୧୩ ବର୍ଷୀୟ ଅକ୍ଷତଙ୍କ ଷ୍ଟାର୍ଟଅପ୍ Odd-Even.com କୁ କିଣିଲା Orahi.com

୧୩ ବର୍ଷୀୟ ଅକ୍ଷତଙ୍କ ଷ୍ଟାର୍ଟଅପ୍ Odd-Even.com କୁ କିଣିଲା Orahi.com

Thursday April 07, 2016,

3 min Read

ଉଦ୍ୟୋଗୀ ହେବା ପାଇଁ ବୟସ ଯେ ଏକ ବାଧକ ନୁହେଁ ତାହା ପ୍ରମାଣ କରିଛନ୍ତି ୧୩ ବର୍ଷର ବାଳକ ଅକ୍ଷତ୍ ମିତ୍ତଲ୍ । ସେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଗତବର୍ଷ OddEven.com ନାମକ ଏକ ଷ୍ଟାର୍ଟ-ଅପ୍ ସଂସ୍ଥା ଗଠନ କରିଥିଲେ । ଏହି ସଂସ୍ଥା ଲୋକମାନଙ୍କୁ କାର୍ ପୁଲ୍ କରିବା ଓ କେଉଁ ଦିନ କେଉଁ ଗାଡ଼ି ବାହାରି କରି ରାସ୍ତାରେ ଚଲାଇଲେ ଜରିମାନା ଗଣିବାକୁ ପଡ଼ିବ ନାହିଁ ଭଳି ପରାମର୍ଶ ଓ ସେବା ପ୍ରଦାନ କରୁଛି ।

ନିକଟରେ ଅକ୍ଷତ ଏହି କଂପାନିକୁ Orahi.com ବିକ୍ରି କରିଛନ୍ତି । କଂପାନି ବିକ୍ରି ହେବା ପରେ ତାଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଡ୍ ଇଭେନ୍ ଡଟ୍ କମ୍ କୁ କେତେ ଟଙ୍କାରେ ଓରାହି ଖରିଦ କରିଛି ତାହା ଜଣାପଡ଼ିନାହିଁ ।

image


ଦିଲ୍ଲୀରେ ୨୦୧୬ ଜାନୁଆରିରେ ଅଡ୍ ଇଭେନ ନିୟମ ପ୍ରଥମ ଥର ଲାଗୁ କରାଯାଇଥିଲା । ଏ ବିଷୟରେ କିନ୍ତୁ ଦୁଇ ମାସ ପୂର୍ବରୁ ଘୋଷଣା କରାଯାଇଥିଲା । ତାହାର ସୁଯୋଗ ନେଇ ୨୦୧୫ ଡିସେମ୍ବରରେ ଅକ୍ଷତ୍ ଏହି ଷ୍ଟାର୍ଟ ଅପ୍ ସଂସ୍ଥା ଗଠନ କରିଥିଲେ । ଅଡ୍ ଇଭେନ୍ ଡଟ୍ କମ୍ କୁ ପୁରା ନଗଦ ଅର୍ଥ ଦେଇ ଓରାହି କିଣି ନେଇଛି । ଏଥି ସହିତ ଅକ୍ଷତଙ୍କୁ କଂପାନିର ବୋର୍ଡରେ ସାମିଲ କରିଛି । ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯିବ । ତାଙ୍କୁ ବୈଷୟିକ କ୍ଷେତ୍ରରେ ଓରାହି ସଶକ୍ତ କରିବ ।

ଅକ୍ଷତ ହେଉଛନ୍ତି ଆମିଟି ଇଂଟରନ୍ୟାସନାଲ୍ ସ୍କୁଲର ନବମ ଶ୍ରେଣୀର ଛାତ୍ର । ଅଡ୍ ଇଭେନ୍ ଡଟ୍ କମ୍ ପାଇଁ ଅକ୍ଷତ ଆଲଗୋରିଦିମ୍ ପ୍ରସ୍ତୁତ କରିଥିଲେ । ତାଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ୱେବସାଇଟର ଏବେ ୩୦ ହଜାର ବ୍ୟବହାରକାରୀ ରହିଛନ୍ତି । ଆଗାମୀ ଦିନରେ ବ୍ୟବହାରକାରୀଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । ଓରାହି ପକ୍ଷରୁ ଅଡ୍ ଇଭେନ୍ ଡଟ୍ କମ୍ କୁ ବନ୍ଦ କରାଯିବ ନାହିଁ । ତେବେ ଏହି ୱେବସାଇଟ୍ ରେ ପ୍ରବେଶ କରିବା ପରେ ତାହା ସିଧାସଳଖ ଓରାହି ଡଟ୍ କମ୍ ୱେବସାଇଟ୍ କୁ ଚାଲି ଆସିବ ।

