#MaybeHeDoesntHitYou ହ୍ୟାସଟ୍ୟାଗ ଜରିଆରେ ଟୁଇଟରରେ ମହିଳା ମାନେ ମାନସିକ ନିର୍ଯ୍ୟାତନା ସମ୍ପର୍କରେ ମୁହଁ ଖୋଲିଲେ

0

ମାତ୍ର କିଛିଦିନ ତଳେ ଟୁଇଟରରେ ଏକ ହ୍ୟାସଟ୍ୟାଗ ଟ୍ରେଣ୍ଡ କରିବା ଆରମ୍ଭ କଲା। ହ୍ୟାସଟ୍ୟାଗଟି ହେଲା MaybeHeDoesntHitYou। ଡୋମିନିକାନ-ଆମେରିକାନ ଲେଖିକା ଜାହୀରା କେଲି ଏହାକୁ ଆରମ୍ଭ କଲାବେଳେ ବିଲକୁଲ ଭାବି ନଥିଲେ ଯେ ସାରା ବିଶ୍ଵର ମହିଳା ମାନେ ଏହାକୁ ନଜର କରିବେ ଓ ଏହାକୁ ବ୍ୟବହାର କରି ନିଜ ମନର ଅକୁହା ବେଦନା ଢାଳିଦେବେ। ଜାହୀରା ବିବିସିକୁ କୁହନ୍ତି ଯେ ସେ ମାନସିକ ନିର୍ଯ୍ୟାତନାର ଶିକାର ମହିଳା ମାନଙ୍କୁ ଏହାକୁ ଚିହ୍ନିବା ଓ ଏହା ସମ୍ପର୍କରେ ମୁହଁ ଖୋଲି କହିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ହ୍ୟାସଟ୍ୟାଗ ଆରମ୍ଭ କରିଥିଲେ।

ମାନସିକ ନିର୍ଯ୍ୟାତନା ଏପରି ଏକ ନିର୍ଯ୍ୟାତନା ଯେଉଁଥିରେ ଅତ୍ୟାଚାର କରୁଥିବା ବ୍ୟକ୍ତି ଅପର ଜଣଙ୍କୁ ଏପରି ବ୍ୟବହାର କରେ ଯାହା ଫଳରେ କି ଅପର ଜଣକ ଧୀରେ ଧୀରେ ନିଜର ଆତ୍ମସମ୍ମାନ ହରେଇବସେ, ମାନସିକ ସ୍ତରରେ ଭୀଷଣ ଆଘାତ ପାଏ ଓ ଆଗକୁ ଯାଇ ଅବସାଦଗ୍ରସ୍ତ ହୋଇପଡେ ବା ଡିପ୍ରେସନ ଭିତରକୁ ଚାଲିଯାଏ। ଉଭୟ ମହିଳା ଓ ପୁରୁଷ ମାନସିକ ନିର୍ଯ୍ୟାତନାର ଶିକାର ହେଇପାରନ୍ତି। କିନ୍ତୁ ଭାରତୀୟ ପିତୃକୈନ୍ଦ୍ରିକ ସମାଜ ଯେଉଁଠାରେ ମୁଖ୍ୟତଃ ମହିଳା ମାନେ ଆର୍ଥିକ ଦ୍ରୁଷ୍ଟିରୁ ପୁରୁଷଙ୍କ ଉପରେ ନିର୍ଭର କରିଥାନ୍ତି, ସେଠାରେ ପ୍ରାୟତଃ ମହିଳା ମାନେ ମାନସିକ ନିର୍ଯ୍ୟାତନାର ଶିକାର ହୋଇଥାନ୍ତି।

