ଓଡ଼ିଶାରେ କାର୍ଟୁନ ଓ କାର୍ଟୁନିଷ୍ଟ

ଓଡ଼ିଶାରେ କାର୍ଟୁନ ଓ କାର୍ଟୁନିଷ୍ଟ

Thursday May 05, 2016,

4 min Read

image


ପାଖାପାଖି ଦେଢ ଶ’ ବର୍ଷ ତଳେ ବିଶ୍ୱର ପ୍ରଥମ ରଂଗୀନ କାର୍ଟୁନ ଆଜିର ଦିନରେ ପ୍ରକାଶିତ ହୋଇଥିଲା । ନାଁ ଥିଲା- ଦି ୟେଲୋ କିଡ଼୍ (The Yellow Kid) । ସେଇ ସ୍ମରଣୀୟ ଦିନଟିକୁ ମନେ ରଖି ପ୍ରତିବର୍ଷ ୫ ମଇ ସାରା ବିଶ୍ୱରେ କାର୍ଟୁନିଷ୍ଟ ଦିବସ ଭାବେ ପାଳିତ ହୁଏ ।

The Yellow Kid

The Yellow Kid


କାର୍ଟୁନ କହିଲେ ଆମେ ଏବେ ଯାହା ବୁଝୁ - ତାହାର ଆରମ୍ଭ ଇଟାଲୀରୁ । ୧୫୯୦ରେ ଦୁଇଭାଇ ଆନିବେଲ ଏବଂ ଆଗୋଷ୍ଟିନୀ କାରସି ଗୋଟେ ପ୍ରକାରର ଅନେକ ଗୁଡ଼ିଏ ଚିତ୍ର ଆଙ୍କିଲେ । ଏହାକୁ ସେମାନେ ରିଟ୍ରାଚିନି କାରଚି ବୋଲି କହିଲେ । ଏହାର ମାନେ ହେଲା- ବିଭିନ୍ନ ଅର୍ଥବାହୀ ପ୍ରୋଟ୍ରେଟ୍ । ଏଥିରୁ କ୍ୟାରିକେଚର ଶବ୍ଦର ଉତ୍ପତି ।

ଇଂରାଜୀ ଚିତ୍ରକର ୱିଲିୟମ ହୋଗାର୍ଥ (୧୬୯୨-୧୭୬୪)ଙ୍କୁ ଆଧୁନିକ କାର୍ଟୁନର ଜନକ ଭାବେ କୁହାଯାଏ । ୧୭୦୦ ଶତାବ୍ଦୀ ପାଖାପାଖି ସମୟକୁ ‘ଏଜ୍ ଅଫ୍ ରିଜିନ୍’(Age of Reason) ବୋଲି କୁହାଯାଏ । ଏଇ ସମୟରେ ଲୋକମାନେ ଉତ୍କଟ ସଂସ୍କାରବାଦୀ ଥିଲେ । ସମାଜରେ ଏକ ଗାମ୍ଭୀର୍ଯ୍ୟ ଥିଲା ଯାହା ସାଧାରଣ ଜୀବନକୁ ବିରକ୍ତ କରି ଦେଇଥିଲା । ହୋଗାର୍ଥଙ୍କୁ ଏହା ଭଲ ଲାଗୁ ନଥିଲା । ତେଣୁ ସେ ଜାଣିଶୁଣି ନୂଆଚିତ୍ର ପ୍ରସ୍ତୁତ କଲେ । ତା’କୁ ଭଳିକିଭଳି କୌତୁକିଆ ପୋଷାକ ପିନ୍ଧେଇଲେ । ମୋଟ ଉପରେ ସମାଜକୁ ହସାଇବାକୁ ଚେଷ୍ଟା କଲେ । କ୍ରମଶଃ ଅନ୍ୟ ଚିତ୍ରକର ମଧ୍ୟ ଏ ଧାରାକୁ ଆପଣାଇବାକୁ ଲାଗିଲେ । ଫଳରେ ବ୍ୟଙ୍ଗଚିତ୍ରକରଙ୍କର ଆଦର ବଢିଲା ।

