ଭାରତ ନୂତନତାରେ ଅଭ୍ୟସ୍ତ ବି ହୋଇପାରେନା, ଉଦ୍ଭାବନ କରିବା ତ ଦୂରର କଥା: ଆଦର୍ଶ ନଟରାଜନ୍ - ଆଇଣ୍ଡ୍ରା ସିଷ୍ଟମ୍ସ୍

ଭାରତ ନୂତନତାରେ ଅଭ୍ୟସ୍ତ ବି ହୋଇପାରେନା, ଉଦ୍ଭାବନ  କରିବା ତ ଦୂରର କଥା: ଆଦର୍ଶ ନଟରାଜନ୍ - ଆଇଣ୍ଡ୍ରା ସିଷ୍ଟମ୍ସ୍

Monday October 19, 2015,

4 min Read

୨୦୧୨ମସିହାରେ ଆଇ.ଆଇ.ଏମ୍. ବାଲାଲୋର୍ ର ଆଦର୍ଶ ନଟରାଜନ୍ ଓ ଜଲନ୍ଧର ଏନ୍.ଆଇ.ଟି. ସ୍ନାତକ ଅଭିଷେକ ମିଶ୍ର ଆଇଣ୍ଡ୍ରା ସିଷ୍ଟମ୍ସ୍ ଆରମ୍ଭ କରିଥିଲେ । ବଡ଼ ବଡ଼ ସଂସ୍ଥାମାନଙ୍କ ପାଇଁ ଏ.ଆଇ. ପ୍ରଡକ୍ଟ ତିଆରି କରିବା ଏହାର ଲକ୍ଷ୍ୟ ଥିଲା । ଆଇଣ୍ଡ୍ରା ସିଷ୍ଟମ୍ସ ର ଯାତ୍ରା ଆରମ୍ଭ ହୋଇଥିଲା ସରକାରୀ ଅନୁଦାନ ପାଉଥିବା ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବାଟମାରଣା ରୋକିବା ମାମଲାରେ ନଟରାଜ ଓ ମିଶ୍ର କର୍ଣ୍ଣାଟକ ସରକାରଙ୍କ ପରାମର୍ଶଦାତା ଭାବେ କାମ କରିବାଠାରୁ । ନଟରାଜନ୍ କହନ୍ତି, “ଆମେ ତାଙ୍କୁ କହିଲୁ ଯେ ଫିଙ୍ଗରପ୍ରିନ୍ଟିଂ ଉପାୟ ଏଥିରେ କାମ କରିବ ନାହିଁ, ସେଥିପାଇଁ ‘ଟଚ ଲେସ’ କିଛି ଉପାୟ ଅବଲମ୍ବନ କରିବାକୁ ହେବ । ଆମେ ଉପସ୍ଥାନର ରେକର୍ଡ ରଖିବାପାଇଁ ତାଙ୍କୁ ଫେସ୍ ରେକଗ୍ନିସନ୍ ବା ସ୍ମାର୍ଟ ଆଟେଣ୍ଡାନ୍ସ ଟେକ୍ନଲୋଜି ବ୍ୟବହାର କରିବାଲାଗି ପରାମର୍ଶ ଦେଲୁ ଏବଂ ସେହିଭଳି ଗୋଟିଏ ପ୍ରଡକ୍ଟ ତିଆରି କଲୁ । ଆଇଣ୍ଡ୍ରା ସିଷ୍ଟମ୍ସ୍ର ଜନ୍ମ ସେହିଠାରୁ।”

