ନେପାଳୀ ଅନାଥ ଶିଶୁମାନଙ୍କର କରୁଣାମୟୀ କିଶୋରୀ ମା!

ନେପାଳୀ ଅନାଥ ଶିଶୁମାନଙ୍କର କରୁଣାମୟୀ କିଶୋରୀ ମା!

Wednesday November 04, 2015,

5 min Read

ସେ ସେତେବେଳେ ସତର ବର୍ଷର କିଶୋରୀ , ସେ ଚାହିଁଲେ ଏଇ ପୃଥିବୀର କିଛି ପରିବର୍ତ୍ତନ କରିବେ। ଯେତେ ଛୋଟ ହେଉନା କାହିଁକି । ତାକୁ ଆହୁରି ଭଲ କରି ଗଢିବେ। ଦଶ ବର୍ଷ ପରେ ସେ ସେଇଆ କରି ଦେଖାଇଲେ, ଯଦିଓ ତାହା ଥିଲା ପୃଥିବୀର ଏକ କ୍ଷୁଦ୍ର ଅଂଶ। ୨୭ ବର୍ଷୀୟା ମ୍ୟାଗି ଡୟେନ ନେପାଳରେ ଅନାଥ ଶିଶୁଙ୍କ ପାଇଁ ଏକ ଆଶାର ପ୍ରତୀକ ହୋଇଗଲେ। ସେ ଅନାଥ ଶିଶୁମାନଙ୍କ ପାଇଁ ପ୍ରତିଷ୍ଠା କରିଛନ୍ତି Kopila Valley Children’s Home ଏବଂ BlinkNow Foundation।

image


ନ୍ୟୁଜେରେସିରେ ହାଇସ୍କୁଲ ଶିକ୍ଷା ପରେ ବିଶ୍ୱବିଦ୍ୟାଳୟ ଯିବା ପରିବର୍ତ୍ତେ ସେ ଗୋଟିଏ ବର୍ଷ ବିରତି ନେଲେ ।“ ମୁଁ ଚାହୁଁଥିଲି ଶ୍ରେଣୀଗୃହ ବାହାରର ପୃଥିବୀକୁ ଆବିଷ୍କାର କରିବା ପାଇଁ। ସେଥି ପାଇଁ ମୁଁ ସ୍ଥିର କଲି ଭାରତ ଆସି ଗୋଟିଏ ସଂଗଠନରେ କାମ କରିବାକୁ ଯାହା କି ନେପାଳୀ ଶରଣାର୍ଥୀମାନଙ୍କର ସହାୟତା କରୁଥିଲା।ଏମାନେ ଦୀର୍ଘ ତେର ବର୍ଷ ଧରି ଏହି ହିମାଳୟ ଦେଶଟିରେ ଚାଲିଥିବା ଆଭ୍ୟନ୍ତରୀଣ ସଂଘର୍ଷର ଶିକାର ହୋଇ ଦେଶ ଛାଡି ଚାଲି ଆସୁଥିଲେ”।

ଏଇ ଅନୁଭୂତି ତାଙ୍କର ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଲା। ସେ ଜଣେ ନେପାଳୀ ଝିଅକୁ ଭେଟିଲେ ଯେ କି ଛଅ ସାତ ବର୍ଷ ପୂର୍ବରୁ ଦେଶ ଛାଡି ଚାଲିଆସିଥିଲା ଆଉ କେବେ ବି ଫେରି ନ ଥିଲା। ମ୍ୟାଗି ତା ସହିତ ନେପାଳ ଯିବା ପାଇଁ ସ୍ଥିର କଲେ।

