ପ୍ଲାଷ୍ଟିକରୁ ପ୍ରସ୍ତୁତ ରାସ୍ତା ଓ ପ୍ଲାଷ୍ଟୋନର ଜନକ ପ୍ରଫେସର୍ ବାସୁଦେବନ୍

0

ପ୍ଲାଷ୍ଟିକ୍ ଆମ ଦୈନନ୍ଦିନ ଜୀବନରେ ଏବେ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ପ୍ରତ୍ୟେକ ସମୟରେ ଆମେ ପ୍ଲାଷ୍ଟିକ୍ ବସ୍ତୁ ବ୍ୟବହାର କରୁଛେ । ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗରୁ ଆରମ୍ଭ କରି ପ୍ୟାକିଂ କ୍ଷେତ୍ରରେ, ପାଣି ବୋତଲ, କପ୍ ଭଳି ଅନେକ ନିତ୍ୟାବଶ୍ୟକୀୟ ସାମଗ୍ରୀ ଆମେ ବ୍ୟବହାର କରୁଛେ । ଏହାର ଫଳ ସ୍ୱରୂପ ଆମ ଦେଶରେ ଏବେ ପ୍ଲାଷ୍ଟିକର ଅଳିଆ ବଢ଼ିଛି । ଏହି ଆବର୍ଜନାଗୁଡିକ ମାଟିରେ ମିଶେ ନାହିଁ ଏବଂ ଜଳାଇଲେ, ଏଥିରୁ ନିର୍ଗତ ଧୂଆଁ ପରିବେଶକୁ ବହୁ ମାତ୍ରାରେ ପ୍ରଦୂଷିତ କରେ । ଅଳିଆ ଆବର୍ଜନା ପକାଇବା ସ୍ଥାନରେ ଏହାକୁ ଫିଙ୍ଗିଲେ ଗାଈଗୋରୁ, କୁକୁର ଆଦି ପ୍ରାଣୀ ଏହାକୁ ଖାଇ ଦେଉଛନ୍ତି । ଯାହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ପ୍ଲାଷ୍ଟିକର ବ୍ୟବହାର ଯେତିକି ଆବଶ୍ୟକୀୟ ଓ ଉପାଦେୟ ହୋଇଛି, ଏହାର ଅପଘଟନ ସେତିକି ମୁଣ୍ଡ ବ୍ୟଥାର କାରଣ ହୋଇଛି ।

ଏବେ କିନ୍ତୁ ଆଶାର କିରଣ ଏକ ଦେଖାଯାଉଛି । ଅନାବଶ୍ୟକୀୟ ପ୍ଲାଷ୍ଟିକ୍ ପଦାର୍ଥକୁ କିଭଳି ଭାବେ ଆବଶ୍ୟକୀୟ ପଦାର୍ଥରେ ରୂପାନ୍ତରିତ କରିହେବ ସେ ନେଇ ଏକ ଗବେଷଣା ସଫଳ ହୋଇଛି । ଯାହା ଜନ୍ମ ଦେଇଛି ଭାରତ ଜଣେ ‘ପ୍ଲାଷ୍ଟିକ୍ ମ୍ୟାନ୍’ଙ୍କୁ । ମଦୁରାଇର ଥିଆଗାରାଜାର୍ କଲେଜ୍ ଅଫ୍ ଇଂଜିନିୟରିଂର ଜଣେ ରସାୟନ ବିଜ୍ଞାନ ପ୍ରଫେସର୍ ରାଜାଗୋପାଳନ୍ ବାସୁଦେଭନ୍ ଏହି ଗବେଷଣାଟି କରି ସଫଳ ହୋଇଛନ୍ତି ।

