କେବେ ଚିନ୍ତା କରିଛନ୍ତି କି? ପଶୁ କିଏ?

ଲେଖନ୍ତି ଆଶୁତୋଷ

କେବେ ଚିନ୍ତା କରିଛନ୍ତି କି? ପଶୁ କିଏ?

Monday July 11, 2016,

6 min Read

ଭଦ୍ରା ଗୋଟିଏ ଛୋଟ କୁକୁର ଛୁଆ। ମାତ୍ର ୫ ମାସର କୁନି କୁକୁରଟି ସାରା ଦେଶରେ ଏକ ଭାବୁକ ପରିବେଶ ସୃଷ୍ଟି କରିଦେଇପାରିଲା। ସେ ଠିକ ମୋ ଶେରୁ ପରି। ତାକୁ ଦେଖି ମୋର ମନେ ପଡିଗଲା ଯେବେ ମୁଁ SPCA ହସ୍ପିଟାଲ ଶେରୁକୁ ଦେଖିବାକୁ ଯାଇଥିଲି। ଶେରୁ ସେତେବେଳେ ଅସୁସ୍ଥ। ଗୋଟେ ଛୋଟ ଘର ଭିତରେ ଆହୁରି ଅନେକ କୁକୁର ମାନଙ୍କ ସାଙ୍ଗରେ ଥାଏ, ମୋତେ ଦେଖି ଦଉଡିଆସିଲା। ମୁ ତା’ ମୁଣ୍ଡ ସ୍ନେହରେ ଥାପୁଡେଇଦେଲି। ତା’ ଆଖିରେ ଅନୁରୋଧ ଭର୍ତି। ସତେ ଯେମିତି ମୋତେ କହୁଛି – ମୋତେ ଏଠାରୁ ନେଇଯାଅ। ସେଇ ବିଲ୍ଡିଂକୁ ନେଇଯାଅ ଯେଉଁଠାରେ ମୁ ଜନ୍ମରୁ ଆଜି ଯାଏଁ ରହିଆସୁଥିଲି। ମୁ ଡାକ୍ତରଙ୍କ ସଙ୍ଗେ କଥା ହେଲି। ସେ ତା’ର ସ୍ୱାସ୍ଥ୍ୟକୁ ନେଇ ଏତେ ଆଶାବାଦୀ ନଥିଲେ। ତା’ ଦେହରେ କ୍ୟାନସର ଟ୍ୟୁମର ଥିଲା। ମୁ ଫେରିଆସିଲି ସତ କିନ୍ତୁ ସେଇ ଆଖି ଦୁଇଟା ମୋତେ ଛାଡୁନଥିଲା।