ଆମ ସମାଜରେ ଶାରୀରିକ ନିର୍ଯ୍ୟାତନା ବା ଯୌନ ନିର୍ଯ୍ୟାତନା ଛଡା ଅନ୍ୟ ପ୍ରକାରର ନିର୍ଯ୍ୟାତନାକୁ ଲୋକେ ସହଜରେ ଖାରିଜ କରିଦିଅନ୍ତି। ଅତ୍ୟାଚାରିତ ହେଉଥିବା ବ୍ୟକ୍ତି ଜଣକ ମଧ୍ୟ ସେ ଯେ ମାନସିକ ନିର୍ଯ୍ୟାତନାର ଶିକାର ହେଉଛି ତାହା ଜାଣିପାରେ ନାହିଁ। ଏମିତିକି ଗବେଷଣାକାରୀଙ୍କ ତଥ୍ୟ ଅନୁସାରେ ମାନସିକ ନିର୍ଯ୍ୟାତନାର ଶିକାର ବ୍ୟକ୍ତିଙ୍କ ଠାରେ alexithymia ନାମକ ଏକ ଅବସ୍ଥାର ଲକ୍ଷଣ ବେଶି ମାତ୍ରାରେ ଦେଖାଯାଏ। ଏହାର ମାନେ ହେଲା ନିଜେ ନିଜର ଭାବନାକୁ ବୁଝିବା ଓ ଚିହ୍ନିବାରେ କଷ୍ଟ।

ବେଳେବେଳେ ନିଜର କଷ୍ଟ ଓ ଦୁଃଖକୁ ନ ଚିହ୍ନିବା ମଧ୍ୟ କଷ୍ଟ ସହ ଖାପଖୁଆଇ ଚଳିବାର ଏକ ଶସ୍ତ୍ର ହେଇଥାଏ। ଯାହାକୁ ମନୋବୈଜ୍ଞାନିକ ମାନେ କୋପିଙ୍ଗ ମେକାନିଜ୍ମ ବୋଲି କୁହନ୍ତି।

ତୁମେ ଯେ ମାନସିକ ନିର୍ଯ୍ୟାତନାର ଶିକାର ବା ତୁମ ଆଖପାଖ ବା ପରିବାରରେ ମାନସିକ ସ୍ତରରେ ଅତ୍ୟାଚାର କରୁଥିବା ଭଳି ବ୍ୟକ୍ତି ଅଛନ୍ତି, ଏହା କିପରି ଜାଣିବ ବା ଏପରି ବ୍ୟକ୍ତିଙ୍କୁ କିପରି ଚିହ୍ନିବ?

• ଏମାନେ ସବୁବେଳେ ନିଜ ଜୀବନ ସାଥୀକୁ ଅପମାନିତ କରନ୍ତି ଓ ସାମାଜିକ ସ୍ଥଳୀରେ ତାଙ୍କୁ ତଳକୁ ଦେଖାଇ ବ୍ୟବହାର କରନ୍ତି।

• ଏମାନେ ଅନ୍ୟମାନଙ୍କ ମତାମତ ଓ ଆବଶ୍ୟକତାକୁ କୌଣସି ମୂଲ୍ୟ ଦିଅନ୍ତି ନାହିଁ।

• ଏମାନେ ତାଙ୍କର ଜୀବନ ସାଥୀକୁ ସର୍ବଦା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି ସେମାନଙ୍କୁ ଛୁଆ ଭଳି ବ୍ୟବହାର କରିଥାନ୍ତି।

• ଏମାନେ ନିଜ ଜୀବନ ସାଥୀର ଭାବନାକୁ ନେଇ ବ୍ୟଙ୍ଗ କରନ୍ତି ଓ ତାଙ୍କୁ ଚିଡେଇଥାନ୍ତି।

• ତାଙ୍କର ବ୍ୟବହାର ଯେ ଅନ୍ୟମାନଙ୍କ ପାଇଁ ବେଦନାଦାୟକ ହେଉଛି ବୋଲି ତାଙ୍କୁ ଜଣାଇଲେ ଏମାନେ ବାକି ଲୋକ ଅତ୍ୟଧିକ ସଂବେଦନଶୀଳ ହେଇଯାଉଛନ୍ତି ବୋଲି ସେ କଥାକୁ ଉଡେଇଦିଅନ୍ତି।

• ‘ମୁଁ ଯାହା କହୁଛି ସବୁ ଠିକ ଓ ଅନ୍ୟମାନେ ଭୁଲ’ – ଏହା ଏମାନଙ୍କର ପ୍ରଧାନ ଚିନ୍ତାଧାରା ହେଇଥାଏ।

