ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ: ଏପ୍ରିଲରେ ଷ୍ଟାର୍ଟ – ଅପ୍ ନୀତି, ଆୟୋଜନ ହେବ ମେଳା

ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ:  ଏପ୍ରିଲରେ ଷ୍ଟାର୍ଟ – ଅପ୍ ନୀତି, ଆୟୋଜନ ହେବ ମେଳା

Thursday February 18, 2016,

3 min Read

ଷ୍ଟାର୍ଟ – ଅପ୍ କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି | ଏଥିପାଇଁ ନୂଆ ଷ୍ଟାର୍ଟ – ଅପ୍ ନୀତି ଆଣିବା ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି | ସେହିଭଳି ଯୁବବର୍ଗ ମଧ୍ୟରେ ନୂଆ ଚିନ୍ତାଧାରାର ଷ୍ଟାର୍ଟ – ଅପ୍ କୁ ପ୍ରୋତ୍ସାହନ ଦେବା ପାଇଁ ଷ୍ଟାର୍ଟ – ଅପ୍ ମେଳା ମଧ୍ୟ କରାଯିବ | ଆସନ୍ତା ଏପ୍ରିଲରେ ଏହି ମେଳା ଆୟୋଜନ ହୋଇପାରେ |

image


ରାଜ୍ୟ ଶିଳ୍ପ ବିଭାଗ, ଆଇଟି ବିଭାଗ ଓ ଦି ଇଣ୍ଡସ୍ ଏଣ୍ଟରପ୍ରିନର୍ସ(ଟାଇ) ସିଲିକନ୍ ଭ୍ୟାଲିର ମିଳିତ ସହଯୋଗରେ ଓଡିଶା ଷ୍ଟାର୍ଟ – ଅପ୍ ମେଳା ଆୟୋଜନ ହେବ | ମେଳା ଦୁଇ କିମ୍ବା ତିନି ଦିନର କରାଯିବ | ଏଥିରେ ୩୦୦ରୁ ୪୦୦ ଯୁବ ଉଦ୍ୟୋଗୀ ଯୋଗଦେବେ | ଅଭିନବ ଚିନ୍ତାଧାରା ରଖିଥିବା ଯୁବ ଗୋଷ୍ଠୀ ମଧ୍ୟ ଏଠାରେ ସୁଯୋଗ ପାଇବେ | ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ ହୋଇଥିବା ଷ୍ଟାର୍ଟ – ଅପ୍ ଗୁଡିକର ପ୍ରଦର୍ଶନ ହେବ | ଏଗୁଡିକ ନୂଆ କରି ଷ୍ଟାର୍ଟ – ଅପ୍ କରିବାକୁ ଚାହୁଁଥିବା ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ହୋଇପାରିବ |

ପଢନ୍ତୁ - ଷ୍ଟାର୍ଟ-ଅପ୍ କେକ୍ ଉପରେ କୋଟିପତି ଉଦ୍ୟୋଗପତିଙ୍କ ନଜର

ଆଇଟି ସଚିବ ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁସାରେ

ସରକାର ପ୍ରତ୍ୟକ୍ଷ ନିଯୁକ୍ତି ଉପରେ ଗୁରୁତ୍ୱ ନ ଦେଇ ଷ୍ଟାର୍ଟ – ଅପ୍ ସୃଷ୍ଟିକୁ ଅଧିକ ଗୁରୁତ୍ୱ ଦେବା ଉଚିତ୍ | ଜଣେ ଷ୍ଟାର୍ଟ – ଅପ୍ ସୃଷ୍ଟି ହେବା ଦ୍ୱାରା ଅନେକ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହୁଏ | ଫଳରେ ଅଳ୍ପ ଷ୍ଟାର୍ଟ – ଅପ୍ ରେ ଅନେକ ଲୋକଙ୍କୁ ରୋଜଗାର ମିଳିଯିବ |

ପୁଣି ଷ୍ଟାର୍ଟ – ଅପ୍ ନୀତି ଆଣିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି | ଟାଇ ଦ୍ୱାରା ପ୍ରସ୍ତାବିତ ଚିଠା ଷ୍ଟାର୍ଟ – ଅପ୍ ନୀତିକୁ ଶିଳ୍ପ ବିଭାଗ ଅନୁଧ୍ୟାନ କରୁଛି | କେନ୍ଦ୍ର ସରକାର ଘୋଷଣା କରିଥିବ ଷ୍ଟାର୍ଟ – ଅପ୍ ନୀତିକୁ ମଧ୍ୟ ସମୀକ୍ଷା କରାଯାଉଛି | ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ମାସ ସୁଦ୍ଧା ରାଜ୍ୟ ସରକାର ନୂଆ ଷ୍ଟାର୍ଟ – ଅପ୍ ନୀତି ଘୋଷଣା କରିବେ |

