ଝିଅଙ୍କୁ ଫୋନ କରି ହଇରାଣ କରୁଥିବା ପ୍ରେମିକଙ୍କୁ ଫେରନ୍ତା ଫୋନ ଯାଉଛି ପୋଲିସ ଠାରୁ, ୧୦୯୦କୁ ଧନ୍ୟବାଦ

0

ଫୋନ ରିଚାର୍ଜ କରିବାକୁ ଗଲାବେଳେ ଆପଣ ନିଜ ଫୋନ ନମ୍ବର ଦୋକାନୀକୁ ଦେଉଛନ୍ତି। ତା’ପରେ ଦୋକାନୀ ସେ ନମ୍ବରକୁ ନେଇ କଣ କରୁଛି କେବେ ଭବିଛନ୍ତି? ଉତ୍ତର ପ୍ରଦେଶର କିଛି ଭାଗରେ ଏହିପରି ଭାବେ ମହିଳା ମାନଙ୍କର ଫୋନ ନମ୍ବର ବିକ୍ରୀ କରିବା ଏକ ନୂଆଁ ବ୍ୟବସାୟ ହେଲାଣି। ଶୁଣିବାକୁ ଅଡୁଆ ଲାଗୁଥାଇପାରେ କିନ୍ତୁ ଏହା ସତ। ଝିଅ ମାନଙ୍କର ରୂପକୁ ନେଇ ତାଙ୍କ ନମ୍ବରର ଦାମ ସ୍ଥିର କରାଯାଉଛି ଏବଂ କ୍ରେତା ପୁରୁଷ ମାନେ ଏହି ଝିଅ ମାନଙ୍କୁ ଫୋନ କରି ହଇରାଣ କରୁଛନ୍ତି। ଝିଅ ସ୍ଵର ଶୁଣିବାକୁ ନପାଇଲା ପର୍ଯ୍ୟନ୍ତ ମନଇଛା ଏଣୁତେଣୁ ନମ୍ବର ଲଗେଇ ଚାଲିବା କିଛି ବଦମାସ ଶ୍ରେଣୀର ଲୋକଙ୍କର ପୁରୁଣା ଅଭ୍ଯାସ ଯାହା ଅନେକ କାଳୁ ଚାଲିଆସୁଛି। ରିଚାର୍ଜ କାଉଣ୍ଟର ଗୁଡ଼ିକ ଏପରି ଲୋକଙ୍କୁ ଝିଅଙ୍କ ନମ୍ବର ସନ୍ଧାନରେ ଆଉ ସମୟ ନଷ୍ଟ ନକରି ସିଧା ବଛା ବଛା ନମ୍ବର ଯୋଗାଇଦେଉଛନ୍ତି।

Source: Review Mantra
Source: Review Mantra

ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହି ରାକେଟକୁ ଧରା ପକାଇବା ପାଇଁ ନୂଆଁ କରି ୧୦୯୦ ହେଲ୍ପଲାଇନ ଆରମ୍ଭ କରିଛନ୍ତି। ଏହାର ଆରମ୍ଭ ହେବା ମାତ୍ରେ ଏପରି ହଇରାଣ କରୁଥିବା କଲର ଶିକାର ହେଇଥିବା ଅନେକ ଯୁବତୀଙ୍କର କଲ ର ସୁଅ ଛୁଟିଆସିଲା ଏହି ହେଲ୍ପଲାଇନକୁ। ଏହି ରାକେଟ ଗୁଡ଼ିକ ତାଙ୍କର ଗ୍ରାହକଙ୍କ ନାମ ପରିଚୟ ଗୋପନ ରଖିଥାନ୍ତି। ଏହି ରିଚାର୍ଜ କାଉଣ୍ଟର ଗୁଡ଼ିକ ଅତିରିକ୍ତ ସିମ କାର୍ଡ କିଛି ରଖିଥାନ୍ତି ଯାହାକୁ କି ଏପରି ଗ୍ରାହକମାନଙ୍କୁ ଜାଲି ପରିଚୟପତ୍ର ନେଇ ବିକ୍ରି କରିଥାନ୍ତି। ଏହାର ଶିକାର ଝିଅ ମାନେ ଏସବୁ କାରସାଦିରୁ ଅଜଣା ନିଜର ଫୋନ ରିଚାର୍ଜ କରିବା ପାଇଁ ଏହି କାଉଣ୍ଟର ଗୁଡ଼ିକୁ ଆସିଥାନ୍ତି। ‘ସାଧାରଣ ରୂପ’ର ଝିଅଙ୍କ ନମ୍ବର ୫୦ ଟଙ୍କା ପ୍ରତି ନମ୍ବର ହିସାବରେ ବିକ୍ରି ହେଉଥିବା ବେଳେ ‘ସୁନ୍ଦରୀ’ ଝିଅଙ୍କ ନମ୍ବର ୫୦୦ ଟଙ୍କା ଯାଏଁ ବିକ୍ରି ହେଉଛି। ପ୍ରଥମେ ଏହି ଲୋକମାନେ ତାଙ୍କର ବନ୍ଧୁତା ସ୍ଵୀକାର କରିବା ପାଇଁ ଅନୁରୋଧ ନେଇ ଝିଅ ମାନଙ୍କୁ କଲ କରିଥାନ୍ତି। ନଭେମ୍ବର ୨୦୧୨ ରୁ ଜାନୁୟାରୀ ୨୦୧୭ ଭିତରେ ପ୍ରାୟ ୬ ଲକ୍ଷ ଅଭିଯୋଗ ରେଜିଷ୍ଟର ହେଇସାରିଛି। ୯୫% ରୁ ଅଧିକ ଅଭିଯୋଗର ସମାଧାନ ହେଇସାରିଛି।