image


ହେଲେ ପରିହାସର ଫଳ ଚିତ୍ରକରମାନଙ୍କୁ ଭୋଗିବାକୁ ପଡ଼ିଲା । ନାଜି ଫାସିଜିମ୍ ବିରୋଧରେଚିତ୍ର ଆଙ୍କୁଥିବା ହେତୁ ୧୯୪୪ ମସିହାରେ ପୋଲାଣ୍ଡର ଦଳେ ଚିତ୍ରକରଙ୍କୁ ହତ୍ୟା କରାଗଲା । ୧୯୭୦ ମସିହାରେ ବ୍ୟଙ୍ଗଶିଳ୍ପୀ ତୁରହାନ ରେଲକୁକଙ୍କୁ ସୈନ୍ୟବାହିନୀ ଅବ୍ୟଥନୀୟ ଯନ୍ତ୍ରଣା ଦେଇଥିଲେ । ଏବେବି ସେ ଧାରା ଜାରି ରହିଛି ।

ଓଡ଼ିଶାରେ କାର୍ଟୁନ ଓ କାର୍ଟୁନିଷ୍ଟ

ଓଡ଼ିଶାରେ ହାସ୍ୟ, ବ୍ୟଙ୍ଗ ଓ ରସିକତାର ଇତିହାସ ବେଶ ପୁରୁଣା । ଓଡ଼ିଆ ସାହିତ୍ୟରେ ହାସ୍ୟରସ ଓ ସମାଲୋଚନାଧର୍ମୀ ଲେଖାର ପ୍ରମୁଖସ୍ଥାନ ରହିଥିଲା । ହେଲେ ଓଡ଼ିଆ ଗଣମାଧ୍ୟମକୁ କେବେ କାର୍ଟୁନ ଆସିଲା, ସେ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ।

image


ଗୋଦାବରୀଶ ମହାପାତ୍ର (୧୮୯୮-୧୯୬୫) ପ୍ରକାଶ କରୁଥିବା ‘ନିଆଁଖୁଂଟା’ରେ ‘ଶଙ୍କରସ୍ୱିକଲି’ ଭଳି ନିୟମିତ ଭାବେ କାର୍ଟୁନ ପ୍ରକାଶ ପାଉଥିଲା । ‘ନିଆଁଖୁଂଟା’ ୧୯୩୮ରୁ ଆରମ୍ଭ ହୋଇ ୧୯୬୪ ପର୍ଯ୍ୟନ୍ତ ଚାଲିଥିଲା । ୧୯୫୦ ମସିହା ବେଳକୁ ସମାଜ ଓ ପ୍ରଜାତନ୍ତ୍ରରେ ମଧ୍ୟ ସମୟ ସମୟରେ ରାଜନୈତିକ କାର୍ଟୁନ ପ୍ରକାଶ ପାଉଥିଲା । ପ୍ରଜାତନ୍ତ୍ରରେ ‘ବାଟେଘାଟେ’ ଶୀର୍ଷକରେ ଏକ ପକେଟ କାର୍ଟୁନ ନିୟମିତ ବାହାରୁ ଥିଲା । ଫତୁରାନନ୍ଦ (ଅସଲ ନାମ ରାମଚନ୍ଦ୍ରମିଶ୍ର ୧୯୧୫-୧୯୯୫) ଜଣେ ବ୍ୟଙ୍ଗକାର ହେବା ସାଙ୍ଗେ ସାଙ୍ଗେ ଭଲ ବ୍ୟଙ୍ଗଚିତ୍ର ଆଙ୍କୁଥିଲେ । ତାଙ୍କର ଆଖିଖରାପ ହେବା ପର୍ଯ୍ୟନ୍ତ ସେ ଡଗର ପାଇଁ ବ୍ୟଙ୍ଗଚିତ୍ର ଆଙ୍କୁଥିଲେ । ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ର ମଧ୍ୟ ଡଗର ଓ ତାଙ୍କ ସମ୍ପାଦିତ ଅନ୍ୟାନ୍ୟ ପତ୍ରିକା ପାଇଁ ବ୍ୟଙ୍ଗଚିତ୍ର ଆଙ୍କୁଥିଲେ । ଦୈନିକ ଖବରକାଗଜ ଖବରର ପ୍ରତିଷ୍ଠାତା ଦିବାକର ମିଶ୍ର (ଜୁନ୍ ୨୬, ୧୯୧୬-ଜାନୁଆରୀ ୧୯, ୨୦୦୨) ୧୯୪୦ ଦଶକ ମଧ୍ୟ ଭାଗରୁ ସମାଜ ଓ ଅନ୍ୟାନ୍ୟ ଇଂରେଜୀ ଖବରକାଗଜ ପାଇଁ କାର୍ଟୁନ ଆଙ୍କୁଥିଲେ । ଦୁର୍ମୁଖ ପତ୍ରିକାରେ ନିୟମିତ ଭାବେ କାର୍ଟୁନ ସ୍ଥାନ ପାଉଥିଲା।

