ସଲୋନୀଙ୍କ ସଂଘର୍ଷର କାହାଣୀ, ଲୋକଙ୍କୁ କାମ ଦେବା ପାଇଁ ପ୍ରତିଷ୍ଠା କଲେ ପ୍ରଥମ ଗ୍ରାମୀଣ ବିପିଓ

ସଲୋନୀଙ୍କ ସଂଘର୍ଷର କାହାଣୀ, ଲୋକଙ୍କୁ କାମ ଦେବା ପାଇଁ ପ୍ରତିଷ୍ଠା କଲେ ପ୍ରଥମ ଗ୍ରାମୀଣ ବିପିଓ

Monday August 29, 2016,

3 min Read

ପାଠପଢା ପରେ କାମ ଅନ୍ୱେଷଣରେ ଗାଁରୁ ସହରକୁ ଯିବା ଏକ ସାଧାରଣ କଥା । ଦେଶ ସ୍ୱାଧିନ ହେବାର ଛଅ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଗାଁରେ ରୋଜଗାର ପାଇଁ ବହୁତ କମ୍ ସୁଯୋଗ ରହିଛି । ତେଣୁ ଗାଁରୁ ସହରକୁ ଆସୁଥିବା ଲୋକଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଆଉ ଗ୍ରାମାଅଞ୍ଚଳର ବିକାଶରେ ଏହା ବାଧକ ସାଜୁଛି ।

ଦିଲ୍ଲୀର ଜଣେ ୱେବ ଡିଜାଇନର୍ ସଲୋନୀ ମାଲହୋତ୍ରା ଏମିତି ଏକ ପ୍ରୟାସ କରିଥିଲେ ଯାହା ଏକ ଉଦାହରଣ ପାଲଟିଯାଇଥିଲା। ସଲୋନୀଙ୍କ ଉଦ୍ୟମ ଲୋକଙ୍କ ଭାବନା ବଦଳାଇଦେଇଥିଲା । କେବଳ ୨୩ ବର୍ଷ ବୟସରେ ସଲୋନୀ ତାମିଲନାଡୁର ଏକ ଗାଁରେ ଦେଶୀ କ୍ରୁ ନାମରେ ଏକ ବିପିଓ ଖୋଲିଲେ । ଆଉ କିଛି ବର୍ଷ ଭିତରେ ଏହା ଏକ ସଫଳ ବିପିଓ ଭାବେ ପ୍ରତିଷ୍ଠାଲାଭ କରିପାରିଲା । ଏହି ବିପିଓ ଜରିଆରେ ଗାଁରେ ରହି ଯୁବକମାନଙ୍କୁ କ୍ୟାରିୟର ଗଢିବାର ସୁଯୋଗ ମିଳିଥିଲା ।

image


ସଲୋନୀଙ୍କ ଯାତ୍ରା

ସଲୋନୀଙ୍କ ପିଲାଦିନ ଦିଲ୍ଲୀରେ କଟିଥିଲା । ଦ୍ୱାଦଶ ପର୍ଯ୍ୟନ୍ତ ସେ ଦିଲ୍ଲୀର ଏକ କନଭେଣ୍ଟ ସ୍କୁଲରେ ପଢିଥିଲେ । ଏହାପରେ ପୁନେର ଭାରତୀୟ ବିଦ୍ୟାପୀଠରେ ଇଂଜିନିୟର ପଢିଲେ । ଏହି ସମୟର ସେ ବିଭିନ୍ନ ଗ୍ରୁପ ସହ ସାମିଲ ହୋଇଥିଲେ । ଏଭଳିକି ସେ ଲିୟୋ ଗ୍ରୁପର ଅଧ୍ୟକ୍ଷା ଭାବେ ଗ୍ରାମାଅଞ୍ଚଳ ଲୋକଙ୍କ ବିକାଶ ପାଇଁ ଅନେକ କାମ କରିଥିଲେ । ଏହି ସମୟରେ ସେ ଅନେକ ନୂଆ ଅଭିଜ୍ଞତା ହାସଲ କରିଥିଲେ । କିଛି ଭଲ କାମ କରିବାର ସଂକଳ୍ପ ସେ ଏଇଠାରେ ହିଁ ନେଇଥିଲେ । ସେ କହନ୍ତି,“ମୁଁ ନିଷ୍ପତ୍ତି ନେଲି – ଏମତି କିଛି କାମ କରିବି ଯାହା ଗ୍ରାମାଂଚଳ ସମ୍ବନ୍ଧୀୟ ହୋଇଥିବ । କି କାମ କଲେ ଗାଁର ଯୁବକ ଯୁବତୀମାନଙ୍କୁ ଫାଇଦା ମିଳିବ ? ଯେଉଁ କାମ କଲେ ମଧ୍ୟ ଅଭିଜ୍ଞତା ଓ ଅର୍ଥ ଆବଶ୍ୟକ | ତେଣୁ ଦିଲ୍ଲୀର ଏକ ୱେବ ଡିଜାଇନ୍ କମ୍ପାନୀରେ ଚାକିରି କଲି । ଲକ୍ଷ୍ୟ ଥିଲା ଯେ କମ୍ପାନୀ ଚଳାଇବାର କୌଶଳ ଶିଖିବା । ”