• ଯଦି ଏମାନଙ୍କ ଜୀବନ ସାଥୀ ମନକଥା ଖୋଲି ତାଙ୍କ ସାଙ୍ଗରେ ଯେ ସେ ଆଉ ଚଳିପାରିବ ନାହିଁ ବୋଲି କୁହେ ଓ ତାଙ୍କୁ ଛାଡିଦେବାର ବିଚାର ବ୍ୟକ୍ତ କରେ, ତେବେ ଏପରି ପରିସ୍ଥିତିରେ ଏଭଳି ବ୍ୟକ୍ତି ମାନେ ନିଜେ ନିଜକୁ କ୍ଷତି ପହଞ୍ଚାଇବାର ଧମକ ଦେଇ ତାଙ୍କ ପାର୍ଟନରଙ୍କୁ ଡରାଇଥାନ୍ତି।

• ଏମାନେ ସବୁ ସମୟରେ ନିଜ ଜୀବନ ସାଥୀ ଭିତରେ ଖୁଣ କାଢିଥାନ୍ତି।

• ଏମାନେ ନିଜ ଉପରେ ହସିବା ପାଇଁ ଅକ୍ଷମ ଓ ଅନ୍ୟ କେହି ତାଙ୍କ ଉପରେ ହସିଲେ ଆଦୌ ସହ୍ୟ କରିପାରନ୍ତିନାହିଁ।

• ଯଦି ଏମାନଙ୍କୁ କୌଣସି ପ୍ରକାରେ ବି ଲାଗେ ଯେ କେହି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହିଁ, ତାକୁ ଏମାନେ ଆଦୌ ସହ୍ୟ କରିପାରନ୍ତିନାହିଁ।

• ଏପରି ବ୍ୟକ୍ତିଙ୍କ ପାଇଁ କ୍ଷମା ମାଗିବା ଏକ ଅସମ୍ଭବ କାର୍ଯ୍ୟ। ଏମାନେ ସର୍ବଦା ନିଜର କୃତକାର୍ଯ୍ୟ ପାଇଁ ଆଉ କାହାକୁ ଦାୟୀ କରନ୍ତି।

• ଏମାନେ ଅତ୍ୟଧିକ ଅଭିମାନ କରି ନିଜ ଆଡକୁ ଦ୍ରୁଷ୍ଟି ଆକର୍ଷଣ କରିବାକୁ ଚାହାଁନ୍ତି।

• ଏମାନେ ନିଜ ଜୀବନ ସାଥୀକୁ ନିୟନ୍ତ୍ରଣରେ ରଖିବା ପାଇଁ ଓ ଦଣ୍ଡ ଦେବା ପାଇଁ ସ୍ନେହ ଓ ସେକ୍ସରୁ ସେମାନଙ୍କୁ ବଞ୍ଚିତ ରଖନ୍ତି।

• ଏମାନେ ନିଜ ଜୀବନ ସାଥୀ ସମ୍ପର୍କରେ ବ୍ୟକ୍ତିଗତ ତଥ୍ୟ ଅନ୍ୟମାନଙ୍କ ସହ ବାଣ୍ଟିପାରନ୍ତି।

• ଏମାନେ ବେଳେବେଳେ ଜୀବନ ସାଥୀର ବିଶ୍ଵାସ ଫେରିପାଇବା ଉଦ୍ଦେଶ୍ୟରେ ନିଜକୁ ବଦଳାଇବାର ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ଖୁବଶୀଘ୍ର ନିଜ ରୂପକୁ ଫେରିଆସନ୍ତି।

ଯଦି ତୁମ ନିଶ୍ଚିତ ନୁହେଁ ଯେ ତୁମେ ଏକ ଅପମାନଜନକ ସମ୍ପର୍କରେ ଅଛ କି ନା ତେବେ ନିଜକୁ ଏହି ସବୁ ପ୍ରଶ୍ନ ପଚାର।

• ତୁମେ ନିଜ ଜୀବନ ସାଥୀ ସହ ନିଜ ମନକଥା ଖୋଲି କହିପାରୁଛ କି?