image


ଯଦିଓ ଓଡ଼ିଶାରେ କାର୍ଟୁନର ଲମ୍ବା ଇତିହାସ ରହିଛି କିନ୍ତୁ ଏହା ବ୍ୟଙ୍ଗ ଚିତ୍ରକରଙ୍କ ପାଇଁ ଯଥେଷ୍ଟ ସୁଯୋଗ ଓ ଯଥାଯୋଗ୍ୟ ପରିଚୟ ଓ ମାନ୍ୟତା ଆଣି ଦେଇ ନାହିଁ । ଅଶୀ ଦଶକ ପରେ ବ୍ୟଙ୍ଗ ଚିତ୍ରକରଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା । ଲୋକେ ତାଙ୍କୁ ଚିହ୍ନିଥିଲେ । ଏହା ପଛରେ କେତେକ କାରଣ ଅଛି । ୧୯୮୦ ଦଶକରେ ଓଡ଼ିଶାରେ ଅଫ୍ ସେଟ୍ ପ୍ରିଣ୍ଟିଙ୍ଗ ଆରମ୍ଭ ହେଲା । ଏହା ପୂର୍ବରୁ ଯେ କୌଣସି ଚିତ୍ର ଛାପିବା ପାଇଁ ମେଟାଲ୍ ବ୍ୟବହୃତହେଉଥିଲା । ଏହା ବ୍ୟୟବହୁଳ ଓ ସମୟସାପେକ୍ଷ ଥିଲା । ଅତି ଜରୁରୀ ନ ହେଲେ ଚିତ୍ର ପ୍ରକାଶିତ ହେଉ ନଥିଲା । ଅଫ୍ ସେଟ୍ ପ୍ରିଣ୍ଟିଙ୍ଗ ଆସିବା ପରେ ଗ୍ରାଫିକ୍ସ ଓ ଚିତ୍ର ପ୍ରକାଶନ ସହଜସାଧ୍ୟ ହେଲା ।

ଭାରତରେ ଜରୁରୀକାଳୀନ ପରିସ୍ଥିତି ଉଠିଯିବା ପରେ ବାକ୍ ସ୍ଵାଧୀନତାର ଏକ ଲହର ଆସିଥିଲା । କାର୍ଟୁନ ପ୍ରସାର ପାଇଁ ସେ ପରିବେଶ ଥିଲା ବେଶ ଅନୁକୂଳ।

ଓଡ଼ିଶାରେ ୧୯୮୦ ଦଶକ ମଝାମଝି ଏବଂ ୯୦ ଦଶକ ଆରମ୍ଭ ବେଳକୁ ସୁଧାଂଶୁ ଦେଓ, ଜ୍ଞାନ ରଥ, କିଶୋର ରଥ, ଶିଳ୍ପୀ ଅଶୋକ ନିୟମିତ କାର୍ଟୁନ ଆଙ୍କୁଥିଲେ । ସମ୍ବାଦରେ ପ୍ରକାଶିତ କିଶୋର ରଥଙ୍କ ଦୈନିକ ପକେଟ କାର୍ଟୁନ କଟାକ୍ଷ ବେଶ ଲୋକପ୍ରିୟ ମଧ୍ୟ ।

