ ମୋତେ ବହୁତ ଉତ୍ସାହିତ କଲା । ଆଜିର ଦିନରେ ଆମେ ଭଲ ବ୍ୟବସାୟ କରୁଛୁ ଏବଂ ମୋର ସାଙ୍ଗ ସ୍ୱାଧୀନ ଭାବରେ ଦେଶସାରା ବୁଲି ତାର ବ୍ୟବସାୟ ବୃଦ୍ଧି କରିବାରେ ଲାଗିଛି ବୋଲି ସେ କୁହନ୍ତି ।

ଖୁବ ଶୀଘ୍ର ସେ କାଲକୀ ଅଗ୍ରାନିକସ୍ ଅଫରିଙ୍ଗ୍ ପିଓର ନାମରେ ଏକ ନୁଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପରିବେଶ ଉପଯୋଗୀ ବିନା କେମିକାଲରେ ପ୍ରସ୍ତୁତ ସାବୁନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପଯୋଗୀ ଦ୍ରବ୍ୟ ପ୍ରସ୍ତୁତ କରିବ ।

ତାଙ୍କର ସଫଳତାର କାହାଣୀ ଏତିକିରେ ସୀମିତ ନୁହେଁ । ସେ ଉଭୟ ଇଂରାଜୀ ଓ ତାମିଲରେ ଭଲ ଲେଖନ୍ତି ମଧ୍ୟ। ବିଗତ ୧୦ ବର୍ଷ ଧରି ସେ ତୃତୀୟ ଲିଙ୍ଗ ଉପରେ ଲେଖି ଆସୁଛନ୍ତି । ସେ କବିତାକୁ ବହୁତ ଭଲପାଆନ୍ତି ଓ ନିକଟରେ ‘କୁରି ଅରୁଥିଆନ’ ତାଙ୍କର ଏକ କବିତା ସଙ୍କଳନ ତାମିଲ ଭାଷାରେ ଉନ୍ମୋଚିତ ହୋଇଛି । ଏଥିରେ ସେ ତାଙ୍କ ପରି ଲିଙ୍ଗଗତ ପରିଚୟ ପାଇ ସମ୍ମାନର ଜୀବନ ବିତାଇବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ କଥା ବର୍ଣ୍ଣନା କରିଛନ୍ତି ।

ଭାରତରେ ତୃତୀୟ ଲିଙ୍ଗ ନିଜର ସାମାଜିକ ପରିଚୟ, ଜୀବନର ମୌଳିକ ଆବଶ୍ୟକତା ଓ ସମ୍ମାନ ପାଇଁ ସଙ୍ଘର୍ଷ ଚଳାଇଛି । ସେ କୁହନ୍ତି ଆମମାନଙ୍କ ମଧ୍ୟରୁ ଅଧିକାଂଶ ପରିବାର ଦ୍ୱରା ପରିତ୍ୟକ୍ତା । ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଭଲ ଘର ଖଣ୍ଡେ ନଥାଇ ଏକ ଅନ୍ଧକାର ଭବିଷ୍ୟତ ନେଇ ଗତି କରୁଛନ୍ତି । ଏଥିପାଇଁ କାଲକି ସଂଗ୍ରାମ ଚଳାଇବା ସହ ଏମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରୁଥିବା ସହୋଦରୀ ଫାଉଣ୍ଡେସନ ସହ ସହଯୋଗୀଭାବେ କାର୍ଯ୍ୟ କରୁଛନ୍ତି ।

in the movie Narthaki

in the movie Narthaki


୨୦୦୯ରେ ସେ ନିଜ ଲିଙ୍ଗର ଲୋକମାନଙ୍କ ବିବାହ ପାଇଁ ଏକ ବିବାହ ୱେବସାଇଟ ଖୋଲିଛନ୍ତି । ତାମିଲ ଚଳଚ୍ଚିତ୍ର ନର୍ତ୍ତକୀ ରେ ସେ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ଯାହାକି ତୃତୀୟ ଲିଙ୍ଗ ଲୋକମାନଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଏହା ବିଭିନ୍ନ ମହଲରୁ ଦର୍ଶକୀୟ ଆଦୃତି ଲାଭ କରିବା ସହ ସମୀକ୍ଷକମାନଙ୍କୁ ଆକୃଷ୍ଟ କରିଥିଲା ।

କାଲକୀ ତାଙ୍କର ପରିବାର ଓ ବନ୍ଧୁ ମାନଙ୍କଠାରୁ ଅନେକ ଶକ୍ତି ପାଇଛନ୍ତି। ସେ ଆଜି ଯାଏଁ ସାହସ ଓ ଧୈର୍ଯ୍ୟର ସହ ସମସ୍ତ ପରିସ୍ଥିତିର ସାମ୍ନା କରିଛନ୍ତି ଓ କେବେ ମଧ୍ୟ ଭାଗ୍ୟ ଉପରେ କୌଣସି ଦୋଷ ଲଦି ଦେଇନାହାନ୍ତି। "ମୁଁ ବିଶ୍ଵାସ କରେ ଯେ ଆପଣଙ୍କୁ ନିଜେ ଦମ୍ଭ ଧରି ପରିସ୍ଥିତି ବଦଳାଇବାକୁ ପ୍ରୟାସ କରିବା ଉଚିତ। ଅସଫଳତା ନୁହେଁ ବରଂ ହାରିଯିବାର ଭୟ ହିନ ଦୁଃଖ ଓ ହତାଶା ଆଣେ। ମୋ ପାଇଁ ମୋର ପରିବାରର ଭଲପାଇବା ଓ ସ୍ଵୀକାରୋକ୍ତି ମୋର ସବୁଠାରୁ ବଡ ଶକ୍ତି ଓ ମୋତେ ଆଜି ଯାଏଁ ବଞ୍ଚାଇ ରଖିଛି।"

ମୂଳ ଲେଖା - ତନବୀ ଦୁବେ

ଭାଷାନ୍ତର - ସୌରଭ ପରିଡ଼ା

    Share on
    close