କଟକ ହରିପୁର ରୋଡର କବିତା ଅପା ; ପୁରୁଷ ସମାଜରେ ସଫଳ ମହିଳା ଉଦ୍ୟୋଗୀ

କଟକ ହରିପୁର ରୋଡର କବିତା ଅପା ; ପୁରୁଷ ସମାଜରେ ସଫଳ ମହିଳା ଉଦ୍ୟୋଗୀ

Friday January 22, 2016,

2 min Read

ଦୃଢ଼ ଇଛାଶକ୍ତି ଥିଲେ ସଫଳତା ବିଳମ୍ବ ହୋଇପାରେ କିନ୍ତୁ ସୁନିଶ୍ଚିତ । କଟକ ସହରର ହରିପୁର ରୋଡରେ ରହୁଥିବା କବିତା ହେଉଛିନ୍ତ ଏହାର ଏକ ବଳିଷ୍ଠ ଉଦାହରଣ । କବିତାଙ୍କର କାହାଣୀ ଏକ ଭିନ୍ନ ସ୍ୱାଦର । ଆତ୍ମନିର୍ଭରଶୀଳ ହେବାର ଏକାନ୍ତ ଇଛା ତାଙ୍କୁ ଆଜି ଅନ୍ୟମାନଙ୍କ ପାଇଁ ଏକ ସଫଳ କାହାଣୀର ନାୟିକା ସଜାଇଛି ।

କବିତାଙ୍କ ଟମବୟ ଲୁକ ହେଉଛି ତାଙ୍କର ଅନ୍ୟ ଏକ ପରିଚୟ । ଯାହାକି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ଓଡିଶାର ପ୍ରାଚୀନ ସହରର କଟକର ହରିପୁର ରୋଡର ସ୍ଥାୟୀ ବାସିନ୍ଦା ହେଉଛନ୍ତି କବିତା । ସାଧାରଣରେ ସେ କବିତା ଅପା ରୂପେ ପରିଚିତ ଓ ଏହି ପରିଚୟ ତାଙ୍କୁ ବହୁ ଆନନ୍ଦ ଦେଇଥାଏ ବୋଲି କବିତା କୁହନ୍ତି । ନିଜର ସଫଳତା ପାଇଁ ସେ ଅନେକ ପ୍ରଶଂସା ପାଇଛନ୍ତି ଓ ସମ୍ବର୍ଦ୍ଧିତ ହୋଇଛନ୍ତି ।

ମାତ୍ର ୬ ବର୍ଷ ବୟସରେ ସେ ଓଡିଶା କ୍ରିକେଟ ଆସୋସିଏସନରେ କରାଟେ କ୍ଲାସ ଜଏନ କରିଥିଲେ ଓ ଛୋଟ ବେଳୁ ସର୍ବଦା ପୁଅପିଲାଙ୍କ ପୋଷାକ ପିନ୍ଧିବା ସହ ବାଳ କାଟିବାକୁ ପସନ୍ଦ କରୁଥିଲେ ଏବଂ ଏହି ବେଶରେ ସେ ଖୁବ ସୁନ୍ଦର ଲାଗୁଥିଲେ । ଦୁଇ ବର୍ଷର କରାଟେ ଶିକ୍ଷା ପରେ ସେ ନିଜ ଘରେ ପିଲାମାନଙ୍କୁ କରାଟେ ଶିକ୍ଷା ଦେବାକୁ ଆରମ୍ଭ କଲେ ଓ ମାସିକ ୧୨୦୦ ରୁ ୧୩୦୦ ଟଙ୍କା ରୋଜଗାର କରୁଥିଲେ ଓ ସେ ନିଜ ଶିକ୍ଷା ପାଇଁ ମଧ୍ୟ ପରିବାର ଉପରେ ନିର୍ଭରଶୀଳ ହୋଇନାହାଁନ୍ତି ବୋଲି ସେ କୁହନ୍ତି ।