• ତୁମ ଜୀବନ ସାଥୀ କଣ ପ୍ରାୟ ସମୟରେ ତୁମକୁ ନିନ୍ଦା ବା ଅପମାନ କରେ କି?

• ତୁମ ଜୀବନ ସାଥୀ କଣ ତୁମକୁ ତୁମ ସାଙ୍ଗସାଥୀ ଓ ପରିବାର ଠାରୁ ଦୂରରେ ରଖିବାକୁ ପ୍ରୟାସ କରେ କି?

• ତୁମର ଜୀବନ ସାଥୀ କଣ ତୁମକୁ ଟଙ୍କାପଇସା ମାମଲାରେ ହଇରାଣ କରେ କି?

• ତୁମର ସମ୍ପର୍କ କଣ ହଠାତ ଅତ୍ୟଧିକ ନିବିଡତା ଓ ଅତ୍ୟଧିକ ଦୂରତା ମଝିରେ ଦୋଳାୟମାନ ଅବସ୍ଥାରେ ଥାଏ କି?

• ତୁମେ କଣ କେବେ ସେକ୍ସ ପାଇଁ ବାଧ୍ୟ ହେଇଛ କି?

• କେବେ ଏମିତି ଲାଗେ କି ଯେ ଏଭଳି ଏକ ସମ୍ପର୍କ ମଧ୍ୟରେ ତୁମେ ଫସିଯାଇଛ?

• ତୁମେ କଣ ନିଜ ଜୀବନ ସାଥୀକୁ ଭୟ କର?

ଯଦି ତୁମକୁ ଲାଗୁଛି ଯେ ହଁ, ତୁମେ ବାସ୍ତବିକରେ ଏକ ମାନସିକ ନିର୍ଯ୍ୟାତନା ଭରା ସମ୍ପର୍କରେ ଅଛ ତେବେ ତୁମକୁ କଅଣ କରିବା ଉଚିତ?

ପ୍ରଥମେ ନିଜର ଯତ୍ନ ନିଅ

ଏପରି ଅତ୍ୟାଚାରୀ ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିବା ବା ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବା ବନ୍ଦ କର। ଏମାନେ ବିମର୍ଷ ଭାବ ଦେଖାଇ ତୁମକୁ ହାତରେ ରଖିବାକୁ ଚେଷ୍ଟା କଲେ ମଧ୍ୟ ତୁମେ ନିଜର ଆବଶ୍ୟକତା ପ୍ରତି ପ୍ରଥମେ ଧ୍ୟାନ ଦିଅ ଓ ନିଜର ଯତ୍ନ ନିଅ।

ସୀମା ନିର୍ଦ୍ଧାରଣ କର

ନିଜ ଜୀବନ ସାଥୀକୁ ଜଣାଇଦିଅ ଯେ ପାଟିତୁଣ୍ଡ କରିବା ବା ଖରାପ ଭାଷା ପ୍ରୟୋଗ କରିବା ସୀମା ବାହାରେ। ଯଦି ଏଭଳି ଦୁର୍ବ୍ୟବହାର ଚାଲୁ ରହିଲା ତେବେ ଘର ଛାଡି ନିଜ ସାଙ୍ଗସାଥୀ କିମ୍ବା ବାପା ମାଙ୍କ ପାଖରେ କିଛି ଦିନ ରୁହ। ଏପରି ବ୍ୟବହାରରେ ପରିବର୍ତ୍ତନ ନ ଆସିବା ଯାଏଁ ଫେରିଯାଅନି।

ପ୍ରତିକ୍ରିୟା ଦେଖାଅ ନାହିଁ

ଯଦି ତୁମର ଜୀବନ ସାଥୀ ତୁମକୁ ଝଗଡା ବା ଗଣ୍ଡଗୋଳ ପାଇଁ ଉସୁକାଉଛି ବା ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି ତେବେ କ୍ରୋଧରେ କିଛି ପ୍ରତିକ୍ରିୟା କରନାହିଁ ବା କେବଳ ଶାନ୍ତି ବନେଇ ରଖିବା ପାଇଁ କ୍ଷମାପ୍ରାର୍ଥନା କରନାହିଁ। ତାଙ୍କୁ ଅଣଦେଖା କରି ଚୁପଚାପ ସେଠାରୁ ଚାଲିଆସ।

