ଗାଁ ଦିଶାରି ଏବେ ଦେଉଛନ୍ତି ଡାକ୍ତରୀ ଔଷଧ

0

ଆଜିର ସଭ୍ୟ ସମାଜରେ ଯେଉଁଠି ବିଜ୍ଞାନ ବଳରେ ସାରା ବିଶ୍ୱ ହାତ ମୁଠାରେ ପରି ଲାଗୁଛି । ପୁରା ବିଶ୍ୱରେ କେଉଁଠି କଣ ଘଟୁଛି ତାହା କିଛି କ୍ଷଣ ମଧ୍ୟରେ ଆମ ନିକଟରେ ଆସି ପହଚିଂପାରୁଛି । ମନୁଷ୍ୟ ଆଜି ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ନିଜର ବାସସ୍ଥାନ କରି ରହିବ ବୋଲି ଯୋଜନା କରୁଛି । ଯେ କୌଣସି ରୋଗ ବୈରାଗ ହେଉ ଅବା ମାରାତ୍ମକ ରୋଗ ସବୁ ରୋଗର ନିରାକରଣ ପାଇଁ ଔଷଧ ମଧ୍ୟ ବାହାରିଛି । ଆଜିକାଲି ଆଉ ଏମିତି କିଛି ବି ଅସମ୍ଭବ ପରି ମନେ ହେଉ ନାହିଁ ।

କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ଓଡିଶା ବହୁ ପଛରେ ପଡିଯାଇଛି ପରି ମନେ ହୁଏ । ଆଜିକାଲି କୋରାପୁଟ, ମାଲକାନଗିରି, କନ୍ଧମାଳ, ନୟାଗଡ, ସୁନ୍ଦରଗଡ, ମୟୂରଭଂଜ ପରି ଜିଲ୍ଳାମାନଙ୍କରେ ପ୍ରତିଦିନ କିଛି ନା କିଛି ଖବର ଆସେ ଗରିବ ଆଦିବାସୀ ଲୋକେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁରେ ଥିବା ଗୁଣିଆ, ଦିଶାରୀଙ୍କ ନିକଟକୁ ଯାଆନ୍ତି । ନିଜ ପରିବାରର କାହାର ଦେହପା ଖରାପ ହେଲେ ପ୍ରଥମେ ସେମାନେ ଗାଁରେ ହିଁ ଚିକିତ୍ସା କରାଇଥାନ୍ତି । ଏଠାକାର ଅଧିବାସୀମାନଙ୍କର ବିଶ୍ୱାସ ରହିଛି ଯଦି କିଛି ବର୍ଷ ପୂର୍ବେ ଲୋକେ ଏମାନଙ୍କ ଠୁଯଦି ଛାଡଫୁଙ୍କ ହୋଇ ଭଲ ହୋଇଯାଉଥିଲେ ତେବେ ଆଜିକାଲି କାହିଁକି ହେବ ନାହିଁ? ଏମିତି ଅନେକ ସମୟରେ ଦେଖିବାକୁ ମିଳେ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜର ଜୀବନ ମଧ୍ୟ ହରାଇଥାନ୍ତି ।

