ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚ

ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚ

Friday March 25, 2016,

5 min Read

ଆପଣ ଜାଣିଛନ୍ତି କି ଆଜିର ଯୁଗରେ ଏମିତି ବି ଗୋଟିଏ ଜିଲ୍ଳା ଅଛି ଯେଉଁଠି ଜଣେ ସାଧାରଣ ଲୋକକୁ ୧୦ ଦିନ ପାଇଁ ରାଜା କରାଯାଏ! ସେ ରାଜ୍ୟର ମନ୍ତ୍ରୀ ହୁଅନ୍ତୁ ବା ଜିଲ୍ଳାପାଳ, ଆରଡିସି ହୁଅନ୍ତୁ ଅବା ବଡ ପୋଲିସ ପ୍ରଶାସକ । ସମସ୍ତେ ଏହି ଦଶ ଦିନ ଧରି ରାଜାଙ୍କ ଅଧିନରେ କାମ କରନ୍ତି । ଭାରତ ସ୍ୱାଧିନ ହେବାର ଏତେ ବର୍ଷ ପରେ ମଧ୍ୟ ଆଜି ଏ ପରମ୍ପରା ବଂଚି ରହିଛି । ଆଉ ଏହାକୁ କୁହାଯାଏ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଏ ଯାତ୍ରା ବିଷୟରେ ଅଳ୍ପେ ବହୁତେ ସମସ୍ତଙ୍କୁ ଜଣା ।

image


ତେବେ ଏ ସମ୍ପର୍କରେ ଆହୁରୀ ଅଧିକ ଜାଣିବା ପୂର୍ବରୁ ଆମେ ଟିକିଏ ଏହାର ଇତିହାସ ପୃଷ୍ଠାକୁ ଅବଲୋକନ କରିବା । ମୁଖ୍ୟତଃ ଏହି ଯାତ୍ରା ଭାରତ ସ୍ୱାଧିନତା ପାଖାପାଖି ସମୟରୁ ଆରମ୍ଭ ହୋଇଥିବା ଜଣାଯାଏ । ଚଳିତ ବର୍ଷକୁ ମିଶାଇ ଏହି ଯାତ୍ରା ୭୦ ରୁ ୭୨ ବର୍ଷରେ ପଦାର୍ପଣ କରିଛି ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି । ଏହି ଯାତ୍ରା ଦେଶ ପରାଧିନ ଥିବା ସମୟରେ ଆରମ୍ଭ ହୋଇଥିବା ମଧ୍ୟ କିଛି ଲୋକ ବିଶ୍ୱାସ କରନ୍ତି । ସେତେବେଳେ ସମଗ୍ର ଭାରତ ବର୍ଷରେ ଇଂରେଜ ଶାସନ ବିରୋଧରେ ସଂଗ୍ରାମ ଚାଲିଥାଏ । ଲୋକ ମାନଙ୍କ ମନରେ ଏକତା ଭାବ ଜାଗ୍ରତ କରି ଇଂରେଜ ଶାସନ ବିରୋଧରେ ଲଢ଼େଇ କରିବାକୁ ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ବିଶ୍ୱାସ କରାଯାଏ । ଧର୍ମୀୟ ଭାବନାର ପୃଷ୍ଠଭୂମିରେ ଏହାର ଆରମ୍ଭ । କଂସ ମହାରାଜକୁ ଇଂରେଜ ମାନଙ୍କ ସହ ତୁଳନା କରାଯାଇଥିବା ବେଳେ କୃଷ୍ଣ ବଳରାମଙ୍କୁ ଭାରତୀୟ ବୋଲି ବିଶ୍ୱାସ କରାଯାଉ । ଧିରେ ଧିରେ ଏହି ଯାତ୍ରାର ଲୋକପ୍ରିୟତା ବଢ଼ିବାରେ ଲାଗିଲା । ଆଜି ମଧ୍ୟ ଏହାର ଲୋକପ୍ରିୟତା କମି ନାହିଁ । ଆସନ୍ତା ଦିନ ମାନଙ୍କରେ ଏହାର ଲୋକପ୍ରିୟତା ଆହୁରି ବଢ଼ିବ ସିନା କମିବ ନାହିଁ । ଦେଶ ଆଉ ବିଦେଶରେ ଏହି ଯାତ୍ରାର ମହତ୍ୱ ଆଜିର ଦିନରେ ଖୁବ୍ ବେଶି ।

