ସାଧାରଣ ମଣିଷର କବି ପଦ୍ମଶ୍ରୀ ହଳଧର ନାଗ

ସାଧାରଣ ମଣିଷର କବି ପଦ୍ମଶ୍ରୀ ହଳଧର ନାଗ

Wednesday January 27, 2016,

3 min Read

ଲୋକକବି ରତ୍ନ ହଳଧର ନାଗ ଓଡିଶାରେ ଜଣେ ଜଣାଶୁଣା ଲୋକକବି । ଖାସ୍ କରି ପଶ୍ଚିମ ଓଡିଆରେ ଅନେକଙ୍କ ପାଇଁ ସେ ପରେରଣାର ଉତ୍ସ ଓ ଆଦର୍ଶ । ନିକଟରେ ଭାରତ ସରକାର ତାଙ୍କୁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି । ହଳଧର ତାଙ୍କ କବିତା ଦ୍ୱାରା ସାଧାରଣ ଜନତାଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ଖାଲି ସେତିକି ନୁହେଁ ଏହି ଅଲୌକିକ କବି ଜଣଙ୍କ ଲୋକ କବିତାକୁ ଅଭୁତପୂର୍ବ ଭାବେ ଉପସ୍ଥାପନା କରିବା ସହ ଏହା ପାଇଁ ଲୋକମାନଙ୍କ ମନରେ ବେଶ୍ କୌତୁହଳ ସୃଷ୍ଟି କରି ପାରିଛନ୍ତି । ହଳଧର ଏପର୍ଯ୍ୟନ୍ତ ଅନେକ ଦୀର୍ଘ କବିତା ଏବଂ ଶତାଧିକ ଲୋକଗୀତ ରଚନା କରିବା ସହ ଲୋକମାନଙ୍କ ଆଗରେ ଏସବୁକୁ ନିଆରା ଶୈଳୀରେ ଉପସ୍ଥାପନା କରି ପାରିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ସେ ନିଜ ସୃଜନ ସଂଗୀତ ଜରିଆରେ ପ୍ରାଣ ଭରିବାରେ ମାହିର୍ । ଏହାଛଡା ତାଙ୍କର ନିଆରା ଉପସ୍ଥାପନା ଶୈଳୀ ମଧ୍ୟ ଉପସ୍ଥିତ ଜନତାଙ୍କୁ କ୍ଷଣିକରେ ବଶୀଭୂତ କରିବାର ଅନେକ ଉଦାହରଣ ରହିଛି । ସମ୍ବଲପୁରୀ-କୋଶଳୀ ସଂଗୀତ ଓ ସାହିତ୍ୟ ପ୍ରେମୀମାନଙ୍କ ପାଇଁ ଜୀବନ୍ତ କିମ୍ବଦନ୍ତୀ ସାଜିଥିବା ହଳଧର ଏଯାବତ୍ ପ୍ରାୟ ୩୩୦ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇ ସାରିଛନ୍ତି ।

image


ପଶ୍ଚିମ ଓଡିଆର ଅନେକ ଯୁବ କବି ଏବେ ହଳଧରଙ୍କ ଶୈଳୀକୁ ଅନୁକରଣ କରୁଛନ୍ତି । ତାଙ୍କର ସେହି ନିଆରା ଶୈଳୀ “ହଳଧରଧାରା” ନାମରେ ଖ୍ୟାତ । ନିଜର ଗୀତ କବିତା ଦ୍ୱାରା ହଳଧର ସବୁବେଳେ ଦଳିତ, ମଳିମୁଣ୍ଡିଆଙ୍କ ପାଇଁ ଲଢେ଼ଇ କରି ଆସିଛନ୍ତି । ସେହିପରି ସମ୍ବଲପୁରୀ-କୋଶଳୀ ଭାଷା ପାଇଁ ଲାଗି ରହିଥିବା ଲଢେ଼ଇରେ ମଧ୍ୟରେ ସେ ପ୍ରମୁଖ ଅଂଶଗ୍ରହଣ କରି ଆସିଛନ୍ତି ।

ମାର୍ଚ୍ଚ ୩୧, ୧୯୫୦ ମସିହାରେ ହଳଧର, ବରଗଡ ଜିଲ୍ଲାର ଘେଂସର ଏକ ଛୋଟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୦ ବର୍ଷ ବୟସରେ ପିତାଙ୍କୁ ହରାଇଥିବା ଏହି ଲୋକକବିଜଣଙ୍କ ପ୍ରାଥମିକ ଶିକ୍ଷାରୁ ହିଁ ସ୍କୁଲ୍ ଛାଡିଥିଲେ । ପରେ ୧୬ ବର୍ଷ ପାଇଁ ସେ ଘେସ୍ ଉଚ୍ଚ ବିଦ୍ୟାଳୟର ଏକ ଛାତ୍ରାବାସରେ ରୋଷେଇଆ ଦାୟିତ୍ୱ ତୁଲାଇଥିଲେ । ସେ ମାଳତୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ନନ୍ଦିନୀ ନାମରେ ଝିଅଟିଏ ରହିଛି ।

