ଭାରତୀୟ ମହିଳା କ୍ରିକେଟ ର ସଚିନ ତେନ୍ଦୁଲକର : ମିତାଲି ରାଜ

ଭାରତୀୟ ମହିଳା କ୍ରିକେଟ ର ସଚିନ ତେନ୍ଦୁଲକର : ମିତାଲି ରାଜ

Sunday May 08, 2016,

7 min Read

ସେ ଝିଅର ବାପା ବାୟୁସେନାରେ କାମ କରୁଥିଲେ। ତେଣୁ ଘରେ ଅନୁଶାସନ ରହିବା ସ୍ବାଭାବିକ ଥିଲା। ଝିଅର ମା ଓ ଭାଇ ବି ଅନୁଶାସନବଦ୍ଧ ଥିଲେ। କିନ୍ତୁ ଏ ଝିଅଟି ଘରେ ସମସ୍ତଙ୍କଠାରୁ ଓଲଟା ଥିଲା। ସେ ସୁସ୍ଥିଆ ଆଉ ଟିକେ ଅଳସ ଥିଲା। ସ୍କୁଲ ସମୟ ସାଢ଼େ ଆଠରେ ଥିଲା ତ ସେ ଆଠଟାରେ ଉଠୁଥିଲା, ମାନେ ଘରେ ସମସ୍ତଙ୍କଠୁ ଡେରିରେ। ଯେତେବେଳେ ବାପା ନିଜ ଝିଅର ଏପ୍ରକାର ଅଳସୁଆପଣ ଓ ସୁସ୍ଥିଆ ସ୍ବଭାବ ନେଇ ବିରକ୍ତ ହେଇଗଲେ, ସେ ଏକ ନିର୍ଣୟ ନେଲେ। ଝିଅକୁ କ୍ରିକେଟର୍‌ କରିବାକୁ ଠିକ କଲେ ବାପା। ତାକୁ ନେଇ ସେ କ୍ରିକେଟ୍‌ ଏକାଡେମି ଗଲେ।ସେଠାରେ ଝିଅର ଭାଇ ବି ପ୍ରଶିକ୍ଷଣ ନେଉଥିଲା। ଭାଇ ବିଦ୍ୟାଳୟ ସ୍ତରୀୟ କ୍ରିକେଟ୍‌ ଟୁର୍ଣାମେଣ୍ଟ ବି ଖେଳୁଥିଲା। ପ୍ରଥମେ ପ୍ରଥମେେ ସ ଝିଅ କ୍ରିକେଟ ଏକାଡେମିରେ ବସି ସ୍କୁଲର ହୋମଓ୍ବାର୍କ କରୁଥିଲା। କିନ୍ତୁ ବାପାଙ୍କ ଚାରେଭାଇକୁ ଦେଖି ସେ ବି କ୍ରିକେଟ୍‌ ବଳ‌ ସହ ବନ୍ଧୁତା କଳଶ ଓ ନେଟ୍‌ ଅଭ୍ୟାସ ଆରମ୍ଭ କରିଦେଲା। ଏବେ ସବୁଦିନ ବାପା ନିଜ ସ୍କୁଟରରେ ପୁଅଝିଅଙ୍କୁ କ୍ରିକେଟ୍‌ ଏକାଡେମିରେ ଛାଡ଼ି ଆସୁଥିଲେ।ଧୀରେ ଧୀରେ ପରିଶ୍ରମର ଫଳ ମିଳିବାକୁ ଲାଗିଲା।