ଇତିମଧ୍ୟରେ ତାଙ୍କର ସାକ୍ଷାତ ମାଡ୍ରାସ୍ ଆଇଆଇଟି ପ୍ରଫୋସର ଅଶୋକ ଝୁନଝୁନୱାଲାଙ୍କ ସହ ହେଲା । ସେ ସଲୋନୀଙ୍କୁ ବହୁତ ସାହାଯ୍ୟ କରିଥିଲେ । ଆଉ ୨୦୦୭ ମସିହା ୨ ଫେବୃୟାରୀରେ ସଲୋନୀ ଗ୍ରାମୀଣ ବିପିଓ ‘ଦେଶୀ କ୍ରୁ’ ଆରମ୍ଭ କଲେ । କାମ ପାଇଁ ସହର ପଳାଉଥିବା ରୋକିବା ହିଁ ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଦେଶୀ କ୍ରୁ ଯୁବକମାନଙ୍କୁ ରୋଜଗାର ଦେବା କାର୍ଯ୍ୟ କଲା । ଚେନ୍ନଇର କୋଲ୍ଲୁମଗୁଡୀ ଅଂଚଳରେ ଚାରିଜଣଙ୍କୁ ନେଇ ଅଫିସ୍ ଖୋଲାଗଲା । ମାଡ୍ରାସ ଆଇଆଇଟି ଓ ଅନ୍ୟ ଜଣେ ନିବେଶକ ‘ଦେଶୀ କ୍ରୁ’କୁ ଖୋଲିବା ପାଇଁ ଅର୍ଥ ସହଯୋଗ କରିଥିଲେ | ସଲୋନୀ ଚେନ୍ନଇର ସ୍ଥାନୀୟ ଭାଷା ଜାଣିନଥିଲେ । ସେଠାରେ ସେ ପୂରା ନୂଆ ଥିଲେ । ତେଣୁ ତାଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ତଥାପି ସେ ପଛକୁ ଚାହିଁ ନଥିଲେ । ସାହସର ସହ ଆଗକୁ ବଢିଥିଲୋ ଓ ଏବେ ଦେଶୀ କ୍ରୁ ସଫଳତାକୁ ଛୁଇଁଛି ।

ପ୍ରଶିକ୍ଷଣ

ଦେଶୀ କ୍ରୁ ତାମିଲନାଡୁରେ ଏବେ ୫ଟି ସେଂଟର ଖୋଲିଛି ଓ ଅନେକ ଯୁବକ ଯୁବତୀଙ୍କୁ ଏଠାରେ ରୋଜଗାର ମିଳିଛି । ଏହି ବିପିଓ ଆରମ୍ଭ ସମୟରେ କ୍ଲାଏଣ୍ଟମାନଙ୍କୁ ବୁଝାଇବା ଓ ସେମାନଙ୍କ ବିଶ୍ୱାସ ଜିତିବା ଥିଲା ବହୁତ ବଡ ଚ୍ୟାଲେଂଜ୍ । କାରଣ ଗ୍ରାମୀଣ ଅଞ୍ଚଳରେ ଇନଫ୍ରାଷ୍ଟ୍ରକଚର୍ ନଥିଲା । ପୁଣି ଗାଁର ଲୋକମାନେ କେବଳ ସ୍ଥାନୀୟ ଭାଷା ହିଁ ଜାଣିଥିଲେ । ଇଂରାଜୀ ଖୁବ୍ କମ୍ ଲୋକଙ୍କୁ ଆସୁଥିଲା । ତଥାପି ସଲୋନୀଙ୍କ ବିପିଓ ଉପରେ ଧୀରେ ଧୀରେ ସମସ୍ତେ ଭରସା କରିବାକୁ ଲାଗିଥିଲେ ।

