ବିଶ୍ୱ ମାତୃଭାଷା ଦିବସରେ ଓଡ଼ିଆ ପାଇଁ ଏକ ଅନୁଶୀଳନ

ଓଡ଼ିଆରେ ପ୍ରକାଶନ ଦୁଇଶହ ବର୍ଷର ପୁରୁଣା । ଆଉ ଓଡ଼ିଆକୁ ଦୁଇ ବର୍ଷ ବିତିଗଲାଣି ଶାସ୍ତ୍ରୀୟ ମାନ୍ୟତା ପାଇବା ପରଠୁ । ହେଲେ ନାଁ ଓଡ଼ିଆ ପୂରାପୂରି ସରକାରୀ ଭାଷା ହେଲାଣି ନାଁ ବାକି ଭାଷାର ସମକକ୍ଷ ହେଲାଣି । ସେହି ଫାଙ୍କା ସ୍ଥାନମାନ ଖୋଜି ତାକୁ ପୂରାଇବାର ସମ୍ଭାବନା ବାବଦରେ ଏ ଏକ ଅନୁଶୀଳନ ।

0

ଗତ କାଲି ଜଗତ ସାରା ସଭିଏଁ ସଜବାଜ ହୋଇଥିଲେ ବିଶ୍ୱ ମାତୃଭାଷା ଦିବସ ପାଳିବା ଲାଗି । ୧୯୫୨ ମସିହା ଫେବୃଆରୀ ୨୧ ତାରିଖରେ ତତ୍କାଳୀନ ପୂର୍ବ ପାକିସ୍ଥାନ ଓ ଏବେର ବଙ୍ଗଳାଦେଶର ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ଢାକା ବିଶ୍ୱବିଦ୍ୟାଳୟ ଓ ଢାକା ମେଡ଼ିକାଲ କଲେଜରେ କିଛି ଛାତ୍ର ଉର୍ଦ୍ଦୁ ବଦଳରେ ବଙ୍ଗଳାକୁ ସେଠାର ଜାତୀୟ ଭାଷା ପାଇଁ ଦାବୀ କରି ପୁଲିସ ଗୁଳିରେ ଢାକା ହାଇ କୋର୍ଟ ସାମନାରେ ପ୍ରାଣ ବଳି ଦେଇଥିଲେ । ଭାଷା ପାଇଁ ଏ ବଳିଦାନକୁ ମୁଣ୍ଡିଆ ମାରି ଇଉନେସ୍କୋ ୧୯୯୯ ମସିହା ନଭେମ୍ବର ୧୭ ତାରିଖରେ ଫେବୃଆରୀ ୨୧ ତାରିଖକୁ ବିଶ୍ୱ ମାତୃଭାଷା ଦିବସ ଭାବେ ଘୋଷଣା କଲା । ଏହି ପରିପ୍ରେକ୍ଷୀ ଲେଖକ ଗତ ଦୁଇ ବର୍ଷ ଧରି ଜଡ଼ିତ ଥିବା ସାନ୍ତାଳୀ ଲିପି ଅଲ ଚିକିର କମ୍ପୁଟରରେ ବ୍ୟବହାର ସମ୍ବନ୍ଧିତ ପ୍ରକଳ୍ପର ଆଧାରରେ କିଛି ବିଷୟ ଆଲୋଚିବାକୁ ଚାହେଁ ।

୨୦୧୩ ମସିହାରେ ଭୁବନେଶ୍ୱର ସ୍ଥିତ କିସର ମିଳିତ ସହଯୋଗରେ ଉଇକିପିଡ଼ିଆର ବୈଷୟିକ ସୁବିଧା ପରିଚାଳନା କରୁଥିବା ସଙ୍ଗଠନ ଉଇକିମିଡ଼ିଆ ଫାଉଣ୍ଡେସନରୁ କିଛି ପାଣ୍ଠି ଅନୁଦାନରେ ସାନ୍ତାଳୀ ଭାଷାର ଲିପି ଅଲ ଚିକିକୁ କମ୍ପୁଟର ଓ ଇଣ୍ଟରନେଟରେ ଉପଲବ୍ଧ କରିବାର ଏକ ପ୍ରକଳ୍ପ ଆରମ୍ଭ ହେଲା । ବେଙ୍ଗାଳୁରୁ ସ୍ଥିତ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଏହି ପ୍ରକଳ୍ପର ରୂପରେଖ ତିଆରି କରାଗଲା । ପ୍ରକଳ୍ପ ଆରମ୍ଭ ହେବାବେଳକୁ ଆମେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନମାନଙ୍କ ସଙ୍ଗେ ଯୋଗାଯୋଗ କରି ଜାଣିବାକୁ ପାଇଲୁ ଯେ ଚାରିଟି ଦେଶ ଓ କେବଳ ଭାରତର ସାତଟି ରାଜ୍ୟ ୬୩ ଲକ୍ଷରୁ ଅଧିକ ଲୋକଙ୍କ ଦ୍ୱାରା କଥିତ ସାନ୍ତାଳୀ ଭାଷା ପାଇଁ ଇଉନିକୋଡ଼ ଫଣ୍ଟ ଖଣ୍ଡିଏ ମଧ୍ୟ ନାହିଁ । ବହି ଛପା ପାଇଁ ଯାହା ବ୍ୟବହାର ହେଉଛି ତାହା ଆନ୍ତର୍ଜାତିକ ମାନକ ଇଉନିକୋଡ଼ରେ ହୋଇନଥିବାରୁ ଇଣ୍ଟରନେଟରେ ବ୍ୟବହାର କରିବା ଦୂରୁହ । ଏହାର କିଛି ସମୟ ପରେ ଗୁଗୁଲ ତିଆରି ନୋଟୋ ଫଣ୍ଟ ଆସିଲା ହେଲେ ସେଇଟି ତିଆରିରେ ନାଁ ସାନ୍ତାଳୀ କହୁଥିବା ଲୋକଙ୍କୁ ପଚରା ଉଚୁରା କରାଗଲା ନାଁ ତିଆରି ପରେ ତାଙ୍କ ସହ ଆଲୋଚନା କରି ଭୁଲ ସୁଧରାଗଲା । ଆଦରରେ ଗୁରୁ ଗୋମକେ ବା ରଘୁନାଥ ମୁର୍ମୁଙ୍କ ତିଆରି ଅଲ ଚିକି ଲିପିରେ ଲେଖିବା ପାଇଁ ଏବେ ନୂଆ ଫଣ୍ଟଟିଏ ସଜବାଜ ହେଉଛି ରତର ଦିନ ଧରି ସାନ୍ତାଳୀ ଭାଷାକୁ ଜାବୁଡ଼ି ଧରିଥିବା ଅଗଣିତ ଲୋକଙ୍କ ପାଇଁ । ଏଥିରେ ସାନ୍ତାଳୀ ଭାଷାରେ ବିଶାରଦ ଓ ସାହିତ୍ୟ ଏକାଡେମୀ ସଦସ୍ୟା ଡ. ଦମୟନ୍ତୀ ବେସ୍ରାଙ୍କଠାରୁ ସାନ୍ତାଳୀ ପତ୍ରିକା "ଫଗୁଣ"ର ଜନ୍ମଦାତା-ଜନ୍ମଦାତ୍ରୀଙ୍କ ମତାମତର ଫଳ । ଇଉନିକୋଡ଼ରେ ଫଣ୍ଟ ହେଲେ ଇଣ୍ଟରନେଟରେ ଜ୍ଞାନ ବାଣ୍ଟିବା ଆଉ ଆହରଣ କରିବାର ବାଟ ଖୋଲିବ । ପର ସଂସ୍କରଣକୁ ଅପେକ୍ଷା ନ କରି ଆବଶ୍ୟକ ପଡ଼ିବା କ୍ଷଣି ନୂଆ ନୂଆ ବିଷୟ ଓ ଘଟଣା ବାବଦରେ ଜାଣିହେବ । ଏ ବିଷୟ ଅବତାରଣାର ଉଦ୍ଦେଶ୍ୟ ଏକ ଭାଷାରେ କେବଳ ସାହିତ୍ୟ ନୁହେଁ କି କଥନ ନୁହେଁ ବରଂ ସେ ଭାଷା କହୁଥିବା ଲୋକେ କିପରି ନିଜ ନିଜ ଭିତରେ ସୁବିଧାରେ ସହଜରେ ଭାବ ଦିଆନିଆ କରିପାରିବେ । ଯଦି ଭାଷାଟିଏ କେବଳ ସାହିତ୍ୟ ଚାଷର ମାଧ୍ୟମ ହୋଇ ଲେଖକ ଓ ପାଠକଙ୍କ ଭିତରେ ବାନ୍ଧି ହୋଇ ରହିଗଲା ତେବେ ସେ ଭାଷା ନୁହେଁ । ଆଉ ଭାଷାକୁ ଜ୍ଞାନର ଓ ଶାସନର ଭାଷା କରିବା ଲାଗି ଲୋଡ଼ା ଆଧୁନିକ ବୈଷୟିକ ଜ୍ଞାନକୌଶଳ । ତେବେ ପ୍ରତିଟି ଭାଷା ପାଇଁ ଆଜିର ଦିନ ହେଉଛି ଜ୍ଞାନକୌଶଳର ମାପକାଠିରେ ନିଜ ଭାଷାକୁ ମାପିବା ଓ ବାକି ଭାଷା ସଙ୍ଗେ ତଉଲିବାର ଦିନ ।

ସାନ୍ତାଳୀର ସ୍ଥିତି ତ ଗୋଟେ ପ୍ରକାର । ହେଲେ ଏ ଦେଶରେ ଆହୁରି ୧୯୬ ଗୋଟି ଭାରତୀୟ ଭାଷା ମରଣମୁଖୀ । ଏ ଭାଷା କହୁଥିବା କିଛି ଲୋକ ରହିଛନ୍ତି ଆଉ ସେମାନେ ଦିହୁଡ଼ି ଆଗରେ ଦିକି ଦିକି ଜଳୁଥିବା ତାଙ୍କ ଭାଷାକୁ ଦେଖି ଭାବୁଥିବେ ଯେ ଆମେ ସେ ଦିହୁଡ଼ି ସଙ୍ଗେ ମିଶି ଗଲେ ବରଂ ଭଲ । ଉତ୍ତର ଭାରତରେ କିଛି କାଳ ରହଣି କାଳରେ କେବେ ଅଙ୍ଗିକା ତ କେବେ ଦେହାତି ପୁଣି କେବେ ଠେଟି ଆଦି ଭାଷା କହୁଥିବା ଅନେକ ଲୋକଙ୍କୁ ଭେଟିବାର ସୁଯୋଗ ମିଳିଥିବା । ତାଙ୍କୁ ବହରେଇ ଫୁସୁଲେଇ ପଚାରିଲେ ସେମାନେ ଲାଜେଇ କହନ୍ତି ନିଜ ଭାଷାର ନାଁ । ହେଲେ ପୁଣି ବୁଲିବାଲି କରି କହନ୍ତି, "ଆମ ଭାଷା ହିନ୍ଦୀ, ହେଲେ ଘରେ ଆମେ ଅମୁକ ଭାଷାରେ କହୁ" । ପୁରୁଣା ପିଢ଼ି ସରିସରି ଆସୁଛନ୍ତି । ଆଉ ନୂଆ ପିଢ଼ିଠାରୁ ଭାଷାର ବ୍ୟବହାର ବି ସରିସରି ଆସୁଛି । ଏମିତି ମରି ମରି ଆସୁଥିବା ଭାଷା କହୁଥିବା ଜଣେ ପାଠୋଈଙ୍କ ମତରେ ଯଦି ଜଣେ ନିଜ ଭାଷା ପାଇଁ ନିଜେ ଚିନ୍ତୁନି ତାହେଲେ ବାକିମାନେ ଚିନ୍ତି କରିବେ କଣ । ତାଙ୍କ କଥା ବି ସତ । ହେଲେ ପେଟର ଭୋକ ଆଗେ । ଭୋକ ମାରିବା