ପ୍ରସିଦ୍ଧ ଧନୁଯାତ୍ରାରେ ଏଯାଏଁ ୧୦ ଜଣ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୋପାଳ ଚନ୍ଦ୍ର ସାହୁ (ଏଲି) ହେଉଛନ୍ତି ସବୁଠାରୁ ଲୋକପ୍ରିୟ କଂସ । ସେ ତାଙ୍କ ଜୀବନରେ ଲଗାତାର ୨୩ ଧର କଂସ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଅସୁସ୍ଥତା କାରଣରୁ ସେ ଆଉ ୨୦୦୮ ମସିହାରୁ ଅଭିନୟ କରିପାରିଲେ ନାହିଁ । ୨୦୦୮ ମସିହାରେ ପୁଣି କଂସ ଭୂମିକା ପାଇଁ ଚୟନ କରାଗଲା । ଆଉ ସେହି ବର୍ଷ ହୃଷିକେଶ ଭୋଇ କଂସ ଅଭିନୟ ପାଇଁ ବଛା ହୋଇଥିଲେ । ଚଳିତ ବର୍ଷକୁ ମିଶାଇ ହୃଷିକେଶ ୯ ବର୍ଷ ଧରି ଲଗାତାର ଅଭିନୟ କଲେଣି ।

image


ଧନୁଯାତ୍ରାର ମଂଚ ଏକ ଏମିତି ମଂଚ ଯେଉଁଠି ପ୍ରବଳ ପ୍ରତାପୀ କଂସ ରାଜା । ଅନ୍ୟମାନେ ସମସ୍ତେ ହେଉଛନ୍ତି ତାଙ୍କର ପ୍ରଜା । ପୁରାଣରେ କଂସକୁ ଅତ୍ୟାଚାରୀ, ଦୁରାଚାରୀ ର ଆଖ୍ୟା ମିଳିଛି । କିନ୍ତୁ ବରଗଡର କଂସ ହେଉଛନ୍ତି ପୁରାଣ ବର୍ଣ୍ଣିତ କଂସ ଠାରୁ ଢ଼େର ଅଲଗା । ପୁରାଣ ବର୍ଣ୍ଣିତ କଂସ ଲୋକଙ୍କୁ ଅତ୍ୟାଚାର କରୁଥିଲେ, ହଇରାଣ ହରକତ କରୁଥିଲେ । କିନ୍ତୁ ଆଜିର କଂସ ଲୋକଙ୍କ ସେବା କରନ୍ତି । ଜନସାଧାରଣଙ୍କ ଦୁଃଖ ସୁଃଖ ବୁଝନ୍ତି । ନେତା ହୁଅନ୍ତୁ ଅବା ପ୍ରଶାସକ ସେମାନେ ନିଜ ନିଜ ଦାୟିତ୍ୱରେ ହେଳା କଲେ କଂସ ତାଙ୍କୁ ଆଇନ ଅନୁଯାୟୀ ଶାସ୍ତି ଦେଇଥାନ୍ତି । କଂସ ନଗର ପରିକ୍ରମା କରନ୍ତି । କାହାରି ବିରୋଧରେ କିଛି ଅଭିଯୋଗ ଆସିଲେ କଂସ ଦରବାରରେ ତା' ଉପରେ ଆଲୋଚନା ହୋଇ ଶାସ୍ତି ଦିଆଯାଏ । ଏ ପରମ୍ପରାକୁ ଏଠାକାର ଜନସାଧାରଣ ରାଜାଙ୍କ ନିୟମ କହି ହସି ହସି ମାନି ନିଅନ୍ତି । ଏ ରାଜା-ପ୍ରଜାଙ୍କ ଶାସନ ଆଜି ବି ଏଠାରେ ଦେଖିବାକୁ ମିଳେ ।

ତେବେ ଆସନ୍ତୁ ଆମେ ଆଜି ଗୋପାଳ ସାହୁ (ଏଲି)ଙ୍କ ବିଷୟରେ କିଛି ଜଣା ଅଜଣା କଥା ଜାଣିବା ତାଙ୍କରି ମୁହଁରୁ ।

YS - ଆପଣ କଂସ ଭୁମିକାରେ ଅଭିନୟ କରିବା ପାଇଁ କାହାଠାରୁ ପ୍ରେରଣା ପାଇଥିଲେ?

ଉ: ରଙ୍ଗମଂଚରେ ଅଭିନୟ କରିବା ପାଇଁ ନିଜ ଧର୍ମପତ୍ନୀଙ୍କ ଠାରୁ ପ୍ରେରଣା ପାଇଥିଲି ।

YS - ଅଭିନୟ କରିବା ପାଇଁ କେବେ ଠାରୁ ଆପଣଙ୍କର ଇଚ୍ଛା ହୋଇଥିଲା?