image


କ୍ରିକେଟ୍‌ ପାଲଟି ଗଲା ସେ ଝିଅର ପ୍ରଥମ ପ୍ରେମ। ଝିଅଟି କ୍ରିକେଟକୁ ଏମିତି ପ୍ରେମ କରିବାକୁ ଲାଗିଲା ସତେ ଯେମିତି ତା ଜୀବନ କ୍ରିକେଟ୍‌ ଓ କ୍ରିକେଟ୍‌ ହେଉଛି ଜୀବନ। ସେ ପଡ଼ିଆରେ ଏମିତି ଖେଳିଲା ଯେ ତାର ପ୍ରଶଂସକ ବି ବାହାରିଲେ।ନିଜର ପ୍ରତିଭା ଓ ପାରିଲାପଣିଆକୁ ପୁଞ୍ଜି କରି ପଡ଼ିଆରେ ସେ ବହୁ ରେକର୍ଡର ଅଧିକାରୀ ବି ହେଲା। ଏମିତିକି ଦେଶ ପାଇଁ ଐତିହାସିକ ବିଜୟ ବି ଆଣିଲା।ଦେଶରେ ମହିଳା କ୍ରିକେଟକୁ ଲୋକପ୍ରିୟ କଲା। ତାର ପ୍ରତିଭାକୁ ଦେଖି ସାରା ବିଶ୍ବରେ ତାକୁ ସମସ୍ତେ ମହିଳା କ୍ରିକେଟର ତେନ୍ଦୁଲକର ବି କହିଲେ।ଆମେ ଏଠାରେ ଯେଉଁଝିଅ କଥା ଆଲୋଚନା କରୁଛେ ସେ ହେଉଛନ୍ତି ଭାରତୀୟ ମହିଳା କ୍ରିକେଟର ସୁପରଷ୍ଟାର ମିତାଲି ରାଜ୍।

କେବଳ ଭାରତର ନୁହେଁ, ବିଶ୍ବର ଶ୍ରେଷ୍ଠ ମହିଳା ବୋଲର ଭାବେ ବି ସେ ଜଣାଶୁଣା।

ଭାରତନାଟ୍ୟମ ନୃତ୍ୟାଙ୍ଗନା ରୁ କ୍ରିକେଟର ଯାତ୍ରା

ମିତାଲିଙ୍କର ଆଉ ଏକ ସୁନ୍ଦର କାହାଣୀ ଅଛି। କ୍ରିକେଟକୁ ଆସିବା ପୂର୍ବରୁ ପିଲାବେଳେ ସେ ଭାରତନାଟ୍ୟମ୍‌ ଶିଖୁଥିଲେ।ସେ ନୃତ୍ୟଶିଳ୍ପୀ ହେବାକୁ ଚାହୁଥିଲେ। ବିଭିନ୍ନ ସ୍ଥାନରେ ନୃତ୍ୟ ପ୍ରଦର୍ଶନ କରି ଲୋକଙ୍କୁ ନିଜର ପ୍ରଶଂସକ କରିବାକୁ ଚାହୁଁଥିଲେ। ଅତି କମ ବୟସରୁ ସେ ଷ୍ଟେଜ୍‌ ଉପରେ ନାଚୁଥିଲେ। ଭଲ ନାଚୁଥିବା ମିତାଲି କ୍ରିକେଟ୍‌ ବଲ୍‌ ଧରିବା ପରେ ଧୀରେ ଧୀରେ ନୃତ୍ୟରୁ ଦୂରେଇଗଲେ।ତେବେ ମଝିରେ ସମୟ କାଢ଼ି ସେ ନାଚ ଅଭ୍ୟାସ କରୁଥିଲେ। କ୍ରିକେଟ୍‌ ଟୁର୍ଣାମେଣ୍ଟ୍‌ ପାଇଁ ବାରମ୍ବାର ବାହାରକୁ ଯିବାକୁ ପଡ଼ିବାରୁ ନାଚ ଅଭ୍ୟାସ ଏକ ପ୍ରକାର ବନ୍ଦ ହୋଇଗଲା।ଦିନେ ତାଙ୍କ ଗୁରୁ ତାଙ୍କ ସାମନାରେ ଏକ ବଡ଼ ପ୍ରଶ୍ନ ରଖିଲେ - ତୁମକୁ ନୃତ୍ୟ ଆଉ କ୍ରିକେଟ୍‌ ମଧ୍ୟରୁ ଗୋଟାଏକୁ ବାଛିବାକୁ ହେବ।ତେବେ କ୍ରିକେଟ୍‌କୁ ଜୀବନ କରିବାକୁ ଫଇସଲା ନେଲେ ମିତାଲି। ସେଇ ଫଇସଲା ସମୟର ଅନୁଭବ ମନେ ପକାଇ ମିତାଲି କହନ୍ତି,

"ନିର୍ଣୟ କଠିନ ଥିଲା। କିନ୍ତୁ କ୍ରିକେଟ୍‌ ସହ ମୁଁ ଏଭଳି ଯୋଡ଼ି ହୋଇଯାଇଥିଲି ଯେ ତାକୁ ଛାଡ଼ି ଆଉ କିଛି କରିବା ମୋ କଳ୍ପନା ବାହାରେ ଥିଲା।"

ଯଦି ଆପଣ କ୍ରିକେଟର୍‌ ହୋଇ ନଥାନ୍ତେ, କଣ ନୃତ୍ୟାଙ୍ଗନା ହୋଇଥାନ୍ତେ କି ବୋଲି ପ୍ରଶ୍ନର ଉତ୍ତରରେ ମିତାଲି କହନ୍ତି, 

"ହଁ। ଯଦି କ୍ରିକେଟ୍‌ ଖେଳିନଥାନ୍ତି ଆଜି ମଞ୍ଚରେ ନାଚ କରୁଥାନ୍ତି।ମୁଁ ଯେତେବେଳେ କ୍ରିକେଟ୍‌କୁ ବାଛିଲି ସେତେବେଳେ ଅରମଗ୍ରେଟମ୍ (ଶାସ୍ତ୍ରୀୟ ନୃତ୍ୟ ପ୍ରଶିକ୍ଷଣ ସମାପ୍ତି ପରେ ଏକ ମଞ୍ଚପରୀକ୍ଷା) ଠାରୁ ମାତ୍ର କିଛି ପାଦ ଦୂରରେ ଥିଲି।

ଅବଶ୍ୟ ସେ ନୃତ୍ୟାଙ୍ଗନା ହୋଇନାହାନ୍ତି, କିନ୍ତୁ ତାଙ୍କର ଫିଲ୍ଡିଂ ଓ ବୋଲିଂ ମାଧ୍ୟମରେ ପଡ଼ିଆରେ ସେ ଯେଉଁ ନାଚ ଦେଖାଉଛନ୍ତି ତାହା ତ ସମସ୍ତଙ୍କୁ ଆଜି ମନ୍ତ୍ରମୁଗ୍ଧ କରିଛି।

ଏକ ମହତ୍ତ୍ବପୂର୍ଣ କଥା ହେଉଛି, ଆଜି ବି ମିତାଲି ନିଜ ସଫଳତାର ଶ୍ରେୟ ନିଜ ବାପାଙ୍କୁ ଦିଅନ୍ତି।ତାଙ୍କୁ କ୍ରିକେଟର କରିବା ପାଇଁ ବାପା ବହୁତ ପରିଶ୍ରମ କରିଛନ୍ତି। ମାତ୍ର ୧୪ ବର୍ଷ ବୟସରେ ସେ ଭାରତୀୟ ମହିଳା ଟିମରେ ଷ୍ଟାଣ୍ଡ ବାଇରେ ମିତାଲି ୧୧୪ ରନ୍‌ କରିଥିଲେ।ରେଶମା ୧୦୪ ରନ୍‌ କରିଥିଲେ। ଭାରତୀୟଦଳ ଏହି ମ୍ୟାଚ୍‌ ୧୬୧ ରନରେ ଜିତିଲା। ଆଉ ଏଇ ମ୍ୟାଚରୁ ଭାରତକୁ ଏକ ନୂଆ ତାରକା ମିଳିଗଲା।ଆଗକୁ ମିତାଲି ମହିଳା କ୍ରିକେଟର ଦିନିକିଆ ଫର୍ମାଟରେ ୫୦୦୦ ରନ୍‌ ସଂଗ୍ରହ କରିଥିବା ପ୍ରଥମ ଭାରତୀୟର ମର୍ଯ୍ୟାଦା ପାଇଲେ।

image


୨୦୦୨ରେ ମିତାଲି ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଲେ। ଲକ୍ଷ୍ନୌରେ ଖେଳା ଯାଇଥିବା ଏହି ମ୍ୟାଚରେ ମିତାଲି ଶୂନରେ ଆଉଟ୍‌ ହୋଇଯାଇଥିଲେ।କିନ୍ତୁ ଆଗକୁ ସେ ମହିଳା କ୍ରିକେଟରେ ଟେଷ୍ଟମ୍ୟାଚରେ ଦ୍ବିଶତକ କରିବାରେ ପ୍ରଥମ ମହିଳା ହେଲେ।

