ବସ୍ତିପିଲାଙ୍କ ଦ୍ଵାରା ଚାଳିତ ତାଙ୍କ ନିଜସ୍ଵ ଖବରକାଗଜ

ବସ୍ତିପିଲାଙ୍କ ଦ୍ଵାରା ଚାଳିତ ତାଙ୍କ ନିଜସ୍ଵ ଖବରକାଗଜ

Saturday August 27, 2016,

2 min Read

ବାଳକନାମା ଏକ ଏପରି ଖବରକାଗଜ ଯାହା ସଂପୂର୍ଣ୍ଣ ଭାବେ ଦିଲ୍ଲୀ ଓ ଆଖପାଖରେ ବସ୍ତି ପିଲା ମାନଙ୍କ ଦ୍ଵାରା ପରିଚାଳିତ। ଆଠ ପୃଷ୍ଠାର ଏହି ଖବରକାଗଜରେ ବସ୍ତିରେ ବଢୁଥିବା ପିଲାମାନଙ୍କ କାହାଣୀ ପ୍ରକାଶିତ ହେଇଥାଏ। ଏହି ସବୁ କାହାଣୀ ମାନଙ୍କରେ ବାଳ ଶ୍ରମିକ, ଯୌନ ନିର୍ଯ୍ୟାତନା, ପୋଲିସର ଅତ୍ୟାଚାର ସହ କିଛି ସକାରାତ୍ମକ ଓ ହାଲୁକା କାହାଣୀ ମଧ୍ୟ ପ୍ରକାଶ ପାଇଥାଏ।

Al-Zazeera">Image - Al-Zazeera

ଯଦି କୌଣସି ବଲିଉଡ ଅଭିନେତାଙ୍କ କୁକୁର ଆଘାତ ପ୍ରାପ୍ତ ହୁଏ ତେବେ ଏହା ପାଲଟିଯାଏ ବ୍ରେକିଙ୍ଗ ନିଉଜ ଓ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ରେସ ଲଗାନ୍ତି ଏହି ଖବରକୁ ପ୍ରଥମେ କିଏ ଛାପିବ। କିନ୍ତୁ ଯଦି ଫୁଟପାଥରେ ରହୁଥିବା ପିଲାଟିଏ ସଡ଼କ ଦୁର୍ଘଟଣାରେ ଜୀବନ ହରେଇବସେ ତେବେ ତାହା ନିତିଦିନିଆ ଘଟଣା ଭିତରେ ଗଣା ହୁଏ। କାହାକୁ ତର ଯେ ଏପରି ଏକ ସାଧାରଣ ଖବର ବିଷୟରେ ଲେଖିବାକୁ... 

ବାଳକନାମାରେ କାମ କରୁଥିବା ଜଣେ ସାମ୍ବାଦିକ ବିକାଶ ଅଲ ଜଜୀରା କୁ କୁହନ୍ତି। ବିକାଶ ଆଗରୁ ରାସ୍ତାଘାଟରୁ ଅଳିଆ ଗୋଟାଉଥିଲେ ଓ ନିଶାଦ୍ରବ୍ୟର ଆସକ୍ତି ସହ ଲଢୁଥିଲେ। ଏବେ ସେ ପୁଣି ଏକ ଅଶାର ଆଲୋକ ଖୋଜି ପାଇଛନ୍ତି ଏବଂ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ – ନିଜର ସ୍ଵର ଖୋଜିପାଇଛନ୍ତି।

ଦିଲ୍ଲୀରେ ପ୍ରକାଶିତ ହେଉଥିବା ଏହି ଖବରକାଗଜରେ ରାଜଧାନୀରେ ୧୪ଜଣ ନିୟମିତ ସାମ୍ବାଦିକ ରହିଥିବା ବେଳେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ହରିୟାଣାରେ ଅନେକ କୁନି କୁନି ରିପୋର୍ଟର ଅଛନ୍ତି ଯେଉଁମାନେ ତାଙ୍କ ସ୍ଵର ଏହି ଖବରକାଗଜ ମାଧ୍ୟମରେ ଉଠାଉଛନ୍ତି। ବାଳକନାମାର ମୂଲ୍ୟ ମାତ୍ର ଦୁଇ ଟଙ୍କା। ଚେତନା ନାମକ ଏକ ସ୍ଥାନୀୟ ଏନଜିଓ ଏହି କାଗଜ ପାଇଁ ଆର୍ଥିକ ସହାୟତା ଦେବା ସଙ୍ଗେ ସଙ୍ଗେ ପ୍ରକାଶନ ମଧ୍ୟ କରାଉଛି। ଯଦିଓ ଏହାର ପ୍ରସାର ଏବେ ପର୍ଯ୍ୟନ୍ତ ୫୫୦୦ ଅଛି, ବିଜ୍ଞାପନଦାତା ତଥା କୌଣସି ସରକାରୀ ସହାୟତା ପାଇବା ପାଇଁ ଏହାର ସଂଘର୍ଷ ଜାରି ରହିଛି।

ଖବରକାଗଜର ସମ୍ପାଦନା କରୁଛନ୍ତି ଚାନ୍ଦନୀ ଯିଏ ପୂର୍ବରୁ ଅଳିଆ ଗୋଟାଇବା କାମ ଓ ପରେ ରାସ୍ତାରେ ନାଚଗୀତ କରିବା କାମ କରୁଥିଲେ। ଇଣ୍ଡିଆ ଟୁଡେ ସହ ଏକ ସାକ୍ଷାତକାରରେ ଚାନ୍ଦନୀ କହିଛନ୍ତି – 

ମୁଁ ଯେ ଏହି ଖବରକାଗଜର ସମ୍ପାଦନା କରୁଛି ସେଥିପାଇଁ ବହୁତ ଗର୍ବ ଅନୁଭବ କରେ କାରଣ ୟା ପରି ଖବରକାଗଜ ଦେଶରେ ଆଉ ନାହିଁ। ଛୋଟ ଛୁଆମାନେ, ଯେଉଁମାନଙ୍କ ଠାରୁ ତାଙ୍କ ପିଲାଦିନ ଛଡେଇ ନିଆଯାଇଛି...ଭୋକିଲା ପେଟ, ଭିକମଗା, ଅତ୍ୟାଚାର, ଏଠିସେଠି କାମ କରିବାକୁ ବାଧ୍ୟ ହେବାରେ ବିତିଯାଇଛି ତାଙ୍କ ପିଲାଦିନ। ଏଇ କୁନି ସାମ୍ବାଦିକ ମାନେ ତାଙ୍କ ପରି ଦୁର୍ଦ୍ଧଶା ଓ ଯନ୍ତ୍ରଣାରେ ଥିବା ଅନ୍ୟ ପିଲାମାନଙ୍କ କାହାଣୀ ଲେଖୁଛନ୍ତି।