ପାଇଁ ମଣିଷ ବାର ବେପାର ତେର ଧନ୍ଦା କରେ । ତେଣୁ ଭାଷାର ବିକାଶରେ ସାଧାରଣ ମଣିଷଟିଏର ଭୂମିକା କେତେ ଏକଥାଟି ଭାବିବା ନିହାତି ଜରୁରୀ । ମରୁ ମରୁ ବଞ୍ଚୁଥିବା ଏକ ଭାଷାର ଉଦାହରଣ ନିଆଯାଉ । ପୃଥିବୀର ଏକ ପୁରୁଣା ଭାଷା ଭିତରୁ ଗୋଟିଏ ଭାଷା ହେଲା ହିବ୍ରୁ । ହେଲେ ଏ ଭାଷାଟି ୧୫୦୦ ବର୍ଷରୁ ଅଧିକ କାଳ ଦରମଲା ରହି ଫିନିକ୍ସ ଚଢ଼େଇ ଭଳି ପାଉଁଶ ତଳୁ ଉଠିଲା । ଏବେ ଏ ଭାଷାଟି ପାଖାପାଖି ୯୦ ଲକ୍ଷ ଲୋକଙ୍କ ଦ୍ୱାରା କଥିତ କିନ୍ତୁ ଏ ଭାଷାରେ ଦେଶର ଶାସନ ଚଳେ ଆଉ କମ୍ପୁଟର ଅପରେଟିଂ ସିଷ୍ଟମ ଓ ମୋବାଇଲ ଇଣ୍ଟରଫେସରେ ଦିଶେ । ଏସବୁ ପଛରେ ରହିଛି ବିଜ୍ଞାନ ଓ କାରିଗରୀର କରାମତି । ଯଦି ଦେଶର ଶାସନ ନିଜ ଭାଷାରେ ହୁଏ ତେବେ ଶାସନ ପାଇଁ ଦରକାରୀ ସବୁ ଉପାଦାନ ନିଜ ଭାଷାରେ ତିଆରି ହୁଏ । ଆଉ ଏ ଉପାଦାନମାନ ତିଆରିବା ଲାଗି ଶିକ୍ଷା ବ୍ୟବସ୍ଥା ଗଢ଼ାହୁଏ । ପିଲେ ଚାକିରି କରନ୍ତି । ଆଉ ଭାଷା ଶାସନର ଭାଷା ହେଲେ ଶିକ୍ଷା ଓ ଜ୍ଞାନର ଭାଷା ହୋଇ ଭାଷା ଭାତ ଦିଏ । ନିଜ ନିଜ ସଙ୍ଗେ ଯୋଡ଼ା ଏ ରଥ ଚକର ଗୋଟେ ଅର ହୁଗୁଳା ହେଲେ ଆରଟି ଭୁଷୁଡ଼ି ପଡ଼ିବ । ଆଉ ଓଡ଼ିଆ ପାଇଁ ଏ ଅର ଭିତରୁ କେଉଁ ଅର କେମିତି ରହିଛି ଆଉ କଣ ମରାମତି ହେବ ଆମକୁ ବେଳହୁଁ ଭାବିବାକୁ ପଡ଼ିବ ।

ଅପ୍ରିୟ ସତ କଥା ହେଲା ଶାସ୍ତ୍ରୀୟ ମାନ୍ୟତା ମିଳିବାର ଦୁଇ ବର୍ଷ ବିତିଗଲା ପରେ ବି ଓଡ଼ିଆ ଏବେ ଯାଏ କୋର୍ଟ କଚେରିର ଭାଷା ହୋଇପାରିଲା ନାହିଁ । ସରକାରୀ ସ୍ତରରେ ଓଡ଼ିଆର ବ୍ୟାପକ ବ୍ୟାବହାର ବଦଳରେ ହିନ୍ଦୀରୁ ଉଧାରି ଆଣି ପାଳିତ ହେଉଛି "ରାହଗିରି ଦିବସ" । ସିନେମାରେ ବି ସେଇଆ । ଆଉ କାହା ସଙ୍ଗେ ମିତ ବସିବାରେ ଆପତ୍ତି ନାହିଁ ହେଲେ ନିଜ ପରିଚୟ ହାରି ସେ ମିତ ବସିବାରେ କି ସୁଖ । ସରକାରୀ ସ୍ତରରେ ବିଭିନ୍ନ ରାଜ୍ୟର ଯେଉଁଭଳି ତାଙ୍କ ୱେବସାଇଟସବୁ ତାଙ୍କ ରାଜ୍ୟ ଭାଷାରେ ତିଆରି ଆମର ସେମିତି ହୋଇନାହିଁ । ନିକଟରେ odia.odisha.gov.in ନାମରେ ସାଇଟଟିଏ ସରକାର ତିଆରି କଲାବେଳେ ଲେଖକକୁ ସେଥିରେ ଓଡ଼ିଆ ଭାଷାର କମ୍ପୁଟର ଓ ଇଣ୍ଟରନେଟରେ ଥିବା ବିଭିନ୍ନ ସାଜସରଞ୍ଜାମ ବାବଦରେ ପରାମର୍ଶ ଦେବାର ସୁଯୋଗ ମିଳିଥିଲା । ଏ ସଜସବୁ ଖୋଜିବା ବେଳେ ଓଡ଼ିଆରେ ଉପଲବ୍ଧ ଥିବା ୱେବସାଇଟ ବାବଦରେ କିଛି ତଥ୍ୟ ଆଖି ସାମନାକୁ ଆସିଥିଲା । ଗୁଗୁଲ ସର୍ଚରେ ଓଡ଼ିଆ ଆସୁନଥିବାର ମୁଖ୍ୟ କାରଣ ହେଲା ଇଣ୍ଟରନେଟରେ ଓଡ଼ିଆ ଲେଖାର ଅଭାବ । ଓଡ଼ିଆରେ କେଇ ଶହ ଖବରକାଗଜ ଦୈନିକ ଛପାଯାଉଥିଲେ ହେଁ ମୁଖିଆ କାଗଜମାନନଙ୍କ ୱେବସାଇଟରେ ଇଉନିକୋଡ଼ ମାନକରେ ଓଡ଼ିଆ ଲେଖା ନାହିଁ । ଲେଖାସବୁ ଅଣ-ମାନକ ଲିପି ଏନକୋଡ଼ିଂରେ ରହିଛି କିମ୍ବା ଛବି ଭାବେ ରହିଛି । ଫଳରେ ଇଣ୍ଟରନେଟରେ ଖୋଜିଲେ ଲେଖାଯାକ ମିଳିବ ନାହିଁ । ସେମିତି bhulekh.ori.nic.in ଭଳି ଓଡ଼ିଶା ସରକାରଙ୍କ ସାଇଟଟିରେ ଅଣ-ମାନକ ଫଣ୍ଟରେ ତିଆରି ହୋଇଥିବାରୁ ସଧାରଣ ଲୋକେ ସରକାରୀ ନଥିପତର ଖୋଜି ପାଇପାରୁନାହାନ୍ତି । ଓଡ଼ିଆ ପାଇଁ ଯେତେକ ଆନ୍ଦୋଳନ ଏବେ ଚାଲିଛି ସବୁ କେବଳ ସାହିତ୍ୟ ଓ ଶାସନକୁ ନେଇ କିନ୍ତୁ କେଉଁ କେଉଁ ଉପାଦାନକୁ ନେଇ ବାକି ଜାଗତିକ ଭାଷାଏ ଆଗକୁ ବଢ଼ିଛନ୍ତି ଆଉ ଓଡ଼ିଆରେ କି କି ଚିଜ ନିହାତି ଲୋଡ଼ା ତା' ଲାଗି ଆକଳନ ଲୋଡ଼ା । ଭାରତରେ ୧୯୫୫ ଆଗର ପ୍ରାୟ ବହି କପିରାଇଟ ବାହାରେ । ଏ ବର୍ଗରେ ଥିବା ଓଡ଼ିଆ ବହିସବୁ ଧୀରେ ଧୀରେ ଉଇଙ୍କ ଆହାର ହେବା ଉପରେ । ଭୁବନେଶ୍ୱରର ସୃଜନିକା ଅନୁଷ୍ଠାନ, ରାଉରକେଲା ଏନଆଇଟି ଓ ପ୍ରଗତି