ଏବେ ମିତାଲିଙ୍କ ହାତରେ ବହୁ ରେକର୍ଡ। ମିତାଲିଙ୍କ ଯାତ୍ରା କିନ୍ତୁ ଏତେ ସହଜ ନ ଥିଲା। ପ୍ରଥମେ ପ୍ରଥମେ ଯେତେବେଳେ ସେ ଶିଖିବା ଆରମ୍ଭ କଲେ, ମହିଳା ମାନେ ଯେ କ୍ରିକେଟ୍‌ ଖେଳିପାରନ୍ତି ଅନେକେ ଏହାକୁ ହସରେ ଉଡ଼ାଇ ଦେଉଥିଲେ।

ମହିଳା କ୍ରିକେଟର ସତ୍ୟତା

ମିତାଲିଙ୍କର କ୍ରିକେଟ ଜୀବନ କିଛି ସହଜ ଓ ଚିନ୍ତାରହିତ ନ ଥିଲା। ସେ କ୍ରିକେଟ ଖେଳିବା ଆରମ୍ଭ କରିବା ସମୟରେ ବହୁତ କମ ଲୋକ ଜାଣିଥିଲେ ଯେ ମହିଳା ମାନେ ମଧ୍ୟ କ୍ରିକେଟ ଖେଳିପାରନ୍ତି। ଆମ ଦେଶରେ କ୍ରିକେଟ ସର୍ବାଧିକ ଲୋକପ୍ରିୟ ଖେଳ। ଯେଉଁଠି ଏକପକ୍ଷରେ ଲୋକେ କ୍ରିକେଟକୁ ଧର୍ମ ଭାବେ ମାନନ୍ତି, ସେଠାରେ ଅନେକ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ପାଇଁ ମହିଳା ମାନେ ଯେ କ୍ରିକେଟ ଖେଳିପାରିବେ ଓ ଖେଳନ୍ତି ତାହା ବିଶ୍ଵାସ କରିବା କଷ୍ଟ। ସେଇ ସମାନ ପଡିଆ, ସମାନ ନିୟମ, ସମାନ ଚ୍ୟାଲେଞ୍ଜ ଓ ସମାନ ପ୍ରତିସ୍ପର୍ଦ୍ଧା। 

ମିତାଲି କୁହନ୍ତି ଯେତେବେଳେ ସେ ନିଜେ ଭାରତୀୟ ଟିମରେ ସ୍ଥାନ ପାଇଲେ ତାଙ୍କୁ ନିଜେ ମଧ୍ୟ ଜଣା ନଥିଲା ଯେ ଭାରତର ସବୁଠାରୁ ବଡ ମହିଳା କ୍ରିକେଟର କିଏ, ସେ କିପରି ଦେଖାଯାନ୍ତି ଓ କିପରି ଖେଳନ୍ତି? ସିନିୟର ଟିମରେ ଜାଗା ପାଇଲା ପରେ ହିଁ ମିତାଲିଙ୍କୁ ସେସମୟର ମହାନ ମହିଳା କ୍ରିକେଟର - ଶାନ୍ତା ରଙ୍ଗସ୍ଵାମୀ, ଡାଏନା ଏଡୁଲଜିଙ୍କ ବିଷୟରେ ଜାଣିବାର ସୁଯୋଗ ମିଳିଲା। 