କିଛି ଲୋକ ଏହାକୁ କହନ୍ତି ଗୁଣି ଗାରେଡି ତ ପୁଣି ଆଉ କେହି କେହି ଏ ବିଦ୍ୟାର ଓସ୍ତାଦକୁ କହନ୍ତି ଗାଁ ଦିଶାରୀ । କୋରାପୁଟ ଜିଲ୍ଳାର ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏମାନେ ସବୁ କିଛି । ଏମାନଙ୍କ ଧାରଣା ଦେହ ପା ଖରାପ ହେଲେ ଏମାନେ ହିଁ ଭଲ କରିପାରିବେ । ଏ ବିଶ୍ୱାସ ବର୍ଷ ବର୍ଷର । କେବଳ କୋରାପୁଟ ନୁହେଁ ରାଜ୍ୟର ଅନେକ ସ୍ଥାନରେ ବସବାସ କରୁଥିବା ଲୋକେ ଭଲ ମନ୍ଦରେ ଏମାନଙ୍କ ଉପରେ ଏକ ପ୍ରକାର ନିର୍ଭରଶୀଳ । ଏପରିକି ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଚିକିତ୍ସା ବି କରିଥାନ୍ତି ଏହି ଗାଁ ଦିଶାରୀ । ଏହି ଚିକିତ୍ସା ପଦ୍ଧତି ମାନ୍ଧାତା ଅମଳର ଓ ପାରମ୍ପରିକ । ହେଲେ ଆଧୁନିକ ଚିକିତ୍ସା ଓ ଔଷଧ ହାତପାଆନ୍ତାରେ ମିଳୁ ନ ଥିବାରୁ , ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି ଦିଶାରୀଙ୍କୁ ବିଶ୍ୱାସ କରିଥାନ୍ତି । ଏପରିକି ଜୀବନର ପ୍ରତିଟି ସୁବିଧା ଅସୁବିଧାରେ ଏମାନଙ୍କ ପରାମର୍ଶ ଲୋଡିଥାନ୍ତି । କିନ୍ତୁ ରାଜ୍ୟସରକାର ଏବଂ ବିଭିନ୍ନ ଘରୋଇ ଓ ଅର୍ନ୍ତଜାତୀୟ ସ୍ତରରେ ଲୋକଙ୍କ ମନରୁ ଏହି ଧାରଣାକୁ ଦୂର କରିବା ପାଇଁ ଗତ କିଛି ବର୍ଷ ହେବ ଚେଷ୍ଟା ଚାଲିଛି । ଏବେ ଏ କ୍ଷେତ୍ରରେ ବହୁ ମାତ୍ରାରେ ସଫଳତା ମଧ୍ୟ ମିଳିଛି । 

ଦୁର୍ଗମ ଓ ପଛୁଆ ଅଚଂଳରେ ନିଜ ସମ୍ପଦାୟର ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଜିତି ସାରିଥିବା ଏହି ଦିଶାରୀଙ୍କ ପାଖରେ ପହଚିଂବା ଏତେଟା ସହଜ ନ ଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟ ସଂସ୍ଥା ମାନଙ୍କ ପ୍ରଚେଷ୍ଟା ଫଳରେ ଏବେ ସେମାନଙ୍କ ନିକଟକୁ ପହଚିଂ ପାରିଛନ୍ତି । ଏହି ଦିଶାରୀ ମାନଙ୍କୁ ଦିନ ଦିନ ଧରି ଆଧୁନିକ ଡାକ୍ତରୀ ବିଜ୍ଞାନ ସମ୍ପର୍କରେ ବୁଛାଇବାକୁ ପଡିଥିଲା । ଫଳରେ ଦିଶାରୀ ମାନେ ମଧ୍ୟ ବୁଝିଛନ୍ତି । ଏବଂ ଆଜିକାଲି ସମାଜରେ ଛାଡ ଫୁଙ୍କ ସହ ଡାକ୍ତରୀ ଚିକିତ୍ସା ମଧ୍ୟ ଆବଶ୍ୟକ ବୋଲି ସେମାନେ ଅନୁଭବ କରିପାରିଛନ୍ତି । ତେଣୁ ସେମାନେ ଏବେ ଗର୍ଭବତୀ ମାଁ ଓ ନବଜାତ ମାନଙ୍କୁ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଏ କାମ କରିବାକୁ ଏଠାକାର ଆଶା, ଅଙ୍ଗନୱାଡି ୱାର୍କର, ଏ.ଏନ.ଏମ୍ ଓ ସ୍ୱାସ୍ଥ୍ୟକର୍ମୀ , ଜିଲ୍ଳାର ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ମଧ୍ୟ କଠିନ ପରିଶ୍ରମ କରିବାକୁ ପଡିଛି । ନିଜର ବେଉସା ବୁଡିଯିବା ଭୟରେ ଏହି ଗାଁ ଦିଶାରୀ ଗାଁ ମଧ୍ୟକୁ ଆଶା କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଗାଁରେ ପଶେଇ ଦେଉ ନଥିଲେ । କେବେ କେବେ ଗାଁ ଲୋକଙ୍କୁ ନେଇ ଆଶା ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ବାରଣ ମଧ୍ୟ କରାଇଛନ୍ତି । ଯାହା ଫଳରେ ଗର୍ଭବତୀ ମା ଓ ନବଜାତ ଶିଶୁ ଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିବାର ମଧ୍ୟ ନଜିର ରହିଛି । କେବେ କେବେ ଏମାନଙ୍କ ଜୀବନ ମଧ୍ୟ ଚାଲିଯାଇଛି ।