ଏପରି ଜଣେ ପୁରୁଷ ଗ୍ରାହକ, ୨୪ ବର୍ଷୀୟ ମହମ୍ମଦ Hindustan Times ସହ କଥାହେଇ ସେ କିପରି ଭାବେ ଯୁବତୀ ମାନଙ୍କର ନମ୍ବର ପାଆନ୍ତି ଓ ସେମାନଙ୍କୁ ବନ୍ଧୁତାର ଅନୁରୋଧ ପଠାନ୍ତି ସେ ବିଷୟରେ ବର୍ଣ୍ଣନା କରିଛନ୍ତି।

ଦୁଇ ତିନିଟି ରିଚାର୍ଜ କାଉଣ୍ଟର ଅଛି ଯେଉଁଠାରେ ଝିଅ ମାନଙ୍କର ନମ୍ବର ମିଳେ। ଏମିତି ଗୋଟେ କାଉଣ୍ଟର ଅଛି ଯେଉଁଠାରୁ ମୁଁ ଓ ମୋ ସାଙ୍ଗ ମାନେ ୩୦ ଟଙ୍କା ଲେଖାଏଁ ଗୋଟିଏ ନମ୍ବର କିଣୁ। ସେ କାଉଣ୍ଟରରେ ବାପ ପୁଅ ବସନ୍ତି। ପୁଅ ଥିବା ସମୟରେ ଆମେ ଯାଇ ନମ୍ବର କିଣିଥାଉ।

୨୦୧୨ରେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମ୍ମୁଖରେ ଜଣେ ମହିଳା ଏପରି ଏକ ସମସ୍ଯା ନେଇ ଯାଇଥିଲେ। ସେଠାରୁ ଆରମ୍ଭ ହେଇଥିଲା ୧୦୯୦ ହେଲ୍ପଲାଇନର ପରିକଳ୍ପନା। ଏହାପରେ ଇନ୍ସପେକ୍ଟର ଜେନେରାଲ ନବନୀତ ସେକେରାଙ୍କୁ ମହିଳା ମାନଙ୍କ ସମ୍ପର୍କିତ ମାମଲାର ଦାୟିତ୍ଵ ଦିଆଯାଇଥିଲା। ଏହି ହେଲ୍ପଲାଇନର ପ୍ରତିଷ୍ଠା ପଛର ବ୍ୟକ୍ତି ହେଉଛନ୍ତି ସେକେରା। ଗାଁ ମାନଙ୍କରେ ଏ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ସ୍ଥାନ ସ୍ଥାନରେ ହୋର୍ଡିଙ୍ଗ ଲଗାଯାଇଥିଲା। ରାଜେଶ ପ୍ରତାପ ଯାଦବ ନାମରେ ଜଣେ କନେଷ୍ଟବଳ ପ୍ରତିଦିନ ଏହି ହେଲ୍ପଲାଇନରେ ୧୦୦ରୁ ଊର୍ଦ୍ଧ୍ଵ ଅଭିଯୋଗ ପାଆନ୍ତି। ସେ ତା’ପରେ ଅଭିଯୁକ୍ତ ଯିଏ ସେ ଝିଅକୁ ହଇରାଣ କରୁଛି ତାକୁ ଫୋନ କରନ୍ତି ଓ ତାକୁ ଜଣାଇଦିଅନ୍ତି ଯେ ତାଙ୍କ ନାମରେ ଏପରି ଅଭିଯୋଗ ଆସିଛି ଏବଂ ସୂଚନା ଦିଅନ୍ତି ଯେ ସେ ପୋଲିସ ବିଭାଗରୁ କହୁଛନ୍ତି। ତାଙ୍କର ଏହି ପଦ୍ଧତି ଉପରେ ସବିଶେଷ ବିବରଣୀ ଦେଇ ସେ Hindustan Timesକୁ କୁହନ୍ତି,

