ଜଙ୍ଗଲ ବଞ୍ଚେଇବା ପାଇଁ ମହିଳାମାନେ ଗଛକୁ କଲେ କ୍ୟାନଭାସ

ଜଙ୍ଗଲ ବଞ୍ଚେଇବା ପାଇଁ ମହିଳାମାନେ ଗଛକୁ କଲେ କ୍ୟାନଭାସ

Saturday December 10, 2016,

2 min Read

ଦେଶରେ ବଢୁଥିବା ବାୟୁ ପ୍ରଦୂଷଣ ଏବେ ଚର୍ଚ୍ଚାରେ। ଦିଲ୍ଲୀରେ ଶିତୁଆ ସକାଳେ କୁହୁଡି କମ୍ ପ୍ରଦୂଷଣର ଧୂଆଁ ବେଶି ଥିବାରୁ ରାସ୍ତାଘାଟ ଦେଖାଯାଉନାହିଁ। ଏପରି ଏକ ସମୟରେ ବିହାରର ମଧୁବାଣୀ ଜିଲ୍ଲାର କିଶୋରୀ ଓ ମହିଳା ମାନେ ପରିବର୍ତ୍ତନର ମଶାଲ ଧରିଛନ୍ତି। ଚିତ୍ରକଳା ସାଜିଛି ପ୍ରଦୂଷଣ ସହ ଲଢେଇରେ ତାଙ୍କର ହତିଆର। କେମିତି? ଆସନ୍ତୁ ଜାଣିବା।

ଉତ୍ତର ବିହାରର ଏଇ ସବୁଜିମା ଭରା ଅଞ୍ଚଳ ଇତିହାସର ପୃଷ୍ଠାରେ ତା’ର ମଧୁବାଣୀ ଚିତ୍ରକଳା ପାଇଁ ପ୍ରସିଦ୍ଧ। କିନ୍ତୁ ଅନେକ ବର୍ଷ ହେଲା ଜଙ୍ଗଲର ଗଛ ଗୁଡିକୁ ଲୋକେ କାଟିଦେବା ଫଳରେ ସେ ସବୁଜିମା ନଷ୍ଟ ହେବାରେ ଲାଗିଛି। ନିଜର ସବୁଜିମାକୁ ବଞ୍ଚେଇବା ପାଇଁ ସେଠାକାର କିଶୋରୀ ଓ ମହିଳା ମାନେ ଅଣ୍ଟା ଭିଡ଼ିଛନ୍ତି। ନିଜର ମଧୁବାଣୀ ଚିତ୍ରକଳାକୁ ହତିଆର ବନେଇ ହଜାର ହଜାର ବୃକ୍ଷଙ୍କୁ ବଞ୍ଚଉଛନ୍ତି।

Image : <a href=

Image :

Patna Beatsa12bc34de56fgmedium"/>

ଏହି ଉଦ୍ୟମ ଆରମ୍ଭ ହେଲା ତିନି ବର୍ଷ ତଳେ। ମଧୁବାଣୀର ମହିଳା ମାନେ ଗଛଗୁଡିକ ଉପରେ ଚିତ୍ର କରିବା ଆରମ୍ଭ କଲେ। ଆଜି, ପାଞ୍ଚ କିଲୋମିଟର ଲମ୍ବର ଅଞ୍ଚଳ ଭର୍ତ୍ତି ହେଇଛି ମଧୁବାଣୀ ଚିତ୍ରକଳା ଥିବା ଏହି ଗଛ ମାନଙ୍କରେ। ସାଧାରଣ ଗଛ ଯାହାକୁ ଗଲାଆସିଲା ଲୋକେ ଠାରେ ମଧ୍ୟ ଅନାଉ ନଥିଲେ, ଆଜି ସେହି ଗଛ ସବୁ ପାଲଟିଛି ଟୁରିଷ୍ଟ ଆକର୍ଷଣରେ।

Dainik Bhaskarର ଏକ ରିପୋର୍ଟ ଅନୁସାରେ ଏଠାକାର ମହିଳାମାନେ ରାମପଟି ଓ ରାଜନଗରର ମଝାମଝି ଅଞ୍ଚଳରେ ରାସ୍ତାକଡ଼ରେ ଥିବା ଗଛ ମାନଙ୍କରେ ଦେବାଦେବୀଙ୍କ ଚିତ୍ର ଆଙ୍କିଛନ୍ତି। ଦେବାଦେବୀଙ୍କ ଚିତ୍ର ଥିବା ଗଛ କେହି କାଟିବେ ନାହିଁ, ଏହି ଆଶାରେ ସେମାନେ ଏମିତି କରିଛନ୍ତି।

ଗଛର ଗଣ୍ଡିକୁ ପ୍ରଥମେ ଚୂନରେ ଧଉଳେଇ ଦିଆଯାଏ। ଏହା ଗଛ ଗୁଡିକୁ କୀଟଙ୍କ ଠାରୁ ମଧ୍ୟ ରକ୍ଷା କରେ। ଏହି ଧଳା କ୍ୟାନଭାସ ଉପରେ ମହିଳାମାନେ ରାମ, ସୀତା, କୃଷ୍ଣ, ବୁଦ୍ଧ ଓ ମହାବୀରଙ୍କ ଭଳି ଦେବାଦେବୀଙ୍କ ଚିତ୍ର ଆଙ୍କିଥାନ୍ତି। ଏହିପରି ପ୍ରତ୍ଯେକଟି ଗଛ ଏକ ମନ୍ଦିର ସମାନ ହେଇଯାଏ। ଗୋଟିଏ ଗଛକୁ ଚିତ୍ର କରିବାରେ ପ୍ରାୟ ୫-୬ ଘଣ୍ଟା ଲାଗିଥାଏ। 

ଏହି ପ୍ରୟାସର ଫଳ ଦେଖି ସ୍ଥାନୀୟ ପ୍ରଶାସନ ମଧ୍ୟ ଚକିତ ହେଇଛି। ଯାହା ସେମାନେ ନୀତିନିୟମ ସହ କରିପାରିନଥିଲେ ତାହା ମାତ୍ର ତିନି ବର୍ଷରେ ମହିଳା ମାନେ ତାଙ୍କର ଏ ଅଭିନବ ଉଦ୍ୟମ ସହକାରେ କରି ଦେଖାଇଛନ୍ତି। ଏହି ଉଦ୍ୟମର ପରିକଳ୍ପନା ପ୍ରଥମେ ଏଠାକାର ଏକ ସ୍ବୟସେବୀ ଅନୁଷ୍ଠାନର ସେକ୍ରେଟାରୀ ଦେଇଥିଲେ।