image


ଶେରୁ ର ରଙ୍ଗ ପ୍ରାୟ ଭଦ୍ରା ସହ ସମାନ। ଭଦ୍ରା ଠାରୁ ଟିକେ ଡେଙ୍ଗା। ମୁ ଜାଣିନି ଶେରୁକୁ କେତେ ବୟସ ହେଇଥିବ ସେସମୟରେ। ସେ ମୋର ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ରହୁଥିଲା। ମୁ ଯେତେବେଳେ ଶେରୁକୁ ପ୍ରଥମେ ଭେଟିଥିଲି ତାର ସ୍ୱାସ୍ଥ୍ୟ ଭଲ ଥିଲା। ମୁ ମୋର ଦୁଇଟି ପୋଷା କୁକୁରଙ୍କୁ ବୁଲେଇନେବା ବେଳେ ସେ ଆମ ପଛେ ପଛେ ଆସେ। ସେ ଏକା ଏକା ହିଁ ଥାଏ। ଲାଙ୍ଗୁଡ ହଲେଇ ଆମ ଆମ ପଛେ ପଛେ ଚାଲେ। ବେଳେବେଳେ ମୋର କୁକୁର ଛୁଆ ଦୁଇଟି ତାକୁ ଦେଖି ଭୁକିବା ଆରମ୍ଭ କରନ୍ତି କିନ୍ତୁ ସେ କେବେ ରାଗେନାହିଁ କି ତାଙ୍କୁ ଆକ୍ରମଣ କରେନାହିଁ। ସବୁବେଳେ କିଛି ଦୂରତା ରଖି ଚାଲେ ଓ ଅନ୍ୟ କୁକୁରଙ୍କୁ ଆମ ପାଖକୁ ଆସିବାକୁ ଦିଏନାହିଁ। ଅନ୍ୟ ବୁଲାକୁକୁର ଆମକୁ ଦେଖି ଭୁକିଲେ ତାଙ୍କ ଉପରେ ଝପଟିପଡ଼ି ତାଙ୍କୁ ଘଉଡାଇଦିଏ। ଏବେ ଭାବିଲେ ଏମିତି ଲାଗେ ସତେ ଯେମିତି ସେ ମୋର ପୋଷା କୁକୁରଛୁଆ ଦୁଇଟିଙ୍କର ଅଭିଭାବକ ଥିଲା, ତାଙ୍କୁ ଜଗୁଥିଲା ଓ ତାର ଉପସ୍ଥିତିରେ ଅନ୍ୟ ବୁଲାକୁକୁର ତାଙ୍କୁ କୌଣସି କ୍ଷତି ପହଞ୍ଚାଇ ପାରୁନଥିଲେ। ସେ କେବେ କାହାକୁ କାମୁଡିନଥିଲା ତଥାପି ଆପାର୍ଟମେଣ୍ଟର କିଛି ସଦସ୍ୟ ତାକୁ ସେଠାରୁ ବାହାର କରିବାକୁ ବଦ୍ଧପରିକର ଥିଲେ।

image


ଦିନେ ଏମିତି ତାର ମୁଣ୍ଡ ଆଉଁସିଦେଲାବେଳେ ତାର ରୁମଗୁଡିକ କାହିଁକି କେଜାଣି ଭାରି ରୁକ୍ଷ ଲାଗିଲା। ମୁଁ ସେତେ ଧ୍ୟାନ ଦେଲିନାହିଁ। କିଛିଦିନ ପରେ ଦେଖିଲି ତାର ରୁମ ପ୍ରବଳ ଭାବେ ଝଡୁଥିଲା। ମୋର ପଶୁଡାକ୍ତର ବନ୍ଧୁଙ୍କୁ ପଚାରିଲି। ସେ କହିଲେ ନିଶ୍ଚୟ କିଛି ସଂକ୍ରମଣ ହେଇଥିବ ଓ ତାକୁ ତୁରନ୍ତ ଚିକିତ୍ସା ଦରକାର। ସେ ଔଷଧ ଲେଖିଦେଲେ। ମୁ ସେ ଔଷଧ ଆଣି ଶେରୁକୁ କ୍ଷୀରରେ ମିଶାଇ ଖାଇବାକୁ ଦେଲି। ଅଳ୍ପ କିଛିଦିନ ମଧ୍ୟରେ ଫରକ ଦେଖାଗଲା। ସେ ସୁସ୍ଥ ଦେଖାଯାଉଥିଲା ଓ ସୁନ୍ଦର ଗହଳ ରୁମ ପୁଣି ଗଜୁରିବା ଆରମ୍ଭ ହେଇଥିଲା। ଗୋଟେ ଦିନ ସକାଳେ ତା'ର ବେକ ପାଖରେ ମୁ ଗୋଟେ ଛୋଟ ଘା’ ଦେଖିଲି। ପୂଜ ଭର୍ତି ଘା’। ଦେଖିଲାରୁ ଲାଗୁଥିଲା ସେ ଅନେକ କଷ୍ଟରେ ଥିବ। କିନ୍ତୁ ଏତେ କଷ୍ଟରେ ଥାଇ ମଧ୍ୟ ସେ ବିଲକୁଲ କଷ୍ଟ ଦେଖାଉନଥିଲା। ସେ ଘା’ର ଫୋଟୋ ଉଠାଇ ନେଇ ଡାକ୍ତରଙ୍କୁ ଦେଖାଇଲି। ସେ ମଲମ ଦେଲେ। ଅନେକ କଷ୍ଟ ହେଉଥିଲେ ମଧ୍ୟ ସେ ମୋତେ ଧୈର୍ଯ୍ୟର ସହ ମଲମ ଲଗେଇବାକୁ ଦେଖାଏ। ପରେ ମୋତେ ଡାକ୍ତର କହିଲେ ତାକୁ SPCA ହସ୍ପିଟାଲ ପଠେଇଦେବାକୁ। ମୁ ଆମ୍ବୁଲାନ୍ସ ଡାକି ତାଙ୍କୁ ଡାକ୍ତରଖାନା ପଠାଇଲି। ସେ ଡରୁଥାଏ ଓ ଯିବାକୁ ବିଲକୁଲ ମଙ୍ଗୁନଥାଏ। କିନ୍ତୁ ଶେଷରେ ଗଲା।

