ଜଙ୍ଗଲକୁ ଜଗୁଛନ୍ତି ଗାଁ ଲୋକେ, ପ୍ରତିଦିନ ଦୁଇ ଜଣଙ୍କର ପାଳି

ଜଙ୍ଗଲକୁ ଜଗୁଛନ୍ତି ଗାଁ ଲୋକେ, ପ୍ରତିଦିନ ଦୁଇ ଜଣଙ୍କର ପାଳି

Saturday March 26, 2016,

2 min Read

ବର୍ତ୍ତମାନ ପାଣିପାଗ ଅନିୟମିତ ପରିବର୍ତ୍ତନ ବା କ୍ଲାଇମେଟିକ୍ ଚେଂଜ୍ ଯୋଗୁଁ ସାରା ବିଶ୍ୱବାସୀ ଚିନ୍ତିତ | ପରିବେଶର ସୁରକ୍ଷା କିପରି କରାଯାଇପାରିବ, ସେ ନେଇ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ସଂଗଠନ କାମ କରୁଛନ୍ତି | ବିଶେଷକରି ବଣ ଜଙ୍ଗଲର ସୁରକ୍ଷା ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛି | ଆମ ଦେଶରେ ମଧ୍ୟ ସରକାର ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି | କିନ୍ତୁ ଅସାଧୁ ଫରେଷ୍ଟ ଗାର୍ଡଙ୍କ ସହ ମିଶି କାଠ ମାଫିଆମାନେ ଜଙ୍ଗଲ ସଫା କରିବାରେ ଲାଗିଛନ୍ତି | ତେଣୁ ଅନେକ ଗାଁରେ ଜଙ୍ଗଲ ସୁରକ୍ଷା ସମିତି ଗଢା ହୋଇଛି ଓ ସେମାନେ ନିଜ ଗାଁ ଜଙ୍ଗଲ ନିଜେ ଜଗୁଛନ୍ତି | ଆଉ ସେଠାକୁ କାଠ ମାଫିଆମାନଙ୍କର ପ୍ରବେଶ ନାହିଁ | ଫଳରେ ଜଙ୍ଗଲ ସୁରକ୍ଷିତ ରହିବା ସହ ପରିବେଶ ନଷ୍ଟ ହେବାରୁ ବର୍ତ୍ତି ଯାଉଛି | ନୟାଗଡ ଜିଲ୍ଲା ଗୋଡିପାଟଣା ଗ୍ରାମବାସୀ ଏଭଳି ଏକ ସମିତି ଗଠନ କରି ଗାଁ ଜଙ୍ଗଲକୁ ରକ୍ଷା କରୁଛନ୍ତି | ଏଠାରେ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀମାନେ ଭଲ ଉପାୟ ଆପଣାଇଛନ୍ତି |

image


ଓଡଗାଁ ବ୍ଲକ ସାକେରୀ ପଂଚାୟତ ଅଧିନସ୍ଥ ଏହି ଗାଁଟିକୁ ଲାଗି ରହିଛି ଘଂଚ ଜଙ୍ଗଲ | ୫ ଶହ ହେକ୍ଟର ପରିମିତ ଯାଗାରେ ବ୍ୟାପିଛି ଏହି ଶିମିଳି ତଇଲା ଖାସେରୀ ଶୁଳିଆ ଜଙ୍ଗଲ | ୧୯୯୨ରେ ଏଠାରେ ଜଙ୍ଗଲ ସୁରକ୍ଷା ସମିତି ଗଢା ହୋଇଥିଲା | ପାଖ ଗାଁରେ ବୈଠକ ମାନ କରାଯାଇ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା | ସେହି ଦିନ ଠାରୁ ଏହି ଜଙ୍ଗଲକୁ ଗାଁ ଲୋକେ ସୁରକ୍ଷା ଦେଇ ଆସୁଛନ୍ତି |