image


ଅକ୍ଷତଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଆଲଗୋରିଦିମ୍ ଅନ୍ୟ କାର୍ ପୁଲିଂ ୱେବସାଇଟ୍ ଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ଲୋକମାନେ ନିଜର କାର୍ ପୁଲିଂ ପାଇଁ ପାର୍ଟନର୍ ହାସଲ କରିପାରିବେ । ଅଫିସ ହେଉ ଅଥବା ବଜାର ବୁଲିଯିବା ପାଇଁ ହେଉ ସେ ନିଜ ପାଇଁ ସହଜରେ କାର୍ ପୁଲିଂ ପାର୍ଟନର୍ ହାସଲ କରିପାରିବେ । ଆଗରୁ ଯେଉଁ କାର୍ ପୁଲିଂ ୱେବସାଇଟ୍ ଗୁଡ଼ିକ ରହିଥିଲା ସେମାନେ କେବଳ ଯେଉଁମାନେ କାର୍ ସେୟାରିଂ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସେବା ପ୍ରଦାନ କରୁଥିଲେ । ଅକ୍ଷତଙ୍କର ଅଡ୍ ଇଭେନ୍ ଡଟ୍ କମ୍ କିନ୍ତୁ ସମ୍ଭାବନା ଥିବା କାର୍ ପୁଲିଂର ସେବା ଯୋଗାଇ ଦେଉଛି ।

ଅଡ୍ ଇଭେନ୍ ଡଟ୍ କମ୍ ର ମୋବାଇଲ୍ ଆପ୍ ଭର୍ସନ୍ ମଧ୍ୟ ରହିଛି । ଅକ୍ଷତ କହିଛନ୍ତି ଯେ, ସେ ସବୁ ବେଳେ ସମାଜରେ ଗଭୀର ପ୍ରଭାବ ପକାଇ ପାରୁଥିବା ସମାଧାନ ସୃଷ୍ଟି କରିବାକୁ ପ୍ରୟାସ କରୁଥିଲେ । ଅଡ୍ ଇଭେନ୍ ଡଟ୍ କମ୍ ସେହି ପରିକଳ୍ପନାରୁ ଜନ୍ମ ନେଇଥିଲା । ଯଦି କଛି ଲୋକ ସମାନ ସ୍ଥାନକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ଶ୍ରେଷ୍ଠ ବିକଳ୍ପ ଯୋଗାଇ ଦେବା ଦିଗରେ ଏହି ୱେବସାଇଟ୍ କାମ କରୁଛି ।

ଅକ୍ଷତ୍ କହିଛନ୍ତି ଯେ, 

ମୁଁ ଯେଉଁ ସୋସାଇଟିରେ ରୁହେ ସେଠାରେ ୧୪୦ ଫ୍ଲାଟ୍ ରହିଛି । ପ୍ରତିଦିନ ୫୦ ଜଣ ଲୋକ ଗୁରୁଗାଓଁ ଯାତ୍ରା କରୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ନିଶ୍ଚିତ ପାଖାପାଖି ଯାତ୍ରା କରୁଥିବେ । କିନ୍ତୁ କେହି ସେ ବିଷୟରେ ଜାଣନ୍ତି ନାହିଁ । ଯଦି ଜାଣିଥାନ୍ତେ ତେବେ କାର୍ ପୁଲିଂ କିମ୍ବା ସେୟାରିଂ ବିଷୟରେ ଚିନ୍ତା କରିଥାନ୍ତେ । ସେଭଳି ଲୋକଙ୍କୁ ଗୋଟିଏ ମଂଚ ପ୍ରଦାନ କରିବାର କାମ କରୁଛି ଅଡ୍ ଇଭେନ୍ ଡଟ୍ କମ୍ ।