ଉ: ଛୋଟ ଥିଲା ବେଳୁ ଅଭିନୟ କରିବା ପାଇଁ ପ୍ରବଳ ଦୁର୍ବଳତା ଥିଲା ।

YS - କିଛି ବର୍ଷ ହେଲା ଆଉ ଏଲିଙ୍କ ଅଭିନୟ ଯାତ୍ରାରେ ଦେଖିବାକୁ ମିଳୁନାହିଁ?

ଉ: ନିଶ୍ଚିତ ଭାବେ ଅଭିନୟ ବନ୍ଦ ହୋଇଯାଇଛି । ଏହାର ଦୁଃଖ ଆଉ କ୍ଷୋଭ ମଧ୍ୟ ମନରେ ରହିଛି । ମୁଁ ସାଧାରଣ ମଣିଷଟିଏ । ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ମୋ ପାଇଁ ବିଶ୍ୱ ଦରବାରରେ ପରିଚୟ ଆଣିଦେଇଛି ।

YS - ଧନୁଯାତ୍ରା ସମୟରେ ଆପଣ ରାଜା ଆଉ ସମସ୍ତେ ପ୍ରଜା । ସେନେଇ କିଛି କହିବେ?

ଉ: ସାମାନ୍ୟ ପୋଲିସ କର୍ମଚାରୀ ହୋଇ ବି ଅନେକ ପଦାଧିକାରୀଙ୍କୁ ଜୋରିମନା କରିଛି । ବରଗଡର ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରିଛି । ଲୋକଙ୍କ ସ୍ନେହ ଓ ଭଲ ପାଇବା ପାଇଛି ।

YS - ପ୍ରତିବର୍ଷ ଧନୁଯାତ୍ରା ସରିବା ପରେ ପୁରୀ ଯାଇ ସମୁଦ୍ରରେ ସ୍ନାନ କରିବା ସହ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି କିନ୍ତୁ ଏବେ ଆଉ ଯାଉଛନ୍ତି କି?

ଉ: ନାଁ ଏବେ ଆଉ ଯାଇ ପାରୁନାହିଁ । ବୋଧେ କାଳିଆ ଠାକୁରଙ୍କ ଡୋରି ଆଉ ଲାଗୁନାହିଁ ।

YS - କଂସ ଅଭିନୟ କରିଥିବା ସମୟରେ ଏମିତି କିଛି ଘଟଣା ଯାହା ଆପଣଙ୍କୁ ଚିରଦିନ ମନେ ରହିବ?

ଉ: ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଆସିଥିଲେ ଧନୁଯାତ୍ରା ଦେଖିବା ପାଇଁ । ତାଙ୍କୁ ବରଗଡର ଉନ୍ନତି ପାଇଁ ଅନୁରୋଧ କରିଥିଲି । ସେ ଭୁବନେଶ୍ଵର ଯିବା ପରେ ବରଗଡ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ଯାହା ମୋର ଚିରଦିନ ମନେ ରହିବ ।

YS - ଶେଷରେ ଓଡିଶା ବାସୀଙ୍କୁ କଣ କହିବାକୁ ଚାହିଁବେ?

ଉ- ହାତଗୋଡ ଚାଲିବା ଯାଏଁ ଅଭିନୟ କଲି । ଏମିତି ଦର୍ଶକଙ୍କ ଭଲ ପାଇବା ମିଳୁଥାଉ ।

image


ଗତ ୨୦୦୮ ମସିହାରୁ ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଛନ୍ତି ହୃଷିକେଷ ଭୋଇ । ତେବେ ଆସନ୍ତୁ ତାଙ୍କ ଠାରୁ ତାଙ୍କ ବିଷୟରେ ଓ ତାଙ୍କ କଂସ ଅଭିନୟ ବିଷୟରେ ଜାଣିବା ।

 YS - ଆପଣ କେବେ ଠାରୁ ଅଭିନୟ ଆରମ୍ଭ କଲେ ଏବଂ ଏହା ପାଇଁ କାହାକୁ ଗୁରୁ ବୋଲି ଭାବିଛନ୍ତି କି?