“୨୦୦୬ରେ ମୁଁ ପ୍ରଥମେ ନେପାଳ ଗଲି। ମୁଁ ଦେଶର ଚାରିଆଡ଼େ ବୁଲି ସେ ଅଞ୍ଚଳରେ ଜୀବିକା ଓ ବିକାଶର ଅଭାବ ବିଷୟରେ ଅନୁଧ୍ୟାନ କରି ତାହା କିପରି ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିଲା ବୁଝିବାକୁ ଚେଷ୍ଟା କଲି। ଗୃହଯୁଦ୍ଧ ପରେ ସେଠାରେ ଦଶ ଲକ୍ଷ ଅନାଥ ଶିଶୁ ଥିଲେ ଏବଂ ମୁଁ ସେମାନଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି। ମୁଁ ମୋ ନ୍ୟୁଜେରେସିରେ ରହୁଥିବା ମୋର ବାପାମା’ଙ୍କ ସହିତ କଥା ହେଲି ଏବଂ ମୁଁ ଆୟା କାମ ଓ ଅନ୍ୟାନ୍ୟ ଛୋଟ ମୋଟ କାମ କରି ରଖିଥିବା ମୋର ସଞ୍ଚିତ ଅର୍ଥ ପଠାଇଦେବାକୁ କହିଲି। ମୋର ପ୍ରାୟ ପାଞ୍ଚ ହଜାର ଡଲାର ଥିଲା। ସେହି ପଇସାରେ ମୁଁ ନେପାଳରେ ଗୋଟିଏ ଘର କିଣି ଅନାଥମାନଙ୍କ ପାଇଁ ଗୋଟିଏ ସ୍କୁଲ ଆରମ୍ଭ କଲି”, ମ୍ୟାଗି ସ୍ମରଣ କରି ଏହା କହନ୍ତି।

ଆଠ ବର୍ଷ ଉତ୍ତାରୁ ସ୍କୁଲର ଛାତ୍ର ସଂଖ୍ୟା ୨୩୦ ଏବଂ ୧୪ ଜଣ ନିୟମିତ ଶିକ୍ଷକ କାର୍ଯ୍ୟରତ। ଆଜି ମ୍ୟାଗି ଶିକ୍ଷା କ୍ଷେତ୍ରରେ ଜଣେ ଅଗ୍ରଦୂତ ଭାବେ ପରିଗଣିତ , ଏବଂ ତାଙ୍କୁ ପୃଥିବୀର ବିଭିନ୍ନ କୋଣରୁ ପୁରସ୍କାର ମାନ ଅଜାଡି ହୋଇ ପଡୁଛି। ତାଙ୍କର ଯୁବା ବୟସ କେବେ ବି ବାଧା ହୋଇନି ବରଂ ଏକ ଆଶୀର୍ବାଦ ହୋଇଛି।

“ ମୁଁ ମୋର ଯାତ୍ରା ଆରମ୍ଭ କରିଥିଲି ଯେତେବେଳେ ମୋତେ ଅଠର ବର୍ଷ ଏବଂ ତାହାହିଁ ମୋତେ ସାହାଯ୍ୟ କରିଥିଲା ସମସ୍ୟାଟିକୁ ଏକ ଭିନ୍ନ ମାନସିକତା ନେଇ ଦେଖିବା ପାଇଁ। ମୁଁ ନକାରାତ୍ମକ ଦୃଷ୍ଟିଭଙ୍ଗୀରୁ ମୁକ୍ତ ଥିଲି ଏବଂ ଯେ କୌଣସି ଆହ୍ଵାନକୁ ମୁକାବିଲା କରିବାକୁ ମୋର ଟିକିଏ ବି ଭୟ ନ ଥିଲା। ଅଧିକନ୍ତୁ ମୁଁ ଜାଣିଥିଲି ଯେ ମୁଁ ସାମନା କରୁଥିବା ସମସ୍ୟାଗୁଡ଼ିକର ଉତ୍ତର ବା ସମାଧାନ ମୋ ପାଖରେ ନ ଥିଲା,ସେଇଥିପାଇଁ ସାହାଯ୍ୟ ଲୋଡିବାକୁ ମୋର ଦ୍ଵିଧା ନ ଥିଲା। ଭାଗ୍ୟକୁ ମୋ ପାଖରେ ଉପଦେଷ୍ଟା ଓ ପରାମର୍ଶଦାତା ସର୍ବଦା ପ୍ରସ୍ତୁତ ଥିଲେ ସାହାଯ୍ୟ କରିବାକୁ”। ମ୍ୟାଗି କହନ୍ତି।

