ମୁଠି ଚାଉଳ ସଂଚୟରୁ ମହିଳା ଉଦ୍ୟୋଗୀ : ସଂଧ୍ୟାରାଣୀଙ୍କ ସଂଘର୍ଷର କାହାଣୀ

ମୁଠି ଚାଉଳ ସଂଚୟରୁ ମହିଳା ଉଦ୍ୟୋଗୀ : ସଂଧ୍ୟାରାଣୀଙ୍କ ସଂଘର୍ଷର କାହାଣୀ

Monday March 07, 2016,

3 min Read

ଛତୁ ଚାଷକୁ ନେଇ ଉଦ୍ୟୋଗ ପ୍ରତିଷ୍ଠା

୧୨ ମହିଳାଙ୍କୁ ଦେଇଛନ୍ତି ରୋଜଗାର

ଅନେକ କଟକଣା ସତ୍ୱେ ଆଗେଇ ଚାଲିଛନ୍ତି 

image



ଇଛା ଥିଲେ ଉପାୟ ବଳେ ବଳେ ଆସେ | ଦୃଢ ଇଛା ଶକ୍ତି ବଳରେ ନିଜର ପରିସ୍ଥିତିକୁ ପରିବର୍ତ୍ତନ କରିହୁଏ | ସବୁ ବାଧା ବିଘ୍ନକୁ ଏଡାଇ ଯାଇ ନିଜ ଲକ୍ଷ୍ୟ ସ୍ଥଳରେ ପଂହଚି ହୁଏ | ଗାଁର ମହିଳାମାନେ ଯେ କେବଳ ସ୍ୱାମୀଙ୍କ ଉପରେ ନର୍ଭର କରିବେ, ସେମାନେ ନିଜେ ରୋଜଗାର କରିବା କଷ୍ଟକର, ଏକଥାକୁ ବି ଭୁଲ ପ୍ରମାଣିତ କରିଛନ୍ତି ସେ | ଆମେ ଏଠାରେ କହୁଛୁ ଏମିତି ଜଣେ ମହିଳାଙ୍କ ସଂଘର୍ଷର କାହାଣୀ, ସେ ନିଜ ଚେଷ୍ଟା ବଳରେ ଆତ୍ମନିର୍ଭର ହୋଇନାହାନ୍ତି, ଅନ୍ୟ କିଛି ମହିଳାଙ୍କୁ ବି ରୋଜଗାରର ରାହା ଦେଖାଇଛନ୍ତି | ଆଖପାଖର ଗାଁ ମହିଳାଙ୍କ ପାଇଁ ସେ ଉହାହରଣ ପାଲଟି ଯାଇଛନ୍ତି | ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆମେ ତାଙ୍କୁ ସାଲାମ କରୁଛୁ | ସେ ହେଉଛନ୍ତି ସଂଧ୍ୟାରାଣୀ | ସେ ଜୀବନ ସଂଘର୍ଷରେ ହାରି ନଯାଇ ନିଜକୁ ଛିଡା କରାଇଛନ୍ତି ଏକ ସମ୍ମାନସ୍ପଦ ସ୍ଥାନରେ |

image


ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଭୁଷୁଣ୍ଡପୁର ଗାଁର ବୋହୂ ସନ୍ଧ୍ୟାରାଣୀ ମାହାଲା | ପାରିବାରିକ ସ୍ଥିତି ଅତ୍ୟନ୍ତ ଖରାପ ଥିଲା ତାଙ୍କର | ସ୍ୱାମୀ କିରଣ ମାହାଲାଙ୍କୁ ସବୁବେଳେ କାମ ମିଳୁନଥିଲା | ସଂଧ୍ୟାରାଣୀ ସବୁବେଳେ ଚିନ୍ତା କରୁଥିଲେ ସେ ବି ରୋଜଗାର କରିବେ ଓ ପରିବାରକୁ ଆର୍ଥିକ ସହଯୋଗ ମିଳିପାରିବ | ତେବେ ଗାଁରେ ପରମ୍ପରା ଓ ଅନ୍ୟାନ୍ୟ କଟକଣାକୁ ଦୃଷ୍ଟିରେ ରଖି ପରିବାର ଲୋକେ ରାଜି ହେଉନଥିଲେ | ଜଣେ ମହିଳା ରୋଜଗାର କରି ପରିବାର ଚଳାଇବା କଥାକୁ ସମାଜ ସହଜରେ ହଜମ କରିପାରେ ନାହିଁ | ସଂଧ୍ୟାରାଣୀଙ୍କ କ୍ଷେତ୍ରରେ ମଧ୍ୟ ସେୟା ହେଲା | ତେବେ ସେ ନିରାଶ ହୋଇନଥାନ୍ତି | ଗାଁରେ ଥିବା ଏକ ସ୍ୱଂୟ ସହାୟକ ଗୋଷ୍ଠୀରେ ସେ ନିଜକୁ ସାମିଲ କରାଇଥିଲେ | ସେଠାରେ ପ୍ରତିଦିନ ମୁଠି ଚାଉଳ ସଂଗ୍ରହ କରାଯାଇ ସଂଚୟ କରାଯାଇଥାଏ | ସେହିଠାରୁ ସେ କିଛି କରିବା ଲାଗି ଆହୁରି ସାହସ ପାଇଥିଲେ |