ପ୍ରଫେସର୍ ବାସୁଦେବନ୍ ଥରେ ଟେଲିଭିଜନରେ ଜଣେ ଡାକ୍ତରଙ୍କ ସାକ୍ଷାତକାର ଶୁଣିଥିଲେ । ସାକ୍ଷାତକାରରେ ଡାକ୍ତର ଜଣଙ୍କ କହିଲେ, “ପ୍ଲାଷ୍ଟିକର ଅପଘଟନ ଖୁବ୍ ଜଟିଳ । ଖାସ୍ କରି ଏହାକୁ ପାଣିରେ ପିଙ୍ଗିବା ଦ୍ୱାରା ପୃଥିବୀରେ ଥିବା ଜଳାଞ୍ଚଳ ସବୁ ପ୍ରଦୂଷିତ ହେଉଛି ।” ସେହି ଡାକ୍ତରଙ୍କର ଏହି କଥା ଦୁଇ ପଦ ପ୍ରଫେସର୍ ବାସୁଦେଭନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥିଲା । ବାସୁଦେଭନ୍ ଚିନ୍ତା କଲେ, ପ୍ଲାଷ୍ଟିକ୍ ପେଟ୍ରୋଲିୟମରୁ ପ୍ରସ୍ତୁତ ଏକ ପଦାର୍ଥ । ଏହା କିପରି ଜଳ ସହ ମିଶିବ ଓ ଏହାକୁ ପ୍ରଦୂଷିତ କରିବ! କେଉଁଠି ନା କେଉଁଠି ସେହି ଡାକ୍ତର ଜଣଙ୍କ ଭୁଲ୍ କଥା କହୁଛନ୍ତି । ଏଣୁ ସେ ଗବେଷଣା ଆରମ୍ଭ କଲେ । ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ତରଳାଇ ଅନ୍ୟ କୌଣସି କାର୍ଯ୍ୟରେ ଲଗାଇବା ତାଙ୍କ ଗବେଷଣାର ମୂଳ ଲକ୍ଷ୍ୟ ଥିଲା । ପରୀକ୍ଷାଗାରରେ ସେ ବର୍ଜ୍ୟ ପ୍ଲାଷ୍ଟିକ୍ ସବୁକୁ ଗରମ ବିଟୁମେନ୍ ସହ ମିଶାଇ ପଥର ଉପରେ ଲଗାଇଲା । ତାଙ୍କର ଏହି ଗବେଷଣା ସଫଳ ହେଲା । ଏହି ମିଶ୍ରଣକୁ ପଥର ଉପରେ ବ୍ୟବହାର କରିବା ଉପାଦେୟ ସାବ୍ୟସ୍ତ ହେଲା । ୨୦୦୨ ମସିହାରେ ପ୍ରଫେସର ବାସୁଦେବନ୍ ନିଜ କଲେଜ ପରିସରରେ ଥିବା ଏକ ରାସ୍ତାକୁ ଏହି ମିଶ୍ରଣ ଜରିଆରେ ନିର୍ମିତ କଲେ । ଆଜି ବି ସେହି ରାସ୍ତାର ଖୁବ୍ କମ୍ ଅବକ୍ଷେୟ ହୋଇଥିବାର ଦେଖିବାକୁ ମିଳୁଛି । ୨୦୦୬ରେ ପ୍ରଫେସର ବାସୁଦେବନଙ୍କୁ ଏହି ଆବିଷ୍କାର ପାଇଁ ଥିଆଗାରାଜାର୍ କଲେଜ୍ ଅଫ୍ ଇଂଜିନିୟରିଂକୁ ଖୁବ୍ ପ୍ରଶଂସା ମିଳିଥିଲା ।