କୋରାପୁଟ ଜିଲ୍ଳାରେ ବସବାସ କରୁଥିବା କିଛି ଦିଶାରୀଙ୍କୁ ଏ ନେଇ ଆମେ ପଚାରିଥିଲୁ । ଏହି କ୍ରମରେ ମାଳିଗୁଡା ଗ୍ରାମର ଧୋବା ଛାଲାନ କୁହନ୍ତି-

ଏବେ ଆଉ ପୂର୍ବ ପରି ସମୟ ନାହିଁ । ଆଜିର ଦୁନିଆରେ ବହୁ ପ୍ରକାରର ରୋଗ ବୈରାଗ ବାହାରିଛି । ପୂର୍ବେ ଜଡିବୁଟି କିମ୍ବା ଝାଡଫୁଙ୍କ ଦ୍ୱାରା ରୋଗ ଭଲ ହେଉ ଥିଲା । କିନ୍ତୁ ସମୟ ବଦଳିବା ସହ ରୋଗ ମଧ୍ୟ ଭୟଙ୍କର ରୂପ ଧାରଣ କରିଛି । ଯାହା ଫଳରେ ଆମେ ଝାଡଫୁଙ୍କ ସହ ରୋଗୀଙ୍କୁ ନିକଟତମ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପରାମର୍ଶ ଦେଉଛି । ଏନେଇ ଆମକୁ ବହୁତ ବାର ୟୁନିସେଫ ଏବଂ ସରକାରୀ ସ୍ତରରେ ଟ୍ରେନିଙ୍ଗ ଦିଆଯାଇଛି । ତେଣୁ ଲୋକଙ୍କ ଜୀବନକୁ ରକ୍ଷା କରିବା ପାଇଁ ଆମେ ଝାଡଫୁଙ୍କ ସହ ଡାକ୍ତରୀ ଚିକିତ୍ସା ପାଇଁ ମଧ୍ୟ ପ୍ରେରଣ କରୁଛୁ । 

ଗରିବ ଆଦିବାସୀମାନେ ମାନେ ଏତେଟା ଶିକ୍ଷିତ ହୋଇ ନ ଥିବାରୁ ଏ ସବୁ ସମସ୍ୟା ଦେଖା ଦେଇଥାଏ । ଛୋଟ ଛୋଟ ଶିଶୁ , ନବଜାତକଙ୍କୁ ବିଭିନ୍ନ ପ୍ରକାରର ଭ୍ୟାକସିନ ଓଡିଶା ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଥିଲେ ମଧ୍ୟ ଏହା ନେଲେ ତାଙ୍କର ଶିଶୁର ଦେହ ଆହୁରୀ ଖରାପ ହେବ ବୋଲି ସେମାନଙ୍କ ମନରୁ ଭ୍ରମ ଧାରଣା ଦୂର ହୋଇନାହିଁ । କିନ୍ତୁ ଗାଁରେ ବିଭିନ୍ନ ସମୟରେ ଗାଁର ଏ.ଏନ୍.ଏମ୍ , ଆଶା ଦିଦି ମାନଙ୍କ ଦ୍ୱାରା ସଚେତନତା ସଭା କରାଯାଇଥାଏ । ତା ସହ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ । ଶିଶୁ ମାନଙ୍କୁ ଯେଉଁ ଭେକସିନ ଦିଆଯାଏ ତାହା ଦ୍ୱାରା ସେମାନଙ୍କୁ କିଛି ସମୟ ଯାଏଁ ଜ୍ୱର ତ ରହିଥାଏ କିନ୍ତୁ ତାଙ୍କୁ ଆଜୀବନ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ । ଏ କଥା ଏବେ ସମସ୍ତେ ବୁଝି ସାରିଛନ୍ତି । ତେଣୁ ଦୁର୍ଗମ ଅଚଂଳରେ ମମତା ଦିବସ ଓ ଟୀକାକରଣ ଦିବସକୁ ବେଶ ସଫଳତା ମିଳିଛି ।