ମାନ ଯାଇୟେ, ନହିଁ ମାନେ ତୋ କାର୍ଯ୍ୟବାହୀ କି ଯାଏଗୀ। (ସିଧା ସିଧା ବାଟକୁ ଆସିଯାଅ ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।) ଫୋନଲାଇନର ଅପର ପାର୍ଶ୍ଵରେ ଥିବା ଲୋକ ମଧ୍ୟ ପ୍ରାୟ ଏକା ଲାଇନରୁ କଥା ଆରମ୍ବହ କରନ୍ତି: “ଆପଣ କଣ କହୁଛନ୍ତି ମୁଁ କିଛି ବୁଝିପାରୁନି। ମୁଁ ମୋ ଫୋନ ଚାର୍ଜରେ ବସେଇ ଗଢେଇବାକୁ ଯାଇଥିଲି। ସେ ସମୟରେ କିଏ ଜଣେ ଏମିତି କିଛି କାଣ୍ଡ କରିଥିବ।“ କିଛି ଜଣ ସଙ୍ଗେସଙ୍ଗେ କାନ୍ଦିବା ଆରମ୍ଭ କରନ୍ତି। କୁହନ୍ତି, “ସେ ଝିଅ ମୋର ପ୍ରେମିକା ଥିଲା, ବର୍ତ୍ତମାନ ମୋ ସଙ୍ଗେ କଥା ହେଉନାହିଁ।“ କିଛି ଜଣ କୁହନ୍ତି ଭୁଲରେ ନମ୍ବର ଲାଗିଗଲା ଓ କିଛି “ମୋତେ କ୍ଷମା କରିଦିଅନ୍ତୁ, ଆପଣ ମୋ ଆଖି ଖୋଲିଦେଲେ” କୁହନ୍ତି। କିଶୋର ବାଳକଙ୍କ ଠାରୁ ଆରମ୍ଭ କରି, ଯୁବକ, ବୁଢା ଯାଏଁ ଏପରି କାମ କରୁଛନ୍ତି।

ଅଧିକାଂଶ ଅଭିଯୋଗ ହେଲ୍ପଲାଇନରୁ ଯାଉଥିବା ଗୋଟିଏ କଲ ଦ୍ଵାରା ହିଁ ସମାଧାନ ହେଇଯାଉଛି। କିନ୍ତୁ କିଛିଜଣ ଅଛନ୍ତି ଯେଉଁମାନେ କିଛିଦିନ ଅପେକ୍ଷା କରି ପୁଣି ଆରମ୍ଭ କରିଦେଉଛନ୍ତି। ଏପରି ଲୋକଙ୍କ ବିଷୟରେ କଥା ହେଇ ରାଜେଶ କୁହନ୍ତି,

ଆମେ ସେମାନଙ୍କ ନମ୍ବରକୁ ଟ୍ରାକ କରୁ। ସେମାନେ ପୁଣି ଝିଅ ମାନଙ୍କୁ ହଇରାଣ କଲେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଉ। ଆମେ ସେ ଲୋକ ସମେତ ତାଙ୍କର ପରିବାରକୁ ମଧ୍ୟ ଫୋନ କରି ତାଙ୍କର କାର୍ଯ୍ୟକଳାପ ସମ୍ପର୍କରେ ସେମାନଙ୍କୁ ଜଣାଉ। ତାଙ୍କର ଭଉଣୀ ଥିଲେ ତାଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଉ। ତାଙ୍କୁ ଗୀତା ଉପରେ ହାତ ରଖି ଶପଥ ନେବାକୁ କହୁ ଯେ ସେ ଆଉ କେବେମଧ୍ୟ କୌଣସି ଝିଅଙ୍କୁ ଏପରି ଭାବେ ହଇରାଣ କରିବେ ନାହିଁ।

ଏସବୁ ପରେ ମଧ୍ୟ ଯେଉଁ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟକଳାପ ଜାରି ରଖନ୍ତି ତାଙ୍କୁ ଆରେଷ୍ଟ କରାଯାଏ। ଏହି ଉଦ୍ୟମଟି ଗତ କିଛି ବର୍ଷ ମଧ୍ୟରେ ଖୁବ ଜନପ୍ରିୟ ହେଇଛି। ଆଗରୁ ଅନେକ ଝିଅ ଏପ୍ରକାର ସମସ୍ଯାକୁ ପାଟିଚୁପ କରି ସହିଯାଉଥିଲେ କିନ୍ତୁ ହେଲ୍ପଲାଇନ ହେବା ପରେ ଧୀରେ ଧୀରେ ଅଭିଯୋଗ ଆସିବାକୁ ଲାଗିଲା ଏବଂ କିଛି ବର୍ଷ ମଧ୍ୟରେ ବେଶିରୁ ବେଶି ମହିଳା ମାନେ ଏସବୁ ସମସ୍ଯା ବିଷୟରେ ମୁହଁ ଖୋଲୁଛନ୍ତି।