ରାସ୍ତା କାମରେ ବ୍ୟବହାର ହେଉଥିବା ଏହି ପ୍ଲାଷ୍ଟିକ୍ ମିଶ୍ରଣର ପ୍ରସ୍ତୁତି ପ୍ରଣାଳୀ ଅତି ସହଜ । କଟା ମେସିନ୍ ଜରିଆରେ ସବୁ ପ୍ଲାଷ୍ଟିକ୍ ବର୍ଯ୍ୟବସ୍ତୁକୁ ସମାନ ଆକାରକୁ ରୂପାନ୍ତରିତ କରାଯାଏ । ପରେ ଏହାକୁ ୧୬୫ ଡିଗ୍ରୀ ତାପମାତ୍ରାରେ ଗରମ କରାଯାଏ । ଏହାକୁ ଏକ ମିଶ୍ରଣ ଘର ମଧ୍ୟରେ ରଖାଯାଏ । ପରେ ବିଟୁମେନସକୁ ୧୬୦ ଡିଗ୍ରୀ ତାପମାତ୍ରାରେ ଗରମ କରାଯାଏ ପୂର୍ବ ମିଶ୍ରଣରେ ମିଶାଯାଏ । ୩୦ରୁ ୬୦ ସେକେଣ୍ଡ ମଧ୍ୟରେ ଏହି ମିଶ୍ରଣଟି ପ୍ରସ୍ତୁତ ହୋଇଯାଏ । ଏହା ତେଲିଆ ଦେଖାଯାଏ । ପରେ ଏହାକୁ ଗରମ ବିଟୁମେନରେ ପୁନର୍ବାର ମିଶାଯାଏ ୧୧୦ରୁ ୧୨୦ ଡିଗ୍ରୀ ତାପମାତ୍ରା ମଧ୍ୟରେ ରାସ୍ତା ପ୍ରସ୍ତୁତି ସମୟରେ ଲେପନ କରାଯାଏ । ଏହା ଉପରେ ବ୍ୟବହୃତ ରୋଲର ର ଓଜନ ୮ ଟନ୍ ପର୍ଯ୍ୟନ୍ତ ରହିଥାଏ । ପ୍ରଫସର୍ ବାସୁଦେବନଙ୍କ କହିବା ଅନୁଯାୟୀ, “ଏହି ପ୍ରଣାଳୀଟି ଅତ୍ୟନ୍ତ ସହଜ । ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଆମକୁ ଅଧିକରୁ ଅଧିକ ପ୍ଲାଷ୍ଟିକ୍ ଆବଶ୍ୟକ । ଯାହା ପ୍ଲାଷ୍ଟିକ୍ ବର୍ଯ୍ୟବସ୍ତୁ ରୂପେ ଆମ ନିକଟରେ ରହିଛି । ଏହାର ବ୍ୟବହାର ଦ୍ୱାରା ପରିବେଶରୁ ପ୍ଲାଷ୍ଟିକ୍ ବର୍ଯ୍ୟବସ୍ତୁର ଅବକ୍ଷେୟ ଘଟିବ, ଯାହାକି ସମାଜ ପାଇଁ ମଙ୍ଗଳକର । ପ୍ଲାଟିକ୍ ଲେପ ଦ୍ୱାରା ରାସ୍ତା ପ୍ରସ୍ତୁତ କରାଗଲେ, ତାହା ଅଧିକ ନମନୀୟ ହେବା ସହ ଦୀର୍ଘସ୍ଥାୟୀ ମଧ୍ୟ ହେବ । ଖରା, ବର୍ଷା, ଶୀତ, କାକରର ପ୍ରଭାବ ତାହା ଉପରେ ବିଶେଷ ପଡିବ ନାହିଁ । ଆମକୁ ଦୀର୍ଘ ସ୍ଥାୟୀ ରାସ୍ତା ମିଳିବ ଓ ପରିବେଶ ସୁରକ୍ଷିତ ରହିବ ।”