ଉତ୍କଳ ସଂଘ ଉଦ୍ୟମରେ ହୋଇଥିବା ଉଦ୍ୟମ ଫଳରେ ଦେଢ଼ ଲକ୍ଷରୁ ଅଧିକ ପୃଷ୍ଠା ସ୍କାନ କରାଯାଇଛି । ଏଥିରୁ କିଛି ଏବେ ଓଡ଼ିଆ ଉଇକିପାଠାଗାର ପ୍ରକଳ୍ପରେ or.wikisource.org ୱେବସାଇଟରେ ଉପଲବ୍ଧ । ଏଥିରେ ସ୍ୱେଚ୍ଛାରେ ଓଡ଼ିଆ ପାଠକମାନେ ନିଜ ପସନ୍ଦର ବହିସବୁକୁ ଡିଜିଟାଇଜ କରି ସ୍କାନ ଛବିରୁ ଲେଖାରେ ରୂପାନ୍ତର କାମ ଆରମ୍ଭ ହୋଇଛି । ଏଥିସହିତ ସମ୍ପୂର୍ଣ୍ଣ ଓଡ଼ିଆ ଭାଗବତ ଭଳି ଆମ ଭାଷାର ସମ୍ପତ୍ତି ଧୀରେ ଧୀରେ ଏଥିରେ ଆସିବାକୁ ଲାଗିଲାଣି । ଏଥି ସହିତ ଜଗତଯାକର ଜ୍ଞାନକୁ ଓଡ଼ିଆରେ ଲେଖିବାର ଉଦ୍ୟମ କରିଥିବା ଗୋପାଳ ପ୍ରହରାଜଙ୍କ ଭାଷାକୋଷ ତିଆରି କାମକୁ ଏବେର ଉଇକିପିଡ଼ିଆ ମାଧ୍ୟମରେ ଆଗକୁ ନେବାର ଉଦ୍ୟମ ହେଲାଣି । ଏଯାବତ ୧୧ ହଜାରରୁ ଅଧିକ ଲେଖା ଓଡ଼ିଆ ଉଇକିପିଡ଼ିଆରେ or.wikipedia.org ୱେବସାଇଟରେ ଉପଲବ୍ଧ । ସାମୁହିକ ଉଦ୍ୟମ ଛଡ଼ା କିଛି ବ୍ୟକ୍ତିବିଶେଷ ଓ ସଙ୍ଗଠନ ମଧ୍ୟ ଓଡ଼ିଆରେ କିଛି ୱେବସାଇଟ ଆଗରୁ ବଖଣାଯାଇଥିବା ଫାଙ୍କା ଥାନ ପୂରଣ କରିବା କାମରେ ମଧ୍ୟ ଲାଗିଛନ୍ତି । ତେବେ ଆଉ ଭାଷା ସଙ୍ଗେ ଓଡ଼ିଆକୁ ସମକକ୍ଷ କରିବା ଲାଗି ଆହୁରି ଅନେକ ଉଦ୍ୟମ ଲୋଡ଼ା । ବିଶେଷ କରି ସରକାରଙ୍କ ପାଖେ ସଚେତନତା ଲୋଡ଼ା । କେବଳ କୋଟି କୋଟି ଟଙ୍କାର ପ୍ରକଳ୍ପ ନୁହେଁ ବରଂ ଘରର ମୂଳଦୁଆ ଗଢ଼ା କାମ ପାଇଁ ଅଧକ ଉଦ୍ୟମ ନିହାତି ଲୋଡ଼ାପଡ଼ିଛି ।

ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି । ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି । ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ ।

Related Stories

Stories by Subhashish Panigrahi