'ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର ସାହୁ: କବାଡ଼ି ଖେଳାଳୀରୁ ଉଦ୍ୟୋଗପତି

By Pravat Pattnaik

'ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର ସାହୁ: କବାଡ଼ି ଖେଳାଳୀରୁ ଉଦ୍ୟୋଗପତି

Friday December 18, 2015,

5 min Read

image


ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ‘ରୁଚି’ ଶିଳ୍ପୋଦ୍ୟୋଗ ଓ ଏହାର ଅନ୍ୟତମ ପ୍ରତିଷ୍ଠାତା ଶରତ କୁମାର ସାହୁ ଏକ ଅତି ସୁପରିଚିତ ନାମ । ଦୀର୍ଘ ୪୦ ବର୍ଷ ଧରି ଓଡ଼ିଶାର ଘରେ ଘରେ ‘ରୁଚି’ ମସଲାକୁ ପହଂଚାଇବା ଏବଂ ଗୁଣାତ୍ମକ ମାନର ମସଲା ଉତ୍ପାଦନ କରି ଶ୍ରୀ ସାହୁ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯୭୬ ମସିହା ବେଳକୁ ଏକ ସାଧାରଣ ମେସିନରେ ଗୁଣ୍ଡ ମସଲାକୁ ଓଡ଼ିଶା ବଜାରରେ ପ୍ରଥମେ ପ୍ରବେଶ କରାଇଥିଲେ ଶ୍ରୀ ସାହୁ । ଯେତେବେଳେ ଓଡ଼ିଶାର ଗୃହିଣୀମାନେ ବଟା ମସଲାର ଉପଯୋଗ କରୁଥିଲେ ସେତେବେଳେ ପ୍ରଥମ ଥର ପାଇଁ ଓଡ଼ିଶା ବଜାରରେ ଗୁଣ୍ଡ ମସଲାର ପ୍ରବର୍ତନ କରିବାରେ ସଫଳ ହୋଇଥିଲେ ସେ । ହଳଦୀ, ଲଙ୍କା, ଜୀରା, ଧନିଆ ଗୁଣ୍ଡ ସହିତ ବିଭିନ୍ନ ସ୍ୱାଦ ଓ ଗୁଣମାନର ବ୍ଲେଣ୍ଡେଡ୍ ମସଲା, ବିଭିନ୍ନ ପ୍ରକାରର ରନ୍ଧନ ସାମଗ୍ରୀ ପାଇଁ ପୃଥକ୍ ପୃଥକ୍ ଶ୍ରେଣୀର ମସଲା ପ୍ରସ୍ତୁତି, ବିପଣନ ଓ ତା’ର ମାର୍କେଟିଂ କ୍ଷେତ୍ରରେ ଓଡ଼ିଶାରେ ‘ରୁଚି’ ହିଁ ସର୍ବପ୍ରଥମ ପ୍ରୟାସ ଆରମ୍ଭ କରିଥିଲା । ସେହିଭଳି ସିମେଇ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ରୁଚି ଉଦ୍ୟୋଗର ପ୍ରୟାସ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଏକ ସଫଳ ମାଇଲଖୁଣ୍ଟ ।

image


କବାଡ଼ି ଖେଳାଳୀରୁ ବ୍ୟବସାୟୀ

ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଶରତ କବାଡ଼ି ଖେଳୁଥିଲେ । ରାଜ୍ୟ କବାଡ଼ି ଦଳର ସେ କ୍ୟାପ୍ଟେନ୍ ଥିଲେ । ଓଡ଼ିଶା କବାଡ଼ି ସଂଘର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି । କାରବାର ଆରମ୍ଭ କରିବା ବେଳେ ସେ ସାଧାରଣ ଯୁବକଙ୍କ ଭଳି ଭାବୁଥିଲେ ଯେ କିଭଳି ପରିବାରର ଭରଣପୋଷଣ କରିବେ ଓ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ହୋଇପାରିବେ । ୩୯ ବର୍ଷ ତଳେ ଏକ ଭଡ଼ା ଘରୁ ସେ କାରବାର ଆରମ୍ଭ କରିଥିଲେ । ସେ ଏକ ସାଧାରଣ ମେସିନରେ ମସଲା ଗୁଣ୍ଡ ପ୍ରସ୍ତୁତ କରି ତାହାକୁ ବଜାରରେ ବିକ୍ରି କରୁଥିଲେ । ରୁଚି ମସଲାରୁ କାରବାର ଆରମ୍ଭ କରିଥିବା ବେଳେ ଏବେ ସିମାଇ ଓ ପାସ୍ତା ବି ତିଆରି କରୁଛି । ଏହାର ପାସ୍ତା ଭିଲେଜରେ ଏବେ ଦିନକୁ ଦୁଇ ଶହ କିସମର ୨୪ ମେଟ୍ରିକ୍ ଟନ୍ ପାସ୍ତା ଉତ୍ପାଦନ କରାଯାଉଛି । ରୁଚି ଫାଉଣ୍ଡେସନ୍ ଜରିଆରେ କଂପାନି ଅନେକ ଜନହିତକର କାର୍ଯ୍ୟ କରୁଛି ।