କଥାରେ ଅଛି ମଣିଷ ମଧ୍ୟରେ ଥିବା କଳା ଓ ସୃଜନଶୀଳତା ଅଧିକ ଦିନ ଧରି ଲୁକ୍କାୟିତ ହୋଇ ରହେ ନାହିଁ । ହଳଧରଙ୍କ କ୍ଷେତ୍ରରେ ମଧ୍ୟ ଏହା ଘଟିଲା । କିଛି ଦିନ ପରେ ସେ ସେହି ସ୍କୁଲ୍ ବାହାରେ ଏକ ଛୋଟ କ୍ୟାବିନ୍ ପକାଇ ଜଳଖିଆ ଓ ଷ୍ଟେସନାରୀ ଜିନିଷ ବିକିବାକୁ ଲାଗିଲେ । ସେତେବେଳ ସମୟରେ ସେ ପିଲାମାନଙ୍କ କାଳୀ କଲମରେ ୧୦ ପଇସାରେ କାଳୀ ଭରୁଥିଲେ । ଏବେ ସେହି କ୍ୟାବିନଟିର ପୁନରୁଦ୍ଧାର କରାଯିବା ସହ ଏହାକୁ ଗବେଷକମାନଙ୍କ ପାଇଁ ସାଇତା ଯାଇଛି ।

image


ହଳଧର ଜଣେ ସାଧାରଣ ମଣିଷ । ଜଣେ ଉଚ୍ଚଶିକ୍ଷିତ ଭାଷାବିତ୍ ନୁହେଁ । ଗାଉଁଲି ପରିବେଶକୁ ଆଧାର କରି ନିଚ୍ଛକ କଳ୍ପନା ଦ୍ୱାରା ସେ ଅତି ସାଧରଣ ଲୋକଟିଏ ଭଳି ହୃଦୟର ଗାଥାକୁ କବିତାର ରୂପ ଦିଅନ୍ତି । ତାଙ୍କର ଏହି ଯାତ୍ରା ଆରମ୍ଭ ହୁଏ ୧୯୯୦ରେ ଲେଖିଥିବା ପ୍ରଥମ କବିତା “ଧୋଡୋ ବରଗଛ”ରୁ । ପରେ ସେ ବେଶ୍ କିଛି କବିତା ସଙ୍କଳନ ଲେଖିଛନ୍ତି । ସେଥି ମଧ୍ୟରୁ ‘ଭାବ’, ‘ସୁରୁତ’ ଅନ୍ୟତମ । ସେହିପରି ତାଙ୍କର ୨୦ରୁ ଉର୍ଦ୍ଧ୍ଵ ମହାକାବ୍ୟ ମଧ୍ୟରେ ରହିଛି ‘ଆଛିଆ’, ‘ବଛର୍’, ‘ମହାସତୀ ଉର୍ମିଳା’, ‘ତାରା ମନେ୍ଦାଦରୀ’, ‘ସିରି ସମଲାଇ’, ‘ପ୍ରେମ୍ପାଇଛନ୍’, ‘ବୀର ସୁରେନ୍ଦ୍ର ସାଏ’, ‘ସନ୍ଥ କବି ଭୀମଭୋଇ’, ‘ଋଷି କବି ଗଙ୍ଗାଧର’ । କଟକର ଫ୍ରେଣ୍ଡସ୍ ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ “ହଳଧର ଗ୍ରନ୍ଥାବଳୀ”ର ପ୍ରଥମ ସଂକଳନର ଏଥି ମଧ୍ୟରୁ ଅନେକ ଗୁଡିଏ ପ୍ରକାଶ ପାଇ ସାରିଛି । ନିକଟ ଭବିଷ୍ୟତରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ହଳଧର ଗ୍ରନ୍ଥାବଳୀର ଦ୍ୱିତୀୟ ସଂକଳନ ପ୍ରକାଶ ପାଇବାକୁ ଯାଉଛି । ଯେଉଁଥିରେ ଏହି ଲୋକପ୍ରିୟ ଲୋକକବିଙ୍କର ବାକି କବିତାଗୁଡିକୁ ସ୍ଥାନିତ କରାଯିବ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପିଲାମାନଙ୍କ ପାଠ୍ୟକ୍ରମ ମଧ୍ୟରେ ଏଥିରୁ କିଛି କବିତା ସାମିଲ୍ କରିବାକୁ ମଧ୍ୟ ଯୋଜନା କରିଛି ।

image