ପ୍ରସିଦ୍ଧ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା କଳକୀ ସୁବ୍ରମଣିଅମ ହାର୍ଭାର୍ଡ ବିଜନେସ ସ୍କୁଲରେ ହେବେ ବକ୍ତା

ପ୍ରସିଦ୍ଧ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା କଳକୀ ସୁବ୍ରମଣିଅମ ହାର୍ଭାର୍ଡ ବିଜନେସ ସ୍କୁଲରେ ହେବେ ବକ୍ତା

Thursday January 26, 2017,

2 min Read

ଲେଖିକା, ସାମାଜିକ କାର୍ଯ୍ୟକର୍ତ୍ତା ଓ ଅଭିନେତ୍ରୀ କଳକୀ ସୁବ୍ରମଣିଅମ କିନ୍ନର ସମ୍ପ୍ରଦାୟର ଅନେକଙ୍କ ପାଇଁ ଜଣେ ରୋଲ ମଡ଼େଲ। ତାମିଲନାଡ଼ୁର କଳକୀ ସହୋଦରୀ ଫାଉଣ୍ଡେସନ ନାମରେ ଏକ ସଂସ୍ଥା ପ୍ରତିଷ୍ଠା କରିଛନ୍ତି ଯାହା ଅବହେଳିତା କିନ୍ନର ମାନଙ୍କୁ କାଉନ୍ସେଲିଙ୍ଗ ସହ ସାହାଯ୍ୟ କରିଥାଏ। ୨୦୦୮ରେ ସେ ‘ନର୍ଥଗୀ’ ନାମକ ଏକ ତାମିଲ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ସହ ସେ ହେଇଥିଲେ ପ୍ରଥମ କିନ୍ନର ମହିଳା ଯିଏ ଏକ ମୁଖ୍ୟସ୍ରୋତ ସିନେମାରେ ଅଭିନୟ କରିପାରିଥିଲେ। ସେ ଦୁଇଟି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ଲାଭ କରିଛନ୍ତି – ଗୋଟିଏ ଗଣମାଧ୍ୟମ ଓ ଯୋଗାଯୋଗରେ ଏବଂ ଦ୍ଵିତୀୟଟି ଆନ୍ତର୍ଜାତିକ ସମ୍ପର୍କରେ।

image


ସେ କିନ୍ନର ସମାଜ ପାଇଁ ହେଉଥିବା ଅନେକ ସଚେତନତା ଅଭିଯାନ ଓ କଲ୍ୟାଣକାରୀ ପ୍ରୟାସ ସହ ସର୍ବଦା ଜଡ଼ିତ ରହି ସମାଜରେ ଏକ ଅଭୂଲା ଛାପ ଛାଡିଛନ୍ତି। ନିଜ ଦେଶରେ ପ୍ରସିଦ୍ଧି ଲାଭ କରିବା ପରେ ଏବେ ସେ ବିଶ୍ଵ ସ୍ତରରେ ନିଜର ନାମ ନେଇଯିବାକୁ ଏକଦମ ପ୍ରସ୍ତୁତ। ହାର୍ଭାର୍ଡ ବିଜନେସ ସ୍କୁଲ ଏବଂ ହାର୍ଭାର୍ଡ କେନେଡି ସ୍କୁଲରେ ହେବାକୁ ଥିବା ଇଣ୍ଡିଆ ସମ୍ମିଳନୀ ୨୦୧୭ରେ ତାଙ୍କୁ ବକ୍ତା ଭାବରେ ନିମନ୍ତ୍ରଣ ମିଳିଛି। Times Of India ସହ କଥା ହେଇ କଳକୀ କୁହନ୍ତି,

ମୁଁ କିନ୍ନର ବା ଟ୍ରାନ୍ସଜେଣ୍ଡରଙ୍କ ମୌଳିକ ଅଧିକାର, ସେମାନଙ୍କର ନାନା ସମସ୍ଯା ଓ ସମ୍ଭବ ସମାଧାନ ଗୁଡ଼ିକ ବିଷୟରେ ଆଲୋଚନା କରିବି। ଆଗକୁ ଯାଇ କିପରି ଭାବେ ଟ୍ରାନ୍ସ ମାନଙ୍କର ମାନବାଧିକାର ଏବଂ ସମାନତା ରକ୍ଷା ହେଇପାରିବ ସେ ନେଇ ମଧ୍ୟ ଆଲୋଚନା କରିବି।

ଏପରି ଏକ ନିମନ୍ତ୍ରଣ ଦ୍ଵାରା ଗର୍ବ ଅନୁଭବ କରି କଳକୀ କୁହନ୍ତି ଯେ ସେ ଏହି ସମ୍ମାନକୁ ସମସ୍ତ କିନ୍ନର ସମାଜ ସହ ବାଣ୍ଟିବାକୁ ଚାହାଁନ୍ତି ଓ ବିଶ୍ଵ ସ୍ତରରେ କିନ୍ନର ସମାଜର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ଯା ଓ ତା’ର ସମାଧାନ ଗୁଡ଼ିକ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବାକୁ ଇଚ୍ଛା କରନ୍ତି। Better Indiaର ଏକ ରିପୋର୍ଟରେ କଳକୀ କହିଛନ୍ତି,

୧ ଜାନୁୟାରୀରେ ମୁଁ ଏହି ନିମନ୍ତ୍ରଣ ପାଇଥିଲି। ଆଶ୍ଚର୍ଯ୍ୟ ହେବା ସହ ବହୁତ ଆନନ୍ଦିତ ହେଲି। ଆମ ଦେଶରେ ହେଉଥିବା କିନ୍ନର ଆନ୍ଦୋଳନ ପଛରେ ଥିବା ସୁନ୍ଦର ଅନୁଭୂତିକୁ ସମଗ୍ର ବିଶ୍ଵ ସହ ବାଣ୍ଟିବା ପାଇଁ ଏହା ଏକ ସୁଯୋଗ। ମୁଁ ଏହା ସହ ଜଡ଼ିତ ଥିବା ଏକ ଆଧ୍ୟାତ୍ମିକ ଦିଗ ସମ୍ପର୍କରେ ଆଲୋଚନା କରିବି ଏବଂ ପାଶ୍ଚାତ୍ୟ ଦେଶରେ ହେଉଥିବା ଏପରି ଆନ୍ଦୋଳନ ଠାରୁ ଏହା କିପରି ଭାବେ ଅଲଗା ସେ ଉପରେ ଆଲୋକପାତ କରିବି।

ନିଜର ବ୍ୟକ୍ତିଗତ ଜୀବନରେ ଅତୀତରେ ସାମ୍ନା କରିଥିବା ସଂଘର୍ଷ, କଠିନ ସମୟ ଓ ନିନ୍ଦାକୁ ଦେଖିଲେ କଳକୀଙ୍କର ପ୍ରତିବଦ୍ଧତା ଅଭୁତପୂର୍ବ।