ଏହି ସ୍ଥାନମାନଙ୍କରେ ଅଧିକାଂଶ ଲୋକ ଦେହ ଖରାପ ହେଲେ ଭୟରେ ମେଡିକାଲ ଆସନ୍ତି ନାହିଁ । ମେଡିକାଲ ଆସିବା ପରିବର୍ତ୍ତେ ସେମାନେ ଏହି ଦିଶାରୀଙ୍କ ସହାୟତା ଲୋଡିଥାନ୍ତି । ଏହି ଦିଶାରୀଙ୍କ ସଂଖ୍ୟା କୋରାପୁଟ ଜିଲ୍ଳାରେ ଖୁବ୍ ବେଶି । କୋରାପୁଟ ପରି ରାଜ୍ୟର ଅନେକ ଜିଲ୍ଳାରେ ଏବେ ସ୍ଥିତି ପୁରା ଅଲଗା । ଖାସ୍ କରି ଲୋକମାନେ ବ୍ୟବସ୍ଥିତ ସ୍ୱାସ୍ଥ୍ୟସେବାର ସୁଯୋଗକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି ଏମାନେ । ଧିରେ ଧିରେ ସମସ୍ତେ ବୁଝିଗଲେଣି ଦେହ ଖରାପ ହେଲେ କଣ କରିବେ, କଣ କରିବେ ନାହିଁ । ଆଉ ଏସବୁରେ ସ୍ୱାସ୍ଥ୍ୟ ବିଭାଗ ଓ ଆଗଧାଡିର ସ୍ୱାସ୍ଥକର୍ମୀଙ୍କ ସହ ହାତରେ ହାତ ମିଳାଇ କାମ କରୁଛନ୍ତି ଗାଁ ଗହଳିର ଏହି ଦିଶାରୀମାନେ।

ଏହି ଦୁର୍ଗମ ଅଚଂଳର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଥିଲା ଅପହଂଚ । ଏପରିକି ସେମାନେ ନିଜ ଅଧିକାର ଓ ସୁବିଧା ସୁଯୋଗ ସମ୍ପର୍କରେ ମଧ୍ୟ ଜାଣି ନ ଥିଲେ । ତେବେ ପଂଚାୟତ ସ୍ତରର ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କୁ ବୂଝାସୁଝା କରିବା ପରେ ଏବେ ଏହି କାର୍ଯ୍ୟକ୍ରମରେ ଉନ୍ନତି ଆସିଛି । ଧିରେ ଧିରେ ସ୍ୱାସ୍ଥ୍ୟସେବା ପ୍ରତି ଲୋକଙ୍କ ମନୋଭାବରେ ପରିବର୍ତ୍ତନ ଆସିଛି । ବିଭିନ୍ନ ସମୟରେ ଏହି ପଂଚାୟତ ସଭ୍ୟଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଟ୍ରେନିଙ୍ଗ ପ୍ରୋଗ୍ରାମ ମାଧ୍ୟମରେ ବୁଛାଯାଇଥାଏ ।

ଗାଁ ଗହଳି ମାନଙ୍କରେ ଏବେ ସ୍ୱାସ୍ଥ୍ୟସେବା ଆଉ ଅପହଂଚ ହୋଇ ରହିନାହିଁ । ଗର୍ଭବତୀ ମା ଓ ଶିଶୁମାନଙ୍କ ପାଇଁ ୧୦୨ ଓ ୧୦୮ ଆମ୍ବୁଲାନ୍ସର ସୁବିଧା ମିଳିପାରୁଛି । ଯାହା ଫଳରେ ରାଜ୍ୟରେ ଶିଶୁ ମୃତ୍ୟୁ ହାର ଓ ମାତୃ ମୃତ୍ୟୁ ହାର ବହୁ ମାତ୍ରାରେ କମିପାରିଛି । ଆଶା ଦିଦିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଏ ଦିଗରେ ବହୁ ପଦକ୍ଷେପ ମାନ ନେଇଛନ୍ତି ।