image


ଦଶମ ଶିକ୍ଷା ସମାପ୍ତ ପରେ ସେ ବୟାଳିଶ ମୌଜାସ୍ଥିତ ବେଲାବାଇ ଫ୍ଲୋରର୍ସରେ କାମ କରିବା ଆରମ୍ଭ କଲେ । ଏହା ନିଜ ଘର ପାଖରୁ ୧୦ କିଲୋମିଟର ଦୂରଥିଲା ଓ ସେଥିପାଇଁ ସେ ଦୈନିକ ୨୦ କିଲୋମିଟର ସାଇକେଲ ଚଳାଉଥିଲେ । କେବଳ ସେତିକି ନୁହେଁ ସେଠାରେ ସକାଳ ୭ ଟାରୁ ସନ୍ଧ୍ୟା ୫.୩୦ ଟାଏ କାମ କରି ଆସିବା ପରେ ସନ୍ଧ୍ୟା ୭ ଟାରୁ ରାତି ୧୦ ଟା ଯାଏ ବିଦ୍ୟା ବିକାଶ ଡିଷ୍ଟ୍ରିବ୍ୟୁଟରରେ ଏକାଉଣ୍ଟାଟର କାର୍ଯ୍ୟ କରୁଥିଲେ । ଏ ନେଇ ସେ କୁହନ୍ତି ମୁଁ କେବେ ପରିଶ୍ରମ କରିବାକୁ ଡରେ ନାହିଁ ବରଂ ସର୍ବଦା ସ୍ୱାଭୀମାନର ଜୀବନ ବଂଚିବାକୁ ପସନ୍ଦ କରେ ।

ଏହିପରିଭାବେ ୨୦୧୧ ସୁଦ୍ଧା ମୁଁ ଏକ ଲକ୍ଷରୁ କିଛି ଅଧିକ ଟଙ୍କା ସଂଚୟ କରିପାରିଥିଲି । ଏହି ସମୟରେ ମୁଁ ଏକ ଦୈନିକ ଓଡିଆ ଖବର କାଗଜରୁ ପ୍ରଧାନମନ୍ତ୍ରୀ ଏମ୍ପ୍ଲୋୟମେଣ୍ଟ ଜେନେରେସନ ପ୍ରୋଗ୍ରାମ ବିଷୟରେ ଜାଣିବାକୁ ପାଇଲି । ଏଥିପାଇଁ ସର୍ବନିମ୍ନ ଅଷ୍ଟମ ପାସ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ଥିଲା । ମୁଁ ଦଶମ ପାସ କରିଥିବାରୁ ଏଥିପାଇଁ ଆବେଦନ କଲି । ପ୍ରଥମ ଉଦ୍ୟମରେ ବିଫଳ ହେଲେ ମଧ୍ୟ ଦ୍ୱିତୀୟ ଚେଷ୍ଟାରେ ମୁଁ ୯.୭୪ ଲକ୍ଷ ଟଙ୍କାର ରୁଣ ପାଇଲି ଓ ୨୧ ନଭେମ୍ବର ୨୦୧୨ରେ ଶ୍ରୀ ଫୁଡ ପ୍ରଡକ୍ଟର ଆରମ୍ଭ କଲି ବୋଲି କବିତା ନିଜର ଅନୁଭୂତି ବର୍ଣ୍ଣନା କରନ୍ତି ।

କେବଳ ସେତିକି ନୁହେଁ ପାଠରେ ଦୁର୍ବଳଥିବା କବିତା ପ୍ରଥମ ଚେଷ୍ଟାରେ ମେଟ୍ରିକ ପାଶ କରିପାରି ନଥିଲେ ମଧ୍ୟ ସେ ୱାରଧା ସେଣ୍ଟର ଫର ଡିଷ୍ଟାନ୍ସ ଏଜୁକେଶନରୁ ହିନ୍ଦିରେ ସ୍ନାତୋକତର କରିଛନ୍ତି । ତାଙ୍କର ପ୍ରେରଣା ସମ୍ପର୍କରେ ସେ କୁହନ୍ତି ମୋ ବଡ ବାପା ପିଲା ବେଳୁ ସର୍ବଦା କହୁଥିଲେ ମୋ ଝିଅ କିଛି କରିବ । ସେ କିଛି ବର୍ଷ ତଳେ ଦେହତ୍ୟାଗ କରିଗଲେ । କିନ୍ତୁ ତାଙ୍କର ସେହି ପ୍ରେରଣା ମୋତେ ସର୍ବଦା ଆଗକୁ ବଢ଼ିବାକୁ ଶକ୍ତି ପ୍ରଦାନ କରିଛି ।

ଅନ୍ୟ ଏକ କଥା ହେଲା ତାଙ୍କର ଶ୍ରୀ ଫୁଡ ପ୍ରଡକ୍ଟସ୍ର ସେ ମହିଳାମାନଙ୍କୁ ହିଁ ପ୍ରଥମ ପ୍ରାଥମିକତା ଦେଇଥାନ୍ତି ଓ ଅଧିକାଂଶ କର୍ମଚାରୀ ମହିଳା ଅଟନ୍ତି ।