image


ଭଦ୍ରା ଭାଗ୍ୟବାନ ଯେ ଦୁଇ ମହଲା କୋଠାରୁ ଫୋପଡ଼ାହେବା ପରେ ମଧ୍ୟ ଗୁରୁତର ଆଘାତ ପାଇନଥିଲା। ତାର ପଛଗୋଡ଼ ଭାଙ୍ଗିଯିବା ସହ ପିଠିରେ ଆଘାତ ପାଇଥିଲା କିନ୍ତୁ ଆଶା କରାଯାଉଛି ଆଗାମୀ ୨-୩ ସପ୍ତାହ ମଧ୍ୟରେ ସେ ସୁସ୍ଥ ହୋଇଯିବ। କିନ୍ତୁ ମଣିଷର ଏପରି ଏକ ବର୍ବରତାର ଶିକାର ହୋଇ ପ୍ରାୟ ୧୦ ଦିନ ପରେ ତାକୁ ଲୋକେ ପାଇଥିଲେ। ସେ ୧୦ଦିନ ଯେ ସେ କିଭଳି ଭାବେ କଷ୍ଟ ଓ ଯନ୍ତ୍ରଣା ସହ ବଞ୍ଚିଥିବ ତାହା କେହି ଜାଣିନାହାନ୍ତି। ନିଶ୍ଚେ ଅନେକ ଯନ୍ତ୍ରଣାରେ ବିନା କିଛି ଖାଦ୍ୟପେୟରେ ସେ ୧୦ ଦିନ ଧରି ସଂଘର୍ଷ କରିଥିବ। କେହି କେବେ ତା’ ବିଷୟରେ ଭାବିଛନ୍ତି କି? ଆମେ ମଣିଷ ମାନଙ୍କର ଅଳ୍ପ କିଛି ହେଇଗଲେ ଆମେ ସଙ୍ଗେ ସଙ୍ଗେ ଡାକ୍ତର ପାଖକୁ ଦଉଡିଯାଉ। କେହି ନା କେହି ପରିବାରରେ ନିଶ୍ଚେ ପାଖରେ ଯତ୍ନ ନେଉଥାନ୍ତି। କିନ୍ତୁ ଏପରି ମୂକ ଓ ନିଷ୍ପାପ ପଶୁପକ୍ଷୀ ମାନଙ୍କର କଣ ହୁଏ?