ଏହି ଗାଁର କାଳିଆ ପ୍ରଧାନ କହନ୍ତି,

କିଛି ମୁରବୀ ଶ୍ରେଣୀର ଲୋକେ ସେତେବେଳେ ଏହାକୁ ଆରମ୍ଭ କରିଥିଲେ | ଗାଁରେ ଶହେ ପରିବାର ପାଳିକରି ଏହି ଜଙ୍ଗଲ ଜଗୁଛନ୍ତି | ଜଙ୍ଗଲରୁ କେହି ଆଉ ଗଛ କାଟି ନେଇ ପାରୁନାହାନ୍ତି | ପ୍ରତିଦିନ ଦୁଇ ଜଣ କରି ଜଙ୍ଗଲରେ ଡେରା ପକାନ୍ତି |

ଗାଁ ଲୋକଙ୍କ ପାଇଁ ଜାଳେଣି ପାଇଁ ସପ୍ତାହରେ ଦୁଇ ଦିନ ଶୁଖିଲା କାଠ ସଂଗ୍ରହ କରିବା ଲାଗି ନିଷ୍ପତି ନିଆଯାଇଛି | ସେହି ଅନୁସାରେ ଗାଁ ଲୋକେ ଏଠାରୁ ଶୁଖିଲା କାଠ ସଂଗ୍ରହ କରିଥାନ୍ତି | ଏହି ଜଙ୍ଗଲରେ ପ୍ରାୟ ୩ ହଜାରରୁ ଅଧିକା ବାଉଁଶ ବୁଦା ସମେତ ଶାଳ, ପିଆଶାଳ, ଶିଶୁ, ଅସନ ଆଦି ଗଛ ସୁରକ୍ଷିତ ଅବସ୍ଥାରେ ରହିଛି |

ଗାଁର ଆଉ ଜଣେ ଯୁବକ ମିଟୁ ପ୍ରଧାନ କହନ୍ତି,

ଏହି ଜଙ୍ଗଲକୁ ସମସ୍ତେ ମା’ ପରି ମାନନ୍ତି | ଜଙ୍ଗଲରୁ ବେଆଇନ ଭାବେ କୌଣସି ବ୍ୟକ୍ତିକୁ କାଠ କାଟିବାକୁ ଦିଆଯାଉନାହିଁ | ସେଥିଲାଗି ଗାଁ ଲୋକଙ୍କୁ କାଠ ମାଫିଆମାନଙ୍କର ଆକ୍ରୋଶ ଓ ଧମକର ଶିକାର ହେବାକୁ ପଡିଛି | କିନ୍ତୁ ସେମାନେ ଜଙ୍ଗଲ ମାଟି ମାକୁ ସୁରକ୍ଷା ଦେବାକୁ ପଣ କରିଛନ୍ତି | ଏହା ଆମ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି | ଆମେ ବି ସେହି ଧାରାରେ ଚାଲିଛୁ |

ଜଙ୍ଗଲକୁ ସୁରକ୍ଷା ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରି ଯାହା କରି ପାରିନାହାନ୍ତି ଗୋଡିପାଟଣା ଗାଁ ଲୋକେ ତାହା କରିପାରିଛନ୍ତି | ଏଥିପାଇଁ ସେମାନଙ୍କୁ କିଛି ପାରିଶ୍ରମିକ ମିଳେ ନାହିଁ | ତଥାପି ଗାଁ ଲୋକେ ଶପଥ ନେଇଛନ୍ତି ଏହି ଜଙ୍ଗଲକୁ ସେମାନେ ସୁରକ୍ଷା କରିବେ | ସରକାର ଏଭଳି ଗ୍ରାମବାସୀମାନଙ୍କ ପାଇଁ କିଛି ପ୍ରୋତ୍ସାହାନ ବ୍ୟବସ୍ଥା କଲେ ଅନ୍ୟ ଗାଁର ଲୋକେ ମଧ୍ୟ ପରିବେଶ ସୁରକ୍ଷା ପାଇଁ ଆଗଭର ହୋଇପାରିବେ |