ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ରାଣୀ ବନ୍ଦନା ଲୁଥରା ଓ VLCCର ସଫଳତାର କାହାଣୀ

ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ରାଣୀ ବନ୍ଦନା ଲୁଥରା ଓ VLCCର ସଫଳତାର କାହାଣୀ

Saturday March 26, 2016,

3 min Read

ଅଳ୍ପ ପରିମାଣର ବ୍ୟାଙ୍କ ଲୋନକୁ ପୁଞ୍ଜି କରି ଦିଲ୍ଲୀର ସଫଦରଜଙ୍ଗରେ ୧୯୮୯ ମସିହାରେ ଆରମ୍ଭ ହୋଇଥିବା VLCC ଆଜି ୧୧ଟି ଦେଶରେ ନିଜର ଉପସ୍ଥିତି ଜାହିର କରିପାରିଛି। ହରିଦ୍ଵାର ଓ ସିଙ୍ଗାପୁରରେ ସଂସ୍ଥାର ଦୁଇଟି ନିଜସ୍ୱ ଉତ୍ପାଦନ କେନ୍ଦ୍ର ମଧ୍ୟ ରହିଛି। ଆଉ ନିକଟ ଅତୀତରେ ସଂସ୍ଥା ଆମେରିକାରେ ନିଜ ଶାଖା ଖୋଲିବା ପାଇଁ ମଧ୍ୟ ଅନୁରୋଧ ପାଇଛି। ଆଉ ଏ ସବୁର ଶ୍ରେୟ ଯାଏ VLCCର ସଂସ୍ଥାପିକା ବନ୍ଦନା ଲୁଥରାଙ୍କୁ। ସମସ୍ତ ପ୍ରତିକୂଳ ପରିସ୍ଥିତି, ପ୍ରତିଦ୍ୱନ୍ଦିତା ଓ ସମାଲୋଚନାକୁ ସଫଳ ଭାବେ ମୁକାବିଲା କରି ବନ୍ଦନା ନିଜକୁ ଏ କ୍ଷେତ୍ରର ସବୁଠାରୁ ସଫଳ ଉଦ୍ୟୋଗୀ ଭାବେ ପ୍ରତିପାଦିତ କରିପାରିଛନ୍ତି।

image


ଅଶୀ ଦଶକରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟକୁ ନେଇ ବ୍ୟବସାୟ କରିବା ଅନେକଙ୍କୁ ଅବାସ୍ତବ ଲାଗୁଥିଲା। ମାତ୍ର ଏହି ଅବାସ୍ତବକୁ କଠିନ ପରିଶ୍ରମ ଦ୍ଵାରା ବାସ୍ତବତାର ରୂପ ଦେଇ ଥିଲେ ବନ୍ଦନା। ୨୦୧୩ ମସିହାରେ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରକୁ ତାଙ୍କ ଅବାଦନ ପାଇଁ ବନ୍ଦନାଙ୍କୁ ମିଳିଥିଲା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର। ୨୦୧୫ ମସିହାରେ ଫୋର୍ବସ ପତ୍ରିକା ତାଙ୍କୁ ଭାରତୀୟ ବାଣିଜ୍ୟ କ୍ଷେତ୍ରର ୩୩ତମ ଶକ୍ତିଶାଳୀ ମହିଳା ଭାବେ ଅବିହିତ କରିଥିଲା। ବନ୍ଦନା ବର୍ତ୍ତମାନ ଭାରତ ସରକାରଙ୍କ Beauty & Wellness Sector Skill Councilର ଅଧ୍ୟକ୍ଷା। ତା ସହ ସେ ଅନେକ ପ୍ରତିଷ୍ଠିତ ସରକାରୀ ଓ ବେସରକାରୀ ସଂସ୍ଥା ସହ ଜଡିତ।