ପ୍ରଫେସର୍ ବାସୁଦେବନଙ୍କର ଗବେଷଣା କେବଳ ଏତିକିରେ ସୀମିତ ହୋଇ ରହିଲା ନାହିଁ । ସେ ଏହି ମିଶ୍ରଣ ଜରିଆରେ ଆଉ ଏକ ଚମତ୍କାର ଆବିଷ୍କାର ମଧ୍ୟ କରି ପାରିଛନ୍ତି । ପଥର ଖଣ୍ଡ ଉପରେ ପ୍ଲାଷ୍ଟିକ୍ ଲେପ ଦେଇ ସେ ଏକ ନୂଆ ଇଟା ଭଳି ପଦାର୍ଥ ପ୍ରସ୍ତୁତ କରିଛନ୍ତି । ଏହାର ନାମ ରଖିଛନ୍ତି ‘ପ୍ଲାଷ୍ଟୋନ୍’ । ୨୦୧୨ରେ ସେ ପ୍ଲାଷ୍ଟୋନ୍ ପ୍ରସ୍ତୁତ କରିଥିଲେ । ଏହା ଅତ୍ୟଧିକ ଚାପ ସହିବାକୁ ସକ୍ଷମ । ଏହାଛଡା ଏହା ମଧ୍ୟକୁ ଜଳ ପ୍ରାବେଶ କରିବା ଅସମ୍ଭବ । ଫଳରେ ଏହାକୁ ଘର ବାହାରର ମେଜିଆ, ପାଚେରୀ ଓ ପୋଲ ପ୍ରସ୍ତୁତିରେ ବ୍ୟବହାର କରାଯାଇ ପାରିବ । ପ୍ରଫେସର୍ ବାସୁଦେଭନଙ୍କର ରସାୟନ ବିଜ୍ଞାନ ବିଭାଗ ଏବେ ଗ୍ରାନାଇଟ୍ ଓ ସେରାମିକ୍ ବର୍ଯ୍ୟବସ୍ତୁକୁ ବ୍ୟବହାର କରି ପ୍ଲାଷ୍ଟୋନ୍ ପ୍ରସ୍ତୁତ କରୁଛନ୍ତି । ପ୍ରତ୍ୟେକ ଖଣ୍ଡ ପ୍ଲାଷ୍ଟୋନ୍ ପ୍ରସ୍ତୁତି ପାଇଁ ପାଖାପାଖି ୩୦୦ଟି ପ୍ଲାଷ୍ଟିକ୍ କ୍ୟାରୀ ବ୍ୟାଗ୍ ଆବଶ୍ୟକ ହୁଏ ଏବଂ ପାଖାପାଖି ୬ଟି ବଟଲ୍ ଲାଗେ । ଯେତେ ଅଧିକା ପ୍ଲୋଷ୍ଟାନ୍ ପ୍ରସ୍ତୁତ କରାଯାଇ ପାରିବ, ପରିବେଶରୁ ସେତେ ପ୍ଲାଷ୍ଟିକ୍ ବର୍ଯ୍ୟବସ୍ତୁର ଅବକ୍ଷେୟ ଘଟିବ ।

ପ୍ରଫେସର୍ ବାସୁଦେବନଙ୍କ ଏହି ଆବିଷ୍କାର ପରେ ତାଙ୍କ ନିକଟକୁ ଏହି ଜ୍ଞାନକୌଶଳ ପାଇଁ ଅନେକ ପ୍ରଶ୍ନ ଆସିଛି । ଖାସ୍ କରି ୟୁରୋପ୍ ଆମେରିକା ଭଳି ଜାଗାରୁ ତାଙ୍କ ନିକଟକୁ ଅନେକ ପ୍ରସ୍ତାବ ଆସିଛି । କିନ୍ତୁ ପ୍ରଫେସର୍ ଜଣଙ୍କ କୁହନ୍ତି, “ ସ୍ୱଚ୍ଛ ଭାରତ ମିଶନ୍ ଆମେ ଅଗ୍ରାଧିକାର ଦେଉଛୁ । ଏହି ଜ୍ଞାନକୌଶଳ ଜରିଆରେ ପ୍ରଥମେ ଆମେ ଭାରତ ବର୍ଷକୁ ସଫା କରିବା । ଆମ ଦେଶରେ ଥିବା ପ୍ଲାଷ୍ଟିକ୍ ବର୍ଯ୍ୟବସ୍ତୁର ଅବକ୍ଷେୟ କରାଇବା । ପରେ ଏହି ଜ୍ଞାନକୌଶଳକୁ ବିଶ୍ୱ ହିତରେ ମଧ୍ୟ ଲଗାଇବ ।”

ଏହି ଆବିଷ୍କାର ପରେ ୨୦୧୫ରେ ଏକ ସରକାରୀ ନିର୍ଦ୍ଧେଶ ଆସିଛି । ରାସ୍ତା ନିର୍ମାଣକାରୀମାନଙ୍କୁ ପ୍ଲାଷ୍ଟିକ୍ ମିଶ୍ରଣ ବ୍ୟବହାର କରିବାକୁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା ଫଳରେ ଆଗାମୀ ଦଶନ୍ଧି ମଧ୍ୟରେ ଦେଶରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସମସ୍ୟାରେ ହ୍ରାସ ଘଟିବ ବୋଲି ଆଶା କରାଯାଇ ପାରେ ।