Aindra founders: (L-R) Adarsh Natarajan and Abhishek Mishra

Aindra founders: (L-R) Adarsh Natarajan and Abhishek Mishra


ତା’ପରେ ସେ କହନ୍ତି, “ଆମେ କିନ୍ତୁ ତା’ପରେ ପରେ ସେ ମାମଲାରେ ବହୁ ସମସ୍ୟାକୁ ସାମ୍ନା କଲୁ । ସରକାରୀ ଶିକ୍ଷା କ୍ଷେତ୍ରରୁ ଆମେ ଦୂରେଇ ଯିବାର କାରଣ ହେଉଛି, ଦିନକୁ ଦିନ ସେ ସମସ୍ୟା ବଢ଼ିବାରେ ଲାଗିଲା । ସରକାରୀ କଳ ସହିତ କାମ କରିବା କଷ୍ଟକର ହେଲା । ତା’ପରେ ଆମେ ମାଇକ୍ରୋ-ଫାଇନାନ୍ସ ସଂସ୍ଥା, ସ୍ୱାସ୍ଥ୍ୟ ଆଉ ଭୋକେସନାଲ୍ ଟ୍ରେନିଂ କ୍ଷେତ୍ରରେ ପ୍ରବେଶ କଲୁ । ଭାରତୀୟ ବଜାରର ଗୋଟିଏ ବଡ଼ ସମସ୍ୟା ହେଉଛି, ନୂଆକଥାରେ ଭାରତୀୟମାନେ ଶୀଘ୍ର ଅଭ୍ୟସ୍ତ ବି ହୋଇ ପାରନ୍ତିନି, ଉଦ୍ଭାବନ କରିବା ତ ଦୂରର କଥା । ଆମ ବଜାରର ବିକାଶ ବିଳମ୍ବରେ ହୋଇଛି । ଇ-କମର୍ସ ବ୍ୟତୀତ ଆପଣ ଯେକୌଣସି ନୂଆକଥା ଆରମ୍ଭ କଲେ, ଏମିତି ସମସ୍ୟାକୁ ସାମ୍ନା କରିବା ନିଶ୍ଚିତ ।”

ନଟରାଜନଙ୍କ ଟିମ୍ ଏବେବି ମଧ୍ୟମ ଶ୍ରେଣୀର ଶିକ୍ଷାନୁଷ୍ଠାନଗୁଡ଼ିକରେ କାମ କରୁଛି । ସେମାନଙ୍କୁ ସ୍ମାର୍ଟ ଆଟେଣ୍ଡାନ୍ସ ଟେକ୍ନଲୋଜି ଯୋଗାଉଛି ।

ଆଇଣ୍ଡ୍ରା ସିଷ୍ଟମ୍ସ୍ର ମୂଳ ଦର୍ଶନ ହେଉଛି, ବଡ଼ ବଡ଼ ଶିଳ୍ପସଂସ୍ଥା ସହିତ କାମ କରିବା, ଯାହାଦ୍ୱାରା ତା’ର ବଡ଼ ପ୍ରଭାବ ପଡ଼ିବ । ନଟରାଜନ୍ କହନ୍ତି, “ଆମେ ସମସ୍ୟାଗୁଡ଼ିକର ସହଜ ଓ କରିବାଭଳି ସମାଧାନର ସୂତ୍ର ଯୋଗାଇଦେଉ।” ଯେପରି ସ୍ୱାସ୍ଥ୍ୟସେବା କ୍ଷେତ୍ରର ସମସ୍ୟା । ଏହି କ୍ଷେତ୍ରରେ କାମ କରୁ୍ଥିବା ଲୋକଙ୍କ ସହିତ ଆଲୋଚନା କରି ନଟରାଜନ୍ ଅନୁଭବ କଲେ ଯେ ସେ କ୍ଷେତ୍ରରେ ଆବଶ୍ୟକତାଠାରୁ ଖୁବ୍ କମ୍ ଲୋକ ଅଛନ୍ତି । ସେ କହନ୍ତି, “ଆମେ ବାହାରୁ ପାଖାପାଖି ଶତକଡ଼ା ୭୦ ଭାଗ ଯନ୍ତ୍ରପାତି ଆମଦାନି କରିଥିଲୁ । ଚାହିଦା ବହୁତ ଥିଲା, କିନ୍ତୁ ତା’କୁ ପୂରଣ କରିବାଲାଗି ପୁରୁଣା ଉପାୟ ଯଥେଷ୍ଟ ନ ଥିଲା ।” ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ପ୍ରଡକ୍ଟ ତିଆରିବାଲାଗି ବିଭିନ୍ନ ବିଭାଗ ମିଶି ଏକାଠି କାମ କରିବାର ଆବଶ୍ୟକତା ରହିଛି । କିନ୍ତୁ ଆପଣ ଯାହା ତିଆରି କଲେବି, ଇଂଜିନିୟରିଂ, ମେଡିକାଲ୍ ଓ ବିଜ୍ଞାନ ଜ୍ଞାନ ହେଉଛି ମୂଳ । ସେଥିପାଇଁ ଆପଣ ଦେଖୁଥିବେ ବହୁତ କମ୍ ସଂସ୍ଥା ଏ କ୍ଷେତ୍ରରେ ପ୍ରବେଶ କରୁଛନ୍ତି । ଅବଶ୍ୟ ଆରମ୍ଭ କରିବାଟା କଷ୍ଟକର । କିନ୍ତୁ ଥରେ ଆରମ୍ଭ ହୋଇଗଲେ, ଆଗେଇବା ସହଜ ।”