ଦେଶୀ କ୍ରୁ କର୍ମଚାରୀମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଏ । ଯେପରି ସବୁ ପରିସ୍ଥିତିରେ ସଫଳତାର ସହ କାମ କରିପାରିବେ । ଦେଶୀ କ୍ରୁ ତାମିଲନାଡୁ ଓ କର୍ଣାଟକର ବିଭିନ୍ନ କମ୍ପାନୀ ପାଇଁ ସେବା ଯୋଗାଇଆସୁଛି । ଏହା ବ୍ୟତୀତ ଅନ୍ୟ କିଛି କମ୍ପାନୀ ଏହା ସହିତ ସାମିଲ ହୋଇଛନ୍ତି । ଏମିତି ଅନେକ ବିପିଓ ଅଛନ୍ତି, ଯେଉଁମାନେ ଗ୍ରାମାଂଚଳ ଯୁବକ ଯୁବତୀମାନଙ୍କୁ ରୋଜଗାର ଦିଅନ୍ତି । କିନ୍ତୁ ଗ୍ରାମାଅଞ୍ଚଳ ରେ ଅଫିସ୍ ଖୋଲନ୍ତି ନାହିଁ । କିନ୍ତୁ ସଲୋନୀ ଗ୍ରାମାଂଚଳରେ ଅଫିସ୍ ଖୋଲି ଏକ ରିସ୍କ ଉଠାଇଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଥିଲେ ।

ସଲୋନୀଙ୍କ ଆଇଡିଆ ବେଶ୍ ଭଲ ଚାଲିଛି । ତାଙ୍କ ବିପିଓ କେବଳ ଗାଁ ଲୋକଙ୍କୁ ନୁହେଁ, ଦେଶର ବହୁ ଲୋକଙ୍କୁ ଆକର୍ଷଣ କରିଛି। ଏଥିପାଇଁ ଅନେକ ସୋଲନୀଙ୍କୁ ଅନେକ ସମ୍ମାନ ମିଳିଛି । ୨୦୧୧ରେ ଟିଆଇଆଇ ଶ୍ରୀ ଶକ୍ତି ଆୱାର୍ଡ, ୨୦୦୮ରେ ଏମଟିବି ଯୁଥ୍ ଆଇକନ୍ ପାଇଁ ନାମାଙ୍କିତ ହୋଇଥିଲେ । ୨୦୦୮ରେ ଇ ଏଣ୍ଡ ୱାଇ ଏଣ୍ଟରପ୍ରନ୍ୟୋର୍ ଅଫ୍ ଦି ୟିଅର ପାଇଁ ମନୋନୀତ ହୋଇଥିଲେ । ୨୦୧୩ରେ ଗ୍ଲୋବାଲ୍ ସୋର୍ସିଂ କାଉନସିଲ୍ ଆୱାର୍ଡରେ ଦ୍ୱିତୀୟ ସ୍ଥାନ ମିଳିଥିଲା । ୨୦୦୯ରେ ଫିକି ଏଫଏଲ୍‌ଓ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ପୁରସ୍କୃତ ହୋଇଥିଲେ । ଏତେ କମ ବୟସରେ ଅନେକ ସଫଳତା ପାଇବା ବହୁତ ବଡ ଉପଲବ୍ଧି । ପ୍ରତିଷ୍ଠା ହେବାର କିଛି ବର୍ଷ ମଧ୍ୟରେ ଦେଶୀ କ୍ରୁ ଦଶ ଗୁଣା ବିସ୍ତାର କରିଯିବା ଏକ ରେକର୍ଡ ।