ରାଜ୍ୟସ୍ତରୀୟ ହିନ୍ଦୀ ଶବ୍ଦଛକି ଗୋଲକଧନ୍ଦା ପ୍ରତିଯୋଗିତା ଆୟୋଜନ କରିବ ମସଲା ବୋର୍ଡ

ରାଜ୍ୟସ୍ତରୀୟ ହିନ୍ଦୀ ଶବ୍ଦଛକି ଗୋଲକଧନ୍ଦା ପ୍ରତିଯୋଗିତା ଆୟୋଜନ କରିବ ମସଲା ବୋର୍ଡ

Thursday January 07, 2016,

2 min Read

image


କେରଳର କୋଚିରେ ମୁଖ୍ୟାଳୟ ଥିବା ଭାରତ ସରକାରଙ୍କ ମସଲା ବୋର୍ଡ(Spices Board) ଓଡ଼ିଶା ସମେତ ଦେଶର ଅଣହିନ୍ଦୀ ଭାଷାଭାଷୀ ରାଜ୍ୟମାନଙ୍କରେ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ ଲାଗି ହିନ୍ଦୀ ‘ଶବ୍ଦଛକି ଗୋଲକଧନ୍ଦା’ (Cryptic Crossword) ପ୍ରତିଯୋଗିତା ଆୟୋଜନ କରୁଛି ।

୨୦୧୬ ଜାନୁଆରି ୨୯ ତାରିଖରେ ହେବାକୁ ଥିବା ଆଞ୍ଚଳିକସ୍ତରୀୟ ପ୍ରତିଯୋଗିତା ପାଇଁ ବର୍ତ୍ତମାନ ପଞ୍ଜୀକରଣ ଚାଲୁ ରହିଛି । ରାଜ୍ୟ ବୋର୍ଡ, ସିବିଏସଇ ଓ ଆଇସିଏସଇ ଆଦି ଯେକୌଣସି ପାଠ୍ୟକ୍ରମର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ।

ପ୍ରତିଯୋଗିତାରେ ଭାଗନେବା ପାଇଁ ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ଦ୍ୱାରା ମନୋନୀତ ହୋଇଥିବା ଜରୁରୀ । ପ୍ରତି ବିଦ୍ୟାଳୟ ଦୁଇଜଣିଆ ଛାତ୍ର ଦଳ ମନୋନୀତ କରି ଏଥିପାଇଁ ପଠାଇପାରିବେ । ପଞ୍ଜୀକରଣ ପାଇଁ ଛାତ୍ରଛାତ୍ରୀଙ୍କର ନାମ, ଶ୍ରେଣୀ, ବିଦ୍ୟାଳୟର ନାମ ଓ ଠିକଣା ସମେତ ଯୋଗାଯୋଗ ବ୍ୟକ୍ତିଙ୍କ ନାମ ସହ ଫୋନ୍/ଫାକ୍ସ ଓ ଇମେଲ୍ ଆଇଡି ଆଦି ତଥ୍ୟ ଦେବାକୁ ହେବ । ପ୍ରତିଯୋଗୀମାନଙ୍କର ମାତୃଭାଷା ହିନ୍ଦୀ କିମ୍ବା କୌଣସି ହିନ୍ଦୀ ବୋଲି ହୋଇନଥିବ ବୋଲି ବୋର୍ଡର ସୂଚନା ରହିଛି । ଏ ନେଇ ବିଦ୍ୟାଳୟ କର୍ତୃପକ୍ଷ ମନୋନୟନ ଫର୍ମରେ ସ୍ପଷ୍ଟ ଉଲ୍ଲେଖ କରିବେ ।

image


ମନୋନୟନ ପାଇଁ ୨୦୧୬ ଜାନୁଆରି ୨୦ ଶେଷ ତାରିଖ ରହିଛି । ମନୋନୟନ କାଗଜ ଫର୍ମ The Deputy Director, Spices Board, Regional Office, Chuttugunta Center, GT Road, Guntur-522004 ଠିକଣାରେ ପଠାଇବାକୁ କିମ୍ବା [email protected] / [email protected] ରେ ମଧ୍ୟ ମେଲ୍ କରିବାକୁ ବୋର୍ଡ ଏକ ଗଣମାଧ୍ୟମ ଇସ୍ତାହାରରେ ଜଣାଇଛି । ପ୍ରତିଯୋଗିତା ପୂର୍ବରୁ ପ୍ରତିଯୋଗୀ ଓ ସେମାନଙ୍କର ବିଦ୍ୟାଳୟକୁ ପ୍ରତିଯୋଗିତା ସ୍ଥାନ ବାବଦରେ ମେଲ୍ କିମ୍ବା ଫୋନ୍ ମାଧ୍ୟମରେ ବୋର୍ଡ କର୍ତୃପକ୍ଷ ଜଣାଇବେ ।

ଆଞ୍ଚଳିକ ସ୍ତରରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ଯୋଗ୍ୟତା ଅର୍ଜନ କରିବେ । ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତାର ବିଜେତା ୧୦୦୦୦ ଟଙ୍କା (ପ୍ରଥମ ପୁରସ୍କାର) ଓ ୫୦୦୦ ଟଙ୍କା (ଦ୍ୱିତୀୟ ପୁରସ୍କାର) ଲେଖାଏଁ ପାଇବେ ।

ଅଧିକ ସୂଚନା ପାଇଁ ପ୍ରତିଯୋଗୀମାନେ www.indianspices.com ୱେବସାଇଟ ଦେଖିପାରିବେ କିମ୍ବା ଗୁଣ୍ଟୁର ସ୍ଥିତ ମସଲା ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟକୁ ୦୮୬୩-୨୩୩୮୫୭୦ ଓ ୦୮୬୩-୨୩୫୪୭୮୨ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ମସଲା ବୋର୍ଡ କର୍ତୃପକ୍ଷ ଅନୁରୋଧ ରଖିଛନ୍ତି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।