ବନ୍ଦନାଙ୍କ ସଫଳତାର ଚିଠା ବହୁତ ଲମ୍ବା। ଆଉ ଏହାକୁ ଲମ୍ବା କରିବା ପଛରେ ରହିଛି ତାଙ୍କର କଠିନ ପରିଶ୍ରମ ଆତ୍ମବିଶ୍ଵାସ ଓ ଧୈର୍ଯ୍ୟ। VLCC ଆରମ୍ଭ କରିବା ଦିନ ଗୁଡିକର ସ୍ମୃତି ଚରଣ କରି ବନ୍ଦନା କୁହନ୍ତି, 

ସେତେବେଳେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ନଗଣ୍ୟ ଥିଲା। ମତେ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ମୁଁ ମୋ କାମରେ ସଫଳ ହୁଏ ତାହା ଅନେକ ଚାହୁଁ ନଥିଲେ। ହେଲେ ମୁଁ ଜାଣିଥିଲି ଯେ ମୋ ପାଖରେ ଗୋଟିଏ ନୂଆ ଚିନ୍ତାଧାରା ରହିଛି ଆଉ ସେପରି କାମ ଭାରତରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି। ମେ ସ୍ଵାମୀ ମୋତେ ସମ୍ପୂର୍ଣ ସହଯୋଗ କରିଥିଲେ। ଏଠି ପାଇଁ ସେ ପୁଞ୍ଜି ନିବେଶ କରିବାକୁ ମଧ୍ୟ ଚାହୁଁଥିଲେ। ମାତ୍ର, ମୁଁ ମନା କରିଥିଲି ଓ ବ୍ୟାଙ୍କ ଋଣରେ କାମ ଆରମ୍ଭ କଲି।

ବନ୍ଦନାଙ୍କ ଏହି ନୂତନ ଚିନ୍ତାଧାରା ଲୋକଙ୍କୁ ପ୍ରଭାବିତ କରିଥିଲା। ତାଙ୍କ ସଂସ୍ଥା ସଫଦରଜଙ୍ଗ ଅଞ୍ଚଳରେ ରହୁଥିବା ସେଲେବ୍ରିଟିମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲା। କିଛି ମାସ ମଧ୍ୟରେ ବନ୍ଦନା ନିଜ ପୁଞ୍ଜି ନିବେଶରୁ ଲାଭ କରିବାକୁ ଆରମ୍ଭ କଲେ। ନିଜ ବ୍ୟବସାୟ ମଡେଲ ଉପରେ ମତ ଦେଇ ବନ୍ଦନା କୁହନ୍ତି, 

ମୋ କାମ କରିବା ପଦ୍ଧତି ବିଜ୍ଞାନ ଉପରେ ଆଧାରିତ ଥିଲା ଓ ପ୍ରଥମ ଦିନରୁ ମୁଁ ଡାକ୍ତରମାନଙ୍କୁ ମୋ ସଂସ୍ଥା ସହ ଯୋଡିଥିଲି। ସଠିକ ବ୍ରାଣ୍ଡିଂ ମଧ୍ୟ ବ୍ୟବସାୟକୁ ଆଗକୁ ନେବାରେ ସାହାଯ୍ୟ କରିଥିଲା। ଆମ VLCC ସେଣ୍ଟର ଗୁଡିକ ବିଉଟି ପାର୍ଲର ନୁହେଁ ବରଂ ଡାକ୍ତରୀ କ୍ଲିନିକ ଭଳି କାମ କରୁଥିଲେ। ଡାକ୍ତର ମାନଙ୍କୁ ମୋ ସଂସ୍ଥା ସହ ଯୋଡିବା ଟିକେ କଠିନ ଥିଲା। ସୁସ୍ଥ ରହିବାର ପରିସୀମା ଯେ ବ୍ୟାପକ ଏହା ସେମାନଙ୍କୁ ବୁଝାଇବା ପାଇଁ ମତେ ପ୍ରାୟ ୬ ବର୍ଷ ସମୟ ଲାଗିଥିଲା।