ଗୋଟେ ଘଟଣା ମନେପଡ଼େ। ଦିନେ ରାତିରେ ଅଫିସରୁ ଫେରି ଘରେ ପହଞ୍ଚି ଦେଖେ ମୋ ଫ୍ଲାଟ ସାମନାରେ ଗୋଟେ ମାଈକୁକୁର ଗୋଟେ କୁନି କୁକୁରଛୁଆକୁ ଧରି ବସିଛି। ମୁ ନିୟମିତ ଭାବେ ବୁଲାକୁକୁରଙ୍କୁ ଖାଇବାକୁ ଦିଏ। କିନ୍ତୁ ଏଇ କୁକୁରଟିକୁ କେବେ ଦେଖିନଥିଲି। ମୁ ଧୀରେ କରି ତା’ ପାଖକୁ ଗଲି। ମୁ ଦେଖିପାରୁଥାଏ ସେ କୁକୁର ଛୁଆଟି ଏକଦମ ନିସ୍ତେଜ ହୋଇ ପଡିରହିଥାଏ। ତାର ଦେହକୁ ଛୁଇଁଲାରୁ ଦେହରେ ଜୀବନ ଏବେ ବି ଅଛି ବୋଲି ଜାଣିଲି। ସେ ଭୀଷଣ ଅସୁସ୍ଥ ଥାଏ। ତାକୁ ଅଳ୍ପଟିକିଏ କ୍ଷୀର ଆଣି ଖୁଆଇବାକୁ ଚେଷ୍ଟା କଲି। ଛୁଆଟି ବଡକଷ୍ଟରେ ଥରେ ଦୁଇଥର ତା’ ଲାଙ୍ଗୁଡ ହଲେଇବାକୁ ଚେଷ୍ଟା କଲା। ସାଧାରଣତଃ ମା’ କୁକୁର ମାନେ ତାଙ୍କ ଛୁଆ ପାଖକୁ ଗଲେ ଭୁକିବା ଆରମ୍ଭ କରନ୍ତି। କିନ୍ତୁ ତା’ ମା ଚୁପ କରି ବସିଥାଏ ଓ ମୋତେ ଛୁଆଟିର ଯତ୍ନ ନେବାକୁ ଦେଉଥାଏ। ମୋ ବନ୍ଧୁ ଡାକ୍ତରଙ୍କୁ ଫୋନ କରି ଜଣାଇଲି। ସେତେବେଳେ ଯେହେତୁ ବେଶି ରାତି ହେଇଯାଇଥାଏ, ସେ ଅପରଦିନ ସକାଳେ ଆସିବାକୁ କହିଲେ।

ପରଦିନ ସକାଳେ ଉଠି ବାହାରକୁ ଯାଇ ଦେଖିଲା ବେଳକୁ କୁକୁରଛୁଆଟି ଆଉ ନିଶ୍ଵାସ ନେଉନଥାଏ। ମା କୁକୁର ଏବେ ବି ତାକୁ ଜଗି ବସିଥାଏ। ଅସହାୟ ଲାଗିଲା। କିନ୍ତୁ କଣ କରିହେବ। ମନେ ମନେ ଭାବିଲି ସେ ମୋ ଦୁଆରକୁ ଭଲା କାହିଁକି ଆସିଲା? କିଏ ତାକୁ ମୋର ଠିକଣା କହିଲା। କାହିଁକି ସେ ଆଉ କୁଆଡେ ଗଲାନାହିଁ। ସେ କେମିତି ଜାଣିଲା ଯେ ମୋ ପାଖରେ ତାକୁ ସାହାଯ୍ୟ ମିଳିବ ବୋଲି। ମୋର ସବୁ ପ୍ରଶ୍ନର ଉତ୍ତର ସେ ଦେଇପାରିବନାହିଁ କି ମୁ ତା'ର ଭାଷାକୁ ବୁଝିପାରିବି ନାହିଁ। ବିଦେଶୀ କୁକୁର ମାନଙ୍କୁ ଟ୍ରେନିଂ ଦେବା ପରେ ସେମାନେ ମଣିଷଙ୍କ ସହ ଏକପ୍ରକାରେ କଥା ହେଇପାରନ୍ତି ମାନେ ଯୋଗାଯୋଗ କରିପାରନ୍ତି। କିନ୍ତୁ ବୁଲାକୁକୁରଙ୍କ ଭାଷା ବୁଝିବା ଅନେକ କଷ୍ଟ।