image


ମିତାଲି କୁହନ୍ତି ସେଦିନରେ ମହିଳା କ୍ରିକେଟକୁ ସେତିକି ପ୍ରୋତ୍ସାହନ ମିଳୁନଥିଲା ଯେତିକି ଏବେ ମିଳୁଛି। ସେସମୟରେ ଯେତେବେଳେ ସେମାନେ ଟ୍ରେନରେ ଖେଳ ପାଇଁ ଯାତ୍ରା କରୁଥିଲେ ତାଙ୍କର ବଡ ବ୍ୟାଗ ଦେଖି ସହଯାତ୍ରୀ ପଚାରନ୍ତି କଣ ହକି ଖେଳାଳୀ? ଯେତେବେଳେ ସେ ଉତ୍ତର ଦେଉଥିଲେ ଯେ ସେ କ୍ରିକେଟ ଖେଳିବାକୁ ଯାଉଛନ୍ତି, ସେତେବେଳେ ସେମାନେ ଆଶ୍ଚର୍ଯ୍ୟଚକିତ ହେଉଥିଲେ ଓ ପଚାରୁଥିଲେ ଯେ - କଣ ଝିଅମାନେ ବି କ୍ରିକେଟ ଖେଳନ୍ତି? 

ମିତାଲି କ୍ରିକେଟ ଖେଳିବା ଆରମ୍ଭ କରିବା ସମୟରେ ନିଜ ସମକ୍ଷରେ କୌଣସି ବଡ ଲକ୍ଷ୍ୟ ରଖିନଥିଲେ। ତାଙ୍କର ଲକ୍ଷ୍ୟ ବାସ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇବା ଥିଲା। ଧୀରେ ଧୀରେ ସେ ଭାରତୀୟ ଟିମର ମୁଖ୍ୟ ଖେଳାଳୀ ହେବାର ଲକ୍ଷ୍ୟ ନେଇ ଖେଳିଲେ। ସେ ଜାଣିଥିଲେ ଯେ ଏହି ଲକ୍ଷ୍ୟ ପୂରଣ କରିବାକୁ ହେଲେ ତାଙ୍କୁ ନିରନ୍ତର ଭଲ ପ୍ରଦର୍ଶନ କରିବାକୁ ହେବ। ପ୍ରତ୍ୟେକ ଥର ଟିମକୁ ଜିତେଇବା ପାଇଁ ମହତ୍ଵପୂର୍ଣ୍ଣ ଭୂମିକା ନିଭେଇବାକୁ ପଡିବ। ମିତାଲିଙ୍କର ପ୍ରଦର୍ଶନ ଧୀରେ ଧୀରେ ଏତେ ଭଲ ହେଲା ଯେ ଫଳସ୍ୱରୂପ ସେ ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ଭାବେ ବଛାହେଲେ। 

image


ମିତାଲି କୁହନ୍ତି - ମୁଁ ଧୀରେ ଧୀରେ ଗୋଟିଏ ଗୋଟିଏ ପାଦ ପକେଇ ଆଗକୁ ବଢିଛି। ଆଗକୁ ବଢିବା ସହ ଦାୟିତ୍ଵ ବଢିଛି ଓ ଟିମ ସହ ଖେଳପ୍ରେମୀଙ୍କର ମୋ ଠାରୁ ଆଶା ମଧ୍ୟ ବଢିଛି। ଖେଳ ଜୀବନର ଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଲକ୍ଷ୍ୟ ରହିଛି। ନିଜର ଖେଳର ସ୍ତର ଉନ୍ନତ କରିରଖିବାର ଚ୍ୟାଲେଞ୍ଜ ସଦାବେଳେ ମୋ ସାଥିରେ ରହିଛି। 

୩ ମଇ, ୨୦୧୬ରେ ଏକ ବିଶେଷ ସାକ୍ଷାତକାରରେ ମିତାଲି ରାଜ ନିଜ ଜୀବନର କିଛି ମହତ୍ଵପୂର୍ଣ୍ଣ ଓ ଓଲଟା ହୋଇନଥିବା ପୃଷ୍ଠା ବିଷୟରେ ବି ମନଖୋଲି କଥା ହେଲେ। ସେଇ କ୍ରିକେଟ ଏକାଡେମି ଯେଉଁଠି ମିତାଲିଙ୍କର କ୍ରିକେଟ ଜୀବନ ଆରମ୍ଭ ହେଇଥିଲା, ସେହିଠାରେ ହେଇଥିଲା ଏଇ ଅନ୍ତରଙ୍ଗ ବାର୍ତ୍ତାଳାପ। ଏହାର କିୟଦଂଶ:

ପ୍ରେରଣା : ମିତାଲି ଙ୍କୁ ଆଜିମଧ୍ୟ ନିଜ ବାପା ଦୋରାଇ ରାଜଙ୍କ ଠାରୁ ପ୍ରେରଣା ମିଳେ। ସେ କୁହନ୍ତି, "ବାପାଙ୍କ ଯୋଗୁଁ ହିଁ ମୁଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲି। ଯେବେବି ମୁଁ ଭଲ ସ୍କୋର କରେ ପ୍ରଥମେ ମୋ ବାପାଙ୍କୁ ଫୋନ କରି କୁହେ। ବାପା ବହୁତ ଖୁସି ହୁଅନ୍ତି। ତାଙ୍କ ଖୁସି ହିଁ ମୋତେ ପ୍ରେରଣା ଦିଏ।"

ସଙ୍କଟମୋଚକ ମାଁ : ମିତାଲି ଙ୍କ ମାଁ କ୍ରିକେଟ ବିଷୟରେ ବିଶେଷ ଜାଣନ୍ତି ନାହିଁ। କିନ୍ତୁ ମିତାଲିଙ୍କ କ୍ୟାରିଅରରେ ତାଙ୍କର ଖୁବ ମହତ୍ଵପୂର୍ଣ ଭୂମିକା ରହିଛି। ଅନେକ ତ୍ୟାଗ କରିଛନ୍ତି ମିତାଲି ଙ୍କ ପାଇଁ ତାଙ୍କ ମାଁ। ଜୀବନର ଛୋଟ ବଡ ସବୁ ଫଇସଲା ତାଙ୍କ ମାଁଙ୍କୁ ପଚାରି ନେଇଛନ୍ତି ମିତାଲି। ମାନସିକ ଚିନ୍ତା ହେଲେ ମାଁ ଙ୍କର ସ୍ନେହବୋଳା କଥା ପଦ ହିଁ ମନ ହାଲକା କରିଦିଏ। 

ସମାଲୋଚନା : ୨୦୧୩ରେ ଯେତେବେଳେ ମିତାଲିଙ୍କ ନେତୃତ୍ଵରେ ଖେଳୁଥିବା ଭାରତୀୟ ମହିଳା କ୍ରିକେଟ ଟିମ 'ସୁପର ସିକ୍ସ' ପାଇଁ ମଧ୍ୟ ସିଲେକ୍ଟ ହେଇପାରିଲାନାହିଁ, ସେତେବେଳେ ବାପା ଦୋରାଇ ରାଜଙ୍କ କ୍ରୋଧର ସୀମା ନଥିଲା। ସେ ନିଜେ ମିତାଲିଙ୍କର ଅନେକ ସମାଲୋଚନା କରିଥିଲେ, ଅନେକ କଟୁ ଶବ୍ଦ ବ୍ୟବହାର କରିଥିଲେ। ଏବଂ ନିଜେ ତାଙ୍କୁ ନେତୃତ୍ଵ ଛାଡିଦେବା ପାଇଁ ଦାବି ମଧ୍ୟ କରିଥିଲେ। କିଛି ଲୋକ ମିତାଲିଙ୍କୁ କ୍ରିକେଟରୁ ସନ୍ୟାସ ନେବାପାଇଁ ମଧ୍ୟ କହିଥିଲେ। 

image


ଏଇ ସମ୍ପର୍କରେ ମିତାଲି କୁହନ୍ତି, ତାଙ୍କର ବାପା ତାଙ୍କର ସବୁଠାରୁ ବଡ ସମାଲୋଚକ। ଓ ସବୁ ସମୟରେ ଯେ ସେ ତାଙ୍କର ପ୍ରଶଂସା କରିବେ, ଏହା ଜରୁରୀ ନୁହେଁ। ସେ ସମାଲୋଚନାକୁ ଏକ ସକାରାତ୍ମକ ଦୃଷ୍ଟିକୋଣରୁ ଦେଖନ୍ତି ଓ ଆଗକୁ ବଢିବାକୁ ଚେଷ୍ଟା କରନ୍ତି। ମିତାଲିଙ୍କ ମତରେ ବଡ ଖେଳାଳୀ ହେଲାପରେ ଆଖପାଖରେ ସମାଲୋଚକଙ୍କର ଉପସ୍ଥିତି ମଧ୍ୟ ବେଶ ଜରୁରୀ। ସମାଲୋଚକଙ୍କ ଅଭାବରେ ଖେଳାଳୀ ବେପରୁଆ ହେଇଯିବାର ଭୟ ରହିଥାଏ। କିଛି ଲୋକ ଅକାରଣରେ ମଧ୍ୟ ସମାଲୋଚନା କରନ୍ତି। ଜରୁରୀ ନୁହେଁ ଯେ ଆପଣଙ୍କ ଖେଳ ସମସ୍ତଙ୍କୁ ପସନ୍ଦ ଆସିବ ଓ ଦୁନିଆରେ ଶତପ୍ରତିଶତ ଲୋକଙ୍କୁ ଖୁସି କରିବା ସମ୍ଭବ ନୁହେଁ। 