image


ଜନ୍ମ ଓ ପସନ୍ଦ

ଶରତ କୁମାର ସାହୁ ୧୯୫୦ ମସିହା ଜୁଲାଇ ୨୩ ତାରିଖରେ କଟକର ରାଣୀହାଟଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ହେଉଛନ୍ତି ସ୍ୱର୍ଗତ ବନମାଳି ସାହୁ ଓ ମଇନା ଦେବୀଙ୍କ ପୁଅ । ତାଙ୍କୁ କବାଡ଼ି ଖେଳିବା, ଫୁଟବଲ, ବ୍ୟାଡମିଂଟନ ଖେଳିବାକୁ ଭଲ ଲାବେ । ସଙ୍ଗୀତ ଶୁଣିବାକୁ ସେ ବହୁତ ଭଲ ପାଆନ୍ତି । ସବୁ ବେଳେ ସମାଜ ସେବା କରିବାକୁ ଅଗ୍ରହ ଦେଖାଇଥାନ୍ତି । ବିଶ୍ୱ ସାରା ଭ୍ରମଣ କରିବ ନୂତନ ବନ୍ଧୁ ସୃଷ୍ଟି କରିବାର ତାଙ୍କର ଏକ ପୁରୁଣା ଅଭ୍ୟାସ । ସେଥିପାଇଁ ସେ ଯେଉଁ ଆଡ଼େ ଯାଇଛନ୍ତି ନିଜର ବନ୍ଧୁ ସୃଷ୍ଟି କରିପାରିଛନ୍ତି । ଦେଶ ହେଉ କିମ୍ବା ବିଦେଶ ଚାରି ଆଡ଼େ ତାଙ୍କର ବନ୍ଧୁ ରହିଛନ୍ତି ।

ମହାବାତ୍ୟା ବି ହାର ମାନିଥିଲା

୧୯୯୯ ମସିହାର ମହାବାତ୍ୟା ଓଡ଼ିଶା ଉପକୂଳରେ ଧ୍ୱଂସର ତାଣ୍ଡବ ଲୀଳା ରଚାଇଥିଲାବେଳେ ଏହା ‘ରୁଚି’ର ପାସ୍ତା ଉତ୍ପାଦନକୁ ସାମୟିକ ଭାବରେ ପ୍ରତିହତ କରିଥିଲେ ମଧ୍ୟ ପୂର୍ବଭାରତରେ ରୁଚି ପ୍ରଥମ ଥର ପାଇଁ ଇଟାଲୀ ଓ ଦକ୍ଷିଣକୋରିଆ ଜ୍ଞାନକୌଶଳରେ ପ୍ରଥମ ପାସ୍ତା ପ୍ଳାଣ୍ଟ ସ୍ଥାପନ କରି ଉତ୍ପାଦନ ଆରମ୍ଭ କରିଥିଲା । ଇତିମଧ୍ୟରେ ରୁଚି ଉଦ୍ୟୋଗ ତା’ର ତୃତୀୟ ପାସ୍ତା କାରଖାନାରୁ ଉତ୍ପାଦନ କରି ଓଡ଼ିଶା ଓ ଓଡ଼ିଶା ବାହାରେ ପାସ୍ତା ସାମଗ୍ରୀର ବିକ୍ରିବଟା କରିପାରୁଛି । ‘ରୁଚି’ ଉଦ୍ୟୋଗ ୨୦୦ରୁ ଅଧିକ ମସଲା, ସିମାଇ, ପାସ୍ତାର ବିବିଧ ସାମଗ୍ରୀକୁ ଆଜି ଓଡ଼ିଶା, ଓଡ଼ିଶା ବାହାରେ ଏବଂ ଏପରିକି ଦରିଆପାରି ରାଷ୍ଟ୍ରରେ ବି ତା’ର ବାଣିଜ୍ୟିକ ସଫଳତାକୁ ପହଂଚାଇପାରିଛି । ବିଶ୍ୱ ମସଲା ମାନଚିତ୍ରରେ ‘ରୁଚି’ ଆଜି ଏକ ପରିଚିତ ନାଁ । ମସଲା ସହିତ ସିମେଇ ଓ ପାସ୍ତା ଉତ୍ପାଦନ ଓ ବିକ୍ରିବଟା କ୍ଷେତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର ଓ ଅନନ୍ୟ ସାଧାରଣ । ଭାରତର ବିଭିନ୍ନ ରାଜ୍ୟରେ ରୁଚି ମସଲା, ସିମାଇ ଓ ପାସ୍ତା ପ୍ରଡକ୍ଟର ଲୋକପି୍ରୟତା ବେଶ୍ ନିଜର ସାଧୁତା, ଉଚ୍ଚ ଗୁଣବା ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ରୁଚି ନିଜର ସାମଗ୍ରିକ ଅଭିବୃଦ୍ଧି ଓ ସଫଳତା ହାସଲ କରିପାରିଛି । ବିଶେଷ କରି ଯୁବପୀଢ଼ି ଓ ମହିଳାବର୍ଗଙ୍କୁ କର୍ମସଂସ୍ଥାନ ଯୋଗାଇଦେଇ ରୁଚି ଉଦ୍ୟୋଗ ଏକ ଉଜ୍ଜ୍ୱଳ ଉଦାହରଣ ମଧ୍ୟ ସୃଷ୍ଟି କରିଛି । ରୁଚି ଫୁଡକ୍ରାଫ୍ଟ ସଂସ୍ଥା ଜରିଆରେ ମହିଳାବର୍ଗଙ୍କୁ ସ୍ୱତନ୍ତ୍ର ଭାବରେ ତାଲିମ ଦେଇ ରୁଚି ଏ କ୍ଷେତ୍ରରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ‘ରୁଚି ଫୁଡପଟ’ ନାମରେ ବଜାରରେ ବିଶୁଦ୍ଧ ଓ ଗୁଣାତ୍ମକ ମାନର ଫ୍ରୋଜନ୍ ଫୁଡ୍ସ ପ୍ରସ୍ତୁତି କରାଯାଉଛି ।