ଏକ ଶିକ୍ଷିତ ମଧ୍ୟବିତ୍ତ ପରିବାରରେ ଜନ୍ମିତ ବନ୍ଦନା VLCC ଭଳି ଏକ ଅଭିନବ ପରିକଳ୍ପନା ପାଇଁ ନିଜ ମାଙ୍କ ଠାରୁ ପ୍ରେରଣା ପାଇଥିଲେ। ତାଙ୍କ ମା ଜଣେ ଆୟୁର୍ବେଦ ଡାକ୍ତର ଥିଲେ ଓ ଅମର ଜ୍ୟୋତି ନାମକ ଏକ ସଂସ୍ଥା ମଧ୍ୟ ଚଲାଉଥିଲେ। ତାଙ୍କ କାମ ଅନେକ ଲୋକଙ୍କ ଜୀବନକୁ ପ୍ରଭାବିତ କରିବା ସହ ସେମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିଲା। ଭଲ ଭାବନା ଓ ସ୍ୱାସ୍ଥ୍ୟ ସହ ସୌନ୍ଦର୍ଯ୍ୟକୁ ଯୋଡିବା ପାଇଁ ବନ୍ଦନା ମନସ୍ଥ କଲେ ଓ ଏହା ବିଷୟରେ ଅଧିକ ପଢିବା ପାଇଁ ୟୁରୋପ ଗଲେ।

୧୯୮୦ ମସିହାରେ ତାଙ୍କ ବିବାହ ହେଲା। ବୈବାହିକ ଜୀବନର ଆରମ୍ଭ ଦିନ ଗୁଡିକରେ ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ଧୀରେ ଧୀରେ ଅବସ୍ଥାରେ ପରିବର୍ତ୍ତନ ଆସିଲା ଓ ବନ୍ଦନା ନିଜ କାମ ପାଇଁ ପରିବାରର ସମସ୍ତଙ୍କ ସହଯୋଗ ପାଇବାରେ ଲାଗିଲେ।

image


ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ବନ୍ଦନା କୁହନ୍ତି। ଶିକ୍ଷାର ପ୍ରଭାବ, କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ଓ ସୁନ୍ଦର ଦେଖାଯିବା ଓ ଭଲ ଅନୁଭବ କରିବା ମାନସିକତାରେ ଅଭିବୃଦ୍ଧି ଏହି ପରିବର୍ତ୍ତନର କାରଣ ବୋଲି ବନ୍ଦନା ମତ ଦିଅନ୍ତି। ମାତ୍ର ଏହି କ୍ଷେତ୍ର ଏବେ ବି ଅଣସଂଗଠିତ। ଏହାକୁ ସରକାରୀ ସହଯୋଗ ଓ ନିଜସ୍ୱ ପ୍ରଚେଷ୍ଟାରେ ସଂଗଠିତ କରିବା ପାଇଁ ସଚେତନତା ସୃଷ୍ଟି କରିବା ଦିଗରେ ବନ୍ଦନା ପ୍ରୟାସ କରୁଛନ୍ତି। ସେ VLCC ସେଣ୍ଟର ମାନଙ୍କରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସମ୍ପର୍କିତ ସମସ୍ତ ସେବା ଓ ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି। ଏହା ଗ୍ରାହକମାନଙ୍କର ଉଭୟ ସମୟ ଓ ଅର୍ଥ ବଞ୍ଚାଇବାରେ ସହାୟକ ହେବ। VLCC ର ନିଜସ୍ୱ ଅନୁସନ୍ଧାନ ଓ ଗବେଷଣା ସଂସ୍ଥା ରହିଛି। ଏହା ଲୋକମାନଙ୍କ ବଦଳୁଥିବା ରୁଚିକୁ ବୁଝି ସେବାର ଗୁଣାତ୍ମକ ମାନେ ଅଭିବୃଦ୍ଧି ପାଇଁ ଆବଶ୍ୟକ ପରାମର୍ଶ ଦେଇଥାଏ। ଲୋକଙ୍କ ରୁଚି ବୁଝିବା ପାଇଁ ବନ୍ଦନା ନିଜେ ମଧ୍ୟ ବ୍ୟାପକ ଭ୍ରମଣ କରିଥାନ୍ତି। 

ମୂଳ ଲେଖା - ତନବୀ ଦୁବେ

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