ତମେ ଯଦି କେବେ ମ୍ୟାଗିଙ୍କ ସହ କଥା ହୁଅ ତେବେ ତମେ ଜାଣି ବିସ୍ମିତ ହେବ, ତାଙ୍କର ଶିଶୁମାନଙ୍କ ପ୍ରତି ଭଲପାଇବା କେତେ ନିବିଡ ଓ ଅନୁଷ୍ଠାନଟି ପାଇଁ ତାଙ୍କର ଆବେଗ କେତେ ଗଭୀର। ସେହି ଶିଶୁମାନଙ୍କ ପାଇଁ ମ୍ୟାଗି ସବୁ କିଛି ; ଏତେ କମ ବୟସ ସତ୍ତ୍ୱେ ମ୍ୟାଗି ନିଜକୁ ସେମାନଙ୍କର ମା’ ବୋଲି ଅନୁଭବ କରନ୍ତି। “ଅନେକ ଶିଶୁ ବହୁତ ଛୋଟବେଳୁ ଏଇ ସ୍କୁଲକୁ ଆସିଲେଣି। ସେମାନଙ୍କର ପୂର୍ବ ଜୀବନ ବିଷୟରେ କିଛି ବି ମନେ ନାହିଁ। ଖାସ ସେଇଥି ପାଇଁ ସେମାନେ ମୋତେ ମା’ ବୋଲି ଡାକନ୍ତି। କୌତୁକର ବିଷୟ ଏହି ଯେ ମୋର ବାପା’ମା ଯେତେବେଳେ ସ୍କୁଲଟି ପରିଦର୍ଶନ କରିବାକୁ ଆସନ୍ତି ସେତେବେଳେ ପିଲାମାନେ ତାଙ୍କୁ ଅଜା ଆଈ ବୋଲି ସମ୍ବୋଧନ କରନ୍ତି”, ମ୍ୟାଗି ସ୍ମିତ ହସି କହନ୍ତି।

image


ସେ ୪୦ରୁ ଅଧିକ ଶିଶୁଙ୍କର ତତ୍ତ୍ଵାବଧାନ କରନ୍ତି ଏବଂ ବିଶ୍ଵାସ କରନ୍ତି ଯେ ଏଇ ମଡେଲ ହିଁ ନେପାଳକୁ ବଦଳାଇ ଦେଇ ପାରିବ।

"ମୁଁ ବିଶ୍ଵାସ କରେ ଯେ ଏଇ ଦେଶକୁ ସଶକ୍ତ କରିବାର ସର୍ବୋତ୍ତମ ପନ୍ଥା ହେଲା ଏହି ଶିଶୁମାନଙ୍କୁ ଶିକ୍ଷିତ କରିବା। ଯେହେତୁ ମୁଁ ଅନାଥାଶ୍ରମ ମଡେଲକୁ ଘୃଣା କରେ ମୁଁ ଏଇ ଅନାଥ ଶିଶୁମାନଙ୍କୁ ଗୋଟିଏ ଘର ଦେବାକୁ ଚାହିଁଲି ଯେଉଁଠି ସେମାନଙ୍କୁ ପ୍ରକୃତ ଭଲପାଇବା ମିଳିବ। ଏବେ ସେମାନେ ଅନୁଭବ କରିପାରୁଛନ୍ତି ଯେ ସେମାନେ ଗୋଟିଏ ପରିବାରର ଅଂଶ। ଏହା ଏମିତି ଏକ ଜିନିଷ ଯାହା ସେମାନେ କେବେ ବି ଅନୁଭବ କରି ନ ଥିଲେ”, ମ୍ୟାଗି ଯୋଡନ୍ତି।

ଯଦିଓ ମ୍ୟାଗିଙ୍କ ନିଃସ୍ଵାର୍ଥପର ଭଲପାଇବାର କାହାଣୀ ପୃଥିବୀର ଅନେକ ଲୋକଙ୍କ ପାଇଁ ଏକ ପ୍ରେରଣା ଏଥି ପାଇଁ ଚ୍ୟାଲେଞ୍ଜ ବି କିଛି କମ ନ ଥିଲା।

"ମୁଁ ଯେତେବେଳେ ଏଠାକୁ ଆସିଲି ମୋତେ ନେପାଳୀ କହି ଆସୁ ନ ଥିଲା। ଯୋଗାଯୋଗ କରିବା କଷ୍ଟକର ଥିଲା। ଏବେ ମୁଁ ନେପାଳୀ କହୁଛି ଓ ପିଲାମାନେ ବି ଅନର୍ଗଳ ଇଂରାଜୀ କହିପାରୁଛନ୍ତି ତେଣୁ ଅନେକ ଅସୁବିଧାର ସମାଧାନ ହୋଇଗଲା। କିନ୍ତୁ ପିଲାମାନଙ୍କୁ ଶିକ୍ଷା ଦାନ କରିବା ଆଦୌ ସହଜ ନ ଥିଲା। ସେମାନେ ଭଲପାଇବା କଣ ଜାଣିନାହାନ୍ତି। ସେମାନଙ୍କ ସହିତ ଏକ ସମ୍ପର୍କ ଯୋଡିବା କଷ୍ଟସାଧ୍ୟ ଥିଲା; କିନ୍ତୁ ସେମାନଙ୍କୁ ବଡ ହୋଇ ସୁଠାମ କିଶୋର ହେଉଥିବା ଦେଖି ମୋ ମନରେ ଗର୍ବ ଆସେ”, ଆଉ ଟିକେ ଖୋଲି ମ୍ୟାଗି କହନ୍ତି। । ତାଙ୍କ କାହାଣୀର ଏକ ବ୍ୟକ୍ତିଗତ ଦିଗ ମଧ୍ୟ ଥିଲା ଯାହା ତାଙ୍କୁ ମୁକାବିଲା କରିବାକୁ ପଡିଥିଲା। ତାଙ୍କ ପରି ଏତେ କମ ବୟସର ଯୁବତୀ ପରିବାର ଛାଡି ଏତେ ଦୂରରେ ରହିବା ତାଙ୍କ ସମସ୍ତଙ୍କ ପାଇଁ ଚିନ୍ତାଜନକ ଥିଲା।