ଓଡ଼ିଶାରେ ସମସାମୟିକ ବ୍ୟଙ୍ଗ ଚିତ୍ରଶିଳ୍ପୀଙ୍କ ତାଲିକାରେ ରହିଛନ୍ତି- ସୁଧାଂଶୁ ଦେଓ, ଶିଳ୍ପୀ ଅଶୋକ, ଜ୍ଞାନ ରଥ, କିଶୋର ରଥ, କେଶୁ ଦାସ, କମଳାକାନ୍ତ ରଥ, ଅଶ୍ୱିନୀ ଓ ଅବନୀ, ବିଚିତ୍ରାନନ୍ଦ ସ୍ୱାଇଁ, ଉତ୍କଳଗୌରବ ପ୍ରମୁଖ । କାର୍ଟୁନିଷ୍ଟ ଅଶୋକ କାର୍ଟୁନ ସାପ୍ତାହିକୀ ନାମକ ଏକ ପତ୍ରିକା ପ୍ରକାଶ କରୁଥିଲେ । ଓଡ଼ିଶାର ସାହିତ୍ୟିକ ମାନଙ୍କର ବ୍ୟଙ୍ଗଚିତ୍ରକୁ ନେଇ ସେ ଏକ ସଂକଳନ ପ୍ରକାଶକରିଛନ୍ତି : ଲେଖକ ଲଟି । ପ୍ରସିଦ୍ଧ କାର୍ଟୁନିଷ୍ଟ ଆର୍. କେ ଲକ୍ଷ୍ମଣଙ୍କ ପରି ସେ ଏକ କାର୍ଟୁନ ଚରିତ୍ର ତିଆରି କରିଛନ୍ତି, ଯା’ ନାଆଁ- ସୁଟୁ ।

ଏବେକାର ଅବସ୍ଥା

ନୂଆ ଶତାବ୍ଦୀ ସାଙ୍ଗରେ ଖବରକାଗଜରେ କାର୍ଟୁନର ସ୍ଥାନ କମିବାକୁ ଲାଗିଲା । ଯଦିଓ ପାଠକୀୟ ଆଦର କମି ନଥିଲା । ଏହି ଧାରା ଦେଶର ସମସ୍ତ ରାଜ୍ୟରେ ଦେଖା ଦେଇଛି । ଏହା ପଛରେ ନିର୍ଦ୍ଦିଷ୍ଟ କାରଣ ରହିଛି । 

ଗଣମାଧ୍ୟମ ବିଶେଷଜ୍ଞ ପ୍ରିୟା ପାଣ୍ଡେଙ୍କ କହିବା ଅନୁସାରେ

ଆଗରୁ ପ୍ରଥମ ପୃଷ୍ଠାରେ ଖାଲି ଲେଖା ଭରି ରହୁଥିଲା । ଚିତ୍ର ଥିଲା କମ । ତେଣୁ ସେଠାରେ କାର୍ଟୁନଟେ ଦେଖିଲେ ଆମ ଆଖିକୁ ତାହା ସୁନ୍ଦର ଲାଗୁଥିଲା । ଏବେ କିନ୍ତୁ ଖବରକାଗଜ ପୃଷ୍ଠା ରଂଗରେ ଭରପୁର । ନୂଆ ବୈଷୟିକ ବିଦ୍ୟା କାରଣରୁ ବଡ଼ବଡ଼ ଫଟୋ ବି ସେଇଠି ଯାଉଛି । ତେଣୁ କାର୍ଟୁନ ହଟିଗଲେ ବି ଆମକୁ ଏତେଟା ମାଲୁମ ହେଉନି ।

ସାମ୍ବାଦିକତାବିଭାଗ,

ଓଡ଼ିଶାରାଜ୍ୟମୁକ୍ତବିଶ୍ୱବିଦ୍ୟାଳୟ

ସମ୍ବଲପୁର