କୌଶଳ ବିକାଶ ଯୋଜନା

ରାଜ୍ୟରେ କୌଶଳ ବିକାଶ ଯୋଜନା ପାଇଁ ମୋଟ ୧୦୫୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଯୋଜନା ଅଟକଳ କରିଛନ୍ତି | ସେଥିମଧ୍ୟରୁ ଏସିଆନ୍ ଡେଭଲପମେଂଟ୍ ବ୍ୟାଙ୍କ(ଏଡିବି) ୬୬୨ କୋଟି ଋଣ ସହାୟତା ଯୋଗାଇଦେବ | ବାକି ୩୮୯ କୋଟି ରାଜ୍ୟ ସରକାର ବହନ କରିବେ | ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ସ୍ଥାନରେ ୮ଟି ଆଡଭାନ୍ସ ସ୍କିଲ ଟ୍ରେନି ଇନଷ୍ଟିଚ୍ୟୁଟ୍ (ଏଏସଟିଆଇ) ସ୍ଥାପନ କରାଯିବ | ପ୍ରଥମ ପର୍ଯ୍ୟୟରେ କୋରାପୁଟ, ବଲାଙ୍ଗୀର, ଝାରସୁଗୁଡା, ରାଉରକେଲା ଓ ଭୁବନେଶ୍ୱରେ ୫ଟି ଏଏସଟିଆଇ ସ୍ଥାପନ ପାଇଁ ନିଷ୍ପତି ନେଇଛି | ଆଉ ୩ଟି କେଉଁଠାରେ ହେବ, ତାହା ପରେ ନିଷ୍ପତି ହେବ | ଏଠାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପଢିଥିବା ପିଲାମାନେ ବିଭିନ୍ନ ଟ୍ରେନିଂ ନେଇପାରିବେ | ଦେଶରେ ଅସଂଗଠିତ କ୍ଷେତ୍ରରେ ୫୦ କୋଟି ଲୋକ କାର୍ଯ୍ୟ କରୁଛନ୍ତି | କିନ୍ତୁ ମାତ୍ର ୪% ନିଜ ନିଜ କାର୍ଯ୍ୟରେ ଦକ୍ଷ | ଅର୍ଥାତ୍ ସେମାନେ ସେମାନଙ୍କ କାମରେ କୁଶଳୀ ନୁହନ୍ତି | ତେଣୁ କୌଶଳ ବିକାଶ ଯୋଜନାର ଆବଶ୍ୟକତା ରହିଛି | ସାରା ଦେଶରେ ଏହି କୌଶଳ ବିକାଶ ଯୋଜନାର ଆବଶ୍ୟକତା ରହିଛି | ଓଡିଶାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜଣେ ସ୍ୱତନ୍ତ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତ ଦିଆଯିବ | ଏଡିବି ଋଣ ଦେବା ପାଇଁ ସବୁ ପ୍ରସ୍ତୁତି ଚଳାଇଛି |

ଷ୍ଟାର୍ଟ – ଅପ୍ କୁ ବଢାଇବା ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଉଛନ୍ତି | ଏହା ଦ୍ୱାରା ଅନେକ ଯୁବ ଉଦ୍ୟୋଗୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ବଜାର ପ୍ରବେଶ ସହଜ ହେବ | ଅର୍ଥାତ୍ ରାଜ୍ୟର ଆର୍ଥନୈତିକତ ବିକାଶର ପ୍ରକ୍ରିୟା ମଧ୍ୟ ଦ୍ରୁତତର ହେଉଛି |

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। Paytm ପ୍ରତିଷ୍ଠାତାଙ୍କ ସଂଘର୍ଷ କାହାଣୀ:ଖାଇବାକୁ ଟଙ୍କା ନ ଥିଲା, ଇଞ୍ଜିନିୟରିଂ ପରେ ଚାକିରି ନ ଥିଲା

2। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ଦିଆଯିବ ୧୩ ହଜାର କୋଟି ଋଣ: ପଂଚାୟତରେ ଖୋଲିବ ନୂଆ ବ୍ୟାଙ୍କ୍

3। ଏ ଦଶକ ଭାରତରେ ଉଦ୍ୟୋଗୀଙ୍କର: ନାରାୟଣ ମୂର୍ତ୍ତୀ