ମହିଳା କ୍ରିକେଟ ରେ ରାଜନୀତି : ମିତାଲି ବିନା କୌଣସି ଦ୍ଵିଧାରେ କହନ୍ତି ଯେ ମହିଳା କ୍ରିକେଟରେ ରାଜନୀତି ହୁଏ। ଅନ୍ୟ ସବୁ କ୍ଷେତ୍ର ପରି ଏଠାରେ ମଧ୍ୟ ରାଜନୀତି ହୁଏ। ମିଡିଆ ମହିଳା କ୍ରିକେଟରେ ବିଶେଷ ଆଗ୍ରହ ଦିଏନାହିଁ ତେଣୁ ଅନେକ କିଛି ଖବର ବାହାରକୁ ଆସୁନାହିଁ। ସେ ଖୋଲାଖୋଲି ଭାବେ କୁହନ୍ତି ଯେ କୁତ୍ସିତ ରାଜନୀତି ଯୋଗୁଁ ଅନେକ ଭଲ ମହିଳା ଖେଳାଳୀ ଭାରତୀୟ ଟିମରେ ଜାଗା ପାଇପାରିନାହାନ୍ତି। 

ସେ କୁହନ୍ତି ପ୍ରତ୍ୟେକ ବ୍ୟକ୍ତି ଓ ଖାସ କରି ଖେଳାଳୀ ମାନଙ୍କୁ ନିଜକୁ ମାନସିକ ରୂପେ ଏତେ ଦୃଢ ଓ ସକ୍ଷମ କରିନେବା ଉଚିତ ଯେ ରାଜନୀତିର ଅସର ଯେପରି ତାଙ୍କ ଉପରେ କିଛି ପ୍ରଭାବ ପକାଇ ପାରିବ ନାହିଁ। 

ସଫଳତାର ଅର୍ଥ : ମିତାଲିଙ୍କ ଦୃଷ୍ଟିରେ କଠିନ ପରିସ୍ଥିତିରେ ସ୍ଥିର ଓ ଶାନ୍ତ ରହି ନିଜ ଲକ୍ଷ୍ୟ ହାସିଲ କରିବା ହିଁ ପ୍ରକୃତ ସଫଳତା। ଏକ ଖେଳାଳୀ ହିସାବରେ ସେ ମାନନ୍ତି ଯେ ନିଜ ଟିମକୁ ମୁସ୍କିଲ ପରିସ୍ଥିତିରୁ ବାହାର କରିଆଣିବାରେ ହିଁ ସଫଳତା ଥାଏ। ଅଦ୍ୟାବଧି ତାଙ୍କର ସବୁଠାରୁ ବଡ ସଫଳତା କଣ ପ୍ରଶ୍ନର ଉତ୍ତର ଦେଇ ମିତାଲି କୁହନ୍ତି - 'କନ୍ସିଷ୍ଟେନ୍ସି' ହିଁ ମୋର ସବୁଠାରୁ ବଡ ସଫଳତା। ମୁଁ ଏକ ଦିବସୀୟ ଫର୍ମାଟରେ ଯଦି ହାରାହାରି ୪୧ର ସ୍କୋରରେ ପାଞ୍ଚ ହଜାରରୁ ଅଧିକ ରନ କରିଛି ତାହେଲେ ତାହା କେବଳ 'କନ୍ସିଷ୍ଟେନ୍ସି' ଯୋଗୁଁ। 