image


ମହିଳା ସଶକ୍ତିକରଣ

ରାଜ୍ୟର ମହିଳା ଓ ଯୁବତୀମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ ରୁଚି ଫୁଡପଟ ଖାଦ୍ୟ ପ୍ରକ୍ରିୟାକରଣ ଓ ଉନ୍ନତମାନର ପ୍ୟାକେଜିଂ କୌଶଳ ସଂପର୍କରେ ମଧ୍ୟ ବ୍ୟବସାୟିକ ଅଭିବୃଦ୍ଧି ସହିତ ନିଜର ସାମାଜିକ ଓ ଉରଦାୟିତ୍ୱ ଭୂମିକା ନିର୍ବାହ କରିବା ପାଇଁ ରୁଚି ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠିତ ହୋଇଛି ରୁଚି ପ୍ରତିଭା ଫାଉଣ୍ଡେସନ । ସାମାଜିକ ଜୀବନ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଉତ୍ସର୍ଗୀକୃତ ଅବଦାନ ରଖିଥିବା ଯୋଗ୍ୟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବାର ଏକ ସୁସ୍ଥ ପରମ୍ପରା ଏହି ଫାଉଣ୍ଡେସନ ଆରମ୍ଭ କରିଛି । ରାଜ୍ୟର କୃତି ଛାତ୍ର ଓ ଛାତ୍ରୀଙ୍କ ସମେତ କ୍ରୀଡ଼ା, ଚିକିତ୍ସାସେବା, ସୃଜନଶୀଳ ସାହିତ୍ୟ, ସମାଜସେବା, ପ୍ରଶାସନିକ ସେବା କ୍ଷେତ୍ରରେ ବିଶିଷ୍ଟ ପ୍ରତିଭାଧରମାନଙ୍କୁ ଗୋଟିଏ ମରେ ସମ୍ମାନିତ କରି ରୁଚି ପ୍ରତିଭା ଫାଉଣ୍ଡେସନ ନିରନ୍ତର କାର୍ଯ୍ୟ କରିଆସୁଛି । ପୂଜ୍ୟପୂଜା ଓ ପ୍ରତିଭା ପୂଜାକୁ ସମ୍ମାନ ଜଣାଇ ୧୯୯୭ ମସିହାରୁ ରୁଚି ନିରବଚ୍ଛିନ୍ନ ଭାବରେ ରୁଚି ପ୍ରତିଭା ସମ୍ମାନ ପ୍ରଦାନ କାର୍ଯ୍ୟ କରିଆସୁଛି ।