ଆଇଣ୍ଡ୍ରା ସିଷ୍ଟମ୍ସ୍ ଆଗରେ ସେମିତି ଗୋଟିଏ ସୁଯୋଗ ହେଉଛି, ସର୍ଭିକାଲ୍ କ୍ୟାନ୍ସର୍ ଚିହ୍ନଟ କରିବାଲାଗି ଟେକ୍ନଲୋଜି ପ୍ରସ୍ତୁତ କରିବା । “ଭାରତରେ ଏ ରୋଗ ଗୋଟେ ବଡ଼ ସମସ୍ୟା ହୋଇ ଗଲାଣି । ଆମେ ଭାବିଲୁ, ଆମେ ଆମ ପାଖରେ ଥିବା ଟେକ୍ନଲୋଜି ଜରିଆରେ ବ୍ୟାୟସାପେକ୍ଷ ଚିକିତ୍ସାର ସୁଯୋଗ ନେଇ ପାରୁ ନ ଥିବା ଲକ୍ଷ ଲକ୍ଷ ମହିଳାଙ୍କୁ ଏହାଦ୍ୱରା ଉପକୃତ କରି ପାରିବୁ ।”

ତାଙ୍କ ସଂସ୍ଥା ନନ୍-ବ୍ୟାଙ୍କିଂ ଫିନାନ୍ସିଆଲ୍ ସଂସ୍ଥାଗୁଡ଼ିକୁ ମଧ୍ୟ ସେବା ଯୋଗାଇ ଦେଉଛି । ନଟରାଜନ୍ କହନ୍ତି, “କମମୂଲ୍ୟର ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଫିଲ୍ଡ ରେ କାମ କରୁଥିବା କର୍ମଚାରୀଙ୍କୁ ଟ୍ରାକିଂ କରିବା ପର୍ଯ୍ୟନ୍ତ ସବୁ କାମ ପାଇଁ ଆମେ ଟେକ୍ନଲୋଜି ଯୋଗାଇ ଦେଉ । ସଂସ୍ଥାର କର୍ମଚାରୀ ଯୁଆଡ଼େ ଯାଇ କାମକରେ, ଆମ ଟେକ୍ନଲୋଜି ତା’କୁ ଅନୁସରଣ କରେ । ଆମେ ଏହି ସଂସ୍ଥାଗୁଡ଼ିକୁ ବହୁସଂଖ୍ୟାରେ ଭୋକେସନାଲ୍ ଟ୍ରେନିଙ୍କୁ ପ୍ରଶିକ୍ଷଣ ଦେବାରେ ମଧ୍ୟ ସାହାଯ୍ୟ କରୁ ।”