ଉ: ଅଭିନୟ କରିବା ପାଇଁ ଇଚ୍ଛା ତ ଛୋଟ ସମୟରୁ ଥିଲା । ତା ସହ ମୋର ଜନ୍ମ ଏକ କଳାକାର ପରିବାରରେ । ତେଣୁ ଛୋଟ ସମୟରୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲି । ମୋ ଗୁରୁ ବୋଲି ମୁଁ ଏଲିଙ୍କୁ ବିବେଚନା କରେ ।

YS - ଆପଣଙ୍କ ପରିବାରରେ ଅଭିନୟ ପାଇଁ ଆଉ କେଉଁମାନେ ସାହାଯ୍ୟ କରନ୍ତି ?

ଉ: ପରିବାରରେ ସମସ୍ତେ ମୋ ଅଭିନୟ ପାଇଁ ସାହାଯ୍ୟ କରନ୍ତି । ମୋ ଧର୍ମପତ୍ନୀ ମୋତେ ପ୍ରେରଣା ଦେଇଥାନ୍ତି । ପୁଅ ଯତୀନ ଓ ଝିଅ ଏଲିନା ମଧ୍ୟ ମୋ ପାଇଁ ବହୁତ ଖୁସି ।

YS - ଆପଣ କେଉଁ ସବୁ ପୁସ୍ତକ ବା ପୁରାଣ ପଢ଼ନ୍ତି?

ଉ: ମୁଁ ଜଣେ ସାଧାରଣ ମଣିଷ । ସବୁଦିନ ଠାକୁର ପୂଜା ସାଙ୍ଗକୁ ରାମାୟଣ, ମହାଭାରତ, ଶିବ ପୁରାଣ, ଲକ୍ଷ୍ମୀ ପୁରାଣ, ଭାଗବତ ଏମିତି ଅନେକ ପୁସ୍ତକ ପଢ଼ିଥାଏ ।

YS - ଆପଣ ପେଶାରେ ଜଣେ ଡ୍ରାଇଭର ପୁଣି ୧୦ ଦିନ ପାଇଁ ରାଜା କେମିତି ଲାଗେ?

ଉ: ଜଣେ ସାଧାରଣ ମଷିଷ ପାଇଁ କଂସ ମହାରାଜ ହେବା ବହୁ ଗୌରବର କଥା । ଏଥିପାଇଁ ମୋତେ ବହୁତ ଖୁସି ଲାଗେ । ମୁକ୍ତାକାଶ ରଙ୍ଗମଂଚରେ କଂସ ଭୂମିକାରେ ଅଭିନୟ କରି ମୋର ସ୍ୱପ୍ନ ପୁରା ହେଲା ପରି ଲାଗେ । ଅଭିନୟ ସରିଗଲେ ପୁଣି ମୁଁ ମୋର କାମରେ ଯୋଗ ଦିଏ।

YS - ଆପଣଙ୍କ ଅଫିସ ଅଧିକାରୀ ଓ କର୍ମଚାରୀଙ୍କ ଠାରୁ କିପରି ସହଯୋଗ ମିଳେ?

ଉ: ସମସ୍ତେ ମୋତେ ବହୁତ ଭଲ ପାଆନ୍ତି । ସବୁ କାମରେ ମୋତେ ସେମାନେ ସହଯୋଗ କରନ୍ତି ।

YS - ଆପଣ କଂସ ଭୂମିକାରେ ଅଭିନୟ କରିବା ପରେ ଜଗନ୍ନାଥ ଦର୍ଶନ ପାଇଁ ଯାଆନ୍ତି କାହିକିଁ?

ଉ: ମୁଁ ଜଣେ ସାଧାରଣ ମଣିଷ । ଧନୁଯାତ୍ରା ଚାଲିଥିବା ୧୦ ଦିନ ଯାକ କୃଷ୍ଣ ଏବଂ ବଳରାମଙ୍କୁ ଗାଳିଗୁଲଜ କରିଥାଏ । ତେଣୁ ଜଗତର ନାଥଙ୍କୁ ଭେଟି ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥାଏ ।

YS - ଆଗକୁ ଆଉ କଣ ସବୁ ଇଚ୍ଛା ରହିଛି?

ଉ: ଯେତେଦିନ ଯାଏଁ ଲୋକଙ୍କ ଭଲ ପାଇବା ମିଳୁଥିବ ସେତେଦିନ ଯାଏଁ ଅଭିନୟ କରିବି ବୋଲି ଚିନ୍ତା କରିଛି । ନିଜ ତରଫରୁ ପ୍ରତିବର୍ଷ କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାଏଁ ।

ସତରେ ଧନୁଯାତ୍ରା ନିଜ ଆଖିରେ ନ ଦେଖିଲେ ଏ ସବୁ କଥା ବିଶ୍ୱାସ କରି ହେବ ନାହିଁ ।