“ପ୍ରଥମେ ତ ଏହା କଠିନ ଥିଲା। ମୋର ମା’ବାପା ଖାଲି ଯେ ଚିନ୍ତିତ ଥିଲେ ତା’ ନୁହେଁ , ମୋର ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ମଧ୍ୟ ସେମାନଙ୍କୁ ଅସୁଖୀ କରିଥିଲା। କିନ୍ତୁ ସମୟ କ୍ରମେ ସେମାନେ ଯେବେ ମୋତେ ଦେଖିବାକୁ ଆସିଲେ ଓ ପିଲାମାନଙ୍କୁ ଭେଟିଲେ ସେତେବେଳେ ସବୁ କିଛି ହୃଦୟଙ୍ଗମ କରିପାରିଲେ। ବର୍ତ୍ତମାନ ସେମାନେ କେବଳ ଯେ ମୋର ଦୃଢ ସମର୍ଥକ ତା’ ନୁହେଁ ମୋ କାମକୁ ନେଇ ବେଶ ଗର୍ବ ମଧ୍ୟ କରନ୍ତି”, ମ୍ୟାଗି ଯୋଡନ୍ତି।

ବିଗତ ଆଠ ବର୍ଷ ମ୍ୟାଗିଙ୍କ ଜୀବନଚର୍ଯ୍ୟାରେ ଆଣିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ଏବଂ ଦେଇଛି ଅନେକ କିଛି ଶିକ୍ଷା

“ଯାହାକିଛି ବି ମୋ ପାଇଁ ହେଉଛି ଆଉ ଯାହା ବି କର୍ମ ଚାଲିଛି ସେଥି ପ୍ରତି କୃତଜ୍ଞତା ସ୍ଵୀକାର କରିବାକୁ ମୁଁ ଶିଖିଲି” ମ୍ୟାଗି କହନ୍ତି। ଦାରିଦ୍ର୍ୟ ଦୂରୀକରଣ ଉପରେ ତାଙ୍କର ଦୃଷ୍ଟିଭଙ୍ଗୀ ସକାରାତ୍ମକ। ଉପଲବ୍ଧ ସମାଧାନର ପନ୍ଥାଗୁଡିକ କାର୍ଯ୍ୟକାରୀ କାଲେ ଏହା ସମ୍ଭବ ବୋଲି ସେ ଭାବନ୍ତି।

BlinkNow Foundationର ନେପାଳରେ କାର୍ଯ୍ୟକ୍ରମ ଗୁଣାତ୍ମକ ଦୃଷ୍ଟିରୁ ଅତି ଉଚ୍ଚକୋଟୀର, କିନ୍ତୁ ପୃଥିବୀର ଅନ୍ୟ ପ୍ରାନ୍ତରେ ନୂତନ ବିଦ୍ୟାଳୟ ଖୋଲିବା କିମ୍ବା ଏହାର ପରିସର ବୃଦ୍ଧି କରିବା ପରି ଯୋଜନା ସେମାନଙ୍କର ନାହିଁ।