ତେବେ କୌଣସି ବଡ଼ ଧରଣର ପ୍ରଭାବ କଥା ସରକାରଙ୍କ ପ୍ରସଙ୍ଗ ବିନା ଚିନ୍ତା କରା ଯାଇ ପାରେନା । ସରକାରୀ କାମରେ ଅଧିକ ସଂପୃକ୍ତ ରହିବାଲାଗି ତାଙ୍କ ଭିତରେ ଅନିଚ୍ଛା ଅଛି । ନଟରାଜନ୍ କହନ୍ତି, “ପ୍ରଡକ୍ଟ ବା ସେବା ନେବାରେ ସରକାରଙ୍କର ଯେଉଁ ଧରାବନ୍ଧା ଉପାୟଟି ରହି ଆସିଛି, ସେଥିରେ କୌଣସି ନୂଆ ସଂସ୍ଥା କାମ କରିବା ଅସମ୍ଭବ । କାମ ଦେବାବେଳକୁ ସେମାନେ ସଂସ୍ଥାର ଅଭିଜ୍ଞତା ଆଉ ଲାଭର ହିସାବ ମାଗନ୍ତି । ଅଥଚ ଟଙ୍କା କେବେ ଠିକ୍ ସମୟରେ ମିଳେନାହିଁ । କାରଣ ସେଇଠି ଅଛି ପ୍ରଶାସନ ନାଲିଫିତାର ପରଂପରା । ଯେତେ ପର୍ଯ୍ୟନ୍ତ ଭାରତ ଏହା ବୁଝିବ ନାହିଁ ଯେ ଆମର ଭିତ୍ତିଭୂମି ଅନୁସାରେ ହିଁ ଆମେ କାମ କରି ପାରିବୁ, ସେ ପର୍ଯ୍ୟନ୍ତ ଛୋଟ ସଂସ୍ଥାଗୁଡ଼ିକ ସରକାରଙ୍କୁ ଗ୍ରାହକ ରୂପେ ପାଇ ପାରିବେନାହିଁ । ତେଣୁ ସରକାର ଏ ପ୍ରସଙ୍ଗରେ ଥିବା ଅନାବଶ୍ୟକ ନୀତି ନିୟମକୁ ପରିବର୍ତ୍ତନ କରିବା ଆବଶ୍ୟକ ।”

ଆଇ ସିଷ୍ଟମ୍ସ୍ ଇତିମଧ୍ୟରେ ଦୁଇଟ ବଡ଼ ଟେକ୍ନଲୋଜି ମାମଲାରେ କାମ କରୁଛି- ଟେଲିମେଡିସିନ୍ ଓ ଟେକ୍ସଟାଇଲ୍ ବା ବୟନ ଶିଳ୍ପ । ନଟରାଜନ୍ କହନ୍ତି, “ଆମେ ଆମେ ଗୋଟିଏ ଟୁ-ଫାକ୍ଟର୍ ଅଥେନ୍ଟିସିଟି ସିଷ୍ଟମ୍ ତିଆରି କରୁଛୁ, ଯାହାଦ୍ୱାରା ରୋଗୀ ତା’କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜାଣି ପାରିବ ।”

“ସେମିତି ଟେକ୍ସଟାଇଲ୍ ରେ ବାଙ୍ଗାଲୋରରେ ଥିବା ଟେକ୍ସଟାଇଲ୍ ନିର୍ମାତାମାନଙ୍କୁ ଆମେ ରୋବୋଟିକ୍ସ ବ୍ୟବହାର କରିବାଲାଗି ସାହାଯ୍ୟ କରୁଛୁ ।”

ନୂଆ ଟେକ୍ନଲୋଜିରେ ଅଭ୍ୟସ୍ତ ହେବାରେ ଭାରତୀୟମାନେ କରୁଥିବା ବିଳମ୍ବ ସହିତ ନଟରାଜନ ଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ହେଉଛି, ଏ.ଆଇ. ବର୍ତ୍ତମାନ ସୁଦ୍ଧା ଭାରତରେ ଲୋକାଭୀମୁଖୀ ହୋଇନାହିଁ । ଏବେ ମଧ୍ୟ ଯନ୍ତ୍ରପାତିର ମୂଲ୍ୟ ବେଶ୍ ଅଧିକ ଅଛି, ଲଗା ଯାଇଥବ ଅର୍ଥ ଫେରିବାରେ ବି ସମସ୍ୟା ରହିଛି ।” ତଥାପି ସେ ଅଶାବାଦୀ ଅଛନ୍ତି । ସେ କହନ୍ତି, “ଏ କ୍ଷେତ୍ର ଏବେ ବି ସାଧାରଣ ଲୋକଙ୍କଠାରୁ ଦୂରରେ ରହିଛି । ଆମେ ତାହାକୁ ବଦଳାଇବାକୁ ଚେଷ୍ଟା କରୁଛୁ । ହୋଇପାରେ ଏହା ଏକ ଛୋଟ ଉଦ୍ୟମ, କିନ୍ତୁ ଏହାଦ୍ୱାରା କିଛି ପରିବର୍ତ୍ତନର ଆରମ୍ଭ ନିଶ୍ଚୟ ହେଉଛି ।”