ସ୍ଵୀକାର କର ଯେ ବୋଧହୁଏ ତୁମେ ତାଙ୍କୁ ବଦଳାଇ ପାରିବନାହିଁ

ଅନେକ ମହିଳା ଆଶା ରଖନ୍ତି ଯେ ବୋଧହୁଏ ତାଙ୍କର ଭଲପାଇବା ଓ ପ୍ରେମରେ ଏମାନେ ବଦଳିଯିବେ। ସତ କଥା ହେଉଛି ଅତ୍ୟାଚାରୀ ଓ କ୍ରୋଧୀ ପ୍ରକୃତିର ଲୋକେ ବଦଳିବା ବହୁତ କଷ୍ଟ।

ନିଜକୁ ଦୋଷୀ ମଣନି

ଏପରି ଲୋକ ମାନେ ତୁମେ ଯେ ସବୁକିଛି ପାଇଁ ଦାୟୀ, ତୁମକୁ ଏପରି ଭାବିବାକୁ ବାଧ୍ୟ କରିବାରେ ସିଦ୍ଧହସ୍ତ। ତୁମେ ଭାବିବ ଯେ ଯାହା ହେଉଛି ସବୁକିଛି ତୁମ ଦୋଷ ଓ ତୁମେ ଏଭଳି ବ୍ୟବହାର ପାଇବାର ଯୋଗ୍ୟ। କୌଣସି ଅବସ୍ଥାରେ ନିଜକୁ ଦୋଷ ଦିଅନାହିଁ ଓ ନିଜ ଆତ୍ମସମ୍ମାନକୁ ଭାଙ୍ଗିଯିବାକୁ ଦିଅନାହିଁ।

ସାହାଯ୍ୟ ମାଗ

ସାହାଯ୍ୟ ମାଗିବାକୁ କୁଣ୍ଠାବୋଧ କରନାହିଁ। ବିଶ୍ଵାସଯୋଗ୍ୟ କେହି ଏକ ବନ୍ଧୁ ବା ନିଜ ପରିବାରର କାହା ସଙ୍ଗେ ତୁମର କଷ୍ଟ କୁହ। ତୁମେ କେଉଁ ପରିସ୍ଥିତି ଦେଇ ଗତି କରୁଛ ସେ ସମ୍ପର୍କରେ ତାଙ୍କୁ ଜଣାଅ। ଅତ୍ୟାଚାରୀ ପ୍ରକୃତିର ବ୍ୟକ୍ତିଙ୍କ ଠାରୁ କିଛିଦିନ ଦୂରେଇ ରୁହ ଓ ଏପରି ଲୋକଙ୍କ ଗହଣରେ ସମୟ ବିତାଅ ଯେଉଁମାନେ ତୁମକୁ ସ୍ନେହ କରନ୍ତି। ତୁମର ଏକ ସପୋର୍ଟ ସିଷ୍ଟମ ତିଆରି କର। ତୁମର ସପୋର୍ଟ ସିଷ୍ଟମ ହିଁ ତୁମକୁ ଡିପ୍ରେସନରୁ ବଞ୍ଚେଇ ରଖିବ।

ଜାଣି ରଖ ଯେ ମତଭେଦ ବା ଝଗଡା ଯେକୌଣସି ସମ୍ପର୍କରେ ସ୍ଵାଭାବିକ। ମାତ୍ର ଏଭଳି ମତଭେଦକୁ ଏକ ସୁସ୍ଥ ଉପାୟରେ ଓ ପରସ୍ପର ପ୍ରତି ସମ୍ମାନବୋଧର ସହ ସମ୍ଭାଳିନେଲେ ଏହା ନିର୍ଯ୍ୟାତନା ସ୍ତରରେ ପହଞ୍ଚିବ ନାହିଁ । ବରଂ ପରସ୍ପରକୁ ଜାଣିବାକୁ ଓ ଭଲପାଇବାକୁ ବେଶି ସୁଯୋଗ ଦେବ।