image


ଏଇ କିଛିଦିନ ପୂର୍ବେ ଆମ ଅପାର୍ଟମେଣ୍ଟରେ ଜଣେ ମହିଳା ଖୁବ ଭୟର ସହକାରେ ମୋତେ କହିଲେ ଯେ ମୋର ପୋଷା କୁକୁର ମାନେ ଏମିତି ଖୋଲାରେ ବୁଲୁଛନ୍ତି, ତାଙ୍କୁ ଡର ସେମାନେ କାଳେ ତାଙ୍କୁ କାମୁଡିବେ। ମୋତେ ବଡ ଜୋର ହସ ଲାଗିଲା। ଲୋକେ ସାଧାରଣତଃ ଭାବନ୍ତି କୁକୁର ମାନେ ସେମାନେ କାମୁଡିବେ। ମୁ ନିଜେ ଯେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲି ମୋତେ ଗୋଟେ କୁକୁର କାମୁଡି ଦେଇଥିଲା। କିନ୍ତୁ ତା ଯୋଗୁ ମୋର କୁକୁର ମାନଙ୍କ ପ୍ରତି ସ୍ନେହ ଟିକିଏ ବି କମ ହେଇଯାଇନି। ବରଂ ଧୀରେ ଧୀରେ ବଢି ବଢି ଯାଇଛି। ଏବେ ମୁ କୁକୁରଙ୍କ ବିନା ଜୀବନର କଳ୍ପନା ମଧ୍ୟ କରିପାରିବି ନାହିଁ। ମୁ ଯୁଆଡେ ଯାଏ ବୁଲାକୁକୁରଙ୍କ ସହ ଖେଳେ। ସେମାନେ ମୁ ଡାକିଲା ମାତ୍ରେ ଲାଙ୍ଗୁଡ ହଲାଇ ମୋ ପାଖକୁ ଆସନ୍ତି। ରାନୀ ବୋଲି ଯେଉଁ କୁକୁରଟି ମୋତେ ବହୁ ଦିନ ଆଗରୁ କାମୁଡିଥିଲା ସେ ମଧ୍ୟ ଖରାପ ନଥିଲା। ବାସ ଟିକେ ଭୋକିଲା ଥିଲା। ମୁ ହାତରେ ପାଉଁରୁଟି ଧରିଥିଲି। ତାକୁ ଛଡାଇନେବା ପ୍ରକ୍ରିୟାରେ ମୋ ହାତକୁ କାମୁଡିଦେଇଥିଲା। କୁକୁର ମାନେ ଶାନ୍ତିପ୍ରିୟ ସ୍ଵଭାବର। ମୁ ଆଜି ଯାଏଁ କୌଣସି ମନୁଷ୍ୟ ଓ ପଶୁର ଗଣ୍ଡଗୋଳ ହେଉଥିବାର ଦେଖିନାହିଁ।

ଶେରୁର ଶେଷଦିନ ମାନଙ୍କରେ ସେ ଜନ୍ମରୁ ଯେଉଁଠାରେ ରହିଛି ସେ ସ୍ଥାନ ଛାଡିଯିବାକୁ ଆଦୌ ଇଚ୍ଛା କରୁନଥିଲା। ମୁ ତାକୁ ସାହାଯ୍ୟ କରିବାକୁ ଚେଷ୍ଟା କଲି କିନ୍ତୁ କିଏ ଜାଣେ। ବୋଧହୁଏ ମୋର ତାକୁ ହସ୍ପିଟାଲ ନେଇଯିବା ତାର ବଞ୍ଚିବାର ଇଚ୍ଛାକୁ କମ କରିଦେଲା! ହସ୍ପିଟାଲ ଯିବାର ମାତ୍ର ଦୁଇଟି ସପ୍ତାହ ପରେ ସେ ଆଖି ବୁଜିଦେଇଥିଲା। ଡାକ୍ତର ମୋତେ ତାର ମୃତ୍ୟୁ ବିଷୟରେ ଜଣେଇଲା ପରେ ନିଜକୁ ଖୁବ ଦୋଷୀ ମନେହେଲା। ସେଇ କୁନି କୁକୁର ଛୁଆ ଯିଏ ମୋ ଘର ଦୁଆରେ ତାର ଶେଷ ନିଶ୍ଵାସ ତ୍ୟାଗ କରିଥିଲା ତା କଥା ଭାବି ମଧ୍ୟ ଦୋଷୀ ଲାଗିଲା। ଯେଉଁ ବୁଲାକୁକୁର ମାନଙ୍କୁ ମୁ ଖାଇବାକୁ ଦିଏ କିନ୍ତୁ ରହିବା ପାଇଁ ସୁରକ୍ଷିତ ସ୍ଥାନ ଦେଇପାରିନାହିଁ ତାଙ୍କ କଥା ଭାବି ଦୁଃଖ ଲାଗେ। ତାଙ୍କର ବି ତ ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ଏକ ଉନ୍ନତ ଧରଣର ସମାଜ ଗଢିବାର ସ୍ଵପ୍ନ ମଧ୍ୟରେ ଆମେ କେବେ ପଶୁମାନଙ୍କର ଦୁଃଖକଷ୍ଟ ବୁଝିବାକୁ ଚେଷ୍ଟା କରିଛେ କି?