image


ଘରେ ରୋଷଇ ହେବାକୁ ଥିବା ଚାଉଳ ମୁଠିଏ ସଂଚୟ କରି ରଖୁଥିଲେ ସଂଧ୍ୟାରାଣୀ | ତାହାକୁ ସ୍ୱଂୟ ସହାୟକ ଗୋଷ୍ଠୀରେ ଜମା କରୁଥିଲେ | ଘରେ ଜମି ବାଡି ବେଶୀ ନାହିଁ | ଆଠଗୁଣ୍ଠ ପାହାଡିଆ ଜମିରୁ ବହୁତ କମ୍ ଧାନ ମିଳେ | ସେଥିରୁ ବର୍ଷେ ଯାକ ଚଳିବା ଭାରି କଷ୍ଟକର ଥିଲା | ଘରେ ସ୍ୱାମୀ ଓ ତିନି ପୁଅ | ପୁଅମାନଙ୍କୁ ପାଠ ପଢାଇ ଭଲ ମଣିଷ କରିବା ଲକ୍ଷ୍ୟ ଥିଲା ସଂଧ୍ୟାରାଣୀଙ୍କର | ଏକ ସ୍ୱଂୟ ସହାୟକ ଗୋଷ୍ଠୀକୁ ଆସୁଥିବା ସ୍ୱେଚ୍ଛାସେବୀ ସଂଗଠନଙ୍କ କର୍ମକର୍ତ୍ତାଙ୍କ ଜରିଆରେ ସେ ସେ ଛତୁଚାଷରେ ତାଲିମ ନେବାକୁ ଇଛାପ୍ରକାଶ କଲେ | ଏହାକୁ ଘର ଲୋକେ ଖୁବ୍ ବିରୋଧ କରିଥିଲେ | ଏହା ୧୯୯୯ ମସିହାର କଥା ଥିଲା |

ଏ ସମ୍ପର୍କରେ ସଂଧ୍ୟାରାଣୀଙ୍କ ସ୍ୱାମୀ କିରଣ ମାହାଲା କୁହନ୍ତି,

ଆମେ ସେତେବେଳେ ତାକୁ ବିରୋଧ କରିଥିଲୁ | ମହିଳାମାନେ ଘରୁ ବାହାରି କାମ କରିବେ, ଏକଥା ଆମକୁ ଭଲ ଲାଗୁନଥିଲା | କିନ୍ତୁ ମନୋମାଳିନ୍ୟ ସତ୍ତ୍ୱେ ସେ ଛତୁ ଚାଷ ତାଲିମ ପାଇଁ ଭୁବନେଶ୍ୱର ଯାଇଥିଲା | ଏବେ ତାର ସଫଳତା ଦେଖି ବେଶ୍ ଖୁସୀ ଲାଗୁଛି | ମୁଁ ବି ତା ସହ ସାମିଲ ହୋଇଛି |