ସଚିନ ତେନ୍ଦୁଲକରଙ୍କ ସହ ତୁଳନା ଉପରେ : ମିତାଲି କୁହନ୍ତି - 

ଯେତେବେଳେ ମୋତେ ଲୋକେ ମହିଳା କ୍ରିକେଟର ତେନ୍ଦୁଲକର ବୋଲି କୁହନ୍ତି, ବହୁତ ଖୁସି ଲାଗେ। ତେନ୍ଦୁଲକରଙ୍କର କ୍ରିକେଟ ଦୁନିଆ ପ୍ରତି ଅବଦାନ ଅନେକ ଓ ସେ ଜଣେ ମହାନ ଖେଳାଳୀ। ଏପରି ଜଣେ ମହାନ ଖେଳାଳୀଙ୍କ ସହ ତୁଳନା ହେଲେ ଖୁସି ତ ଲାଗେ ନିଶ୍ଚୟ କିନ୍ତୁ ମୁଁ ଚାହେଁ ମୋତେ ଲୋକେ ମୋ ନାମରେ ଜାଣନ୍ତୁ। ମୋର ନିଜର ଅବଦାନ ଓ ଉପଲବ୍ଧି ଯୋଗୁଁ ମୋତେ ଚିହ୍ନନ୍ତୁ। 

ସଫଳତାର ମନ୍ତ୍ର : ବିନା ପରିଶ୍ରମରେ ସଫଳତା ମିଳେନି। ଝିଅ ମାନଙ୍କୁ ଭାରତୀୟ ମହିଳା କ୍ରିକେଟ ଟିମରେ ଜାଗା ବନେଇବା ପାଇଁ ବର୍ଷ ବର୍ଷ ଧରି କଡା ପରିଶ୍ରମ କରିବାକୁ ପଡିବ। ସଫଳତା ପାଇଁ ନିଜର ପ୍ରାଥମିକତା ନିରୂପଣ କରିବା ନିତାନ୍ତ ଆବଶ୍ୟକ। ମିତାଲିଙ୍କ ମତରେ ସଠିକ ଭାବରେ ନିଜର ପ୍ରାଥମିକତା ନିରୂପଣ କରି କେବଳ ଓ କେବଳ ନିଜର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। 

ମିତାଲିଙ୍କ ବିଷୟରେ କିଛି ମହତ୍ଵପୂର୍ଣ୍ଣ ତଥ୍ୟ:

ମିତାଲିଙ୍କ ଜନ୍ମ ୩ ଡିସେମ୍ବର, ୧୯୮୨ରେ ରାଜସ୍ଥାନର ଯୋଧପୁରରେ ହେଇଥିଲା।

ପରିବାର ହାଇଦ୍ରାବାଦ ଆସିଲାପରେ ମିତାଲି ମଧ୍ୟ ହାଇଦ୍ରାବାଦର ହେଇଗଲେ। 

ତାଙ୍କ ବାପା ପ୍ରଥମେ ବାୟୁ ସେନାରେ କାର୍ଯ୍ୟ କରୁଥିଲେ ଓ ପରେ ବ୍ୟାଙ୍କ ଅଧିକାରୀ ହେଲେ। 

ମିତାଲି ଯେତେବେଳେ ମାତ୍ର ୧୪ ବର୍ଷର ଥିଲେ, ସେ ଭାରତୀୟ ମହିଳା କ୍ରିକେଟ ଟିମ ପାଇଁ 'ଷ୍ଟାଣ୍ଡ ବାଇ' ଖେଳାଳୀ ରୂପେ ବଛା ହୋଇଥିଲେ। 

୧୬ ବର୍ଷ ବୟସରେ ମିତାଲି ତାଙ୍କର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଲେ। 

ମିତାଲି ମହିଳା କ୍ରିକେଟ ଇତିହାସରେ ଏକଦିବସୀୟ ଫର୍ମାଟରେ ୫୦୦୦ ରନ ବନେଇଥିବା ପ୍ରଥମ ଖେଳାଳୀ।