ମୁ ଆଜି ଯାଏଁ ଏପରି ଏକ ବ୍ୟକ୍ତିଙ୍କୁ ଭେଟିନାହିଁ ଯିଏ କୁକୁର ମାନଙ୍କ ଉପରେ କାମୁଡା ଜୀବ ହେଇଥିବାର ଦୋଷ ଲଦି ନାହାନ୍ତି। ମୁ ମନା କରୁନି ଯେ ସେ ସେମାନେ କାମୁଡ଼ନ୍ତି ନାହିଁ। କିନ୍ତୁ କେବଳ ସେତେବେଳେ, ଯେତେବେଳେ ତାଙ୍କୁ ଅକାରଣରେ ମାଡ଼ ଦିଆଯାଏ ଓ ଲୋକେ ଚିଡାନ୍ତି। ଗାଁ ମାନଙ୍କରେ ଲୋକେ ଧର୍ମ ନାମରେ କୁକୁର ମାନଙ୍କୁ ଖାଦ୍ୟ ଓ ଜଳ ଦିଅନ୍ତି। ମଣିଷ ଓ କୁକୁର ମଧ୍ୟରେ ଏକ ପ୍ରାଚୀନ ଓ ପ୍ରାକୃତିକ ସମ୍ପର୍କ ରହିଛି। କିନ୍ତୁ ସହରୀ ଜୀବନରେ ସେମାନେ ହେଇଯାଇଛନ୍ତି ଅନାଥ। ଦେଶୀ କୁକୁରଙ୍କ ପାଇଁ ରହିବାକୁ ସୁରକ୍ଷିତ ସ୍ଥାନ ନାହିଁ। ଘର ମାନଙ୍କରେ ବିଦେଶୀ କୁକୁର ରୁହନ୍ତି। ଦେଶୀଙ୍କୁ ଦେଖିଲେ ଛି ଛି। ସେମାନେ ରୁହନ୍ତି ରାସ୍ତାରେ ଯେଉଁଠି କେଉଁ ମୂହୁର୍ତ୍ତରେ ତାଙ୍କ ଜୀବନ ଯେ କେଉଁ ଗାଡି ଚକା ତଳେ ଆସି ଚାଲିଯିବ ତା'ର ଠିକଣା ନାହିଁ। ଆମେ ମଣିଷ ମାନେ ତାଙ୍କୁ ବାସସ୍ଥାନହୀନ କରିଛୁ, ଅତ୍ୟାଚାର କରିଛୁ କିନ୍ତୁ ଦୁଃଖର କଥା ଯେ ଦୋଷ ସବୁବେଳେ ସେଇ ନିରୀହ ପ୍ରାଣୀ ମଥାରେ ହିଁ ବୋଳିଛୁ। ସେ ପଶୁ ପରା!

Disclaimer: ଲେଖକ ଆଶୁତୋଷ ସାମ୍ବାଦିକ ଓ AAPର ନେତା। ଲେଖାର ସମସ୍ତ ମତାମତ ତାଙ୍କର ବ୍ୟକ୍ତିଗତ