ଭୁବନେଶ୍ୱରରେ ଓୟୁଏଟିରୁ ଛତୁଚାଷ ବିଷୟରେ ସେ ତାଲିମ ନେଲେ | ସେହି ଦିନ ଠାରୁ ପଛକୁ ଫେରି ଚାହିଁ ନାହାନ୍ତି | ୨୦୦୦ ମସିହାରେ ସଂଧ୍ୟାରାଣୀ ଗୋଟିଏ ପାଳଛତୁ ବେଡ୍ ପକାଇଥିଲେ | ସେଥିରୁ ୧ କେଜି ଛତୁ ପାଇବା ପରେ ତାଙ୍କର ଆତ୍ମବିଶ୍ୱାସ ବଢିଥିଲା | ଧୀରେ ଧୀରେ ସେ ବେଡ୍ ସଂଖ୍ୟା ବଢାଇବାକୁ ଲାଗିଲେ | ଏହା ଏକ ଉଦ୍ୟୋଗରେ ପରିଣତ ହୋଇ ଯାଇଥିଲା | ସେ ଏକୁଟିଆ ଏହାକୁ କରିପାରିଲେ ନାହିଁ | ପ୍ରଥମେ ଦୁଇ ଜଣ ମହିଳାଙ୍କୁ ନିଯୁକ୍ତି ଦେଲେ | ଏବେ ଛତୁ ବେଡ୍ ସଂଖ୍ୟା ବହୁତ ବଢିଯାଇଛି | ସେଗୁଡିକୁ ଦେଖାରେଖା ଓ ଅଧିକ ଉତ୍ପାଦନ ପାଇଁ ସେ ଏବେ ୧୨ ଜଣ ମହିଳାଙ୍କୁ କାମ ଦେଇଛନ୍ତି | ସେମାନଙ୍କୁ ମାସିକ ୨ରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ଦେଉଛନ୍ତି |

ଏହି ସଫଳତା ସମ୍ପର୍କରେ ସଂଧ୍ୟାରାଣୀ କହନ୍ତି,

ଏବେ ମୁଁ ପୂର୍ବ ଭଳି ଛତୁ ଚାଷୀଟିଏ ଭଳି କାମ କରୁଛି | ଏହାର ମୁଁ ମାଲିକ ଓ ମୋ ପାଖରେ ଏତେ ଲୋକ କାମ କରୁଛନ୍ତି ବୋଲି ଭାବିନାହିଁ | ଗାଁର ମହିଳାଙ୍କ ସଙ୍ଗେ ମିଶି ଅଧିକ ଛତୁ ଉତ୍ପାଦନ ପାଇଁ ଚେଷ୍ଟା କରୁଛୁ | ସରକାରୀ ମିଳିଲେ ଛତୁ ବଡି, ଛତୁ ଆଚାର, ଛତୁ ଗୁଣ୍ଡ ଆଦି ବିକ୍ରି କରି ପାରିବା ସହ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରାଯାଇପାରିବ |

ଛତୁଚାଷ ପାଇଁ ସଂଧ୍ୟାରାଣୀଙ୍କୁ ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନ ଓ ସ୍ୱିକୃତୀ ମିଳିଛି | ପ୍ରଥମେ ୨୦୧୩ରେ ବଡଚଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସଫଳ ଚତୁଚାଷୀ ଭାବେ ସମ୍ମାନିତ କରାଯାଇଥିଲା | ସେହିବର୍ଷ ବଡଚଣା ଆତ୍ମା ପକ୍ଷରୁ କୃଷି ଓ କୃଷକ ସମ୍ମାନ ମଧ୍ୟ ମିଳିଥିଲା | ଓଡିଶା ଛତୁ ଉତ୍ପାଦନକାରୀ ମହାସଂଘ ପକ୍ଷରୁ ସେହି ବର୍ଷ ସଫଳ ଚାଷୀ ସମ୍ମାନ ମିଳିଥିଲା | ଗତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସରେ ତାଙ୍କୁ ମିଳିଥିଲା ସଫଳ ମହିଳା ଚାଷୀ ସମ୍ମାନ | ଏହି ବର୍ଷ ତାଙ୍କୁ ଯାଜପୁରରେ ଯଯାତି ସମ୍ମାନ ମଧ୍ୟ ମିଳିଛି | ଏସବୁ ସମ୍ମାନ ପାଇବା ପରେ ତାଙ୍କୁ ଏହି ଛତୁ ଚାଷ ଉଦ୍ୟୋଗକୁ ଆହୁରି ବଢାଇବା ପାଇଁ ପ୍ରେରଣା ମିଳୁଛି ବୋଲି କହନ୍ତି ସଂଧ୍ୟାରାଣୀ | ସଂଧ୍ୟାରାଣୀ ତାଙ୍କ ଲକ୍ଷ୍ୟରେ ସଫଳ ହୁଅନ୍ତୁ, ଏହା ହିଁ ୟୋର ଷ୍ଟୋରୀ ତରଫରୁ କାମନା |