ମେଧାବୀ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ସମ୍ମାନ

ରାଜ୍ୟର ମେଧାବୀ ଓ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଯୋଗାଇଦେବା ପାଇଁ ତଥା ସେମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟର ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମାସିକ ରୁଚି ମେଧାବୃତ୍ତି ପ୍ରଦାନ କରାଯାଉଛି । ଓଡ଼ିଶାର ଶିଳ୍ପବିକାଶ କ୍ଷେତ୍ରରେ ନିଜର ଉକ୍ତର୍ଷତା ପାଇଁ ଏବଂ ସଫଳତା ପାଇଁ ‘ରୁଚି’ ଅନ୍ୟମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ପାଲଟିଯାଇଛି । ନିଜର ଗୁଣାତ୍ମକ ମାନରେ କେବେ ସାଲିସ୍ କରି ନାହିଁ ରୁଚି ଉଦ୍ୟୋଗ । ତେଣୁ ଓଡ଼ିଶାର ଏମିତି କୌଣସି ରନ୍ଧନଶାଳା ନାହିଁ, ଯେଉଁଠି ରୁଚି ତା’ର ସୁଗନ୍ଧିତ ବାସ୍ନାକୁ ପହଂଚାଇ ପାରିନି । ଆଜି ଯଦି ଓଡ଼ିଶାର ଶିଳ୍ପ ବିକାଶ ଏବଂ ଶିଳ୍ପ ପ୍ରଗତି କ୍ଷେତ୍ରରେ କିଛି ସଫଳ ବ୍ୟକ୍ତିତ୍ୱ ଓ ସଫଳତମ ଉଦ୍ୟୋଗର ନାମ ନିଆଯିବ- ତେବେ ତା’ ଭିତରେ ନିଶ୍ଚୟ ‘ରୁଚି’ ନାମ ଆଗ ଧାଡ଼ିରେ ଆସିବ । ସମସ୍ତେ ଏହା ଜାଣନ୍ତି, କିନ୍ତୁ ଅନେକ ହୁଏତ ଜାଣନ୍ତି ନାହିଁ ଯେ, ଜୀବନ ମାର୍ଗରେ ସବୁବେଳେ ଦୁଇ ଶକ୍ତିଙ୍କ ମଧ୍ୟରେ ଅବିରତ ସଂଗ୍ରାମ ଚାଲିଛି। ସେ ଦୁଇ ଶକ୍ତି ହେଉଛି ଆଶା ଏବଂ ମୃତ୍ୟୁ । ମୃତ୍ୟୁ ସହିତ ଯଦି ତମେ ସଂଗ୍ରାମ କରିବ ତେବେ ସବୁ ନକାରାତ୍ମକ ସଂପର୍କ ତୁମ ପାଖରେ ଓଜାଡ଼ି ହୋଇ ପଡ଼ିବ । ତାହା ଏପରି ଭାରି ହୋଇଯିବ ଯେ, ଆଉ ତୁମେ ମାଟିରୁ ଉଠିବା ସଂଭବ ହେବ ନାହିଁ । କିନ୍ତୁ ଆଶା ସହିତ ସଂଗ୍ରାମ କଲେ ସବୁ ସକାରାତ୍ମକ ବିଚାର ତୁମର ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ପ୍ରଭାବିତ କରିବ ଏବଂ ସଫଳତା ତୁମ ଦ୍ୱାରଦେଶରେ ଆସି କରାଘାତ କରିବ । ସମ୍ଭବତଃ ଏହି ଆଶାର ସଫଳତା ଶ୍ରୀ ଶରତ କୁମାର ସାହୁଙ୍କୁ ଆଜି ଏତେ ବାଟରେ ପହଂଚାଇପାରିଛି । ସାଫଲ୍ୟ ଓ ପ୍ରଗତି ପାଇଁ କୌଣସି ଗଡଫାଦର କି ଉଚ୍ଚ ପଦପଦବୀଧାରୀଙ୍କ ବିନା ସହଯୋଗରେ ଶ୍ରୀ ସାହୁ ଆଜି ଯେଉଁଠି ପହଂଚିଛନ୍ତି, ତାହା ତାଙ୍କ ଗଭୀର ନିଷ୍ଠା, ଆତ୍ମପ୍ରତ୍ୟୟ ଓ ସ୍ୱାଭିମାନର ପ୍ରତୀକ ବୋଲି କୁହାଯାଇପାରେ । ଓଡ଼ିଶାର ଶିଳ୍ପସାମ୍ରାଜ୍ୟରେ ରୁଚି ଉଦ୍ୟୋଗ ଓ ତା’ର ପ୍ରତିଷ୍ଠାତା ଶରତ କୁମାର ସାହୁ ସତରେ ଏକ ଅବିସ୍ମରଣୀୟ ପରିଚୟ ହୋଇ ରହିବେ ଏବଂ ଯେଉଁ ଯୁବପୀଢ଼ି ଏହି କ୍ଷେତ୍ରକୁ ଆସିବେ - ଶ୍ରୀ ସାହୁ ସେମାନଙ୍କ ପାଇଁ ଏକ ଜୀବନ୍ତ ଉଦାହରଣ ହୋଇ ରହିଥିବେ ।