“ ଏଇଠି ଏତେ କିଛି କରିବାକୁ ଅଛି ଯେ ମୁଁ ମୋର ସମସ୍ତ ଧ୍ୟାନ ଏଇ କାମରେ ହିଁ ଦେଇଥାଏ। ବେଶୀ ବଡ ଯୋଜନା କରିବା ଅଭିପ୍ରାୟ ମୋର ନାହିଁ। ପରିମାଣ ଅପେକ୍ଷା ମୁଁ ସବୁବେଳେ ଗୁଣାତ୍ମକ ମାନ ଉପରେ ଧ୍ୟାନ ଦେଇଥାଏ ଏବଂ ମୋର କାହାଣୀର ବାର୍ତ୍ତା ପ୍ରସାରକରି ଅନ୍ୟମାନଙ୍କୁ ପ୍ରେରିତ କରିବା ପାଇଁ ଚେଷ୍ଟା କରିଥାଏ। ଯଦି କେହି ଅନୁଭବ କରୁଥାନ୍ତି ଯେ ଏକ ପରିବର୍ତ୍ତନ ଆବଶ୍ୟକ ମୁଁ ସେମାନଙ୍କୁ ଉତ୍ସାହିତ କରିଥାଏ; କିନ୍ତୁ ମୁଁ ମୋର ଛୁଆମାନଙ୍କ ଉପରେ ହିଁ ଧ୍ୟାନ କେନ୍ଦ୍ରିତ କରିବାକୁ ସର୍ବଦା ପ୍ରାଥମିକତା ଦେଇଥାଏ” ନିଜ କଥା ବାଣ୍ଟିବାକୁ ଯାଇ ମ୍ୟାଗି କହନ୍ତି।

ବେଳେବେଳେ ମ୍ୟାଗିଙ୍କ ମନ ଆକାଶରେ ଆଶଙ୍କା ଓ ନିଜ ପ୍ରତି ସନ୍ଦେହର ବାଦଲ ଉଙ୍କି ମାରେ।

“ଏମିତି ବି କିଛି ମୁହୂର୍ତ୍ତ ଆସେ ଯେତେବେଳେ ମୁଁ ଭାବେ –‘ହେ ଭଗବାନ ! କଣ ଯେ ମୁଁ କରୁଛି’, ମୁଁ ବ୍ୟାକୁଳ ହୋଇ ଉଠେ, ମୁଁ ଯେଉଁଠାରେ ଜନ୍ମ ହୋଇ ବଢିଥିଲି ସେଠାରୁ କେତେ ଦୂରରେ! ପ୍ରକୃତରେ ବହୁତ କଷ୍ଟ ବି ଲାଗେ। କିନ୍ତୁ ବର୍ତ୍ତମାନ ମୁଁ ଆବୋରି ଥିବା ପଥ,ମୋର ନେପାଳ ଅନୁଭୂତି,ଛୁଆ ମାନଙ୍କ ସହ ଏତେ ନିବିଡତା ! ଏ ସବୁ ବ୍ୟତୀତ, ଆଉ କିଛି ବି ନିଜ ଜୀବନ ବିଷୟରେ ଭାବି ପାରେନା। ସେମାନେ ବଡ ହେଉଥିବା ଦେଖି ମୁଁ ଅଭିଭୂତ ହୋଇପଡେ, ମୋର ପେଟ ପୂରିଯାଏ। କେତେ ବିସ୍ମୟଜନକ ! ସତରେ ସେମାନେ ମୋତେ ବହୁତ କିଛି ଦେଇଛନ୍ତି,” ମ୍ୟାଗି କହି ବସନ୍ତି।

ଯେଉଁମାନେ ଏ ଧରାରେ ନିଜ ସ୍ଵାକ୍ଷର ରଖିଯିବା ପାଇଁ ଚାହାଁନ୍ତି ସେମାନଙ୍କ ପାଇଁ ମ୍ୟାଗିଙ୍କର ସନ୍ଦେଶ,“ ତମେ ଯଦି ଏ ପୃଥିବୀକୁ ବଦଳାଇବାକୁ ଚାହଁ ତେବେ ବୁଢା ହେବା ପର୍ଯ୍ୟନ୍ତ ଅପେକ୍ଷା କରନାହିଁ। ଅବସର ନେବା ପର୍ଯ୍ୟନ୍ତ ଅପେକ୍ଷା କରନାହିଁ। ଅପେକ୍ଷା କଲେ ଚଳିବନି, ତମକୁ ତୁରନ୍ତ ହିଁ ଆରମ୍ଭ କରିବାକୁ ହେବ। ମୁଁ ଯଦି ଅପେକ୍ଷା କରିଥାନ୍ତି ମୋ ଛୁଆମାନଙ୍କର କ’ଣ ହୋଇଥାଆନ୍ତା ଭାବି ଦେଖ ତ !”- ମ୍ୟାଗି କହନ୍ତି।